Unknown

 

 

 

 

 

 

 

 

 

 

ସଂକ୍ଷିପ୍ତ ମହାଭାରତ

ଶ୍ରୀ ସହଦେବ ପ୍ରଧାନ

 

ସୂଚୀପତ୍ର

 

୧.

ମହାଭାରତ ସଂପର୍କରେ

୨.

ଆଦିପର୍ବ

୩.

ସଭାପର୍ବ

୪.

ବନପର୍ବ

୫.

ବିରାଟପର୍ବ

୬.

ଉଦ୍ୟୋଗପର୍ବ

୭.

ଭୀଷ୍ମପର୍ବ

୮.

ଦ୍ରୋଣପର୍ବ

୯.

କର୍ଣ୍ଣପର୍ବ

୧୦.

ଶଲ୍ୟପର୍ବ

୧୧.

ସୌପ୍ତିକପର୍ବ

୧୨.

ସ୍ତ୍ରୀପର୍ବ

୧୩.

ଶାନ୍ତିପର୍ବ

୧୪.

ଅନୁଶାସନପର୍ବ

୧୫.

ଅଶ୍ୱମେଧପର୍ବ

୧୬.

ଆଶ୍ରମବାସିକପର୍ବ

୧୭.

ମୌଷଳପର୍ବ

୧୮.

ମହାପ୍ରସ୍ଥାନିକପର୍ବ

୧୯.

ସ୍ୱର୍ଗାରୋହଣପର୍ବ

Image

 

ମହାଭାରତ ସଂପର୍କରେ

 

ମହାଭାରତ ହିନ୍ଦୁମାନଙ୍କର ଏକ ପ୍ରଧାନ ଧର୍ମଗ୍ରନ୍ଥ ।

 

ଏହାର ବିଷୟବସ୍ତୁ ବହୁ ପ୍ରାଚୀନ । ପ୍ରାୟ ଦ୍ୱାପରଯୁଗର ସମସ୍ତ କଥା ଏଥିରେ ଲେଖାଯାଇଛି । ସେତେବେଳେ ଆମ ଦେଶରେ କୌରବ ଓ ପାଣ୍ଡବମାନେ ଶାସନ କରୁଥିଲେ । କାଳକ୍ରମେ ସେମାନଙ୍କ ମଧ୍ୟରେ ଏକ ଭୀଷଣ ଯୁଦ୍ଧ ହୋଇଥିଲା । ସେହି ଯୁଦ୍ଧର ନାମ ମହାଭାରତ ଯୁଦ୍ଧ ।

 

କୌରବମାନେ ନିଜର କକେଇ–ପୁଅ ଭାଇ ପାଣ୍ଡବମାନଙ୍କୁ ଭଲପାଉ ନ ଥିଲେ । ତାଙ୍କ ଉପରେ ନାନାପ୍ରକାର ଅତ୍ୟାଚାର କଲେ । ପରିଶେଷରେ ଅନ୍ୟ ଉପାୟ ନ ଦେଖି ପାଣ୍ଡବମାନଙ୍କୁ ରାଜ୍ୟରୁ ବାହାର କରିଦେଲେ । ତେଣୁ ପାଣ୍ଡବ ଓ କୌରବମାନଙ୍କ ମଧ୍ୟରେ ଘୋର ଯୁଦ୍ଧ ହେଲା ।

 

ଯୁଦ୍ଧରେ କିପରି ଧର୍ମର ଜୟ ଓ ଅଧର୍ମର କ୍ଷୟ ହେଲା, ସେହି ସବୁ ବିଷୟ ମହାଭାରତରେ ବର୍ଣ୍ଣନା କରାଯାଇଛି । ତା’ଛଡ଼ା ଭଗବାନ ଶ୍ରୀକୃଷ୍ଣଙ୍କ ରାଜନୀତି ଓ କେତେକ ଧର୍ମ ଉପଦେଶ ମଧ୍ୟ ଏଥିରେ ଲିପିବଦ୍ଧ ହୋଇଛି ।

 

ଆମ ଦେଶର ନାମ ଭାରତବର୍ଷ କିପରି ହେଲା ?

 

ପ୍ରାୟ ହଜାରେ ବର୍ଷ ତଳର କଥା ।

 

ସେତେବେଳେ ଏ ଦେଶରେ ଯଯାତି ନାମରେ ଜଣେ ରାଜା ରାଜୁତି କରୁଥିଲେ । ଯଯାତିଙ୍କ ମୃତ୍ୟୁ ପରେ ତାଙ୍କ ସାନ ପୁଅ ପୁରୁ ରାଜସିଂହାସନରେ ବସିଲେ ।

 

କାଳକ୍ରମେ ପୁରୁରାଜାଙ୍କ ବଂଶରେ ଭରତ ଜନ୍ମଗ୍ରହଣ କରିଥିଲେ । ତାଙ୍କ ନାମ ଅନୁସାରେ ଆମ ଦେଶର ନାମ ‘ଭାରତ’ ହୋଇଅଛି । ଏହି ଭରତଙ୍କ ବଂଶର ନାମ ‘ଭରତବଂଶ’ ନାମରେ ଖ୍ୟାତ ।

 

ଭରତବଂଶରେ ଛଅ ସାତପୁରୁଷ ପରେ ମହାରାଜା କୁରୁ ଜନ୍ମ ହୋଇଥିଲେ । ତାଙ୍କରି ନାମ ଅନୁସାରେ ‘ଭରତବଂଶ’ ‘କୁରୁବଂଶ’ରେ ପରିଣତ ହେଲା ।

 

ମହାରାଜା ଶାନ୍ତନୁ ଏହି କୁରୁବଂଶର ଜଣେ ପ୍ରସିଦ୍ଧ ଏବଂ ପ୍ରତିଷ୍ଠାବାନ୍‍ ରାଜା ଥିଲେ । ସେ ଗଙ୍ଗାଦେବୀଙ୍କୁ ବିବାହ କରିଥିଲେ । ମହାରାଜା ଶାନ୍ତନୁ ଓ ମହାରାଣୀ ଗଙ୍ଗାଦେବୀଙ୍କ ବିବାହ ସଂପର୍କରେ ଏକ କିମ୍ବଦନ୍ତୀ ଅଛି ।

 

ଥରେ ମହର୍ଷି ବଶିଷ୍ଠ କୌଣସି କାରଣରୁ ଅଷ୍ଟବସୁଙ୍କୁ ମର୍ତ୍ତ୍ୟଲୋକରେ ଜନ୍ମହେବା ପାଇଁ ଅଭିଶାପ ଦେଲେ । ଅଷ୍ଟବସୁଙ୍କ ସମସ୍ତ ପ୍ରାର୍ଥନା ଓ ଅନୁନୟ ବଶିଷ୍ଠଙ୍କ ନିକଟରେ ବିଫଳ ହେଲା ।

 

ତା’ପରେ ଅଷ୍ଟବସୁ ନିରୁପାୟ ହୋଇ ଗଙ୍ଗାଦେବୀଙ୍କ ନିକଟରେ ପହଞ୍ଚି କହିଲେ, ‘‘ମାତା ! ମର୍ତ୍ତ୍ୟଲୋକରେ ଏପରି କୌଣସି ସ୍ତ୍ରୀ ନାହିଁ ଯେ କି ଆମ୍ଭମାନଙ୍କୁ ଗର୍ଭରେ ଧାରଣ କରିପାରିବ । ଏଣୁ ଆମେମାନେ ଆପଣଙ୍କୁ ଅନୁରୋଧ କରୁଅଛୁ, ଆପଣ ଆମମାନଙ୍କର ମାତା ହେବେ, ଆମଙ୍କୁ ଗର୍ଭରେ ଧାରଣ କରିବେ ।’’

 

‘‘ଆଉ ଗୋଟିଏ ଅନୁରୋଧ–ଆମେ ଜନ୍ମ ହେବା ସଙ୍ଗେ ସଙ୍ଗେ ଆମମାନଙ୍କର ଶରୀରକୁ ଆପଣ ନଷ୍ଟ କରିଦେବେ । ଏହିପରି କଲେ ଆମମାନଙ୍କୁ ବେଶି ସମୟ ମର୍ତ୍ତ୍ୟଲୋକର ଦୁଃଖକଷ୍ଟ ଭୋଗ କରିବାକୁ ପଡ଼ିବ ନାହିଁ ।’’

 

ଗଙ୍ଗାଦେବୀ ଅଷ୍ଟବସୁଙ୍କ ଅନୁରୋଧ ରକ୍ଷା କଲେ ।

 

କିଛି ଦିନ ପରେ ସେ ଶାନ୍ତନୁଙ୍କୁ ସ୍ୱାମୀ ରୂପେ ବରଣ କଲେ ।

 

ବିବାହ ପୂର୍ବରୁ ଗଙ୍ଗାଦେବୀ ମହାରାଜାଙ୍କୁ ଏକ ପ୍ରତିଜ୍ଞା କରାଇଥିଲେ ଯେ, ସେ ଯେତେବେଳେ ଯାହା କରିବେ, ସେଥିରେ ମହାରାଜା ବାଧା ଦେବେ ନାହିଁ । ଯଦି କେବେ ବାଧା ଦିଅନ୍ତି, ତେବେ ସେହି ମୁହୂର୍ତ୍ତରେ ହିଁ ସେ ତାଙ୍କୁ ଛାଡ଼ି ଚାଲିଯିବେ ।

 

ଶାନ୍ତନୁ ଗଙ୍ଗାଦେବୀଙ୍କ ସର୍ତ୍ତରେ ରାଜି ହେଲେ ।

 

ବିବାହ ଶେଷ ହେଲା ।

 

କିଛି ଦିନ ପରେ ଗଙ୍ଗାଦେବୀ ଗୋଟିଏ ପୁତ୍ର ସନ୍ତାନ ପ୍ରସବ କଲେ । ପ୍ରସବ କରିବା ସଙ୍ଗେ ସଙ୍ଗେ ସେ ସେହି ପୁତ୍ରଟିକୁ ଗଙ୍ଗାନଦୀର ଜଳରେ ଭସେଇଦେଲେ ।

 

ମହାରାଜା ଶାନ୍ତନୁ ମହାରାଣୀଙ୍କ ଏପରି ଅମାନୁଷିକ କାର୍ଯ୍ୟ ଦେଖି ମନେ ମନେ ଭୀଷଣ ଦୁଃଖିତ ହେଲେ ମଧ୍ୟ, ପୂର୍ବ ପ୍ରତିଜ୍ଞା ସ୍ମରଣ କରି କିଛି କହିପାରିଲେ ନାହିଁ ।

 

ଏହିପରି ଭାବରେ ଗଙ୍ଗାଦେବୀ ସାତଟି ପୁତ୍ରସନ୍ତାନ ଜନ୍ମ କରି ସେମାନଙ୍କୁ ଗଙ୍ଗାନଦୀର ସ୍ରୋତରେ ଭସେଇଦେଲେ ।

 

ମହାରାଜା ହୃଦୟକୁ ପଥର କରି ମହାରାଣୀଙ୍କ କାର୍ଯ୍ୟକଳାପ ଦେଖୁଥାଆନ୍ତି, କିନ୍ତୁ ମୂକ–ନିର୍ବାକ ଭଳି କିଛି କହିପାରୁ ନ ଥାନ୍ତି ।

 

ଅଷ୍ଟମ ସନ୍ତାନ ଦେବବ୍ରତ :

 

ପୁଣି କିଛି ଦିନ ପରେ ଗଙ୍ଗାଦେବୀ ଆଉ ଗୋଟିଏ ପୁତ୍ର ଜନ୍ମ କଲେ । ସେହି ପୁତ୍ରଟିକୁ ଗଙ୍ଗାନଦୀର ସ୍ରୋତରେ ଭସେଇ ଦେବାକୁ ଗଲାବେଳେ, ମହାରାଜା ଶାନ୍ତନୁ ଆଉ ସମ୍ଭାଳି ହୋଇ ପାରିଲେ ନାହିଁ । ପୁତ୍ରଟିକୁ ନଷ୍ଟ ନ କରିବା ପାଇଁ କହିଲେ ।

 

ଗଙ୍ଗାଦେବୀ ସ୍ୱାମୀଙ୍କ କଥା ମାନିଲେ । ପୁତ୍ରକୁ ଆଉ ଗଙ୍ଗାନଦୀର ସ୍ରୋତରେ ଭସେଇଲେ ନାହିଁ ।

 

ତା’ପରେ ସେ ଶାନ୍ତନୁଙ୍କୁ ଛାଡ଼ି ଚାଲିଯିବା ପାଇଁ ଉଦ୍ୟତ ହେଲେ । ଏହା ଦେଖି ଶାନ୍ତନୁ ବଡ଼ ଆଶ୍ଚର୍ଯ୍ୟ ଓ ଦୁଃଖିତ ହେଲେ । ଚାଲି ନ ଯିବା ପାଇଁ ବହୁତ ବୁଝାଇ କହିଲେ; କିନ୍ତୁ ଗଙ୍ଗାଦେବୀ ତାଙ୍କ କଥାରେ ଅଚଳ ଅଟଳ ରହିଲେ ।

 

ଯିବା ପୂର୍ବରୁ ପୁତ୍ରମାନଙ୍କର ବୃତ୍ତାନ୍ତ ସବୁ ଗୋଟି ଗୋଟି କରି ମହାରାଜାଙ୍କୁ ଶୁଣାଇଲେ ଏବଂ ପ୍ରାର୍ଥନା କରି କହିଲେ, ‘‘ହେ ରାଜନ୍ ! ଆପଣଙ୍କ କଥା ଅନୁସାରେ ମୁଁ ଏହି ଅଷ୍ଟମବସୁଙ୍କୁ ଜୀବିତ ରଖୁଅଛି । ଏହାଙ୍କୁ ମୁଁ ସଙ୍ଗରେ ନେଇ ଲାଳନ ପାଳନ କରିବି । ସେ ବଡ଼ ହେବା ସଙ୍ଗେ ସଙ୍ଗେ ତାକୁ ସବୁ ବିଦ୍ୟାରେ ପାରଙ୍ଗମ କରାଇ ଆପଣଙ୍କୁ ଫେରାଇ ଦେବି ।’’

 

ଏତିକି କହି ଗଙ୍ଗାଦେବୀ ପୁତ୍ରକୁ ନେଇ ଅନ୍ତର୍ଦ୍ଧାନ ହୋଇଗଲେ ।

 

ଦେବବ୍ରତଙ୍କ ବାଲ୍ୟାବସ୍ଥା :

 

ଏ ମଧ୍ୟରେ ଗଙ୍ଗାଦେବୀ ଚାଲିଯିବାର ବହୁଦିନ ବିତିଗଲାଣି ।

 

ଦିନେ ମହାରାଜା ଶାନ୍ତନୁ ଶିକାର କରିବା ପାଇଁ ଜଙ୍ଗଲକୁ ଯାଇଥିଲେ । ଜଙ୍ଗଲରେ ବୁଲୁ ବୁଲୁ ସେ ଗଙ୍ଗାନଦୀ ତୀର ଦେଶରେ ପହଞ୍ଚିଲେ । ସେଠାରେ ସେ ଦେଖିଲେ ଯେ ଗଙ୍ଗାନଦୀର ଧାର ଗୋଟିଏ ଜାଗାରେ ଶୁଖିଯାଇଛି । ଏହାର କାରଣ ଜାଣିବା ପାଇଁ ଶାନ୍ତନୁ ନଦୀର କୂଳେ କୂଳେ ଘୂରି ବୁଲିଲେ ।

 

ଅଳ୍ପ ଦୂରରେ ଦେଖିଲେ, ଗୋଟିଏ ବାଳକ ତୀର ମାରି ନଦୀର ସ୍ରୋତକୁ ରୋକି ଦେଇଛି । ବାଳକଟି ଦେଖିବାକୁ ଅତି ସୁନ୍ଦର ।

 

ମହାରାଜା ଧୀରେ ଧୀରେ ବାଳକ ନିକଟକୁ ଗଲେ । ତା’ର ପରିଚୟ ପଚାରିଲେ ।

 

ପିଲାଟି ମହାରାଜାଙ୍କୁ ଚିହ୍ନିପାରି ସଙ୍ଗେ ସଙ୍ଗେ ଗଙ୍ଗାଦେବୀଙ୍କ ନିକଟକୁ ଚାଲିଗଲା ।

 

ଗଙ୍ଗାଦେବୀ ପୁତ୍ର ମୁଖରୁ ସବୁକଥା ଶୁଣି ସ୍ୱାମୀଙ୍କ ନିକଟକୁ ଆସିଲେ । ସ୍ୱାମୀଙ୍କ ହସ୍ତରେ ପୁତ୍ରକୁ ସମର୍ପଣ କଲେ । ସେହି ପୁତ୍ରଟିର ନାମ ‘ଦେବବ୍ରତ’ ।

 

ଭୀଷ୍ମ ପ୍ରତିଜ୍ଞା :

 

କିଛି ଦିନ ସୁଖରେ କାଳଯାପନ କଲାପରେ ଦିନେ ମହାରାଜା ଶାନ୍ତନୁ ଶିକାର କରିବା ପାଇଁ ଗଙ୍ଗାନଦୀ କୂଳରେ ବୁଲୁବୁଲୁ ଗୋଟିଏ ଅତ୍ୟନ୍ତ ସୁନ୍ଦରୀ ଧୀବର–କନ୍ୟା ଡଙ୍ଗାରେ ବସିଥିବାର ଦେଖିଲେ । ଧୀବର କନ୍ୟାର ରୂପରେ ମୁଗ୍ଧ ହୋଇ ମହାରାଜା ତାଙ୍କୁ ବିବାହ କରିବା ପାଇଁ ମନସ୍ଥ କଲେ ।

 

ସେହିଠାରେ କନ୍ୟାର ପିତା ଦାସରାଜ ଧୀବର ସଙ୍ଗରେ ମହାରାଜାଙ୍କର ଭେଟ ହେଲା-। ମହାରାଜା ମନର ଅଭିଳାଷ ଦାସରାଜ ଆଗରେ ଖୋଲି କହିବାରୁ, ଦାସରାଜ କହିଲେ, ‘‘ଯଦି ମୋର କନ୍ୟା ସତ୍ୟବତୀର ପୁତ୍ର ଆପଣଙ୍କ ଅନ୍ତେ ଆପଣଙ୍କ ରାଜ୍ୟରେ ରାଜା ହେବ, ତେବେ ମୁଁ ଆପଣଙ୍କୁ କନ୍ୟା ପ୍ରଦାନ କରିପାରେ, ନଚେତ୍‍ ନୁହେଁ ।’’

 

ମହାରାଜା ଶାନ୍ତନୁ ଦାସରାଜଙ୍କ କଥାରେ ସମ୍ମତ ହୋଇ ପାରିଲେ ନାହିଁ । କାରଣ ବଡ଼ପୁଅ ରାଜ୍ୟର ରାଜା ହେବା ପ୍ରଥା ଆଗରୁ ରହିଆସିଛି । ବଡ଼ପୁଅ ଦେବବ୍ରତ ଥାଉଁ ଥାଉଁ ସାନପୁଅ ରାଜ୍ୟର ରାଜା ହେବ କିପରି ?

 

ଏହି କଥା ଚିନ୍ତା କରି ମହାରାଜା ରାଜଧାନୀକୁ ଫେରିଆସିଲେ ।

 

ସତ୍ୟବତୀଙ୍କୁ ବିବାହ କରି ନ ପାରିବାରୁ ମହାରାଜାଙ୍କ ମନରେ ସବୁବେଳେ ବିଷାଦର ଛାୟା ଘୋଟି ରହିଲା ।

 

ପିତୃଭକ୍ତ ଦେବବ୍ରତ ପିତାଙ୍କର ଉଦାସଭାବ ଦେଖି ବିସ୍ମିତ ହେଲେ । ପିତାଙ୍କୁ ପଚାରି ସବୁକଥା ବୁଝିପାରିଲେ ।

 

ବିଳମ୍ବ ନ କରି ଦାସରାଜଙ୍କ ନିକଟକୁ ଯାଇ ସେ କହିଲେ, ‘‘ଶୁଣ ଦାସରାଜ ! ମୁଁ ତୁମ୍ଭ ନିକଟରେ ପ୍ରତିଜ୍ଞା କରି କହୁଛି, ପିତାଙ୍କ ଅନ୍ତେ ମୁଁ କଦାପି ରାଜସିଂହାସନରେ ବସିବି ନାହିଁ । ତୁମ୍ଭେ ମୋର ପିତାଙ୍କୁ ନିଜର କନ୍ୟା ସମ୍ପ୍ରଦାନ କର । ସତ୍ୟବତୀଙ୍କ ଗର୍ଭରୁ ଯେଉଁ ପୁତ୍ର ଜନ୍ମ ହେବ, ସେ ହିଁ ରାଜସିଂହାସନରେ ବସିବ ।’’

 

ଦାସରାଜ କିଛି ସମୟ ଚିନ୍ତା କରି କହଲେ, ‘‘ତୁମ୍ଭେ ଯେଉଁ ପ୍ରତିଜ୍ଞା କଲ, ସେଥିରେ ମୋର ବିଶ୍ୱାସ ଜନ୍ମିଛି ଯେ ତୁମ୍ଭେ ତାହା ଅବଶ୍ୟ ପାଳନ କରିବ । କିନ୍ତୁ ତୁମର ପୁତ୍ରମାନେ କ’ଣ ତାହା ପାଳନ କରିପାରିବେ ? ସେମାନେ ନିଶ୍ଚୟ ସିଂହାସନ ଲୋଭରେ ସତ୍ୟବତୀର ପୁତ୍ରମାନଙ୍କ ସହିତ କଳହ କରିବେ ।’’

 

ଦେବବ୍ରତ ତତ୍‍କ୍ଷଣାତ୍‍ ଦେବତାମାନଙ୍କୁ ସାକ୍ଷୀ ରଖି କହିଲେ–ଶୁଣ ‘‘ଦାସରାଜ ! ପ୍ରତିଜ୍ଞା କରି କହୁଛି, ବଞ୍ଚିଥିଲା ପର୍ଯ୍ୟନ୍ତ ମୁଁ କୌଣସି ସ୍ତ୍ରୀର ପାଣିଗ୍ରହଣ କରିବି ନାହିଁ ।’’

 

ଦେବବ୍ରତଙ୍କର ଅପୂର୍ବ ସ୍ୱାର୍ଥତ୍ୟାଗ, ଅତୁଳନୀୟ ପିତୃଭକ୍ତି ଓ ଭୀଷଣ ପ୍ରତିଜ୍ଞା ଦେଖି ସ୍ୱର୍ଗର ଦେବତାମାନେ ଆଶ୍ଚର୍ଯ୍ୟ ହେଲେ । ସେହିଦିନଠାରୁ ଦେବବ୍ରତଙ୍କର ଅନ୍ୟ ନାମ ହେଲା ‘‘ଭୀଷ୍ମ’’ ।

 

ଦାସରାଜ, ଭୀଷ୍ମଙ୍କ କଥାରେ ବିଶ୍ୱାସ କରି ମହାରାଜା ଶାନ୍ତନୁଙ୍କୁ କନ୍ୟା ସମ୍ପ୍ରଦାନ କଲେ ।

 

ପୁତ୍ର ଦେବବ୍ରତଙ୍କର ଏ ପ୍ରକାରର ସ୍ୱାର୍ଥତ୍ୟାଗ ଦେଖି ପିତା ଶାନ୍ତନୁ ଅତିଶୟ ଖୁସି ହେଲେ ଏବଂ ପୁତ୍ରକୁ ଇଚ୍ଛାମୃତ୍ୟୁ ବର ପ୍ରଦାନ କଲେ; ଅର୍ଥାତ୍‍ ଯେତେବେଳେ ଦେବବ୍ରତ ମରିବା ପାଇଁ ନିଜେ ଇଚ୍ଛା ପ୍ରକାଶ କରିବେ, ସେତେବେଳେ ସେ ମରିବେ ।

 

ଇଚ୍ଛା ନ କରିବା ପର୍ଯ୍ୟନ୍ତ କୌଣସି ମାରଣାସ୍ତ୍ର ତାଙ୍କ ଶରୀରକୁ ନଷ୍ଟ କରିପାରିବ ନାହିଁ ।

 

କିଛିଦିନ ପରେ ସତ୍ୟବତୀଙ୍କ ଗର୍ଭରୁ ଦୁଇପୁତ୍ର ଜନ୍ମଗ୍ରହଣ କଲେ । ସେମାନଙ୍କର ନାମ ରଖାଗଲା, ଚିତ୍ରାଙ୍ଗଦ ଏବଂ ବିଚିତ୍ରବୀର୍ଯ୍ୟ ।

 

ବିଚିତ୍ରବୀର୍ଯ୍ୟଙ୍କର ବାଲ୍ୟାବସ୍ଥାରେ ମହାରାଜା ଶାନ୍ତନୁ ପରଲୋକ ଗମନ କଲେ ।

 

ଭୀଷ୍ମ ଦୁଇ ଭାଇଙ୍କୁ ବିଭିନ୍ନ ବିଦ୍ୟାଶିକ୍ଷା ଦେଇ ଚିତ୍ରାଙ୍ଗଦଙ୍କୁ ରାଜସିଂହାସନରେ ବସେଇଲେ ।

 

ଚିତ୍ରାଙ୍ଗଦ ଇନ୍ଦ୍ରଙ୍କ ସହିତ ଯୁଦ୍ଧ କରୁ କରୁ ପ୍ରାଣତ୍ୟାଗ କଲେ । ସେତେବେଳେ ବିଚିତ୍ରବୀର୍ଯ୍ୟଙ୍କର ବିବାହ ବୟସ ହୋଇଯାଇଥିଲା ।

 

ଭୀଷ୍ମ ଭାଇର ବିବାହ ବିଷୟ ଚିନ୍ତା କରୁଥିବାବେଳେ ଶୁଣିପାରିଲେ ଯେ, କାଶୀରାଜା ତାଙ୍କର ତିନି ଝିଅଙ୍କର ବିବାହ ଉଦ୍ଦେଶ୍ୟରେ ସ୍ୱୟମ୍ବର ସଭାର ଆୟୋଜନ କରିଛନ୍ତି ।

 

ଭୀଷ୍ମ ମାତା ସତ୍ୟବତୀଙ୍କର ଅନୁମତି ନେଇ କାଶୀରେ ପହଞ୍ଚିଲେ ।

 

କାଶୀରାଜା ମହା ଆଡ଼ମ୍ବରରେ ସ୍ୱୟମ୍ବର ସଭାର ଆୟୋଜନ କରିଥିଲେ । ବହୁଦେଶରୁ ରାଜା ଓ ମହାରାଜାମାନେ ନିମନ୍ତ୍ରିତ ହୋଇ ଆସିଥିଲେ ।

 

ସଭା ମଧ୍ୟରୁ ସେହି ତିନି କନ୍ୟାଙ୍କୁ ଟେକି ନେଇ ମହାବୀର ଭୀଷ୍ମ ନିଜ ରଥ ଉପରେ ବସାଇଲେ ଏବଂ ସଭାସଦ୍‍ମାନଙ୍କୁ ଚାହିଁ କହିଲେ,–‘‘ମୁଁ ଏହି ତିନି କନ୍ୟାଙ୍କୁ ମୋର ସାନଭାଇ ବିଚିତ୍ରବୀର୍ଯ୍ୟଙ୍କ ସହିତ ବିବାହ ଦେବା ପାଇଁ ନେଇଯାଉଛି । ସଭାସଦ୍‍ ରାଜା ଓ ମହାରାଜାମାନଙ୍କ ମଧ୍ୟରୁ ଏ ତିନି କନ୍ୟାଙ୍କୁ ବିବାହ କରିବା ପାଇଁ ଯଦି କାହାର ଇଚ୍ଛାଥାଏ, ତେବେ ମୋ ସହିତ ଯୁଦ୍ଧ କରନ୍ତୁ । ମୋତେ ପରାସ୍ତ କରି କନ୍ୟା ନେଇ ଯାଆନ୍ତୁ ।’’

 

ଚାହୁଁ ଚାହୁଁ ସଭାସ୍ଥଳୀ ଯୁଦ୍ଧସ୍ଥଳୀରେ ପରିଣତ ହେଲା ।

 

ସବୁ ରାଜା, ମହାରାଜାମାନେ ଏକତ୍ର ହୋଇ ଭୀଷ୍ମଙ୍କୁ ପ୍ରବଳ ଆକ୍ରମଣ କଲେ ।

 

ଶେଷରେ ମହାବୀର ଭୀଷ୍ମ ସମସ୍ତଙ୍କୁ ପରାସ୍ତ କରି କନ୍ୟା ତିନୋଟିଙ୍କୁ ଧରି ହସ୍ତିନାପୁରୀରେ ପହଞ୍ଚିଲେ ।

 

ହସ୍ତିନାପୁରୀରେ ପହଞ୍ଚି କାଶୀରାଜାଙ୍କ ବଡ଼ କନ୍ୟା ଅମ୍ବା କହିଲେ ଯେ ସେ ଆଗରୁ ମନେ ମନେ ଶାଲ୍ୱରାଜାଙ୍କୁ ପତି ରୂପରେ ବରଣ କରିଛନ୍ତି । ତାଙ୍କ ଛଡ଼ା ଅନ୍ୟ କାହାରିକୁ ସେ ବିବାହ କରିପାରିବେ ନାହିଁ ।

 

ଏହି କଥା ଶୁଣି ଧର୍ମାତ୍ମା ଭୀଷ୍ମ ଯଥୋଚିତ ସମ୍ମାନର ସହିତ ଅମ୍ବାଙ୍କୁ ନେଇ ଶାଲ୍ୱରାଜାଙ୍କ ନିକଟରେ ପହଞ୍ଚାଇଦେଲେ ।

 

ବାକି ଦୁଇ କନ୍ୟା ଅମ୍ବିକା ଓ ଅମ୍ବାଳିକା ବିଚିତ୍ରବୀର୍ଯ୍ୟଙ୍କୁ ବିବାହ କଲେ । ବିବାହର ଅଳ୍ପଦିନ ପରେ ରାଜନବରରେ ଶୋକର ଛାୟା ଘୋଟିଗଲା ।

 

ବିଚିତ୍ରବୀର୍ଯ୍ୟଙ୍କର ହଠାତ୍‍ ମୃତ୍ୟୁ ଘଟିଲା । ତାଙ୍କର ମୃତ୍ୟୁବେଳକୁ ଦୁଇ ସ୍ତ୍ରୀ ଅମ୍ବିକା ଓ ଅମ୍ବାଳିକା ଗର୍ଭବତୀ ଥିଲେ ।

Image

 

ଆଦିପର୍ବ

 

ଧୃତରାଷ୍ଟ୍ର ଓ ପଣ୍ଡୁ :

ଯଥାସମୟରେ ଦୁଇ ରାଣୀଙ୍କ ଗର୍ଭରୁ ଦୁଇ ପୁତ୍ର ଜନ୍ମହେଲେ । ଅମ୍ବିକାଙ୍କ ପୁତ୍ରଙ୍କ ନାମ ଧୃତରାଷ୍ଟ୍ର ଓ ଅମ୍ବାଳିକାଙ୍କ ପୁତ୍ରଙ୍କ ନାମ ପଣ୍ଡୁ ରଖାଗଲା ।

ଦୁର୍ଭାଗ୍ୟବଶତଃ ଧୃତରାଷ୍ଟ୍ର ଜନ୍ମରୁ ଅନ୍ଧ ଥିଲେ । ସେଥିପାଇଁ ଭୀଷ୍ମଙ୍କ ମନରେ କୌଣସି ଶୋଚନା ନଥିଲା ।

ଦୁଇ ପୁତ୍ରଙ୍କୁ ଯତ୍ନ ସହକାରେ ଲାଳନପାଳନ କରି ରାଜକୁଳୋଚିତ ଶିକ୍ଷା ଦେଲେ । ତାଙ୍କରି ଯତ୍ନରେ ଦୁଇ ରାଜକୁମାର ସର୍ବବିଦ୍ୟାରେ ସୁନିପୁଣ ହୋଇଉଠିଲେ ।

ଧୃତରାଷ୍ଟ୍ର ଗାନ୍ଧାରଦେଶ ରାଜାଙ୍କ କନ୍ୟା ଗାନ୍ଧାରୀଙ୍କୁ ବିବାହ କଲେ । ଯଦୁରାଜ ସୂରସେନଙ୍କ କନ୍ୟା କୁନ୍ତୀ ଓ ମଦ୍ରରାଜଙ୍କ କନ୍ୟା ମାଦ୍ରୀଙ୍କ ସହିତ ପଣ୍ଡୁଙ୍କର ବିବାହ ସମ୍ପନ୍ନ ହେଲା ।

ଗାନ୍ଧାରୀ ଯେଉଁଦିନ ଶୁଣିଲେ ଯେ ତାଙ୍କର ସ୍ୱାମୀ ଅନ୍ଧ, ସେହି ଦିନଠାରୁ ସେ ନିଜ ଚକ୍ଷୁରେ ପଟି ବାନ୍ଧି କାଳ କାଟିଲେ ।

ବିଦୁର : ବିଚିତ୍ରବୀର୍ଯ୍ୟଙ୍କ ଔରସରେ ଏକ ଦାସୀର ଗର୍ଭରୁ ବିଦୁର ଜନ୍ମ ଗ୍ରହଣ କରିଥିଲେ । ସେ ଅତ୍ୟନ୍ତ ଧର୍ମପରାୟଣ ଓ ବୁଦ୍ଧିମାନ ଥିଲେ । ସେଥିପାଇଁ ସମସ୍ତେ ତାଙ୍କୁ ଆଦର ଓ ସମ୍ମାନ କରୁଥିଲେ ।

ମହାବୀର ଭୀଷ୍ମ ସୁବଳ ରାଜାଙ୍କ କନ୍ୟାଙ୍କ ସହିତ ତାଙ୍କର ବିବାହ କରେଇଦେଲେ ।

ଥରେ ମହାରାଜା ପଣ୍ଡୁ ଦିଗ୍‍ବିଜୟ କରିବା ପାଇଁ ବାହାରିଲେ । ନିଜର ପରାକ୍ରମରେ ପଣ୍ଡୁ ସମସ୍ତ ପୃଥିବୀକୁ କରଗତ କଲେ । ଧୀରେ ଧୀରେ କୁରୁବଂଶ ବୃଦ୍ଧି ପାଇବାକୁ ଲାଗିଲା । ପଣ୍ଡୁଙ୍କ ଔରସରେ କୁନ୍ତୀଙ୍କ ଗର୍ଭରୁ ତିନି ପୁତ୍ର ଓ ମାଦ୍ରୀଙ୍କ ଗର୍ଭରୁ ଦୁଇ ପୁତ୍ର ଜନ୍ମଗ୍ରହଣ କଲେ । ଏମାନେ ହେଉଛନ୍ତି ଯୁଧିଷ୍ଠିର, ଭୀମ, ଅର୍ଜ୍ଜୁନ, ନକୁଳ ଓ ସହଦେବ ।

ଧୃତରାଷ୍ଟ୍ରଙ୍କ ଔରସରେ ଗାନ୍ଧାରୀଙ୍କ ଗର୍ଭରୁ ଶତପୁତ୍ର ଜନ୍ମ ହେଲେ । ଏମାନଙ୍କ ମଧ୍ୟରେ ଦୁର୍ଯ୍ୟୋଧନ, ଦୁଃଶାସନ, କୃତବର୍ମା ପ୍ରଭୃତି ଶ୍ରେଷ୍ଠ ।

ପଣ୍ଡୁଙ୍କର ପୁତ୍ରମାନେ ପାଣ୍ଡବ ଓ ଧୃତରାଷ୍ଟ୍ରଙ୍କର ପୁତ୍ରମାନେ କୌରବ ନାମରେ ଖ୍ୟାତ ।

ଧୃତରାଷ୍ଟ୍ର ଜନ୍ମରୁ ଅନ୍ଧ ଥିବାରୁ ପଣ୍ଡୁ ରାଜ୍ୟଶାସନ କରୁଥିଲେ । ଅଳ୍ପ କିଛିଦିନ ରାଜତ୍ୱ କରିବା ପରେ ମହାରାଜ ପଣ୍ଡୁ ପରଲୋକ ଗମନ କଲେ ।

ସାନରାଣୀ ମାଦ୍ରୀ ଦୁଇ ପୁତ୍ରଙ୍କ ଦାୟିତ୍ୱ ବଡ଼ ରାଣୀ କୁନ୍ତୀଙ୍କ ଉପରେ ନ୍ୟସ୍ତ କରି ସ୍ୱାମୀଙ୍କ ଚିତାରେ ଝାସ ଦେଇ ଜହରବ୍ରତ ପାଳନ କଲେ ।

ପଣ୍ଡୁଙ୍କର ମୃତ୍ୟୁ ପରେ ଅନ୍ଧ ଧୃତରାଷ୍ଟ୍ର ରାଜସିଂହାସନର ଦାୟିତ୍ୱ ବହନ କଲେ ।

ପାଣ୍ଡବମାନଙ୍କ ବାଲ୍ୟାବସ୍ଥା :

ବାଲ୍ୟକାଳରେ ଯୁଧିଷ୍ଠିର ଆଦି ପଞ୍ଚ ପାଣ୍ଡବ ଅତି ଶାନ୍ତଶିଷ୍ଟ ଓ ବିଚାରବାନ୍‍ ଥିଲେ । ତେଣୁ ହସ୍ତିନାପୁରୀରେ ତାଙ୍କର ଆଦର ଓ ସମ୍ମାନ ବଢ଼ିଯାଇଥିଲା ।

କିନ୍ତୁ ଦୁର୍ଯ୍ୟୋଧନ ଓ ଦୁଃଶାସନ ଆଦି କୌରବ ଭାଇମାନେ ବଡ଼ କ୍ରୂର, ପାପାଚାରୀ ଓ ଧନଲୋଭୀ ଥିଲେ । ତେଣୁ ଲୋକେ ତାଙ୍କୁ ଘୃଣା କରୁଥିଲେ ।

 

କୌରବମାନେ ସବୁବେଳେ ପାଣ୍ଡବମାନଙ୍କର ଅନିଷ୍ଟ ଚିନ୍ତା କରୁଥିଲେ ।

 

ଥରେ ସେମାନେ ଭୀମଙ୍କୁ ବିଷ ଖୁଆଇ ଗଙ୍ଗାନଦୀରେ ବୁଡ଼େଇ ଦେଇଥିଲେ । ଥଣ୍ଡା ପାଣିରେ ବହୁ ସମୟ ବୁଡ଼ିରହିବା ଫଳରେ ଭୀମଙ୍କ ଶରୀରରୁ ବିଷଜ୍ୱାଳା କମି ଯାଇଥିଲା । ଭୀମ ସୁସ୍ଥ ହୋଇ ନବରକୁ ଫେରିଆସିଲେ ।

 

କୌରବମାନେ ପାଣ୍ଡବମାନଙ୍କ ପ୍ରତି ବାରମ୍ବାର ଏପରି ଶତ୍ରୁତା ଆଚରଣ କରୁଥିବାର ଶୁଣି ଭୀଷ୍ମ ସେମାନଙ୍କୁ ବହୁତ ବୁଝାଇଲେ । ତଥାପି କୌରବମାନେ ସେମାନଙ୍କର ଶତ୍ରୁତାଭାବ ଛାଡ଼ିଲେ ନାହିଁ ।

 

ଶତ୍ରୁତା ବଢ଼ି ବଢ଼ି ଶେଷକୁ ଯୁଦ୍ଧରେ ପରିଣତ ହେଲା ।

 

ପିତାମହ ଭୀଷ୍ମ, ଆଚାର୍ଯ୍ୟ ଦ୍ରୋଣଙ୍କୁ ରାଜକୁମାରମାନଙ୍କର ଗୁରୁ ରୂପେ ନିଯୁକ୍ତ କଲେ । ଦ୍ରୋଣାଚାର୍ଯ୍ୟ ଅସ୍ତ୍ରବିଦ୍ୟାରେ ଧୂରନ୍ଧର ଥିଲେ ।

 

ମହାରାଜା ଧୃତରାଷ୍ଟ୍ରଙ୍କ ସାରଥୀ ସୁବଳଙ୍କ ପୁତ୍ର କର୍ଣ୍ଣ ମଧ୍ୟ ଦ୍ରୋଣଙ୍କର ଶିଷ୍ୟତ୍ୱ ଗ୍ରହଣ କଲେ ।

 

ଧନୁର୍ବିଦ୍ୟାରେ ମଧ୍ୟମ–ପାଣ୍ଡବ ଅର୍ଜ୍ଜୁନ ସୁଦକ୍ଷ ଥିଲେ ।

 

ସୁବଳଙ୍କ ପୁତ୍ର କର୍ଣ୍ଣ ଧନୁର୍ବିଦ୍ୟାରେ ଯଥେଷ୍ଟ ଦକ୍ଷତା ହାସଲ କରିଥିଲେ ମଧ୍ୟ ଅର୍ଜ୍ଜୁନଙ୍କ ସମକକ୍ଷ ହୋଇପାରି ନ ଥିଲେ । ତେଣୁ ଅର୍ଜ୍ଜୁନଙ୍କ ଉପରେ ତାଙ୍କର ଈର୍ଷା ଦିନକୁ ଦିନ ବଢ଼ିବାକୁ ଲାଗିଲା । ଏହି ସୁଯୋଗରେ ଦୁର୍ଯ୍ୟୋଧନ ମହାବୀର କର୍ଣ୍ଣଙ୍କୁ ଦଳଭୁକ୍ତ କରିନେଲେ ।

 

ଏହି ସମୟରେ ଯୁଧିଷ୍ଠିରଙ୍କୁ ରାଜସିଂହାସନରେ ବସାଇବା ପାଇଁ ପିତାମହ ଭୀଷ୍ମ ସମସ୍ତ ପ୍ରକାର ଆୟୋଜନ କରିବାକୁ ଲାଗିଲେ । ଯୁଧିଷ୍ଠିର ସିଂହାସନରେ ବସିବା କଥା ଶୁଣି କୌରବମାନେ ବିଚଳିତ ହୋଇପଡ଼ିଲେ । ସେହିଦିନଠାରୁ କୌରବମାନେ ପାଣ୍ଡବମାନଙ୍କର ପ୍ରଧାନ ଶତ୍ରୁ ରୂପେ ଠିଆହେଲେ ।

 

କୌରବଙ୍କ ଷଡ଼ଯନ୍ତ୍ର

 

ମହାରାଣୀ ଗାନ୍ଧାରୀଙ୍କ ଭାଇଙ୍କ ନାମ ଶକୁନି । ସେ ଅତ୍ୟନ୍ତ ଦୁଷ୍ଟପ୍ରକୃତିର ଲୋକ । ଛଳ ଓ କପଟବିଦ୍ୟାରେ ଶକୁନି ଅଦ୍ୱିତୀୟ ଥିଲେ । ପାଣ୍ଡବମାନଙ୍କୁ ବିନାଶ କରିବା ପାଇଁ ଦୁର୍ଯ୍ୟୋଧନ ମାମୁଁ ଶକୁନିଙ୍କର ପରାମର୍ଶ ଲୋଡ଼ିଲେ ।

 

ଶକୁନି କହିଲେ, ପାଣ୍ଡବମାନଙ୍କୁ ଯୁଦ୍ଧରେ ଜୟକରିବା ଅସମ୍ଭବ । ତେଣୁ ଛଳନା କରି ସେମାନଙ୍କୁ ଏକ ଜତୁଗୃହରେ ପୂରାଇ ସେଥିରେ ନିଆଁ ଲଗେଇ ଦିଆଯାଉ । ଫଳରେ ପାଣ୍ଡବମାନେ ସମୂଳେ ବିନଷ୍ଟ ହେବେ ।

 

ଶକୁନିଙ୍କର ପରାମର୍ଶରେ ସମ୍ମତ ହୋଇ ଦୁର୍ଯ୍ୟୋଧନ ପିତାଙ୍କ ନିକଟକୁ ଗଲେ ।

 

ପାଣ୍ଡବମାନଙ୍କୁ ହସ୍ତିନାପୁରୀରୁ ସ୍ଥାନାନ୍ତରିତ କରିବା ପାଇଁ ପିତାଙ୍କୁ ଅନୁରୋଧ କଲେ । ଅନ୍ଧରାଜ ଧୃତରାଷ୍ଟ୍ର ପୁତ୍ରସ୍ନେହ ମୋହରେ ପଡ଼ି ଦୁର୍ଯ୍ୟୋଧନଙ୍କର କଥା ଭାଙ୍ଗି ପାରିଲେ ନାହିଁ । କିଛିଦିନ ପାଇଁ ପାଣ୍ଡବମାନଙ୍କୁ ବାରୁଣାବନ୍ତ ନଗରୀରେ ବସବାସ କରିବା ପାଇଁ ଅନୁମତି ଦେଲେ ।

 

ଧର୍ମରାଜ ଯୁଧିଷ୍ଠିର ପିତୃବ୍ୟଙ୍କ କଥା ଅବଜ୍ଞା କରିପାରିଲେ ନାହିଁ । ସଙ୍ଗେ ସଙ୍ଗେ ମାତା ଓ ଭାଇମାନଙ୍କୁ ଧରି ବାରୁଣାବନ୍ତ ନଗରୀକୁ ଚାଲିଗଲେ ।

 

ଆଗରୁ ବିଦୁର, ଶକୁନିଙ୍କର ସମସ୍ତ କୁମନ୍ତ୍ରଣା ଶୁଣିଥିଲେ । ସେ ଯୁଧିଷ୍ଠିରଙ୍କୁ ସବୁକଥା କହି ସତର୍କ କରାଇ ଦେଇଥିଲେ ।

 

ଦୁର୍ଯ୍ୟୋଧନ ପୂର୍ବରୁ ପୁରୋଚନ ନାମକ ଜଣେ କାରିଗରକୁ ବାରୁଣାବନ୍ତ ପଠାଇ ଜଉରେ ଏକ ସୁନ୍ଦର ଅଟ୍ଟଳିକା ନିର୍ମାଣ କରାଇଥିଲେ ।

 

ପାଣ୍ଡବମାନଙ୍କୁ ଉକ୍ତ ଅଟ୍ଟଳିକାରେ ବସବାସ କରିବା ପାଇଁ ଛାଡ଼ି ଦିଆଗଲା । ଉକ୍ତ ଅଟ୍ଟାଳିକା ମଧ୍ୟରୁ ପଦାକୁ ବାହାରିବା ପାଇଁ ଏକ ଗୁପ୍ତ ସୁଡ଼ଙ୍ଗ ଖୋଳାଯାଇଥିଲା । ସୁଡ଼ଙ୍ଗଟି ଖୋଳିବାର ଉଦ୍ଦେଶ୍ୟ ଥିଲା ଯେ ପାଣ୍ଡବମାନେ ଉକ୍ତ ଗୃହରେ ଶୋଇଥିବାବେଳେ ପୁରୋଚନ ଅଗ୍ନି ଲଗାଇଦେବେ ଏବଂ ସୁଡ଼ଙ୍ଗପଥ ଦେଇ ଗୁପ୍ତଭାବରେ ପଦାକୁ ବାହାରି ଆସିବେ ।

 

ଫଳ କିନ୍ତୁ ଓଲଟା ହେଲା ।

 

ପାଣ୍ଡବମାନେ ଆଗରୁ ଏହି ଷଡ଼ଯନ୍ତ୍ରର ଖବର ପାଇ ଯାଇଥିଲେ; ତେଣୁ ଖୁବ୍‍ ସତର୍କ ଭାବରେ ଚଳୁଥିଲେ ।

 

ଦିନେ ଉକ୍ତ ଜତୁଗୃହରେ ଅଗ୍ନିସଂଯୋଗ କରିବା ପାଇଁ ପୁରୋଚନ ଉଦ୍ୟତ ହେଉଥିବାବେଳେ ମହାବଳୀ ଭୀମ ତାଙ୍କୁ ଧରି ପକାଇଲେ ଏବଂ ପୁରୋଚନର ଦେହରେ ନିଆଁ ଲଗାଇ ସେହି ଗୃହ ମଧ୍ୟରେ ବନ୍ଦ କରିଦେଲେ ।

 

ମାତା ଓ ଭାଇମାନଙ୍କୁ ଧରି ସୁଡ଼ଙ୍ଗପଥ ଦେଇ ବାହାରକୁ ଚାଲିଆସିଲେ ।

 

ଚାହୁଁ ଚାହୁଁ ଜଉଗୃହଟି ହୁ ହୁ ହୋଇ ଜଳିଗଲା । ପୁରବାସୀଗଣ ଦୌଡ଼ି ଆସି ଭସ୍ମସ୍ତୂପ ମଧ୍ୟରୁ ପାଣ୍ଡବମାନଙ୍କୁ ଖୋଜିବାକୁ ଲାଗିଲେ ।

 

ଦୈବଯୋଗକୁ ସେହିଦିନ ରାତ୍ରିରେ ଗୋଟିଏ ଭିକାରୁଣୀ ନିଜର ପାଞ୍ଚ ପୁଅଙ୍କ ସହିତ ଉକ୍ତ ଜଉଗୃହର ବାରଣ୍ଡାରେ ଆଶ୍ରୟ ନେଇଥିଲା ।

 

ଭସ୍ମସ୍ତୂପ ମଧ୍ୟରୁ ମାତା ସହ ପାଞ୍ଚ ପୁତ୍ରଙ୍କର ଅର୍ଦ୍ଧଦଗ୍ଧ ଶବ ଦେଖି ପୁରବାସୀମାନେ ଭାବିଲେ ଯେ କୁନ୍ତୀ ଓ ପଞ୍ଚୁପାଣ୍ଡବ ପୋଡ଼ି ହୋଇ ମରିଛନ୍ତି ।

 

ଯଥାସମୟରେ ଏହି ଦୁଃସମ୍ବାଦ ହସ୍ତିନାପୁରୀରେ ପହଞ୍ଚିଗଲା । ହସ୍ତିନାପୁରବାସୀ ଶୋକରେ ଅଧିର ହୋଇପଡ଼ିଲେ ।

 

ଦୁର୍ଯ୍ୟୋଧନ, ଦୁଃଶାସନ ଆଦି ଶତ ଭାଇ ଓ ମାମୁଁ ଶକୁନିଙ୍କର ଆନନ୍ଦର ସୀମା ରହିଲା ନାହିଁ ।

 

ହିଡ଼ମ୍ବ ବଧ :

 

ଜତୁଗୃହ ଦାହରୁ ରକ୍ଷାପାଇ ପାଣ୍ଡବମାନେ ମାତାଙ୍କ ସହିତ ଜଙ୍ଗଲକୁ ଚାଲିଗଲେ । ନିଜର ବେଶ ବଦଳେଇ ଜଙ୍ଗଲରେ ବୁଲି ବୁଲି ଥକ୍କା ହୋଇ ଏକ ବିଶାଳ ଶାଳଗଛର ଛାଇରେ ଆଶ୍ରୟ ନେଲେ ।

 

ଉକ୍ତ ବୃକ୍ଷରେ ‘ହିଡ଼ମ୍ବ’ ନାମରେ ଗୋଟାଏ ରାକ୍ଷସ ତା’ର ଭଉଣୀ ‘ହିଡ଼ମ୍ବା’ ସହିତ ବାସକରୁଥିଲା ।

 

ପାଣ୍ଡବମାନଙ୍କୁ ଦେଖି ହିଡ଼ମ୍ବାର ପାଟିରୁ ଲାଳ ବୋହିଲା । ସେମାନଙ୍କୁ ଖାଇବା ପାଇଁ ସେ ଗଛରୁ ଓହ୍ଲେଇଆସିଲା ।

 

ସେତେବେଳକୁ ମାତା ଓ ଚାରିଭାଇ ଗାଢ଼ ନିଦ୍ରାରେ ଶୋଇ ଯାଇଥିଲେ; କେବଳ ଭୀମ ସେମାନଙ୍କୁ ଜଗି ବସି ରହିଥିଲେ ।

 

‘ହିଡ଼ମ୍ବା’ ପ୍ରଥମେ ଭୀମଙ୍କର ରୂପରେ ମୁଗ୍ଧ ହୋଇ ତାଙ୍କୁ ବିବାହ କରିବା ପାଇଁ ଇଚ୍ଛାପ୍ରକାଶ କଲା । ଭୀମ ତା’ର ପ୍ରସ୍ତାବରେ ରାଜି ନ ହେବାରୁ ଭାଇ ଓ ଭଉଣୀ ଉଭୟେ ମିଶି ପାଣ୍ଡବମାନଙ୍କୁ ଖାଇବାକୁ ଉଦ୍ୟତ ହେଲେ ।

 

ଭୀମଙ୍କର ଗଦା ପ୍ରହାରରେ ‘ହିଡ଼ମ୍ବ’ର ପ୍ରାଣବାୟୁ ଉଡ଼ିଗଲା ।

 

ମାତାଙ୍କର ଆଦେଶ ପାଳନ କରି ମହାବଳୀ ଭୀମସେନ ‘ହିଡ଼ମ୍ବା’କୁ ବଧ କଲେ ନାହିଁ । ତାକୁ ବିବାହ କଲେ ।

 

ଯଥାସମୟରେ ଭୀମଙ୍କର ଔରସରେ ହିଡ଼ମ୍ବା ଗର୍ଭରୁ ଏକ ପୁତ୍ର ଜାତ ହେଲା । ତାଙ୍କର ନାମ ‘ଘଟୋତ୍କଚ’ । ଘଟୋତ୍କଚ ପିତାଙ୍କ ଭଳି ଅତ୍ୟନ୍ତ ବଳବାନ ଓ ପରାକ୍ରମୀ ଥିଲେ ।

 

ବକାସୁର ବଧ :

 

ସେଠାରୁ ଯାଇ ପାଣ୍ଡବମାନେ ମତ୍ସ୍ୟ, ତ୍ରିଗର୍ତ୍ତ ଓ ପାଞ୍ଚାଳ ପ୍ରଭୃତି ଦେଶ ଭ୍ରମଣ କଲେ ।

 

ଦିନେ ହଠାତ୍‍ ସେମାନଙ୍କର ବ୍ୟାସଦେବଙ୍କ ସହିତ ଦେଖାହେଲା । ପାଣ୍ଡବମାନଙ୍କର ଦୁର୍ଦ୍ଦଶା ଦେଖି ବ୍ୟାସଦେବଙ୍କ ହୃଦୟରେ ଦୟା ଜାତ ହେଲା ।

 

ଚକ୍ରପୁରୀ ନଗରୀରେ ତାଙ୍କର ଜଣେ ବ୍ରାହ୍ମଣ–ମିତ୍ର ଥିଲେ । ତାଙ୍କରି ନିକଟକୁ ବ୍ୟାସଦେବ ପାଣ୍ଡବମାନଙ୍କୁ ପଠାଇଦେଲେ । ପାଣ୍ଡବମାନେ ଉକ୍ତ ବ୍ରାହ୍ମଣଙ୍କ ଗୃହରେ ଆଶ୍ରୟ ନେଲେ ଓ ଭିକ୍ଷା କରି କାଳଯାପନ କଲେ ।

 

ଚକ୍ରପୁରୀ ନଗରୀରେ ବକାସୁର ନାମକ ଗୋଟାଏ ରାକ୍ଷସ ଭୀଷଣ ଉତ୍ପାତ କରୁଥିଲା । ରାକ୍ଷସ ପ୍ରତିଦିନ ମନୁଷ୍ୟମାନଙ୍କୁ ଧରି ମନଇଚ୍ଛା ଖାଉଥିଲା ।

 

ଆସ୍ତେ ଆସ୍ତେ ଚକ୍ରପୁରୀର ଲୋକସଂଖ୍ୟା କମି ଆସିଲା । ନଗରବାସୀଗଣ ପ୍ରମାଦ ଗଣିଲେ ।

 

ପ୍ରତ୍ୟହ ଜଣେ ଜଣେ ଲୋକକୁ ବକାସୁର ନିକଟକୁ ପାଳିକରି ପଠାଇବା ପାଇଁ ସମସ୍ତେ ବସି ସ୍ଥିର କଲେ । ଏହି ପ୍ରସ୍ତାବରେ ବକାସୁର ମଧ୍ୟ ରାଜି ହୋଇଗଲା । ପାଳିକରି ଘରପିଛା ଜଣେ ଲେଖାଏଁ ଲୋକ ବକାସୁରକୁ ଖାଇବା ପାଇଁ ଦିଆଗଲା ।

 

ଯେଉଁ ବ୍ରାହ୍ମଣଙ୍କ ଗୃହରେ ପାଣ୍ଡବ ପାଞ୍ଚଭାଇ ଆଶ୍ରୟ ଗ୍ରହଣ କରିଥିଲେ, ଦିନେ ସେହି ବ୍ରାହ୍ମଣଙ୍କର ପାଳି ପଡ଼ିଲା । ବ୍ରାହ୍ମଣ ଅତିଶୟ ଭୟଭୀତ ହୋଇ କ୍ରନ୍ଦନ କଲେ ।

 

ମହାବଳୀ ଭୀମ ବ୍ରାହ୍ମଣଙ୍କୁ ଭରସା ଦେଇ କହିଲେ, ‘‘ତୁମ୍ଭେ ଭୟ କର ନାହିଁ । ବକାସୁର ନିକଟକୁ ମୁଁ ଯିବି ।’’

 

ବ୍ରାହ୍ମଣ କିନ୍ତୁ ଏ ପ୍ରସ୍ତାବରେ ରାଜି ହେଲେ ନାହିଁ; କାରଣ ଭୀମ ତାଙ୍କର ଆଶ୍ରୟପ୍ରାର୍ଥୀ ଥିଲେ । ଆଶ୍ରିତ ଲୋକକୁ ବିପଦରେ ପକାଇଲେ ଅଧର୍ମ ହେବ, ଏକଥା ବ୍ରାହ୍ମଣ ଭଲରୂପେ ଜାଣିଥିଲେ ।

 

ସେ କାଳରେ ଲୋକମାନେ ଅଧର୍ମ କରିବାକୁ ବଡ଼ ଭୟ କରୁଥିଲେ । ସବୁବେଳେ ଧର୍ମକୁ ଜଗି କାର୍ଯ୍ୟ କରୁଥିଲେ ।

 

ଭୀମସେନ ଶେଷରେ ବ୍ରାହ୍ମଣଙ୍କୁ ବହୁତ ବୁଝାସୁଝା କରି ବକାସୁର ନିକଟକୁ ଗଲେ ।

 

ଯେତେବେଳେ ବକାସୁର ଭୀମଙ୍କୁ ଖାଇବା ପାଇଁ ଧରିଲା, ଭୀମ ତତ୍‍କ୍ଷଣାତ୍‍ ବକାସୁରକୁ ମାଡ଼ିବସି ଦୁଇଫାଳ କରି ଚିରି ପକାଇଲେ ।

 

ବକାସୁରକୁ ବଧ କରି ଫେରିଆସିଥିବାର ଶୁଣି ନଗରବାସୀଗଣ ଭୀମଙ୍କର ଭୂରି ଭୂରି ପ୍ରଶଂସା କରିବାକୁ ଲାଗିଲେ ।

 

ଦ୍ରୌପଦୀଙ୍କ ସ୍ୱୟମ୍ବର :

 

ଚକ୍ରପୁରୀରେ ବାସକରୁଥିବା ସମୟରେ ଜଣେ ବ୍ରାହ୍ମଣ ପାଣ୍ଡବମାନଙ୍କର ଅତିଥି ହେଲେ । ପାଣ୍ଡବମାନଙ୍କ ସହିତ ଗଳ୍ପ କରୁଥିବାବେଳେ ଉକ୍ତ ବ୍ରାହ୍ମଣ ପାଞ୍ଚାଳ ଦେଶର ରାଜକନ୍ୟା ଦ୍ରୌପଦୀଙ୍କର ଗୁଣଗାନ କରି ତାଙ୍କର ସ୍ୱୟମ୍ବର ହେଉଥିବା କଥା କହିଲେ ।

 

ବ୍ରାହ୍ମଣଙ୍କ ମୁଖରୁ ଦ୍ରୌପଦୀଙ୍କ ସ୍ୱୟମ୍ବର କଥା ଶୁଣି ପାଣ୍ଡବମାନେ ପାଞ୍ଚାଳ ଦେଶକୁ ଗମନ କଲେ

 

ବାଟରେ ଅର୍ଜ୍ଜୁନଙ୍କ ସହିତ ‘ଅଙ୍ଗାରପର୍ଣ୍ଣ’ ନାମକ ଏକ ଗନ୍ଧର୍ବଙ୍କର ଯୁଦ୍ଧ ହେଲା । ଯୁଦ୍ଧରେ ଗନ୍ଧର୍ବଙ୍କୁ ଅର୍ଜ୍ଜୁନ ପରାସ୍ତ କଲେ, କିନ୍ତୁ ବଧ କଲେ ନାହିଁ । ଗନ୍ଧର୍ବ ଅର୍ଜ୍ଜୁନଙ୍କ ବ୍ୟବହାରରେ ସନ୍ତୁଷ୍ଟ ହୋଇ ତାଙ୍କୁ ଗୋଟିଏ ଦିବ୍ୟ ଅସ୍ତ୍ର ଉପହାର ଦେଲେ ।

 

ସେ ପାଣ୍ଡବମାନଙ୍କୁ ଧୌମ୍ୟଋଷିଙ୍କ ଆଶ୍ରମକୁ ଯିବା ପାଇଁ ପରାମର୍ଶ ଦେଇ ବାଟ ବତେଇଦେଲେ । ସେଠାରୁ ପାଣ୍ଡବ ପାଞ୍ଚଭାଇ ମାତାଙ୍କ ସହିତ ଯାଇ ଋଷିଙ୍କ ଆଶ୍ରମରେ ପହଞ୍ଚିଲେ-। ଧୌମ୍ୟଋଷି ପାଣ୍ଡବମାନଙ୍କୁ ଅତି ଆଦରର ସହିତ ଆଶ୍ରମରେ ସ୍ଥାନ ଦେଲେ ।

 

ପାଞ୍ଚାଳନଗରୀର ବାହାରେ ସ୍ୱୟମ୍ବର ମଣ୍ଡପଟି ଆଡ଼ମ୍ବର ସହକାରେ ନିର୍ମାଣ କରାଯାଇଥିଲା । ବହୁ ଦେଶରୁ ରାଜା ଓ ମହାରାଜାମାନେ ନିମନ୍ତ୍ରିତ ହୋଇ ଆସିଥିଲେ । ଦ୍ୱାରକାରୁ ଭଗବାନ ଶ୍ରୀକୃଷ୍ଣ ଓ ବଳରାମ, ହସ୍ତିନାରୁ ଦୁର୍ଯ୍ୟୋଧନ ପ୍ରଭୃତି କୌରବ ଶତଭାଇ ମଧ୍ୟ ସଭାସ୍ଥଳୀରେ ଉପସ୍ଥିତ ଥିଲେ ।

 

ସଭାମଣ୍ଡପ ନିକଟରେ ଗୋଟିଏ ଖମ୍ବ ପୋତା ହୋଇଥାଏ । ଖମ୍ବର ଅଗ୍ରଭାଗରେ ଏକ ଚକ୍ର ଘୂରୁଥାଏ । ଉକ୍ତ ଚକ୍ର ଦେହରେ ଏକ ମତ୍ସ୍ୟର ଚିତ୍ର ଅଙ୍କା ଯାଇଥାଏ । ଖମ୍ବର ତଳେ ଗୋଟାଏ ବଡ଼ ଜଳପୂର୍ଣ୍ଣ ପାତ୍ର ରଖାଯାଇଥାଏ ।

 

ପାଞ୍ଚାଳ ନରପତି ଏହି ପଣ କରିଥିଲେ ଯେ, ଯେଉଁ ଲୋକ ତଳେ ରଖାଯାଇଥିବା ଜଳପାତ୍ରକୁ ଚାହିଁ ଉପରେ ଘୂରୁଥିବା ମାଛର ଚକ୍ଷୁକୁ ଶରବିଦ୍ଧ କରିପାରିବେ, ସେହି ଲୋକ ଦ୍ରୌପଦୀଙ୍କର ପାଣିଗ୍ରହଣ କରିବାକୁ ଉପଯୁକ୍ତ ବିବେଚିତ ହେବେ ।

 

ଜଣ ଜଣ ହୋଇ ସବୁ ରାଜା ଓ ମହାରାଜାମାନେ ଲକ୍ଷ୍ୟସ୍ଥଳୀକୁ ଗଲେ, କିନ୍ତୁ କେହି ଲକ୍ଷ୍ୟଭେଦ କରିପାରିଲେ ନାହିଁ ।

 

ପାଣ୍ଡବମାନେ ଦରିଦ୍ର ବ୍ରାହ୍ମଣ ବେଶରେ ଏକ ସ୍ଥାନରେ ବସିଥିଲେ । ଗୋଟି ଗୋଟି ହୋଇ ସବୁ ରାଜା ବିଫଳ ହେବାର ଦେଖି ବୀର ଅର୍ଜ୍ଜୁନ ସମ୍ଭାଳି ହୋଇ ରହିପାରିଲେ ନାହିଁ । ଭଗବାନ ଶ୍ରୀକୃଷ୍ଣଙ୍କୁ ସ୍ମରଣ କରି ସେ ଲକ୍ଷ୍ୟସ୍ଥଳୀକୁ ଗଲେ ।

 

ଚାହୁଁ ଚାହୁଁ ଅର୍ଜ୍ଜୁନଙ୍କ ଶର ମତ୍ସ୍ୟର ଚକ୍ଷୁ ଭେଦ କଲା । ସଭାମଣ୍ଡପ ଆନନ୍ଦରେ ଉଛୁଳି ଉଠିଲା ।

 

ସ୍ୱର୍ଗରୁ ଦେବତାମାନେ ପୁଷ୍ପବୃଷ୍ଟି କଲେ । ବିଭିନ୍ନ ପ୍ରକାରର ବାଦ୍ୟ ବାଜି ସଭାସ୍ଥଳୀ ମୁଖରିତ ହେଲା ।

 

ପିତାଙ୍କ ଆଦେଶରେ ଦ୍ରୌପଦୀ ସଭାସ୍ଥଳୀକୁ ଆସି ଅର୍ଜ୍ଜୁନଙ୍କ ଗଳାରେ ବରଣମାଳା ଦେଲେ ।

 

ଏଥିରେ ଦୁର୍ଯ୍ୟୋଧନଙ୍କର ଈର୍ଷା ହେଲା । ସେ କହିଲେ, ଯେଉଁ ଦରିଦ୍ର ବ୍ରାହ୍ମଣର ଜାତିକୁଳର ଠିକଣା ନାହିଁ, ସେ ଏକ ରାଜକନ୍ୟାଙ୍କୁ ବିବାହ କରିପାରିବ ନାହିଁ ।

 

ଦୁର୍ଯ୍ୟୋଧନଙ୍କର ଏ ପ୍ରକାର କଥା ଶୁଣି ମହାବଳୀ ଭୀମ ରାଗରେ ତାତି ଉଠିଲେ । ସଙ୍ଗେ ସଙ୍ଗେ ଗଦାକୁ ବୁଲେଇ କହିଲେ, ଯେଉଁମାନେ, ଏହି ଦରିଦ୍ର ବ୍ରାହ୍ମଣର ପରିଚୟ ଚାହାନ୍ତି, ସେମାନେ ମୋ ନିକଟକୁ ଆସନ୍ତୁ, ମୁଁ ତାଙ୍କୁ ଠିକଣା ପରିଚୟ ଦେଇ ଦେବି ।

 

ମହାବଳୀ ଭୀମଙ୍କର ଭୟଙ୍କର ମୂର୍ତ୍ତି ଦେଖି ଉପସ୍ଥିତ ଥିବା ରାଜା, ମହାରାଜାମାନେ ଭୟରେ ଥରିବାକୁ ଲାଗିଲେ ।

ଧର୍ମପୁତ୍ର ଯୁଧିଷ୍ଠିର ଭୀମଙ୍କୁ ଶାନ୍ତକରି ସମସ୍ତଙ୍କ ସମ୍ମୁଖରେ ନିଜର ପରିଚୟ ଦେଲେ ।

ପାଣ୍ଡବମାନଙ୍କର ଯଥାର୍ଥ ପରିଚୟ ପାଇ ପାଞ୍ଚାଳ ନରପତି ଅତିଶୟ ଆନନ୍ଦିତ ହେଲେ-

ଦୁର୍ଯ୍ୟୋଧନ ବିଶେଷ ଲଜ୍ଜିତ ଓ ବିସ୍ମିତ ହୋଇ ମୁଣ୍ଡପୋତି ବସିରହିଲେ ।

ପାଣ୍ଡବ ପାଞ୍ଚ ଭାଇ ଦ୍ରୌପଦୀଙ୍କୁ ସଙ୍ଗରେ ଧରି ଘରକୁ ଫେରିଲେ ।

ଘରେ ପହଞ୍ଚି ମାତାଙ୍କୁ ପ୍ରଣାମ କରି କହିଲେ, ମା ! ଆମ୍ଭେମାନେ ଆଜି ଗୋଟିଏ ସୁନ୍ଦର ବସ୍ତୁ ଆଣିଛୁ ।

ମାତା କୁନ୍ତୀ ଘର ଭିତରୁ ହିଁ ଜବାବ୍‍ ଦେଲେ; ପାଞ୍ଚ ଭାଇ ମିଶି ତାହା ଗ୍ରହଣ କର ।

ମାତାଙ୍କର ଆଦେଶ ପାଳନ କରି ପାଞ୍ଚ ଭାଇ ଦ୍ରୌପଦୀଙ୍କୁ ପତ୍ନୀ ରୂପେ ଗ୍ରହଣ କଲେ-। ସେ କାଳରେ ପିତାମାତାଙ୍କର ଆଜ୍ଞାକୁ ଲୋକମାନେ ଭଗବାନଙ୍କର ଆଜ୍ଞାରୂପେ ପାଳନ କରୁଥିଲେ । ତେଣୁ ପାଣ୍ଡବମାନେ ମାତାଙ୍କର ଆଜ୍ଞା ଅବଜ୍ଞା କରିପାରିଲେ ନାହିଁ ।

ପାଣ୍ଡବମାନଙ୍କର ରାଜ୍ୟପ୍ରାପ୍ତି : ଦୁର୍ଯ୍ୟୋଧନ ଭାବିଥିଲେ ଯେ, ପାଣ୍ଡବମାନେ ଜତୁଗୃହରେ ପୋଡ଼ି ଭସ୍ମ ହୋଇ ଯାଇଛନ୍ତି, କିନ୍ତୁ ପରେ ସେମାନେ ଜୀବିତ ଥିବାର ଦେଖି ମନେ ମନେ ବଡ଼ ବ୍ୟଥିତ ହେବାକୁ ଲାଗିଲେ ।

ଏହି ସମୟରେ ପିତାମହ ଭୀଷ୍ମ ପାଣ୍ଡବମାନଙ୍କୁ ଅର୍ଦ୍ଧେକ ରାଜ୍ୟ ଦେବା ପାଇଁ ମହାରାଜ ଧୃତରାଷ୍ଟ୍ରଙ୍କୁ ଅନୁରୋଧ କଲେ ।

 

ପାଣ୍ଡବମାନଙ୍କୁ ରାଜ୍ୟରୁ ଭାଗ ନ ଦେବା ପାଇଁ ଦୁର୍ଯ୍ୟୋଧନ ବହୁ ଚେଷ୍ଟା କଲେ, କିନ୍ତୁ ପିତାମହଙ୍କ ଆଗରେ ପ୍ରତିବାଦ କରିବା ପାଇଁ ତାଙ୍କର ଶକ୍ତି ନଥିଲା ।

 

ପାଣ୍ଡବମାନେ ରାଜ୍ୟ ପାଇଲେ । ଇନ୍ଦ୍ରପ୍ରସ୍ଥ (ବର୍ତ୍ତମାନର ଦିଲ୍ଲୀ) ସେମାନଙ୍କର ରାଜଧାନୀ ହେଲା ।

 

ଧର୍ମପ୍ରାଣ ଯୁଧିଷ୍ଠିରଙ୍କର ନ୍ୟାୟପୂର୍ଣ୍ଣ ଶାସନରେ ପ୍ରଜାମାନେ ସୁଖଶାନ୍ତିରେ କାଳାତିପାତ କରିବାକୁ ଲାଗିଲେ । ଦିନକୁ ଦିନ ପାଣ୍ଡବମାନଙ୍କର ପ୍ରଶଂସା ବୃଦ୍ଧିପାଇବାକୁ ଲାଗିଲା ।

 

ଅର୍ଜ୍ଜୁନଙ୍କ ବନବାସ :

 

ଦିନେ ଜଣେ ବ୍ରାହ୍ମଣଙ୍କର ଗୋଟିଏ ଗାଈକୁ ଚୋର ନେଇ ପଳାଇଗଲା ।

 

ଉକ୍ତ ବ୍ରାହ୍ମଣ ଅର୍ଜ୍ଜୁନଙ୍କ ନିକଟରେ ନିଜର ଦୁଃଖ ଜଣେଇଲେ । ଅର୍ଜ୍ଜୁନ ଗାଈଚୋରକୁ ଶାସ୍ତିଦେବା ପାଇଁ ବ୍ରାହ୍ମଣଙ୍କ ନିକଟରେ ପ୍ରତିଜ୍ଞା କଲେ ।

 

ଅର୍ଜ୍ଜୁନଙ୍କର ଧନୁ ଓ ଅସ୍ତ୍ରଶସ୍ତ୍ର ଇତ୍ୟାଦି ଦ୍ରୌପଦୀଙ୍କ ଗୃହରେ ରଖାଯାଇଥିଲା ।

 

ପାଞ୍ଚ ଭାଇଙ୍କ ମଧ୍ୟରେ ଏହି ସର୍ତ୍ତ ଥିଲା ଯେ କୌଣସି ଭାଇ ଦ୍ରୌପଦୀଙ୍କ ଗୃହରେ ଥିବା ସମୟରେ ଅନ୍ୟ ଭାଇ ସେହି ଗୃହରେ ଯଦି ପ୍ରବେଶ କରନ୍ତି, ତେବେ ସେ ବନବାସ କରିବାକୁ ବାଧ୍ୟ ହେବେ ।

 

ଅର୍ଜ୍ଜୁନ ସବୁକଥା ଜାଣି ମଧ୍ୟ ନିଜର ପଣ ରକ୍ଷାକରିବା ପାଇଁ ବଡ଼ଭାଇ ଯୁଧିଷ୍ଠିର ଥିବା ସମୟରେ ଧନୁ ଓ ଅସ୍ତ୍ର ଇତ୍ୟାଦି ଆଣିବାକୁ ଦ୍ରୌପଦୀଙ୍କ ଗୃହରେ ପ୍ରବେଶ କଲେ । ଚୋର ନିକଟରୁ ଗାଈକୁ ଉଦ୍ଧାର କରି ବ୍ରାହ୍ମଣଙ୍କ ହସ୍ତରେ ଦେଲେ, କିନ୍ତୁ ସର୍ତ୍ତଭଙ୍ଗ କରିଥିବା ଯୋଗୁଁ ତାଙ୍କୁ ବନବାସ କରିବାକୁ ପଡ଼ିଲା ।

 

ବନବାସ ସମୟରେ ମହାବୀର ଅର୍ଜ୍ଜୁନ ନାଗରାଜାଙ୍କ କନ୍ୟା ଉଲପି ଓ ମଣିପୁରର ରାଜକନ୍ୟା ଚିତ୍ରାଙ୍ଗଦାଙ୍କୁ ବିବାହ କରିଥିଲେ ।

 

ଅର୍ଜ୍ଜୁନଙ୍କ ଔରସରେ ମଣିପୁରର ରାଜକନ୍ୟା ଚିତ୍ରାଙ୍ଗଦାଙ୍କ ଗର୍ଭରୁ ବବ୍ରୁବାହନ ଜନ୍ମଗ୍ରହଣ କରିଥିଲେ ।

 

ଦିନେ ଜଙ୍ଗଲରେ ଭ୍ରମଣ କରୁଥିବାବେଳେ ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ଅର୍ଜ୍ଜୁନଙ୍କର ଭେଟ ହେଲା । ଶ୍ରୀକୃଷ୍ଣ ସମାଦରରେ ଅର୍ଜ୍ଜୁନଙ୍କୁ ଦ୍ୱାରକାପୁରୀକୁ ଡାକିନେଲେ ।

 

ସେଠାରେ ଶ୍ରୀକୃଷ୍ଣଙ୍କର ଭଗ୍ନୀ ସୁଭଦ୍ରାଙ୍କ ସହିତ ଅର୍ଜ୍ଜୁନଙ୍କର ବିବାହ ହେଲା ।

 

ଆଗରୁ ଶ୍ରୀକୃଷ୍ଣଙ୍କର ବଡ଼ଭାଇ ବଳରାମ ସୁଭଦ୍ରାଙ୍କୁ ଦୁର୍ଯ୍ୟୋଧନଙ୍କ ସହିତ ବିବାହ ଦେବା ପାଇଁ ସ୍ଥିର କରିଥିଲେ । ଦୁର୍ଯ୍ୟୋଧନ ଖଳପ୍ରକୃତିର ଲୋକ ଥିବାରୁ ଭଗବାନ ଶ୍ରୀକୃଷ୍ଣ ଏ ବିବାହରେ ଅନିଚ୍ଛା ପ୍ରକାଶ କରିଥିଲେ ।

 

ବଡ଼ଭାଇଙ୍କୁ ନ ଜଣାଇ ଭଗବାନ ଶ୍ରୀକୃଷ୍ଣ ଗାନ୍ଧର୍ବ ରୀତିରେ ଅର୍ଜ୍ଜୁନ ଓ ସୁଭଦ୍ରାଙ୍କର ବିବାହ ସମ୍ପନ୍ନ କରି ରାତାରାତି ବରକନ୍ୟାଙ୍କୁ ରଥରେ ବସାଇ ଇନ୍ଦ୍ରପ୍ରସ୍ଥରେ ଛାଡ଼ିଦେଇ ଆସିଲେ ।

 

ଅର୍ଜ୍ଜୁନଙ୍କ ଔରସରେ ସୁଭଦ୍ରାଙ୍କ ଗର୍ଭରୁ ଯେଉଁ ପୁତ୍ର ଜନ୍ମ ହେଲେ, ତାହାଙ୍କ ନାମ ଅଭିମନ୍ୟୁ ।

 

ଖାଣ୍ଡବବନ ଦାହ :

 

ଦିନେ ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ଅର୍ଜ୍ଜୁନ ବସି ଗଳ୍ପ କରୁଥିଲେ । ଏହି ସମୟରେ ଅଗ୍ନିଦେବତା ଏକ ବ୍ରାହ୍ମଣ ବେଶରେ ସେଠାରେ ପହଞ୍ଚିଲେ ।

 

ଉକ୍ତ ବ୍ରାହ୍ମଣ କିଛି ଖାଇବା ପାଇଁ ଇଚ୍ଛାପ୍ରକାଶ କରିବାରୁ ଅର୍ଜ୍ଜୁନ କହିଲେ, ଆପଣ ଯାହା ଖାଇବାକୁ ଇଚ୍ଛା କରିବେ, ତାହା ପାଇ ପାରିବେ ।

 

ଅର୍ଜ୍ଜୁନଙ୍କ କଥାରେ ଅଗ୍ନିଦେବତା ସନ୍ତୁଷ୍ଟ ହୋଇ ନିଜର ରୂପ ବଦଳେଇ ଦେଲେ ଏବଂ ଅର୍ଜ୍ଜୁନଙ୍କୁ ଖାଣ୍ଡବବନ ମାଗିଲେ । ଅର୍ଜ୍ଜୁନ ସତ୍ୟରକ୍ଷା କରି ଅଗ୍ନିଦେବତାଙ୍କୁ ଖାଣ୍ଡବବନ ଉପହାର ଦେଲେ । ସଙ୍ଗେ ସଙ୍ଗେ ଖାଣ୍ଡବବନ ପୋଡ଼ି ଭସ୍ମ ହୋଇଗଲା ।

 

କାଳକ୍ରମେ ସେଠାରେ ଏକ ସୁନ୍ଦର ନଗର ସ୍ଥାପିତ ହେଲା ।

Image

 

ସଭାପର୍ବ

 

ରାଜସୂୟ ଯଜ୍ଞ :

 

ଖାଣ୍ଡବବନ ଦହନବେଳେ ଅଗ୍ନିଙ୍କ କବଳରୁ ମୋଟେ ଛଅଟି ଜୀବ ରକ୍ଷା ପାଇଥିଲେ ।

 

ସେମାନେ ହେଉଛନ୍ତି ତକ୍ଷକ, ମାୟାସୁର ଓ ମନ୍ଦପାଳ ମୁନିଙ୍କର ଚାରିପୁତ୍ର ଯେଉଁମାନେ କି ପକ୍ଷୀ ରୂପରେ ଖାଣ୍ଡବବନରେ ବସବାସ କରୁଥିଲେ ।

 

ମାୟାସୁର ଖାଣ୍ଡବବନ ଦହନରୁ ରକ୍ଷା ପାଇଥିବାରୁ ଅର୍ଜ୍ଜୁନଙ୍କ ନିକଟକୁ ଆସି ତାଙ୍କର କିଛି ଉପକାର କରିବା ପାଇଁ ଇଚ୍ଛାପ୍ରକାଶ କଲା ।

 

ଭଗବାନ ଶ୍ରୀକୃଷ୍ଣ କହିଲେ, ତୁମ୍ଭେ ଯୁଧିଷ୍ଠିରଙ୍କ ପାଇଁ ଏପରି ଏକ ନବର ନିର୍ମାଣ କର ଯାହା କି ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ–ତିନି ଲୋକରେ ନ ଥିବ ।

 

ଭଗବାନ ଶ୍ରୀକୃଷ୍ଣଙ୍କର ଆଦେଶ ପାଇ ମାୟାସୁର ନବର ନିର୍ମାଣ କରିବାରେ ଲାଗିଗଲା-

 

ଦିନେ ସେ କୈଳାସପର୍ବତକୁ ଯାଇ ବହୁତ ମଣିମୁକ୍ତା ନେଇ ଆସିଲା । ସେଗୁଡ଼ିକ ଦ୍ୱାରା ନବରଟିକୁ ଖୁବ୍‍ ସୁନ୍ଦର ଭାବରେ ସଜେଇଦେଲା ।

 

ମାୟାସୁର କୈଳାସପର୍ବତରୁ ଆହୁରି ଦୁଇଟି ଜିନିଷ ଆଣିଥିଲା । ଗୋଟିଏ ଗଦା ଏବଂ ଦେବଦତ୍ତ ନାମକ ଏକ ଶଙ୍ଖ ।

 

ଗଦାଟିକୁ ଭୀମ ନେଲେ ଏବଂ ଶଙ୍ଖଟିକୁ ଅର୍ଜ୍ଜୁନ ରଖିଲେ ।

 

ନବର ନିର୍ମାଣ ଶେଷ ହେବା ପରେ ଦିନେ ନାରଦମୁନି ଆସି ସେଠାରେ ପହଞ୍ଚିଲେ ।

 

ଧର୍ମପୁତ୍ର ଯୁଧିଷ୍ଠିରଙ୍କୁ ରାଜସୂୟ ଯଜ୍ଞ କରିବା ପାଇଁ ସେ ଉପଦେଶ ଦେଲେ । ନାରଦଙ୍କ କଥା ଅନୁସାରେ ଯୁଧିଷ୍ଠିର ରାଜସୂୟ ଯଜ୍ଞ କରିବା ପାଇଁ ମନସ୍ଥ କଲେ ।

 

ତା’ପରେ ଭଗବାନ ଶ୍ରୀକୃଷ୍ଣଙ୍କ ଆଗରେ ନିଜର ଅଭିଳାଷ ପ୍ରକାଶ କଲେ । ଭଗବାନ ଶ୍ରୀକୃଷ୍ଣ କହିଲେ, ରାଜସୂୟ ଯଜ୍ଞ ସେହି କରିପାରିବ, ଯେ କି ପୃଥିବୀର ସମସ୍ତ ରାଜାଙ୍କୁ ପରାସ୍ତ କରିପାରିବା ଭଳି ପରାକ୍ରମର ଅଧିକାରୀ ହୋଇଥିବ ।

 

ଯେତେଦିନ ପର୍ଯ୍ୟନ୍ତ ପୃଥିବୀରେ ରାଜା ଜରାସନ୍ଧ ବଞ୍ଚିରହିଥିବ, ସେତେଦିନ ପର୍ଯ୍ୟନ୍ତ ଅନ୍ୟ କୌଣସି ରାଜା ରାଜସୂୟଯଜ୍ଞ କରିପାରିବେ ନାହିଁ । କାରଣ, ସେ ରାଜସୂୟ ଯଜ୍ଞ କରିବା ପାଇଁ ଇଚ୍ଛାକରି ବହୁତ ରାଜାଙ୍କୁ ବନ୍ଦୀ କରି ରଖିଛି । ଯେଉଁଦିନ ଶହେ ରାଜାଙ୍କୁ ସେ ବନ୍ଦୀ କରି ପାରିବ, ସେହି ଦିନ ରାଜସୂୟ ଯଜ୍ଞ କରି ସେମାନଙ୍କୁ ଉକ୍ତ ଯଜ୍ଞରେ ବଳୀ ଦେବ ବୋଲି ଇଚ୍ଛା କରିଛି । ଏ ପର୍ଯ୍ୟନ୍ତ ମୋଟେ ଛୟାଅଶୀ ଜଣ ବନ୍ଦୀ ହୋଇଛନ୍ତି, ଆଉ ଚଉଦ ଜଣ ବାକୀ ଅଛନ୍ତି ।

 

ଜରାସନ୍ଧକୁ ଜୟ କରିବା କଷ୍ଟକର ଭାବି ଧର୍ମରାଜ ଯୁଧିଷ୍ଠିର ନିଜ ସଂକଳ୍ପରୁ ଓହରି ଗଲେ ।

 

ବଡ଼ଭାଇଙ୍କୁ ନିରାଶ ହେବାର ଦେଖି ଭୀମ ଓ ଅର୍ଜ୍ଜୁନ ଦୁହେଁ ଜରାସନ୍ଧକୁ ମାରିବାକୁ ସଂକଳ୍ପ କଲେ ।

 

ବଡ଼ଭାଇଙ୍କଠାରୁ ଆଶୀର୍ବାଦ ନେଇ ଦୁଇ ଭାଇ ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ମଗଧ ଦେଶକୁ ଗଲେ ।

 

ମଗଧ ଦେଶରେ ପହଞ୍ଚି ଶ୍ରୀକୃଷ୍ଣ ଜରାସନ୍ଧକୁ ଯୁଧିଷ୍ଠିରଙ୍କ ବଶ୍ୟତା ସ୍ୱୀକାର କରି ବନ୍ଦୀ କରିଥିବା ସମସ୍ତ ରାଜାଙ୍କୁ ମୁକ୍ତି ଦେବା ପାଇଁ ଧମକ ଦେଲେ । ଯୁଧିଷ୍ଠିରଙ୍କର ଆଦେଶ ପାଳନ ନ କଲେ ଶୀଘ୍ର ଯୁଦ୍ଧଲାଗି ତିଆର ହେବା ପାଇଁ କହିଲେ ।

 

ଶ୍ରୀକୃଷ୍ଣଙ୍କ କଥାରେ ଦୁର୍ଦ୍ଦାନ୍ତ ଜରାସନ୍ଧ କର୍ଣ୍ଣପାତ କଲାନାହିଁ । ସଙ୍ଗେ ସଙ୍ଗେ ଯୁଦ୍ଧ କରିବା ପାଇଁ ଧାଇଁ ଆସିଲା ।

 

ପ୍ରଥମେ ଭୀମ ଓ ଜରାସନ୍ଧଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ହେଲା । ଯୁଦ୍ଧରେ କେହି କାହାରିକୁ ପରାସ୍ତ କରିପାରିଲେ ନାହିଁ ।

 

ଏହିପରି କେତେ ଦିନ ଯୁଦ୍ଧଚାଲିବା ପରେ ଦିନେ ଭୀମ ଜରାସନ୍ଧକୁ ତଳେ ପକାଇ ମାଡ଼ି ବସିଲେ । ଜରାସନ୍ଧର ଛାତିରେ ମୁଥ ପ୍ରହାର କରି ତାକୁ ହତ୍ୟା କଲେ ।

 

ଯଜ୍ଞ ଆରମ୍ଭ :

 

ଜରାସନ୍ଧର ମୃତ୍ୟୁ ପରେ ଶ୍ରୀକୃଷ୍ଣ ସମସ୍ତ ବନ୍ଦୀରାଜାମାନଙ୍କୁ ମୁକ୍ତ କରିଦେଲେ । ସେମାନେ ଯୁଧିଷ୍ଠିରଙ୍କୁ ବହୁ ଧନରତ୍ନ ଭେଟି ଦେଇ ତାଙ୍କର ବଶ୍ୟତା ସ୍ୱୀକାର କଲେ ।

 

ଭଗବାନ ଶ୍ରୀକୃଷ୍ଣ ମଗଧ ରାଜସିଂହାସନରେ ଜରାସନ୍ଧର ପୁତ୍ର ସହଦେବକୁ ଅଧିଷ୍ଠିତ କରି ନିଜ ନଗରକୁ ଫେରିଆସିଲେ ।

 

ଜରାସନ୍ଧର ମୃତ୍ୟୁସମ୍ୱାଦ ଶୁଣି ଯୁଧିଷ୍ଠିର ଅତ୍ୟନ୍ତ ଆନନ୍ଦିତ ହେଲେ । ଚାରି ଭାଇଙ୍କୁ ଚାରି ଦିଗକୁ ଦିଗ୍‍ବିଜୟ କରିବା ପାଇଁ ପଠାଇଦେଲେ । ଚାରି ଭାଇ ନିର୍ବିଘ୍ନରେ ଦିଗ୍‍ବିଜୟ କରି ବହୁ ଧନରତ୍ନ ଘେନି ନିଜ ନଗରକୁ ଫେରିଆସିଲେ ।

 

ଯଥାସମୟରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହେଲା । ଚାରି ଜାତିର ଲୋକଙ୍କୁ ନିମନ୍ତ୍ରଣ କରାଗଲା ।

 

ହସ୍ତିନାରୁ ଭୀଷ୍ମ, ଦ୍ରୋଣ, କର୍ଣ୍ଣ, ଧୃତରାଷ୍ଟ୍ର, ବିଦୁର ଏବଂ ଦୁର୍ଯ୍ୟୋଧନ, ଦୁଃଶାସନ ପ୍ରଭୃତି କୌରବ ଶହେ ଭାଇ ନିମନ୍ତ୍ରିତ ହୋଇ ଆସିଲେ ।

 

ଅଭିଷେକରେ ଦେବର୍ଷି, ବ୍ରହ୍ମର୍ଷି ଓ ରାଜର୍ଷିମାନେ ଯୋଗ ଦେଲେ ।

 

ଦେବର୍ଷି ନାରଦ ଏକ ଦୀର୍ଘଶ୍ୱାସ ପକାଇ ବିଷାଦ ମନରେ ପ୍ରକାଶ କଲେ ଯେ ଦିନକୁ ଦିନ କ୍ଷତ୍ରିୟକୁଳ ପରସ୍ପର ଈର୍ଷା ଦ୍ୱାରା ନଷ୍ଟ ହେବାକୁ ଯାଉଛି । କ୍ଷତ୍ରିୟମାନଙ୍କ ମଧ୍ୟରେ ସଦ୍‍ଭାବ ପ୍ରତିଷ୍ଠା ହେବା ନିହାତି ଦରକାର । ତା’ ନ ହେଲେ ପୃଥିବୀ ପୃଷ୍ଠରୁ କ୍ଷତ୍ରିୟକୁଳ ଅଚିରେ ଲୋପ ପାଇବ ।

 

ଶିଶୁପାଳ ବଧ :

 

ଅନ୍ୟ ମୁନିଋଷିମାନଙ୍କ ସହିତ ନାରଦମୁନି କ୍ଷତ୍ରିୟ କୁଳର ଭବିଷ୍ୟତ ବିଷୟରେ ଆଲୋଚନା କରୁଥିବାବେଳେ ଅର୍ଘ୍ୟପ୍ରଦାନ କରିବା ସମୟ ଉପସ୍ଥିତ ହେଲା ।

 

ପ୍ରଥମେ ସର୍ବଶ୍ରେଷ୍ଠ ବ୍ୟକ୍ତିଙ୍କୁ ଅର୍ଘ୍ୟ ଦିଆଯିବାର କଥା ।

 

ପିତାମହ ଭୀଷ୍ମଙ୍କୁ ମହାରାଜ ଯୁଧିଷ୍ଠିର ପଚାରିଲେ, ‘‘ପ୍ରଥମେ ଅର୍ଘ୍ୟ କାହାକୁ ଦେବି କୁହନ୍ତୁ ?’’ ପିତାମହ ଭୀଷ୍ମ କହିଲେ ‘‘ଶ୍ରୀକୃଷ୍ଣ ହେଉଛନ୍ତି ସର୍ବଶ୍ରେଷ୍ଠ ବ୍ୟକ୍ତି । ତାଙ୍କୁ ପ୍ରଥମେ ଅର୍ଘ୍ୟ ଦିଅ ।’’

 

ଭୀଷ୍ମଙ୍କ କଥାନୁସାରେ ଯୁଧିଷ୍ଠିର ପ୍ରଥମେ ଶ୍ରୀକୃଷ୍ଣଙ୍କୁ ଅର୍ଘ୍ୟ ଦେଲେ ।

 

ଚେଦୀ ଦେଶର ରାଜା ଏକଥା ସହ୍ୟ କରିପାରିଲା ନାହିଁ । ଶ୍ରୀକୃଷ୍ଣଙ୍କୁ ନାନାପ୍ରକାର କଟୁଭାଷା କହି ଗାଳିଦେବାକୁ ଲାଗିଲା ।

 

ଯଜ୍ଞ କାର୍ଯ୍ୟରେ ବ୍ୟାଘାତ ଘଟୁଥିବାର ଦେଖି ଭଗବାନ ଶ୍ରୀକୃଷ୍ଣ ଶିଶୁପାଳର ଶିରଚ୍ଛେଦ କଲେ । ତା’ପରେ ଯଜ୍ଞକାର୍ଯ୍ୟ ନିର୍ବିଘ୍ନରେ ସମାହିତ ହେଲା ।

 

ମହାରାଜ ଯୁଧିଷ୍ଠିର ମହାସମାରୋହରେ ଶିଶୁପାଳର ଅନ୍ତ୍ୟେଷ୍ଟିକ୍ରିୟା ସମାପନ କଲେ-। ଶିଶୁପାଳଙ୍କର ପୁତ୍ରକୁ ଚେଦୀ ରାଜସିଂହାସନରେ ଅଭିଷିକ୍ତ କଲେ । ନିମନ୍ତ୍ରିତ ରାଜାମହାରାଜାମାନେ ଯେ ଯାହାର ନଗରକୁ ଫେରିଗଲେ ।

 

ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଦ୍ୱାରକାପୁରୀ ଗମନ କଲେ । କେବଳ ଶେଷକୁ ରହିଥିଲେ ଦୁର୍ଯ୍ୟୋଧନ ଓ ମାମୁଁ ଶକୁନି ।

 

ଦୁର୍ଯ୍ୟୋଧନଙ୍କ ଈର୍ଷା :

 

ପାଣ୍ଡବମାନଙ୍କର ରାଜନବର ସାଜସଜ୍ଜା ଓ ଐଶ୍ୱର୍ଯ୍ୟ ଦେଖି ଦୁର୍ଯ୍ୟୋଧନଙ୍କ ମନ ଈର୍ଷାରେ ଜଳିବାକୁ ଲାଗିଲା । ନବରଟି ସ୍ୱଚ୍ଛ ସ୍ଫଟିକରେ ନିର୍ମାଣ କରାଯାଇଥିବାରୁ ନବର ପ୍ରାଙ୍ଗଣରେ ଥିବା ଜଳପୂର୍ଣ୍ଣ କୁଣ୍ଡଗୁଡ଼ିକ ସ୍ଥଳ ପରି ମନେ ହେଉଥିଲା ।

 

ଦିନେ ଦୁର୍ଯ୍ୟୋଧନ ନବର ମଧ୍ୟରେ ଥିବା ଏକ ସ୍ଥାନକୁ ସ୍ଥଳ ମନେ କରି ଚାଲି ଯାଉ ଯାଉ ଜଳ ମଧ୍ୟରେ ଗଳିପଡ଼ିଲେ ।

 

ନିକଟରେ ମହାବଳୀ ଭୀମ ଠିଆ ହୋଇଥିଲେ । ଦୁର୍ଯ୍ୟୋଧନଙ୍କର ବୋକାମି ଲକ୍ଷ୍ୟ କରି ସେ ଖିଲି ଖିଲି ହୋଇ ହସି ଉଠିଲେ ।

 

ଭୀମଙ୍କର ତାଚ୍ଛଲ୍ୟସୂଚକ ହସ ଦୁର୍ଯ୍ୟୋଧନଙ୍କ ପକ୍ଷରେ ଭୀଷଣ ଦୁଃଖଦାୟକ ହେଲା । ସେ କାହାରିକୁ କିଛି ନ କହି ହସ୍ତିନାପୁରୀକୁ ଲେଉଟିଗଲେ । ପାଣ୍ଡବମାନଙ୍କର ଧନସଂପତ୍ତିକୁ କିପରି ନଷ୍ଟ କରାଯାଇ ପାରିବ, ସେହି ବିଷୟରେ ମାମୁଁ ଶକୁନିଙ୍କର ପରାମର୍ଶ ଲୋଡ଼ିଲେ ।

 

ଶକୁନି ମାମୁଁ କହିଲେ, ପାଣ୍ଡବମାନଙ୍କୁ ଯୁଦ୍ଧରେ ଜିଣିବା କାଠିକର ପାଠ; କିନ୍ତୁ ଛଳରେ ସେମାନେ ମୋତେ ପାରିବେ ନାହିଁ । ତୁମେ ଯୁଧିଷ୍ଠିରଙ୍କୁ ପଶା ଖେଳିବାକୁ ଡକାଅ । ତା’ପରେ ଦେଖ, ମୁଁ କ’ଣ କରୁଛି ।

 

ଏ ପ୍ରସ୍ତାବଟି ଦୁର୍ଯ୍ୟୋଧନଙ୍କର ମନକୁ ପାଇଲା । କାରଣ ସେ ଜାଣିଥିଲେ ଯେ ମାମୁଁ ଶକୁନି ପଶାଖେଳରେ ଅଦ୍ୱିତୀୟ ।

 

ମାମୁଁ ଓ ଭଣଜା ଦୁହେଁ ମିଶି ଧୃତରାଷ୍ଟ୍ରଙ୍କ ନିକଟକୁ ଗଲେ । ପାଣ୍ଡବମାନଙ୍କୁ ପଶା ଖେଳିବା ପାଇଁ ଡକେଇବାକୁ ଧୃତରାଷ୍ଟ୍ରଙ୍କୁ ଅନୁରୋଧ କଲେ ।

 

ଅନ୍ଧରାଜ ଧୃତରାଷ୍ଟ୍ର ପ୍ରଥମେ ଏ କଥାରେ ରାଜି ହେଲେ ନାହିଁ ।

 

ଦୁର୍ଯ୍ୟୋଧନ କିନ୍ତୁ ଛାଡ଼ିବା ପାତ୍ର ନୁହନ୍ତି । ସେ ପିତାଙ୍କୁ ଧମକ ଦେଇ କହିଲେ–ପାଣ୍ଡବମାନେ ମୋତେ ନିଜ ନବରକୁ ଡାକି ନେଇ ଅସହ୍ୟ ଅପମାନ ଦେଇଛନ୍ତି । ସେ ଅପମାନ ମୁଁ ଜୀବନ ସାରା ଭୁଲି ପାରିବି ନାହିଁ । ଆପଣ ମୋ ପ୍ରସ୍ତାବରେ ରାଜି ନ ହେଲେ ମୁଁ ଆତ୍ମହତ୍ୟା କରି ମରିବି ।

 

ଦୁର୍ଯ୍ୟୋଧନଙ୍କର ଧମକରେ ଧୃତରାଷ୍ଟ୍ର ବିଚଳିତ ହୋଇପଡ଼ିଲେ । ପୁତ୍ର–ସ୍ନେହର ବଶବର୍ତ୍ତୀ ହୋଇ ଅନିଚ୍ଛା ସତ୍ତ୍ୱେ ଦୁର୍ଯ୍ୟୋଧନଙ୍କ ପ୍ରସ୍ତାବରେ ରାଜି ହେଲେ ।

 

ପାଣ୍ଡବମାନଙ୍କୁ ଡାକି ଆଣିବା ପାଇଁ ମହାରାଜ ଧୃତରାଷ୍ଟ୍ର ବିଦୁରଙ୍କୁ ପଠାଇଲେ ।

 

ପାଣ୍ଡବମାନେ ହସ୍ତିନାପୁରୀକୁ ଆସିଲେ । ପଶାଖେଳ ଆରମ୍ଭ ହେଲା । ଚାହୁଁ ଚାହୁଁ ପାଣ୍ଡବମାନଙ୍କର ସମସ୍ତ ସମ୍ପତ୍ତି, ହାତୀ, ଘୋଡ଼ା କ୍ରମେ କୌରବମାନଙ୍କର କରଗତ ହେଲା ।

 

ଏହା ଦେଖି ଧର୍ମରାଜ ଯୁଧିଷ୍ଠିର ବିଚଳିତ ହୋଇପଡ଼ିଲେ । ବାଜି ଲଗାଇବା ପାଇଁ ତାଙ୍କ ପାଖରେ ଚାରି ଭାଇ ଓ ପତ୍ନୀଙ୍କ ଛଡ଼ା ଆଉ କୌଣସି ପଦାର୍ଥ ନଥିଲା । ଧର୍ମରାଜ ଯୁଧିଷ୍ଠିର ନିରୁପାୟ ହୋଇ ଗୋଟି ଗୋଟି କରି ଚାରି ଭାଇଙ୍କୁ ବାଜି ଲଗେଇଲେ : କିନ୍ତୁ ଫଳ କିଛି ଭଲ ହେଲା ନାହିଁ ।

 

ଶେଷକୁ ରହିଲେ ଦ୍ରୌପଦୀ । ଧର୍ମରାଜ ଯୁଧିଷ୍ଠିର ଶେଷଥର ପାଇଁ ଦ୍ରୌପଦୀଙ୍କୁ ବାଜି ଲଗେଇଲେ ।

 

ଶେଷଥର କୌରବମାନଙ୍କର ହିଁ ଜୟ ହେଲା ।

 

ଅନ୍ଧରାଜ ଧୃତରାଷ୍ଟ୍ର ବିଦୁରଙ୍କ ମୁଖରୁ କୌରବମାନଙ୍କର ଜୟଲାଭ ବୃତ୍ତାନ୍ତ ଶୁଣି ପ୍ରମାଦ ଗଣିବାକୁ ଲାଗିଲେ ।

 

ଦ୍ରୌପଦୀଙ୍କର ବସ୍ତ୍ରହରଣ :

 

ଯୁଧିଷ୍ଠିର ଦ୍ରୌପଦୀଙ୍କୁ ହାରିଯିବାରୁ କୌରବମାନଙ୍କର ଆନନ୍ଦର ସୀମା ରହିଲା ନାହିଁ ।

 

କୌରବଶ୍ରେଷ୍ଠ ଦୁର୍ଯ୍ୟୋଧନ ଦ୍ରୌପଦୀଙ୍କୁ ସଭାସ୍ଥଳୀକୁ ଆଣିବାପାଇଁ ବିଦୁରଙ୍କୁ ଆଜ୍ଞା ଦେଲେ । ବିଦୁର କୌଣସି ଉତ୍ତର ନ ଦେଇ ମୁଣ୍ଡ ତଳକୁ ପୋତି ଠିଆହୋଇ ରହିଲେ ।

 

ବିଦୁର ମୌନ ରହିବାର ଦେଖି ଦୁର୍ଯ୍ୟୋଧନ ଦୁଃଶାସନକୁ ହୁକୁମ ଦେଲେ । ଦୁର୍ଦ୍ଦାନ୍ତ ଦୁଃଶାସନ କ୍ଷିପ୍ରଗତିରେ ଦ୍ରୌପଦୀଙ୍କ ଅନ୍ତଃପୁର ଆଡ଼କୁ ଧାଇଁଗଲା । ସେତେବେଳେ ଦ୍ରୌପଦୀ ରଜସ୍ୱଳା ହୋଇଥାଆନ୍ତି । ଏପରି ଅବସ୍ଥାରେ ସେ ସଭାସ୍ଥଳୀକୁ ଯାଇପାରିବେ ନାହିଁ ବୋଲି ଦୁଃଶାସନକୁ ମନା କଲେ, ବହୁତ କାକୁତି ମିନତି ହେଲେ ଏବଂ ଶେଷକୁ ଦୁଃଶାସନର ଗୋଡ଼ ତଳେ ପଡ଼ିଲେ ।

 

ତଥାପି ଚଣ୍ଡାଳ ଦୁଃଶାସନ ଦ୍ରୌପଦୀଙ୍କ କଥାରେ କର୍ଣ୍ଣପାତ କଲା ନାହିଁ । ସେ ରାଗରେ ଗର୍ଜିଉଠିଲା । ଦ୍ରୌପଦୀଙ୍କର କେଶ ଧରି ଶୂନ୍ୟେ ଶୂନ୍ୟେ ସଭାସ୍ଥଳୀକୁ ଟେକି ନେଇଗଲା । ସଭାସ୍ଥଳୀରେ ଦ୍ରୌପଦୀଙ୍କୁ ଉଲଗ୍ନ କରିବା ପାଇଁ ଇଚ୍ଛା କରି ପିନ୍ଧିଥିବା ଲୁଗାକୁ ଟାଣିବାକୁ ଲାଗିଲା-

 

ପାଣ୍ଡବମାନେ ଦୁଃଶାସନର କାର୍ଯ୍ୟ ଦେଖି ରାଗରେ ଜରଜର ହେଉଥାନ୍ତି; କିନ୍ତୁ କିଛି କରିବାର ଉପାୟ ନ ଥାଏ । ଦୁଃଶାସନର ଅତ୍ୟାଚାର, ଦୁର୍ଯ୍ୟୋଧନ ଓ କର୍ଣ୍ଣ ପ୍ରଭୃତିଙ୍କ କଟୁବାକ୍ୟ ଭୀମ ଓ ଅର୍ଜ୍ଜୁନଙ୍କୁ ଅସହ୍ୟ ବୋଧ ହେଉଥିଲେ ମଧ୍ୟ ବଡ଼ଭାଇଙ୍କର ମୁହଁକୁ ଚାହିଁ ସବୁ ସହି ଯାଉଥିଲେ ।

 

ଏତିକିବେଳେ କର୍ଣ୍ଣ କହିଲେ, ପାଣ୍ଡବମାନେ ପଶାଖେଳି ନିଜର ସମସ୍ତ ସମ୍ପତ୍ତି ହାରି ଯାଇଛନ୍ତି । ତେଣୁ ସେମାନେ ନିଜ ନିଜର ଅଙ୍ଗଭୂଷଣ ମୂଲ୍ୟବାନ ପଦାର୍ଥସବୁ ଦୁର୍ଯ୍ୟୋଧନଙ୍କ ନିକଟରେ ସମର୍ପି ଦେବା ବିଧେୟ ।

 

କର୍ଣ୍ଣଙ୍କ କଥାରେ ଆପତ୍ତି ନ କରି ପାଣ୍ଡବ ପାଞ୍ଚଭାଇ ନିଜ ନିଜର ଅଙ୍ଗଭୂଷଣଗୁଡ଼ିକ ବାହାର କରି ରଖିଦେଲେ । ଯୁଧିଷ୍ଠିରଙ୍କ ନିର୍ଦ୍ଦେଶରେ ସତୀ ଦ୍ରୌପଦୀ ମଧ୍ୟ ନିଜ ଅଙ୍ଗରୁ ଅଳଙ୍କାରଗୁଡ଼ିକ ବାହାର କରି ଦେଇଦେଲେ ।

 

ଦୁଃଶାସନ ତଥାପି ଛାଡ଼ିଲା ନାହିଁ । ଏତେ ବଡ଼ ମୂଲ୍ୟବାନ ଶାଢ଼ୀଟାଏ ତୋତେ ଦିଆଯିବ ନାହିଁ–କହି ଶାଢ଼ୀଟିକୁ ଟାଣିବାରେ ଲାଗିଗଲା ।

 

ସତୀ ଦ୍ରୌପଦୀ ଦୁଃଶାସନର କବଳରୁ ମୁକ୍ତ ହେବା ପାଇଁ ବହୁ ଚେଷ୍ଟା କରି ବିଫଳ ହେଲେ । ଶେଷରେ ନିରୁପାୟ ହୋଇ ଭଗବାନ ଶ୍ରୀକୃଷ୍ଣଙ୍କୁ ମନେ ମନେ ଚିନ୍ତା କଲେ । ଭଗବାନ ଭକ୍ତର ଡାକ ଶୁଣିଲେ । ଅଦୃଶ୍ୟ ଭାବରେ ରହି ଦ୍ରୌପଦୀଙ୍କୁ ବସ୍ତ୍ର ଯୋଗାଇବାରେ ଲାଗିଲେ ।

ଦୁର୍ମତି ଦୁଃଶାସନ ଯେତେ ବସ୍ତ୍ର ଟାଣୁଥାଏ, ସେତେ ବସ୍ତ୍ର ଦ୍ରୌପଦୀଙ୍କ ଅଙ୍ଗରୁ ବାହାରୁଥାଏ । ଟାଣି ଟାଣି ଦୁଃଶାସନ ଶେଷକୁ ଥକିଗଲା ସିନା, ଦ୍ରୌପଦୀଙ୍କ ଅଙ୍ଗରୁ ବସ୍ତ୍ର ସରିଲା ନାହିଁ । ଦୁଃଶାସନ ଶେଷକୁ ହାରମାନି ଦ୍ରୌପଦୀଙ୍କୁ ଛାଡ଼ିଦେବାକୁ ବାଧ୍ୟ ହେଲା ।

ସେତିକିବେଳେ ମହାବଳୀ ଭୀମ ପ୍ରତିଜ୍ଞା କଲେ ଯେ ଯେଉଁ ହାତରେ ଦୁଃଶାସନ ଦ୍ରୌପଦୀର ବସ୍ତ୍ର ଟାଣିଛି, ମୁଁ ତା’ର ସେହି ହାତକୁ ଉପାଡ଼ି ଦେବି ଏବଂ ତା’ର ଛାତି ଚିରି ରକ୍ତପାନ କରିବି ।

ଭୀମର ପ୍ରତିଜ୍ଞା ଶୁଣି ଦୁର୍ଯ୍ୟୋଧନ ଅଟ୍ଟହାସ୍ୟରେ ସଭାସ୍ଥଳୀ କମ୍ପାଇଲେ । ପାଣ୍ଡବମାନଙ୍କୁ ଆହୁରି ଅପମାନ ଦେବା ପାଇଁ ଦ୍ରୌପଦୀଙ୍କୁ କୋଳରେ ବସିବା ପାଇଁ ଡାକିଲା ।

ଏଥର ଭୀମ ଦୁଇ ଗୁଣ ତାତି ଉଠିଲେ । ସଙ୍ଗେ ସଙ୍ଗେ ଆଉ ଏକ ପ୍ରତିଜ୍ଞା କରି କହିଲେ, ଶୁଣ ଦୁର୍ଯ୍ୟୋଧନ ! ଦିନେ ମୁଁ ତୋର ସେହି ଜଂଘକୁ ଉପାଡ଼ି ଯଦି କୁଆ, ଶାଗୁଣାଙ୍କୁ ଖାଇବାକୁ ନ ଦେବି, ତେବେ ନିଜକୁ କ୍ଷତ୍ରିୟ ବୋଲି ପରିଚୟ ଦେବି ନାହିଁ ।

ଭୀମଙ୍କର ଏହି ସବୁ କଠୋର ପ୍ରତିଜ୍ଞାଗୁଡ଼ିକ ଶୁଣି ବିଦୁର ପ୍ରମାଦ ଗଣିଲେ । ସେ ଅନ୍ଧରାଜ ଧୃତରାଷ୍ଟ୍ରଙ୍କ ନିକଟକୁ ଯାଇ ପ୍ରାର୍ଥନା କଲେ–ମହାରାଜ ! ବହୁତ ହୋଇଗଲା । ଏଥର ଏ ପାପକାର୍ଯ୍ୟ ବନ୍ଦ କରିବା ପାଇଁ ଦୁର୍ଯ୍ୟୋଧନଙ୍କୁ ଆଜ୍ଞା ଦିଅନ୍ତୁ । ନୋହିଲେ କ୍ଷତ୍ରିୟକୁଳ ଅଚିରେ ବିନଷ୍ଟ ହେବ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ବିଦୁରଙ୍କ କଥାରେ ଧୃତରାଷ୍ଟ୍ର ଦୁର୍ଯ୍ୟୋଧନଙ୍କୁ ସଭାଭଙ୍ଗ କରିବା ପାଇଁ ଆଦେଶ ଦେଲେ ।

ସଭା ଭଙ୍ଗ ହେଲା । ଧୃତରାଷ୍ଟ୍ର, ଦ୍ରୌପଦୀଙ୍କ ନିକଟକୁ ଯାଇ କହିଲେ, ମା ! ମୁଁ ତୋର ସାଧୁ ମନୋଭାବରେ ସନ୍ତୁଷ୍ଟ ହୋଇଛି । ତୁ ଯାହା ଚାହିଁବୁ, ମୁଁ ଦେବାକୁ ପ୍ରସ୍ତୁତ ଅଛି ।

ଦ୍ରୌପଦୀ କହିଲେ, ମହାରାଜ ! ମୁଁ ମୋର ପତିମାନଙ୍କର ଅର୍ଦ୍ଧାଙ୍ଗିନୀ । ପତିମାନେ ମୋତେ ପୂରା ହାରି ଯାଇଛନ୍ତି କହିଲେ ମୁଁ ସ୍ୱୀକାର କରିବି ନାହିଁ । ଅର୍ଦ୍ଧାଙ୍ଗିନୀ ହିସାବରେ ସେମାନେ ମୋର ଶରୀର ଓ ମନରୁ ଅର୍ଦ୍ଧେକ ଦାବୀ କରି ପାରନ୍ତି । ବାକୀ ଅର୍ଦ୍ଧେକ ମୋର ସ୍ୱତନ୍ତ୍ରତା ଉପରେ ନିର୍ଭର କରେ । ମୁଁ ଚାହୁଁଛି, ମୋତେ ଥରେ ପଶା ଖେଳିବାକୁ ଅନୁମତି ଦିଆଯାଉ । ମୁଁ ଯଦି ଖେଳରେ ହାରିଯିବି, ତେବେ ଦୁର୍ଯ୍ୟୋଧନ ମୋର ସ୍ୱାମୀମାନଙ୍କୁ ଦାସ କରି ରଖିବେ ।

ଅନ୍ଧରାଜ ଧୃତରାଷ୍ଟ୍ର, ଦ୍ରୌପଦୀଙ୍କ କଥାରେ ସମ୍ମତ ହେଲେ । ପଶାଖେଳ ପୁଣି ଥରେ ଆରମ୍ଭ ହେଲା ।

ନୀଚ କୌରବମାନଙ୍କ ସହିତ ବସି ହାତରେ ପଶା ଖେଳିବାକୁ ସତୀ ଦ୍ରୌପଦୀ ଇଚ୍ଛା କଲେ ନାହିଁ, ଗୋଡ଼ରେ ଖେଳିଲେ । ଚାହୁଁ ଚାହୁଁ ଦ୍ରୌପଦୀ ନିଜକୁ ଏବଂ ପଞ୍ଚପତିଙ୍କ ସହ ସମସ୍ତ ଧନ ସମ୍ପଦ, ହାତୀ, ଘୋଡ଼ା, ଯାହାକିଛି ଯୁଧିଷ୍ଠିର ହାରି ଯାଇଥିଲେ, ସବୁ ପଦାର୍ଥ ଜିଣି ନେଲେ । ଆନନ୍ଦରେ ସମସ୍ତଙ୍କୁ ସଙ୍ଗରେ ଧରି ଖାଣ୍ଡବପ୍ରସ୍ଥ ନବରକୁ ବାହୁଡ଼ି ଗଲେ ।

ପାଣ୍ଡବମାନେ ସମସ୍ତ ଧନରତ୍ନ ଧରି ନିଜ ନବରକୁ ଫେରିଯିବା ପରେ ଦୁର୍ଯ୍ୟୋଧନ ବଡ଼ ଚିନ୍ତିତ ହୋଇପଡ଼ିଲେ । ଶକୁନି ମାମୁଁ ଓ ଦୁଃଶାସନ ପ୍ରଭୃତିଙ୍କୁ ଡାକି ପାଣ୍ଡବମାନଙ୍କର ଅନିଷ୍ଟ କରିବା ପାଇଁ ପୁଣି ଷଡ଼ଯନ୍ତ୍ର କଲେ ।

ଦିନେ ଦୁର୍ଯ୍ୟୋଧନ ଧୃତରାଷ୍ଟ୍ରଙ୍କ ନିକଟରେ ପହଞ୍ଚି କହିଲେ, ପିତା ! ପାଣ୍ଡବମାନେ ଆମ୍ଭମାନଙ୍କ ସହିତ ଯୁଦ୍ଧ କରିବା ପାଇଁ ଅସ୍ତ୍ରଶସ୍ତ୍ର ତିଆରି କରୁଛନ୍ତି । ସେମାନଙ୍କୁ ଶାସ୍ତି ନ ଦେଲେ ଆମ୍ଭେମାନେ ଶାନ୍ତିରେ କାଳଯାପନ କରି ପାରିବୁ ନାହିଁ ।

ପୁଅଙ୍କ ମୁହଁରୁ ଏପରି କଥା ଶୁଣି ଧୃତରାଷ୍ଟ୍ର କହିଲେ–ତେବେ କ’ଣ କରାଯିବ ?

ଦୁର୍ଯ୍ୟୋଧନ କହିଲେ–କରାଯିବ ଆଉ କ’ଣ ? ପୁଣି ଥରେ ପଶା ଖେଳିବାପାଇଁ ପାଣ୍ଡବମାନଙ୍କୁ ଡକାନ୍ତୁ । ଏଥର ଯଦି ସେମାନେ ହାରନ୍ତି, ତେବେ ବାରବର୍ଷ ବନବାସ କରିବାପାଇଁ ସର୍ତ୍ତ ରଖାଯିବ । ଏହି ବାରବର୍ଷ ବନବାସ ପରେ ଏକବର୍ଷ ଲୁଚି କରି କାଳାତିପାତ କରିବାକୁ ହେବ-। ଏହି ଏକବର୍ଷ ମଧ୍ୟରେ ଯଦି ରାଜ୍ୟର କୌଣସି ଲୋକ ସେମାନଙ୍କୁ ଚିହ୍ନିପାରେ, ତେବେ ପୁଣି ବାରବର୍ଷ ବନବାସ କରିବା ପାଇଁ ସର୍ତ୍ତ ରଖାଯିବ ।

 

ପୁତ୍ର ସ୍ନେହରେ ବଶୀଭୂତ ହୋଇ ଧୃତରାଷ୍ଟ୍ର କିଛି କହି ପାରିଲେ ନାହିଁ ।

 

ପୁଣିଥରେ ପାଣ୍ଡବମାନଙ୍କୁ ପଶାଖେଳିବାକୁ ଡକେଇଲେ ।

 

ସେ ଯୁଗରେ କ୍ଷତ୍ରିୟମାନେ ଯୁଦ୍ଧ ଏବଂ ଜୁଆର ନିମନ୍ତ୍ରଣକୁ ଖୁସିରେ ଗ୍ରହଣ କରୁଥିଲେ-। ଯେଉଁ କ୍ଷତ୍ରିୟମାନେ ଏ ପ୍ରକାର ନିମନ୍ତ୍ରଣକୁ ଗ୍ରହଣ କରୁ ନ ଥିଲେ, ସେମାନେ ଦୁର୍ବଳ ବୋଲି ପ୍ରମାଣିତ ହେଉଥିଲେ ।

 

ଯୁଧିଷ୍ଠିର ନିମନ୍ତ୍ରଣ ରକ୍ଷାକରି ପୁଣି ପଶା ଖେଳିବା ପାଇଁ ଆସିଲେ । ପୂର୍ବପରି ଏଥର ମଧ୍ୟ ଯୁଧିଷ୍ଠିର ବାରମ୍ୱାର ହାରିବାରୁ ତାଙ୍କର ସମସ୍ତ ଧନ ସମ୍ପତ୍ତି କୌରବମାନଙ୍କର ହସ୍ତଗତ ହେଲା ।

 

ସର୍ତ୍ତ ଅନୁସାରେ ପାଣ୍ଡବମାନଙ୍କୁ ବାରବର୍ଷ ବନବାସ ଓ ଏକବର୍ଷ ଲୁଚିକରି ରହିବାକୁ ପଡ଼ିଲା । ପାଣ୍ଡବମାନେ ରାଜ୍ୟ ଛାଡ଼ି ମୃଗଚର୍ମ ପିନ୍ଧି ବନବାସ କରିବା ପାଇଁ ଚାଲିଗଲେ ।

 

ପାଣ୍ଡବମାନଙ୍କର ପ୍ରତିଜ୍ଞା :

 

ପାଣ୍ଡବମାନଙ୍କର ବନଗମନ ବେଶ ଦେଖି କୌରବମାନେ ଆନନ୍ଦରେ ନାଚିଲେ । ଦୁର୍ଯ୍ୟୋଧନ ବ୍ୟଙ୍ଗକରି କେତେ କଥା କହିବାରୁ ଭୀମ ଯୁଦ୍ଧକ୍ଷେତ୍ରରେ ପ୍ରତିଶୋଧ ନେବାପାଇଁ ପ୍ରତିଜ୍ଞା କରି ତୁନି ରହିଲେ ।

 

ଅର୍ଜ୍ଜୁନ କହିଲେ–ଯେଉଁ କର୍ଣ୍ଣର ବାହୁବଳରେ ଆଜି ତୁମ୍ଭେମାନେ ବଳୀୟାନ୍, ସେହି କର୍ଣ୍ଣକୁ ଯଦି ମୁଁ ଯୁଦ୍ଧକ୍ଷେତ୍ରରେ ନ ମାରିବି ତେବେ ତୁମ୍ଭମାନଙ୍କ ନିକଟରେ ଆଉ ମୁହଁ ଦେଖେଇବି ନାହିଁ ।

 

ନକୁଳ ଓ ସହଦେବ ପ୍ରତିଜ୍ଞା କଲେ ଯେ ଯେଉଁ ଶକୁନି ମାମୁଁ ଯୋଗୁଁ ଆଜି ଆମ୍ଭମାନଙ୍କର ଏ ଅବସ୍ଥା ଘଟିଛି, ତାକୁ ଆମେ ଯୁଦ୍ଧ କ୍ଷେତ୍ରରୁ ଆଉ ନବରକୁ ଫେରିବାକୁ ଦେବୁ ନାହିଁ । ପାଣ୍ଡବମାନେ ଏହିପରି ଭାବରେ ପ୍ରତିଜ୍ଞା କରି ବନକୁ ଗଲେ ।

 

ମାତା କୁନ୍ତୀ ବିଦୁରଙ୍କ ନିକଟରେ ଆଶ୍ରୟ ଗ୍ରହଣ କଲେ ।

 

ସତୀ ଦ୍ରୌପଦୀ ଓ ଧୌମ୍ୟ ପୁରୋହିତ ପାଣ୍ଡବମାନଙ୍କ ସହିତ ବନବାସ କରିବାପାଇଁ ଗଲେ ।

Image

 

Unknown

ବନପର୍ବ

 

କିର୍ମୀରି ବଧ :

 

ପାଣ୍ଡବମାନଙ୍କର ବନବାସ ଖବର ରାଜ୍ୟସାରା ପ୍ରଚାର ହୋଇଗଲା । ସେମାନଙ୍କ ସହିତ ବନବାସ କରିଯିବାକୁ ପ୍ରଜାମାନେ ଇଚ୍ଛା କଲେ ।

 

ଯୁଧିଷ୍ଠିର ତାଙ୍କର ପ୍ରିୟ ପ୍ରଜାମାନଙ୍କୁ ବହୁତ ବୁଝେଇ ଫେରିଯିବା ପାଇଁ ଅନୁରୋଧ କରିବାରୁ କେତେକ ପ୍ରଜା ଫେରିଗଲେ । କିନ୍ତୁ କେତେକ ବ୍ରାହ୍ମଣ ଫେରିଯିବାକୁ ରାଜିହେଲେ ନାହିଁ । ଯୁଧିଷ୍ଠିରଙ୍କ ସହିତ ବନକୁ ଯିବାପାଇଁ ସେମାନେ ଜିଦ୍‍ ଧରିଲେ ।

 

ବନରେ ପାଣ୍ଡବମାନଙ୍କର ଖାଇବା ଓ ରହିବାର କୌଣସି ସୁବିଧା ନଥିଲା । ଏତେଗୁଡ଼ିଏ ବ୍ରାହ୍ମଣଙ୍କୁ ସଙ୍ଗରେ ନେଇ କିପରି ସନ୍ତୁଷ୍ଟ କରିପାରିବେ, ସେହିକଥା ଯୁଧିଷ୍ଠିର ମନେମନେ ଚିନ୍ତା କରିବାକୁ ଲାଗିଲେ ।

 

ଯୁଧିଷ୍ଠିର ଚିନ୍ତିତ ଥିବାର ଦେଖି ବ୍ରାହ୍ମଣମାନେ କହିଲେ–ମହାରାଜ ! ଆପଣ ଚିନ୍ତା କରନ୍ତୁ ନାହିଁ । ସୂର୍ଯ୍ୟଦେବଙ୍କୁ ସ୍ତୁତି କରନ୍ତୁ । ସେ ଆମ୍ଭମାନଙ୍କର ଅନ୍ନସଂସ୍ଥାନର ବ୍ୟବସ୍ଥା କରିଦେବେ ।

 

ବ୍ରାହ୍ମଣମାନଙ୍କ କଥାରେ ଧର୍ମରାଜ ଯୁଧିଷ୍ଠିର ସୂର୍ଯ୍ୟଙ୍କୁ ସ୍ତୁତି କଲେ ।

 

ଯୁଧିଷ୍ଠିରଙ୍କ ସ୍ତୁତିରେ ସନ୍ତୁଷ୍ଟ ହୋଇ ସୂର୍ଯ୍ୟଦେବତା ଏକ ସ୍ୱର୍ଣ୍ଣ ବାସନ ଯୁଧିଷ୍ଠିରଙ୍କୁ ଉପହାର ଦେଲେ । ଉକ୍ତ ବାସନଟି ପାଇ ପାଣ୍ଡବମାନଙ୍କର ଆଉ ଅନ୍ନକଷ୍ଟ ରହିଲା ନାହିଁ । ଯେତେବେଳେ ଇଚ୍ଛା କରୁଥିଲେ, ସେତେବେଳେ ସେହି ବାସନରୁ ଖାଦ୍ୟସାମଗ୍ରୀ ମିଳି ପାରୁଥିଲା ।

ତା’ପରେ ପାଣ୍ଡବମାନେ କାମ୍ୟକ ନାମକ ଏକ ବନରେ ପହଞ୍ଚିଲେ । ଉକ୍ତ କାମ୍ୟକ ବନଟି ଅତି ଭୟଙ୍କର ଥିଲା । ସେଠାରେ ସିଂହ, ବ୍ୟାଘ୍ର ପ୍ରଭୃତି ହିଂସ୍ର ଜନ୍ତୁମାନେ ବାସ କରୁଥିଲେ । ପାଣ୍ଡବମାନେ କାମ୍ୟକ ବନରେ ପହଞ୍ଚିଲାବେଳକୁ ରାତି ଅଧା ହୋଇ ଯାଇଥିଲା ।

ହଠାତ୍‍ ପାଣ୍ଡବମାନେ ଦେଖିଲେ ଯେ ସମ୍ମୁଖରେ ଏକ ରାକ୍ଷସ ଠିଆ ହୋଇଛି ।

ରାକ୍ଷସର ଗର୍ଜ୍ଜନ ଶୁଣି ଦ୍ରୌପଦୀ ଭୟରେ ଥରିବାକୁ ଲାଗିଲେ ।

ଯୁଧିଷ୍ଠିର ରାକ୍ଷସକୁ ପଚାରିଲେ–ତୁମେ କିଏ ?

ରାକ୍ଷସ ଉତ୍ତର ଦେଲା–ମୋର ନାମ କିର୍ମୀରି । ମୋତେ ବର୍ତ୍ତମାନ ଭୀଷଣ ଭୋକ ହେଉଛି । ତୁମ୍ଭମାନଙ୍କୁ ଖାଇ ଆଜି ମୋର କ୍ଷୁଧା ମେଣ୍ଟେଇବି ।

ରାକ୍ଷସର କଥା ଶୁଣି ଭୀମ କହିଲେ–ଭଲ ଦଶା ଥିଲେ ଆଗରୁ ଉଠିଯା, ନୋହିଲେ ତୋର ପିଣ୍ଡରୁ ପ୍ରାଣ କାଢ଼ି ନେବି । ରାକ୍ଷସ ଭୀମଙ୍କୁ ଚିହ୍ନିପାରି କହିଲା–ତୁ ମୋର ଭାଇ ହିଡ଼ମ୍ୱକୁ ମାରିଥିଲୁ ନା ? ରହ ମୁଁ ଆଜି ତା’ର ପ୍ରତିଶୋଧ ନେବି । ରାକ୍ଷସ ଏହା କହି ଭୀଷଣ ଗର୍ଜ୍ଜନ କରି ଭୀମଙ୍କ ଉପରେ ମାଡ଼ି ବସିଲା । କିଛି ସମୟ ପରେ ଭୀମ ରାକ୍ଷସକୁ ଓଲଟେଇ ଦେଲେ । ରାକ୍ଷସର ଛାତିରେ ବିଧା ପ୍ରହାର କରି ମାରି ଦେଲେ ।

ରାକ୍ଷସ ମରିଯିବାରୁ ପାଣ୍ଡବମାନେ ନିର୍ଭୀକ ଭାବରେ କାମ୍ୟକ ବନରେ ବସବାସ କଲେ ।

 

କ୍ଷମାର ଜୟ :

 

ବିଦୁର ଜଣେ ଧର୍ମାତ୍ମା ଲୋକ ଥିଲେ । ତେଣୁ ସେ ସବୁବେଳେ ଧର୍ମପରାୟଣା ପାଣ୍ଡବମାନଙ୍କର ପ୍ରଶଂସା କରୁଥିଲେ ଓ କୌରବମାନଙ୍କର ନିନ୍ଦା କରୁଥିଲେ ।

 

ଅନ୍ଧରାଜ ଧୃତରାଷ୍ଟ୍ର ବିଦୁରଙ୍କର ଏପରି ପକ୍ଷପାତିତାରେ ଅସନ୍ତୁଷ୍ଟ ହୋଇ ତାଙ୍କୁ ରାଜ୍ୟରୁ ବିତାଡ଼ିତ କରିଦେଲେ ।

 

ବିଦୁର ରାଜ୍ୟରୁ ତଡ଼ା ଖାଇ ପାଣ୍ଡବମାନଙ୍କୁ ଖୋଜି ଖୋଜି ଯାଇ କାମ୍ୟକ ବନରେ ଭେଟିଲେ । ସେହି ବନରେ ପାଣ୍ଡବମାନଙ୍କ ସହିତ କାଳଯାପନ କଲେ ।

 

ଏହି ଘଟଣାର କିଛି ଦିନ ପରେ ଧୃତରାଷ୍ଟ୍ର ଅନୁଭବ କଲେ ଯେ ବିଦୁରଙ୍କୁ ରାଜ୍ୟରୁ ବିତାଡ଼ିତ କରି ସେ ସମସ୍ତଙ୍କର ନିନ୍ଦାର ପାତ୍ର ହୋଇଛନ୍ତି । ତେଣୁ ବିଦୁରଙ୍କୁ ଫେରେଇ ନେବା ପାଇଁ ଧୃତରାଷ୍ଟ୍ର ସଂଜୟକୁ କାମ୍ୟକ ବନକୁ ପଠାଇଲେ । ବିଦୁର ସଂଜୟଙ୍କ ସହିତ ରାଜ୍ୟକୁ ଫେରିଗଲେ-

 

ପାଣ୍ଡବମାନେ ବନବାସର ଦିନ ଗଣି କାଳାତିପାତ କଲେ ।

 

ଦିନେ ସତୀ ଦ୍ରୌପଦୀ ଯୁଧିଷ୍ଠିରଙ୍କୁ ପଚାରିଲେ,–ମହାରାଜ ! ଯେଉଁ ଦୁର୍ମତୀ ଦୁର୍ଯ୍ୟୋଧନ ଅସତ୍ ଉପାୟରେ ଆମ୍ଭମାନଙ୍କର ସମସ୍ତ ସମ୍ପତ୍ତି ଅପହରଣ କରି ଆମ୍ଭଙ୍କୁ ବନକୁ ପଠେଇଲା, ତା’ ଉପରେ ଆପଣଙ୍କ କ୍ରୋଧ ଜନ୍ମୁନାହିଁ କିପରି ? ଆପଣମାନଙ୍କର ଦୁଃଖ ଦେଖି ମୁଁ ସମ୍ଭାଳି ହୋଇ ରହି ପାରୁନି ।

 

ଯୁଧିଷ୍ଠିର କହିଲେ–ପ୍ରିୟେ ! ତୁମେ ସତ କହୁଛ, ମୁଁ ସବୁ ଅନୁଭବ କରୁଛି, କିନ୍ତୁ କିଛି କରି ପାରିବା ଶକ୍ତି ମୋର ନାହିଁ । କାରଣ ମୁଁ ଧର୍ମ ବନ୍ଧନରେ ବାନ୍ଧି ହୋଇ ପଡ଼ିଛି । ମୋ ଶରୀରରେ ଯେତେଦିନ ପର୍ଯ୍ୟନ୍ତ ପ୍ରାଣ ଥିବ, ସେତେଦିନ ପର୍ଯ୍ୟନ୍ତ ମୁଁ ଧର୍ମକୁ ଛାଡ଼ି ପାରିବି ନାହିଁ ।

 

ଯୁଧିଷ୍ଠିରଙ୍କ କଥା ଶୁଣି ଦ୍ରୌପଦୀ ତୁନି ରହିଲେ । ଯୁଧିଷ୍ଠିରଙ୍କ କଥାରେ ପ୍ରତ୍ୟୁତ୍ତର କରିବା ପାଇଁ ତାଙ୍କର ସାହସ ହେଲାନି । ଦ୍ରୌପଦୀ ଶେଷକୁ ବିଧାତାଙ୍କ ଉପରେ ଦୋଷ ଲଦି ଦେଲେ ।

 

ଯୁଧିଷ୍ଠିର କହିଲେ ଅନ୍ୟାୟ କରିବା ଆମେ, ଆଉ ଦୋଷ ଲଦିବା ବିଧାତାଙ୍କ ଉପରେ-? ଏ କିପରି କଥା କହୁଛ ଦ୍ରୌପଦୀ ?

 

ତୁମପରି ଜଣେ ବୁଦ୍ଧିମତୀ ରମଣୀ ମୁଖରେ ଏ ପ୍ରକାର କଥା ଶୋଭା ପାଏନି ।

ଦ୍ରୌପଦୀ ଲଜ୍ଜାରେ ମୁଣ୍ଡପୋତି କହିଲେ–ମୁଁ ବିଧାତାଙ୍କର ଦୋଷ ଦେଉ ନାହିଁ । ଭାବୁଛି ଆପଣ ଯଦି ଭାଇମାନଙ୍କୁ ଆଜ୍ଞା ଦିଅନ୍ତେ, ତେବେ ଅଳ୍ପ ସମୟ ମଧ୍ୟରେ ସେମାନେ ଆପଣଙ୍କର ବହୁତ ବିଭବ ଫେରେଇ ଆଣି ପାରନ୍ତେ ।

ଦ୍ରୌପଦୀଙ୍କ ପ୍ରସ୍ତାବକୁ ଭୀମ ଅନୁମୋଦନ କରି କହିଲେ–ମହାରାଜ ! ମୁଁ ଆପଣଙ୍କର ଆଜ୍ଞାକୁ ଅପେକ୍ଷା କରି ବସି ରହିଛି । ଆପଣଙ୍କର ନିର୍ଦ୍ଦେଶ ପାଇଲେ ଦୁର୍ଯ୍ୟୋଧନ ତଥା କୌରବ ଶହେ ଭାଇଙ୍କୁ ବଧ କରି ଆପଣଙ୍କୁ ସିଂହାସନରେ ପୁନଃ ପ୍ରତିଷ୍ଠିତ କରିବି । ଏ ସାହସ ମୋର ଅଛି, ଆପଣ ଥରେ ଆଜ୍ଞା ଦିଅନ୍ତୁ ।

ଧର୍ମରାଜ ଯୁଧିଷ୍ଠିର କହିଲେ–‘‘ଭାଇ ଭୀମ, ତୁମ୍ଭେ ଭୁଲି ଯାଉଛ, ଆମ୍ଭେମାନେ ପଶାଖେଳରେ ସବୁ ବିଭବ ହରେଇ ସର୍ତ୍ତଅନୁସାରେ ବନବାସ କରୁଛେଁ । ସର୍ତ୍ତର ଦିନ ପୂରଣ ହେବା ପର୍ଯ୍ୟନ୍ତ ଅପେକ୍ଷା କର । ସତ୍ୟ ଭଗ୍ନ କଲେ ଆମ୍ଭେମାନେ ଲୋକଙ୍କ ଆଗରେ ମୁହଁ ଦେଖେଇ ପାରିବାନି ଯେ ! ଏତିକି ଶୁଣି ଭୀମ ଚୁପ୍‍ ରହିଲେ ।

ଅର୍ଜ୍ଜୁନଙ୍କ ତପସ୍ୟା :

ଦିନେ ବେଦବ୍ୟାସ ଯୁଧିଷ୍ଠିରଙ୍କ ସହିତ ସାକ୍ଷାତ କରିବାପାଇଁ ଆସିଥିଲେ । ସେ ଯୁଧିଷ୍ଠିରଙ୍କୁ ପ୍ରତିଶତି ନାମକ ଏକ ବିଦ୍ୟା ଶିକ୍ଷା ଦେଲେ । ଉକ୍ତ ବିଦ୍ୟାବଳରେ ବହୁତ ଦେବଦେବୀଙ୍କୁ ସନ୍ତୁଷ୍ଟ କରାଯାଇ ପାରୁଥିଲା ।

ବେଦବ୍ୟାସ ଚାଲିଯିବା ପରେ ଯୁଧିଷ୍ଠିର ଅର୍ଜ୍ଜୁନଙ୍କୁ ଉକ୍ତ ବିଦ୍ୟାଟି ଶିଖେଇ ଦେଲେ । ବୀର ଅର୍ଜ୍ଜୁନ ବିଦ୍ୟାଶିକ୍ଷା କରି ସାରି ବିଦ୍ୟାସାଧନା କରିବା ପାଇଁ ଉତ୍ତର ଦେଶକୁ ଗଲେ । ଇନ୍ଦ୍ରକୋଳ ନାମକ ଏକ ପର୍ବତରେ ଚାରିମାସ କାଳ କଠୋର ସାଧନା କଲେ । ସାଧନାରେ ମହାଦେବ ସନ୍ତୁଷ୍ଟ ହୋଇ ନିଜେ ଏକ ଶବର ବେଶ ଧରି ଓ ପାର୍ବତୀଙ୍କୁ ଶବରୁଣୀ ବେଶରେ ସଜାଇ ଅର୍ଜ୍ଜୁନଙ୍କ ନିକଟରେ ଆସି ପହଞ୍ଚିଲେ ।

ଶିବାର୍ଜ୍ଜୁନ ଯୁଦ୍ଧ :

ଏହି ସମୟରେ ଏକ ରାକ୍ଷସ ଗୋଟାଏ ଜଙ୍ଗଲି ବରାହ ରୂପ ଧାରଣ କରି ଅର୍ଜ୍ଜୁନଙ୍କୁ ଆକ୍ରମଣ କଲା । ବୀର ଅର୍ଜ୍ଜୁନ ବରାହ ଉପରକୁ ଶର ମାରିବାବେଳେ ଶବର ରୂପୀ ମହାଦେବ ଉକ୍ତ ବରାହ ଉପରକୁ ବାଣ ମାରିଲେ । ଦୁଇଦିଗରୁ ଦୁଇଟିଯାକ ବାଣ ବରାହ ଦେହରେ ବାଜିବାରୁ ତା’ର ପ୍ରାଣବାୟୁ ଉଡ଼ିଗଲା ।

ସେତେବେଳେ ନିୟମ ଥିଲା ଯେ, ଶିକାର ଉପରକୁ ଯେ ପ୍ରଥମେ ବାଣ ମାରିଥିବ, ଶିକାରଟି ତା’ରହିଁ ହେବ; କିନ୍ତୁ ମହାଦେବ ଓ ଅର୍ଜ୍ଜୁନ ଏକ ସମୟରେ ବାଣ ନିକ୍ଷେପ କରିଥିବାରୁ ଉଭୟେ ଶିକାର ପାଇଁ ଦାବୀ କଲେ । ଏହି ଘଟଣା ନେଇ ଉଭୟଙ୍କ ମଧ୍ୟରେ ଯୁଦ୍ଧ ହେଲା । ଯୁଦ୍ଧରେ ମହାଦେବ ଅର୍ଜ୍ଜୁନଙ୍କୁ ଅଚେତ କରି ପକାଇଲେ । କିନ୍ତୁ କିଛି ସମୟ ପରେ ଅର୍ଜ୍ଜୁନ ଚେତା ପାଇ ଶବର କବଳରୁ ରକ୍ଷା ପାଇବା ପାଇଁ ମହାଦେବଙ୍କୁ ଚିନ୍ତା କଲେ ।

ଧ୍ୟାନବଳରେ ଅର୍ଜ୍ଜୁନ ଜାଣି ପାରିଲେ ଯେ ସ୍ୱୟଂ ମହାଦେବ ଶବର ରୂପରେ ତାଙ୍କ ନିକଟରେ ଠିଆ ହୋଇଛନ୍ତି । ବୀର ଅର୍ଜ୍ଜୁନ ଆଶ୍ଚର୍ଯ୍ୟ ହୋଇଗଲେ । ସଙ୍ଗେ ସଙ୍ଗେ ମହାଦେବଙ୍କର ପାଦଛୁଇଁ କ୍ଷମାପ୍ରାର୍ଥନା ମାଗିଲେ ।

ମହାଦେବ ସନ୍ତୁଷ୍ଟ ହୋଇ ତାଙ୍କୁ ପାଶୁପତ ଓ ବ୍ରହ୍ମଶୀରା ନାମକ ଦୁଇଟି ଅମୋଘ ଅସ୍ତ୍ର ଦେଲେ । ପରେ ପରେ ଅର୍ଜ୍ଜୁନ ଆହୁରି ଅନେକ ଦେବ ଦେବୀଙ୍କୁ ସନ୍ତୁଷ୍ଟ କରି ବହୁ ଅସ୍ତ୍ରଶସ୍ତ୍ର ପାଇଲେ ।

କିଛି ଦିନ ପରେ ଦେବରାଜ ଇନ୍ଦ୍ରଙ୍କ ନିମନ୍ତ୍ରଣ ପାଇ ବୀର ଅର୍ଜ୍ଜୁନ ସ୍ୱର୍ଗ ପୁରୀ ଦର୍ଶନ କରିବା ପାଇଁ ଗଲେ ।

ଅର୍ଜ୍ଜୁନଙ୍କ ସ୍ୱର୍ଗଗମନ :

ଦେବରାଜ ଇନ୍ଦ୍ର ଅର୍ଜ୍ଜୁନଙ୍କୁ ସ୍ୱର୍ଗକୁ ନେବା ପାଇଁ ନିଜର ରଥଟି ପଠେଇ ଦେଲେ । ବୀର ଅର୍ଜ୍ଜୁନ ଉକ୍ତ ରଥରେ ଚଢ଼ି ସ୍ୱର୍ଗକୁ ଗଲେ । ସେତେବେଳେ ଅସୁରମାନେ ଦେବତାମାନଙ୍କ ଉପରେ ଭୀଷଣ ଅତ୍ୟାଚାର କରୁଥିବାରୁ ଦେବରାଜ ଇନ୍ଦ୍ର ବଡ଼ ଚିନ୍ତିତ ଥିଲେ । ଦେବତାମାନଙ୍କୁ ଅସୁରଙ୍କ କବଳରୁ ରକ୍ଷା କରିବା ପାଇଁ ଦେବରାଜ ଇନ୍ଦ୍ର ଅର୍ଜ୍ଜୁନଙ୍କୁ ଅନୁରୋଧ କଲେ ।

ଅର୍ଜ୍ଜୁନ ବହୁତ ଅସୁର ମାରି ଇନ୍ଦ୍ରଦେବଙ୍କୁ ସନ୍ତୁଷ୍ଟ କଲେ । ଇନ୍ଦ୍ର ସନ୍ତୁଷ୍ଟ ହୋଇ ତାଙ୍କୁ ବହୁତ ଅସ୍ତ୍ରଶସ୍ତ୍ର ଉପହାର ଦେଲେ । ଦୀର୍ଘ ପାଞ୍ଚବର୍ଷ କାଳ ସ୍ୱର୍ଗରେ ରହି ଅର୍ଜ୍ଜୁନ ଯୁଦ୍ଧବିଦ୍ୟା ଓ ସଙ୍ଗୀତ ବିଦ୍ୟାରେ ପାରଦର୍ଶିତା ଲାଭ କଲେ । ସ୍ୱର୍ଗରେ ଥିବାବେଳେ ଇନ୍ଦ୍ରଙ୍କର ପ୍ରଧାନ ଅପ୍‍ସରୀ ଉର୍ବଶୀ ଅର୍ଜ୍ଜୁନଙ୍କ ପ୍ରତି ଆକୃଷ୍ଟ ହୋଇ ତାଙ୍କ ନିକଟରେ ନିଜର ଅଭିଳାଷ ପ୍ରକାଶ କଲେ । କିନ୍ତୁ ଧର୍ମାତ୍ମା ଅର୍ଜ୍ଜୁନ ଉର୍ବଶୀଙ୍କ ପ୍ରସ୍ତାବରେ ସମ୍ମତ ହେଲେ ନାହିଁ । ଉର୍ବଶୀଙ୍କୁ ନିଜର ମାତା ବୋଲି ସମ୍ୱୋଧନ କରିବାରୁ ଉର୍ବଶୀ ଲଜ୍ଜାରେ ଫେରିଗଲେ ।

ପଦ୍ମଫୁଲ କଥା :

 

ଅର୍ଜ୍ଜୁନ ଦେଶାନ୍ତର ହେବାଠାରୁ ଅନ୍ୟ ଭାଇମାନେ ବଦରିକାଶ୍ରମରେ ତାହାଙ୍କୁ ଅପେକ୍ଷା କରି ରହିଥିଲେ ।

 

ଦିନେ ଗୋଟିଏ ସୁନ୍ଦର ପଦ୍ମପୁଷ୍ପ ଦ୍ରୌପଦୀଙ୍କ ସମ୍ମୁଖରେ ଆସି ପଡ଼ିଲା । ଠିକ୍‍ ସେହିପରି ଆଉ ଗୋଟିଏ ତାଜାଫୁଲ ଆଣିଦେବା ପାଇଁ ସତୀ ଦ୍ରୌପଦୀ ମହାବଳୀ ଭୀମଙ୍କୁ ଅନୁରୋଧ କଲେ । ଭୀମସେନ ଅବିଳମ୍ୱେ ଉକ୍ତ ଫୁଲ ପାଇଁ ବାହାରି ପଡ଼ିଲେ ।

 

ଜଙ୍ଗଲ ମଧ୍ୟରେ ବୁଲୁ ବୁଲୁ ଦେଖିଲେ ଯେ ଗୋଟିଏ ବଡ଼ ମାଙ୍କଡ଼ ରାସ୍ତା ବନ୍ଦକରି ଶୋଇ ରହିଛି । ରାସ୍ତା ଛାଡ଼ିଦେବା ପାଇଁ କହିବାରୁ ମାଙ୍କଡ଼ ତାଙ୍କ କଥାକୁ ଶୁଣିଲା ନାହିଁ । ଭୀମ ରାଗିଯାଇ ମାଙ୍କଡ଼କୁ ଟେକି ଫୋପାଡ଼ି ଦେବାପାଇଁ ଚେଷ୍ଟା କଲେ । କିନ୍ତୁ ମାଙ୍କଡ଼ଟି ଏତେ ଭାରି ଥିଲା ଯେ ଭୀମ ତାକୁ ତଳୁ ଟେକି ପାରିଲେ ନାହିଁ ।

 

ଭୀମ ଏଥିରେ ଆଶ୍ଚର୍ଯ୍ୟ ହେଲେ । ମାଙ୍କଡ଼କୁ ବହୁତ ପ୍ରାର୍ଥନା କରିବାରୁ ସେ ସନ୍ତୁଷ୍ଟ ହୋଇ ହନୁମାନ ବୋଲି ନିଜକୁ ପରିଚୟ ଦେଲେ ଏବଂ ଭୀମକୁ ଆଶୀର୍ବାଦ କରି କହିଲେ–‘‘ତୁମର କାର୍ଯ୍ୟ ସଫଳ ହେଉ ।’’

 

ଭୀମ ହନୁମାନଙ୍କଠାରୁ ଆର୍ଶୀବାଦ ନେଇ କମଳ ବନ ନିକଟରେ ପହଞ୍ଚିଲେ ।

 

ଏଣେ ଯୁଧିଷ୍ଠିର ଭୀମଙ୍କୁ ଆଶ୍ରମରେ ନ ଦେଖି ବ୍ୟାକୁଳ ହେବାରୁ ସତୀ ଦ୍ରୌପଦୀ ସମସ୍ତ ଘଟଣା କହିଲେ । ସମସ୍ତେ ମିଶି ଭୀମଙ୍କୁ ଖୋଜିବାକୁ ଗଲାବେଳେ ବାଟରେ ଭୀମଙ୍କ ସହିତ ଦେଖା ହେଲା । ଭୀମ ଦ୍ରୌପଦୀଙ୍କୁ ବହୁତ ପଦ୍ମଫୁଲ ଉପହାର ଦେଇ ସନ୍ତୁଷ୍ଟ କଲେ ।

 

ଜଟାସୁର ବଧ : ଥରେ ଜଟାସୁର ନାମକ ଏକ ଅସୁର ବ୍ରାହ୍ମଣ ବେଶ ଧରି ପାଣ୍ଡବମାନଙ୍କ ଆଶ୍ରମରେ ଆଶ୍ରୟ ନେଲା । ଦିନେ ଭୀମସେନ ଶିକାରକୁ ଯାଇଥିବା ବେଳେ ସେହି ଅସୁର ପାଣ୍ଡବମାନଙ୍କର ସମସ୍ତ ଅସ୍ତ୍ରଶସ୍ତ୍ର ସହିତ ଯୁଧିଷ୍ଠିର ଓ ଦ୍ରୌପଦୀଙ୍କୁ ଚୋରେଇ ନେଇଗଲା । ବାଟରେ ଯାଉଥିବା ବେଳେ ଭୀମଙ୍କ ସହିତ ତା’ର ଭେଟ ହେଲା । ଭୀମସେନ ବଡ଼ ରାଗିଗଲେ । ଅସୁରକୁ ମାରି ଭାଇ ଓ ଭାର୍ଯ୍ୟାଙ୍କୁ ଉଦ୍ଧାର କଲେ ।

 

କୁବେର ବିଜୟ :

 

ଜଟାସୁରକୁ ମାରି ପାଣ୍ଡବମାନେ ଗନ୍ଧମାର୍ଦ୍ଦନ ପର୍ବତକୁ ଗଲେ । ଗନ୍ଧମାର୍ଦ୍ଦନ ପର୍ବତରେ ବହୁତ ରାକ୍ଷସ ଓ ଯକ୍ଷ ବାସ କରୁଥିଲେ । ଭୀମଙ୍କର ଗର୍ଜ୍ଜନ ଶୁଣି ସେମାନେ ଶାନ୍ତରେ ରହି ପାରିଲେ ନାହିଁ ।

 

ଦିନେ ସବୁ ରାକ୍ଷସ ଏକାଠି ହୋଇ ଭୀମଙ୍କୁ ଆକ୍ରମଣ କଲେ । ଭୀମ ନିଜର ଶକ୍ତି ବଳରେ ସେମାନଙ୍କୁ ମାରି ଦେଲେ । ସେମାନଙ୍କ ମଧ୍ୟରେ ମଣିମାନ ନାମକ ଗୋଟିଏ ରାକ୍ଷସ ଥିଲା । ଧନପତି କୁବେରଙ୍କ ସହିତ ସେହି ରାକ୍ଷସର ଘନିଷ୍ଠ ସମ୍ପର୍କ ଥିଲା । ଭୀମସେନ ମଣିମାନକୁ ମାରିଦେବାରୁ ଧନପତି କୁବେର ମିତ୍ରହନ୍ତାର ପ୍ରତିଶୋଧ ନେବାପାଇଁ ନିଜର ସୈନ୍ୟସାମନ୍ତଙ୍କୁ ସଙ୍ଗରେ ଧରି ଭୀମଙ୍କ ସହିତ ଯୁଦ୍ଧ କରିବାକୁ ଆସିଲେ । ଭୀମଙ୍କର ବଳ ଦେଖି ସେ ଆଉ ଯୁଦ୍ଧ କରିବାକୁ ମନ କଲେ ନାହିଁ । ଭୀମଙ୍କ ସହିତ ମିତ୍ରତା ସ୍ଥାପନ କରି ଫେରିଗଲେ ।

 

ଦିନେ ଯୁଧିଷ୍ଠିର ଓ ଅନ୍ୟ ଭାଇମାନେ ଗନ୍ଧମାର୍ଦ୍ଦନ ପର୍ବତରେ ବସି ଗପ କରୁଥିବା ବେଳେ ଅର୍ଜ୍ଜୁନଙ୍କ ରଥ ଆସି ସେଠାରେ ପହଞ୍ଚିଲା । ବହୁଦିନ ପରେ ପ୍ରାଣପ୍ରିୟ ଭାଇଙ୍କୁ ଫେରି ପାଇ ଯୁଧିଷ୍ଠିରଙ୍କର ଆନନ୍ଦର ସୀମା ରହିଲା ନାହିଁ ।

 

ଭୀମଙ୍କର ବିପତ୍ତି :

 

ଉକ୍ତ ଗନ୍ଧମାର୍ଦ୍ଦନ ପର୍ବତରେ ଥିବାବେଳେ ଦିନେ ଭୀମ ଫଳ ଫୁଲ ସଂଗ୍ରହ କରିବା ପାଇଁ ଜଙ୍ଗଲକୁ ଯାଇଥିଲେ । ଜଙ୍ଗଲରେ ଏକ ପ୍ରକାଣ୍ଡ ଅଜଗର ସାପ ଭୀମଙ୍କୁ ଧରି ପକାଇଲା । ଯେତେ ଚେଷ୍ଟା କଲେ ମଧ୍ୟ ଭୀମସେନ ସାପ ମୁହଁରୁ ରକ୍ଷା ପାଇ ପାରିଲେ ନାହିଁ ।

 

ବହୁ ବର୍ଷପୂର୍ବେ ପାଣ୍ଡବମାନଙ୍କ ବଂଶରେ ନହୁଷ ନାମକ ଏକ ରାଜା ରାଜୁତି କରୁଥିଲେ-। ସେ ଅଗସ୍ତିମୁନିଙ୍କୁ ନ ମାନିବାରୁ ମୁନି କ୍ରୋଧ ହୋଇ ତାଙ୍କୁ ସାପ କରି ଦେଇଥିଲେ । ସେହି ସାପ ଭୀମଙ୍କୁ ଗିଳିବାକୁ ଯାଉଥିବା ବେଳେ ଦୈବାତ୍‍ ଯୁଧିଷ୍ଠିର ଆସି ସେଠାରେ ପହଞ୍ଚିଲେ । ଯୁଧିଷ୍ଠିର ସାପକୁ ବହୁତ ପ୍ରାର୍ଥନା କରିବାରୁ ସେ କହିଲା–‘‘ଯଦି ତୁମ୍ଭେ ମୋର କେତେକ ପ୍ରଶ୍ନର ଠିକ୍‍ ଉତ୍ତର ଦେଇ ପାରିବ, ତେବେ ମୁଁ ତୁମ୍ଭର ଭାଇଙ୍କୁ ଛାଡ଼ିଦେବି ।’’

 

ଯୁଧିଷ୍ଠିର ସାପର କଥାରେ ରାଜି ହେବାରୁ ସାପ ଧର୍ମ ସମ୍ୱନ୍ଧୀୟ କେତେକ ପ୍ରଶ୍ନ ପଚାରିଲା । ମହାରାଜ ଯୁଧିଷ୍ଠିର ସମସ୍ତ ପ୍ରଶ୍ନର ଠିକ୍ ଉତ୍ତର ଦେବାରୁ ସାପ ସନ୍ତୁଷ୍ଟ ହୋଇ ଭୀମଙ୍କୁ ଛାଡ଼ିଦେଲା । ସେଠାରୁ ପାଣ୍ଡବମାନେ କାମ୍ୟକବନକୁ ଫେରିଗଲେ ।

 

ଦୁର୍ଯ୍ୟୋଧନଙ୍କ ବନ୍ଧନମୁକ୍ତ :

 

ପାଣ୍ଡବମାନେ ବନବାସ କରିବାର କିଛି ଦିନ ପରେ ମହର୍ଷି ମୈତ୍ରେୟ ଓ ବେଦବ୍ୟାସ ଦୁହେଁ ହସ୍ତିନାପୁରୀକୁ ବୁଲିବାକୁ ଗଲେ । ସେମାନେ ଦୁର୍ଯ୍ୟୋଧନଙ୍କୁ ପାଣ୍ଡବମାନଙ୍କ ସହିତ ଶତ୍ରୁତା ନ କରିବା ପାଇଁ ବହୁତ ଅନୁରୋଧ କଲେ । ଦୁର୍ଯ୍ୟୋଧନ ସେମାନଙ୍କ କଥାକୁ ଶୁଣିଲେ ନାହିଁ ।

 

ଦିନେ ଦୁର୍ଯ୍ୟୋଧନ ନିଜର ଶହେଭାଇ ଓ ସେନାମାନଙ୍କୁ ସଙ୍ଗରେ ଧରି ଶିକାର କରିବା ବାହାନାରେ ଦୈତବନକୁ ଗମନ କଲେ । ସେହି ବନରେ ମାନସରୋବର ନାମକ ଗୋଟିଏ ସୁନ୍ଦର ପୋଖରୀ ଥିଲା । ସେଥିରେ ଗନ୍ଧର୍ବମାନେ ଜଳ ବିହାର କରୁଥିଲେ । ଦୁର୍ଯ୍ୟୋଧନ ନିଜର ସୈନ୍ୟମାନଙ୍କ ସହିତ ପୋଖରୀ କୂଳରେ ଡେରା ପକାଇଲେ ।

ଗନ୍ଧର୍ବମାନଙ୍କ ସହିତ ଦୁର୍ଯ୍ୟୋଧନଙ୍କର ଯୁଦ୍ଧ ହେଲା । ଶେଷରେ ଦୁର୍ଯ୍ୟୋଧନ ଗନ୍ଧର୍ବମାନଙ୍କ ଦ୍ୱାରା ବନ୍ଦୀ ହେଲେ ।

ଦୁର୍ଯ୍ୟୋଧନଙ୍କର ଦୁର୍ଦ୍ଦଶା କଥା ଶୁଣି ଯୁଧିଷ୍ଠିର ବଡ଼ ଦୁଃଖିତ ହେଲେ । ସେ ଦୁର୍ଯ୍ୟୋଧନର ଅପମାନକୁ ନିଜର ଅପମାନ ବୋଲି ମନେ କଲେ । କାରଣ ଦୁର୍ଯ୍ୟୋଧନ ତାଙ୍କର ଯେତେ ବଡ଼ ଶତ୍ରୁ ହେଲେ ମଧ୍ୟ ସେ ଦୁର୍ଯ୍ୟୋଧନଙ୍କୁ ନିଜର ଭାଇ ବୋଲି ଭାବୁଥିଲେ । ତେଣୁ ଭାଇକୁ ବିପଦରୁ ଉଦ୍ଧାର କରିବା ପାଇଁ ଧର୍ମପ୍ରାଣ ଯୁଧିଷ୍ଠିର ଅର୍ଜ୍ଜୁନଙ୍କୁ ଆଜ୍ଞା ଦେଲେ ।

ଗନ୍ଧର୍ବରାଜ ଚିତ୍ରସେନଙ୍କ ସହିତ ଅର୍ଜ୍ଜୁନଙ୍କର ଘନିଷ୍ଠ ସମ୍ପର୍କ ଥିଲା । ଅର୍ଜ୍ଜୁନଙ୍କ ଅନୁରୋଧରେ ଚିତ୍ରସେନ ଦୁର୍ଯ୍ୟୋଧନଙ୍କୁ ମୁକ୍ତି ଦେଲେ । ଦୁର୍ଯ୍ୟୋଧନ ଲାଜରେ ମୁଣ୍ଡ ପୋତି ହସ୍ତିନାକୁ ଫେରି ଗଲେ ।

ଦ୍ରୌପଦୀ ହରଣ :

ଦିନେ ପାଣ୍ଡବ ପାଞ୍ଚଭାଇ ପୁରୋହିତ ଧୌମ୍ୟଙ୍କ ଦାୟିତ୍ୱରେ ଦ୍ରୌପଦୀଙ୍କୁ ଆଶ୍ରମରେ ଛାଡ଼ି ଶିକାର କରିବା ପାଇଁ ଜଙ୍ଗଲକୁ ଯାଇଥିଲେ ।

ସିନ୍ଧୁ ଦେଶର ରାଜା ଜୟଦ୍ରଥ ସେହିବାଟ ଦେଇ ରଥରେ ଫେରୁଥିଲେ । ଦ୍ରୌପଦୀଙ୍କୁ ଏକାକୀ ବୁଲୁଥିବାର ଦେଖି ଜୟଦ୍ରଥ ତାଙ୍କ ନିକଟକୁ ଆସିଲେ । ଦ୍ରୌପଦୀଙ୍କୁ ତାଙ୍କ ସହିତ ସିନ୍ଧୁଦେଶକୁ ଯିବାପାଇଁ ଅନୁରୋଧ କଲେ । ସତୀ ଦ୍ରୌପଦୀ ତାଙ୍କ କଥାରେ ରାଜି ନ ହେବାରୁ ଦୁଷ୍ଟ ଜୟଦ୍ରଥ ଦ୍ରୌପଦୀଙ୍କୁ ବଳପୂର୍ବକ ରଥରେ ବସାଇ ସିନ୍ଧୁ ଦେଶ ଆଡ଼କୁ ରଥ ବାହିବାକୁ ଲାଗିଲେ ।

 

ପାଣ୍ଡବମାନେ ଶିକାରରୁ ଫେରି ଆସି ‘‘ଦ୍ରୌପଦୀ ହରଣ’’ ଖବର ଶୁଣି ଜୟଦ୍ରଥର ପଛେ ପଛେ ଧାଇଁଲେ । ବାଟରେ ଜୟଦ୍ରଥ ସହିତ ପାଣ୍ଡବମାନଙ୍କର ଭେଟ ହେଲା ।

 

ଜୟଦ୍ରଥ ଭୀମଙ୍କୁ ଦେଖି ଭୟରେ ଦ୍ରୌପଦୀଙ୍କୁ ରଥରୁ ଓହ୍ଲାଇ ଦେଇ ପଳାଇଯିବାକୁ ବସିଥିଲେ । ଭୀମ କିନ୍ତୁ ଛାଡ଼ିଲେ ନାହିଁ । ଅର୍ଦ୍ଧଚନ୍ଦ୍ର ବାଣମାରି ଜୟଦ୍ରଥଙ୍କର ନିଶରୁ ଫାଳେ ଓ ମୁଣ୍ଡରୁ ଅଧେ ଚୁଟି କାଟି ଉଡ଼େଇ ଦେଲେ ।

 

ଅପମାନ ପାଇ ଜୟଦ୍ରଥ ହରଦ୍ୱାରରେ ଦେବଦେବ ମହାଦେବଙ୍କୁ ତପସ୍ୟା କଲେ । ତପସ୍ୟାରେ ମହାଦେବ ସନ୍ତୁଷ୍ଟ ହୋଇ ଜୟଦ୍ରଥଙ୍କୁ ବର ଯାଚିଲେ ।

 

ଜୟଦ୍ରଥ କହିଲେ–ପ୍ରଭୁ ! ମୋତେ ଏହି ବର ଦିଅନ୍ତୁ ଯେପରି ମୁଁ ପାଣ୍ଡବମାନଙ୍କୁ ଜୟ କରିପାରିବି ।

 

ଏହା ମଧ୍ୟରେ ପାଣ୍ଡବମାନଙ୍କର ବାରବର୍ଷ ବନବାସ ଶେଷ ହୋଇ ଯାଇଥିଲା । କେବଳ ଅଜ୍ଞାତବାସ ଏକବର୍ଷ ବାକିଥିଲା । ମତ୍ସ୍ୟ ଦେଶର ବିରାଟ ନଗରରେ ଅଜ୍ଞାତବାସ ଶେଷ କରିବାପାଇଁ ପାଣ୍ଡବମାନେ ସ୍ଥିର କଲେ, କାରଣ ରାଜା ବିରାଟ ବଡ଼ ବିଦ୍ୱାନ ଓ ଦୟାଳୁ ଥିଲେ ।

Image

 

ବିରାଟପର୍ବ

 

ଅଜ୍ଞାତ ବାସ :

 

ଦ୍ରୌପଦୀଙ୍କୁ ସଙ୍ଗରେ ଧରି ପାଣ୍ଡବ ପାଞ୍ଚଭାଇ ବିରାଟ ଦେଶରେ ପହଞ୍ଚିଲେ ।

 

ପ୍ରଥମେ ଯୁଧିଷ୍ଠିର ବିରାଟରାଜାଙ୍କ ସହିତ ସାକ୍ଷାତ କରି ନିଜକୁ ଜଣେ ବିଖ୍ୟାତ ପଶାଖେଳାଳୀ ବୋଲି ପରିଚୟ ଦେଲେ । ବିରାଟ ରାଜାଙ୍କର ପଶାଖେଳରେ ବିଶେଷ ସଉକ ଥିଲା । ପଶା ଖେଳାଳୀମାନଙ୍କୁ ରାଜା ଅତି ଆଦରରେ ନିଜ ନବରରେ ସ୍ଥାନ ଦେଉଥିଲେ ।

 

ଯୁଧିଷ୍ଠିର ଜଣେ ବିଖ୍ୟାତ ପଶାଖେଳାଳୀ ବୋଲି ପରିଚୟ ଦେବାରୁ ରାଜା ତାଙ୍କୁ ସମାଦରରେ ନିଜ ନବରରେ ରଖେଇଲେ । ମହାରାଜା ଯୁଧିଷ୍ଠିର ନାମ ବଦଳେଇ କଙ୍କ ନାମରେ ନିଜକୁ ନାମିତ କଲେ ।

 

ତା’ପରେ ଭୀମ ଏକ ରୋଷେଇଆ ବ୍ରାହ୍ମଣ ବେଶରେ ଆସି ରାଜାଙ୍କୁ ସାକ୍ଷାତ କଲେ । ରାଜା ବିରାଟ ଭୀମକୁ ରୋଷେଇ ବିଷୟରେ କେତେକ ପ୍ରଶ୍ନ ପଚାରି ସଠିକ୍‍ ଉତ୍ତର ପାଇବାରୁ ତାଙ୍କୁ ନିଜର ରୋଷେଇଆ ବ୍ରାହ୍ମଣ ରୂପେ ନିଯୁକ୍ତ କଲେ ।

 

ଗାନ୍ଧାର ବିଦ୍ୟାରେ ମହାବୀର ଅର୍ଜ୍ଜୁନଙ୍କର ପାରଦର୍ଶିତା ଲକ୍ଷ୍ୟ କରି ରାଜା ବିରାଟ ନିଜ କନ୍ୟା ଉତ୍ତରାଙ୍କର ସଙ୍ଗୀତ ଶିକ୍ଷକ ରୂପେ ଅର୍ଜ୍ଜୁନଙ୍କୁ ନିଯୁକ୍ତ କଲେ । ଅନ୍ୟ ଦୁଇଭାଇଙ୍କ ମଧ୍ୟରୁ ନକୁଳଙ୍କୁ ଗୋରକ୍ଷକ ଓ ସହଦେବକୁ ଅଶ୍ୱରକ୍ଷକର କାର୍ଯ୍ୟରେ ନିଯୁକ୍ତ କରାଗଲା ।

 

ସତୀ ଦ୍ରୌପଦୀ ବିରାଟ ରାଣୀ ସୁଦେଷ୍ଣାଙ୍କର ପ୍ରିୟସଖୀ ରୂପେ ପାଖେ ପାଖେ ରହି ମନ ତୋଷୁଥାନ୍ତି । ନିଜର ନାମ ବଦଳେଇ ସୈରିନ୍ଧ୍ରୀ ନାମରେ ନିଜକୁ ନାମିତ କରିଥାନ୍ତି ।

 

ଦିନେ ଜିମୂତ ନାମରେ ଏକ ମଲ୍ଲ ବିରାଟ ନବରରେ ପହଞ୍ଚି ରାଜାଙ୍କୁ କହିଲେ–ମହାରାଜ ! ଆପଣଙ୍କ ରାଜ୍ୟରେ ଯେତେ ମଲ୍ଲ ଅଛନ୍ତି; ସମସ୍ତଙ୍କୁ ମୁଁ ପରାସ୍ତ କରି ସାରିଛି । ମୋର ସମକକ୍ଷ ମଲ୍ଲ ଆପଣଙ୍କ ରାଜ୍ୟରେ ଆଉ କେହି ନାହାନ୍ତି ବୋଲି ମୋର ମନେହୁଏ ।

 

ଜିମୂତର କଥା ଶୁଣି ଭୀମ କହିଲେ–ମୁଁ ତୁମ୍ଭ ସଙ୍ଗରେ ଲଢ଼ିବାକୁ ଚାହୁଁଚି । ଭୀମ ଓ ଜିମୂତଙ୍କର ମଲ୍ଲଯୁଦ୍ଧ ଆରମ୍ଭ ହେଲା । ଭୀମ ଅତି ସହଜରେ ଜୀମୂତକୁ ତଳେ ପକାଇ ମୁଥ ମାରିଲେ । ଫଳରେ ଜିମୂତ ମରିଗଲା ।

 

କୀଚକ ବଧ :

 

ବିରାଟରାଣୀ ସୁଦେଷ୍ଣାଙ୍କର ଗୋଟିଏ ଭାଇ ଥିଲେ । ତାଙ୍କର ନାମ କୀଚକ । କୀଚକ ବଡ଼ ଶକ୍ତିଶାଳୀ ଯୋଦ୍ଧା ଥିଲେ । ରାଣୀଙ୍କର ଭାଇ ହୋଇଥିବାରୁ ସେ ନିର୍ଭୟରେ ଯାହା ଇଚ୍ଛା ତାହା କରିପାରୁଥିଲେ । କୀଚକଙ୍କର ଭୟରେ ରାଜ୍ୟ ମଧ୍ୟରେ ଶତ୍ରୁ ପଶି ପାରୁ ନ ଥିଲେ । ତେଣୁ କୀଚକ, ରାଜା ଓ ରାଣୀ ଉଭୟଙ୍କର ପ୍ରିୟପାତ୍ର ହୋଇଥିଲେ ।

 

ଦିନେ ଦୁଷ୍ଟ କୀଚକ ସତୀ ଦ୍ରୌପଦୀଙ୍କୁ ଦେଖି ତାଙ୍କ ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇଗଲା । ନିଜର ପାପଇଚ୍ଛା ସତୀ ଦ୍ରୌପଦୀଙ୍କ ନିକଟରେ ପ୍ରକାଶ କରିବାରୁ ଦ୍ରୌପଦୀ ବହୁତ ତିରସ୍କାର କଲେ । କୀଚକ ବଳପୂର୍ବକ ତାଙ୍କୁ ଧରିବାକୁ ଚେଷ୍ଟା କଲା । ଦ୍ରୌପଦୀ ପାପୀ କୀଚକ କବଳରୁ ରକ୍ଷାପାଇବା ପାଇଁ ବିରାଟଙ୍କ ରାଜସଭା ଆଡ଼କୁ ଧାଇଁଗଲେ ।

 

ସେତିକିବେଳେ ଯୁଧିଷ୍ଠିର ଓ ଭୀମ ଉଭୟେ ବିରାଟଙ୍କ ରାଜସଭାରେ ଉପସ୍ଥିତ ଥିଲେ । ପାପିଷ୍ଠ କୀଚକର କାର୍ଯ୍ୟ ଦେଖି ଭୀମ ସମ୍ଭାଳି ହୋଇ ରହି ପାରିଲେ ନାହିଁ । ସେ ପ୍ରତିଶୋଧ ନେବାପାଇଁ ଧାଇଁ ଆସୁଥିଲେ ।

 

ଧର୍ମରାଜ ଯୁଧିଷ୍ଠିର ଭୀମଙ୍କୁ ଶାନ୍ତ ହୋଇ ବସିବାକୁ କହିଲେ । କାରଣ ସେ ଜାଣିଥିଲେ ଯେ ଭୀମ ଯଦି କୀଚକଙ୍କ ସହିତ ଯୁଦ୍ଧ କରେ, ତେବେ କୀଚକ ନିଶ୍ଚୟ ମରିବ । କୀଚକ ମରିବ ସତ, କିନ୍ତୁ ପାଣ୍ଡବମାନଙ୍କର ଅଜ୍ଞାତବାସ ଧରାପଡ଼ିଯିବ । ଅଜ୍ଞାତବାସ ଧରାପଡ଼ିଲେ ଆଉଥରେ ଅଯଥା ବାରବର୍ଷ ବନବାସ କରିବାକୁ ପଡ଼ିବ, ସୁତରାଂ ଯୁଧିଷ୍ଠିର ଭୀମଙ୍କୁ ଶାନ୍ତ କରି ଦ୍ରୌପଦୀଙ୍କୁ ରାଣୀଙ୍କ ନିକଟକୁ ଚାଲିଯିବାକୁ ନିର୍ଦ୍ଦେଶ ଦେଲେ ।

 

ବଡ଼ ଭାଇଙ୍କର କଥା ମାନି ଭୀମ ଚୁପ୍‍ ରହିଲେ ସତ; କିନ୍ତୁ କୀଚକର ବ୍ୟବହାର ତାଙ୍କ ମନରୁ ଗଲା ନାହିଁ । ରାତିରେ ଭୀମ ଦ୍ରୌପଦୀଙ୍କ ନିକଟକୁ ଯାଇ କହିଲେ–‘ପ୍ରିୟେ ! ତୁମେ ଆଜି ରାତିରେ ରନ୍ଧା ଘରକୁ ଆାସିବାପାଇଁ କୀଚକକୁ ନିମନ୍ତ୍ରଣ କର । ତା’ପରେ ଦେଖ ମୁଁ କ’ଣ କରୁଛି ।

 

ସ୍ୱାମୀଙ୍କର ନିର୍ଦ୍ଦେଶ ଅନୁସାରେ ଦ୍ରୋପଦୀ କୀଚକ ନିକଟକୁ ଦାସୀ ଦ୍ୱାରା ଖବର ପଠାଇଲେ । ଦାସୀ ମୁଖରୁ ଦ୍ରୋପଦୀଙ୍କ ନିମନ୍ତ୍ରଣ କଥା ଶୁଣି କୀଚକ ନିଜକୁ ଧନ୍ୟ ମନେ କଲା । ସୁନ୍ଦର ପୋଷାକ ପିନ୍ଧି ଅଧରାତି ବେଳକୁ ସେ ଦ୍ରୋପଦୀଙ୍କ ରନ୍ଧାଘରେ ଆସି ପହଞ୍ଚିଗଲା ।

 

ବହୁ ଆଗରୁ ଭୀମ ଏକ ଛଦ୍ମ–ନାରୀବେଶରେ ରନ୍ଧା ଘର ମଧ୍ୟରେ ବସି ରହିଥିଲେ । କୀଚକ ଭୀମଙ୍କୁ ଦ୍ରୋପଦୀ ମନେକରି ଧରିବାକୁ ଯିବାରୁ ଭୀମ ସଙ୍ଗେ ସଙ୍ଗେ କୀଚକକୁ ମାଡ଼ିବସି ତା’ର ତଣ୍ଟି ଚିପି ଦେଲେ । କୀଚକ ଭୟଙ୍କର ଗର୍ଜ୍ଜନ କରି ମରି ଶୋଇଲା ।

ସକାଳ ହେଲା :

ରନ୍ଧାଘରେ କୀଚକ ମରି ଶୋଇଥିବାର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଲେ । ଗତଦିନ ସୈରିନ୍ଧ୍ରୀଙ୍କ ପ୍ରତି କୀଚକ ଦୁର୍ବ୍ୟବହାର କରିଥିବାରୁ ତାଙ୍କର ପତିମାନେ କୀଚକକୁ ମାରି ପକାଇଛନ୍ତି ବୋଲି ରାଜ୍ୟସାରା ପ୍ରଚାର ହୋଇଗଲା ।

ସୈରିନ୍ଧ୍ରୀ ଯୋଗୁଁ କୀଚକର ମୃତ୍ୟୁ ଘଟିଲା ମନେକରି କୀଚକର ଆତ୍ମୀୟମାନେ ଏକାଠି ହୋଇ ଦ୍ରୌପଦୀଙ୍କୁ ପୋଡ଼ି ମାରିଦେବାପାଇଁ ମଶାଣିକୁ ଧରି ନେଇଗଲେ ।

ହଠାତ୍‍ ଭୀମ ଖବର ପାଇ ଗୁଳି ମରାଜାଇଥିବା ବାଘପରି ମଶାଣିକୁ ଧାଇଁଗଲେ । ଏକ ବଡ଼ ଗଛ ଉପାଡ଼ି କୀଚକର ଆତ୍ମୀୟମାନଙ୍କୁ ମାରି ପକାଇଲେ । ସବୁ ଶବଯାକ ଏକାଠି ପୋଡ଼ି ନବରକୁ ଫେରିଗଲେ ।

ସୁଶର୍ମାଙ୍କ ପରାଜୟ :

ତ୍ରିଗର୍ତ୍ତ ଦେଶର ରାଜା ସୁଶର୍ମାଙ୍କ ସହିତ ବିରାଟ ରାଜାଙ୍କର ବହୁ ଦିନରୁ ଶତ୍ରୁତା ଥିଲା । ସୁଶର୍ମା ଅନେକ ଥର ବିରାଟ ରାଜ୍ୟ ଆକ୍ରମଣ କରିଥିଲେ , କିନ୍ତୁ କୀଚକର ପରାକ୍ରମ ଯୋଗୁଁ ହାରି ଫେରି ଯାଇଥିଲେ ।

କୀଚକ ମରିଯିବା ଖବର ପାଇବା ପରେ ସୁଶର୍ମା ବିରାଟ ରାଜ୍ୟ ଆକ୍ରମଣ କଲେ । ସୁଶର୍ମାଙ୍କର ସୈନ୍ୟମାନେ ରାଜାଙ୍କ ଗୋରୁଗୁଡ଼ିକ ଚୋରି କରି ନେଇଯିବାରୁ ଦୁଇପକ୍ଷ ମଧ୍ୟରେ ଘୋର ଯୁଦ୍ଧ ହେଲା । ଶେଷରେ ବିରାଟ ରାଜା ବନ୍ଦୀ ହେଲେ ।

 

ଧର୍ମପ୍ରାଣ ଯୁଧିଷ୍ଠିର ଏହି କଥା ଶୁଣି ବଡ଼ ଦୁଃଖିତ ହେଲେ । ବିରାଟଙ୍କୁ ଉଦ୍ଧାର କରିବାପାଇଁ ମହାବଳୀ ଭୀମଙ୍କୁ ଯୁଦ୍ଧ, ପଡ଼ିଆକୁ ପଠେଇଲେ ।

 

ଭୀମ ସୁଶର୍ମାଙ୍କର ସୈନ୍ୟମାନଙ୍କୁ ମାରି ସୁଶର୍ମାଙ୍କୁ ବନ୍ଦୀ କଲେ । ସୁଶର୍ମା ବିରାଟଙ୍କ ନିକଟରେ କ୍ଷମା ମାଗିବାରୁ ଭୀମ ତାଙ୍କୁ ମୁକ୍ତି ଦେଲେ ।

 

ଅର୍ଜ୍ଜୁନଙ୍କ ପରାକ୍ରମ :

 

କୌରବଶ୍ରେଷ୍ଠ ଦୁର୍ଯ୍ୟୋଧନଙ୍କ ସହିତ ସୁଶର୍ମାଙ୍କର ମିତ୍ରତା ଥିଲା । ମିତ୍ର ବିପଦରେ ପଡ଼ିଥିବାର ଶୁଣି ଦୁର୍ଯ୍ୟୋଧନ ନିଜର ସୈନ୍ୟ–ସାମନ୍ତ ଧରି ବିରାଟ ରାଜ୍ୟରେ ପହଞ୍ଚିଲେ ।

 

ଯେଉଁ ଗୋରୁଗୁଡ଼ିକ ସୁଶର୍ମା ଚୋରି କରି ନେଇ ପରାଭବ ପାଇଲେ, ସେହି ଗୋରୁଗୁଡ଼ିକ ବଳପୂର୍ବକ ବାନ୍ଧି ନେଇ ମିତ୍ରଙ୍କ ହସ୍ତର ଦେବାପାଇଁ ଦୁର୍ଯ୍ୟୋଧନ ପଣ କଲେ ।

 

ରାଜ୍ୟର ଗୋଟିଏ ପାଖରେ ଯୁଦ୍ଧ ଲାଗିଥିବାବେଳେ ଅନ୍ୟ ପାଖରେ ଦୁର୍ଯ୍ୟୋଧନଙ୍କ ସୈନ୍ୟମାନେ ବଳପୂର୍ବକ ଗୋରୁଗୁଡ଼ିକୁ ବାନ୍ଧି ନେଉଥିବାର ଖବର ଯାଇ ବିରାଟଙ୍କ ନିକଟରେ ପହଞ୍ଚିଲା ।

 

ରାଜା ବିରାଟ ପୁଅ ଉତ୍ତରଙ୍କୁ ଗୋରୁପଲ ରକ୍ଷା କରିବା ପାଇଁ ପଠାଇଲେ । ଉତ୍ତରଙ୍କ ରଥରେ ଉତ୍ତମ ସାରଥି କେହି ନ ଥିବାରୁ ଏତେବଡ଼ କୌରବବାହିନୀର ସମ୍ମୁଖୀନ ହେବା ପାଇଁ ତାଙ୍କର ସାହସ ହେଲା ନାହିଁ । ଉତ୍ତର ନିରୁପାୟ ହୋଇ ବସି ରହିଲେ ।

 

ଏହି ଖବର ଅର୍ଜ୍ଜୁନଙ୍କ କାନକୁ ଆସିବାରୁ ମହାବୀର ଅର୍ଜ୍ଜୁନ ଦ୍ରୌପଦୀଙ୍କୁ ଡାକି କହିଲେ,–‘‘ପ୍ରିୟେ ! ତୁମେ ଯାଇ ଉତ୍ତରଙ୍କୁ କୁହ ଯେ ଉତ୍ତରାଙ୍କ ସଙ୍ଗୀତ ଶିକ୍ଷକ ଜଣେ ସୁନିପୁଣ ସାରଥି । ସେ ଏହି ବିଦ୍ୟା ମହାବୀର ଅର୍ଜ୍ଜୁନଙ୍କଠାରୁ ଶିକ୍ଷା କରିଛନ୍ତି । ଆପଣ ତାଙ୍କୁ ସାରଥି କରି ଯୁଦ୍ଧ କରନ୍ତୁ । ସେ ସାରଥି ହେଲେ ଆପଣ ନିଶ୍ଚୟ ଜୟଲାଭ କରିବେ ।

 

ପତିଙ୍କ ନିର୍ଦ୍ଦେଶମତେ ଦ୍ରୌପଦୀ ଉତ୍ତରଙ୍କୁ ସବୁକଥା କହିଲେ ।

 

ଉତ୍ତର ଅର୍ଜ୍ଜୁନଙ୍କୁ ସାରଥି କରି କୌରବସେନାଙ୍କ ସମ୍ମୁଖୀନ ହେଲେ । କୌରବ ସେନାବାହିନୀ ସମୁଦ୍ର ପରି ମାଡ଼ି ଆସୁଥିବାର ଦେଖି ଉତ୍ତର ଡରିଗଲେ । ରଥ ଫେରେଇ ନେବା ପାଇଁ ଅର୍ଜ୍ଜୁନଙ୍କୁ ଆଦେଶ ଦେଲେ । ଅର୍ଜ୍ଜୁନ କହିଲେ,–‘‘ଯୁବରାଜ ! ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ । ସ୍ଥିର ହୋଇ ବସନ୍ତୁ । ଦେଖନ୍ତୁ, ମୁଁ କ’ଣ କରୁଛି ।’’

 

ଅର୍ଜ୍ଜୁନଙ୍କ କଥା ଶୁଣି ଉତ୍ତର କହିଲେ,–ମହାଶୟ ! ଏଠି ସ୍ୱରସାଧନାର ଚାତୁରୀ ଚଳିବନି, ଅସ୍ତ୍ରଚାଳନାର ଚାତୁରୀ ଦେଖେଇବାକୁ ପଡ଼ିବ । ଏତେବଡ଼ ସେନାବାହିନୀର ସମ୍ମୁଖୀନ ହେବା ପାଇଁ ତୁମର ପରାକ୍ରମ ଅଛି ?

 

ଉତ୍ତରଙ୍କ କଥାରେ ଅର୍ଜ୍ଜୁନ ବିଚଳିତ ନ ହୋଇ ଗୁପ୍ତରେ ରଖିଥିବା ସ୍ଥାନରୁ ନିଜର ଅସ୍ତ୍ରଶସ୍ତ୍ର ଓ ଗାଣ୍ଡିବଧନୁ ଆଣି ରଥରେ ଚଢ଼ିଲେ ।

 

ଗାଣ୍ଡିବଧନୁ ଓ ଅମୋଘ ଅସ୍ତ୍ରଶସ୍ତ୍ର ସବୁ ଦେଖି ଉତ୍ତର ଅର୍ଜ୍ଜୁନଙ୍କୁ ଚିହ୍ନିପାରି ପୂଜା କଲେ-। ବୀର ଅର୍ଜ୍ଜୁନଙ୍କୁ ସାରଥି ରୂପେ ପାଇଥିବାରୁ ସେ ଭାରି ଖୁସି ହେଲେ । ତାଙ୍କ ମନର ବଳ ଦୁଇଗୁଣ ବଢ଼ିଗଲା । କୌରବବାହିନୀ ଆଡ଼କୁ ରଥ ବାହିନେବା ପାଇଁ ସେ ଅର୍ଜ୍ଜୁନଙ୍କୁ କହିଲେ ।

 

ଅର୍ଜ୍ଜୁନଙ୍କର ଗାଣ୍ଡିବ ଧନୁର ଝଙ୍କାର ଶୁଣି କୌରବ ସେନାମାନଙ୍କ ମଧ୍ୟରେ ଭାଳେଣି ପଡ଼ିଲା । କୌରବ ସେନା ଦିନ ଗଣି ଦେଖିଲେ ଯେ ପାଣ୍ଡବମାନଙ୍କର ଅଜ୍ଞାତବାସ ପୂରି ଆସିଲାଣି-। ତେଣୁ ସେମାନେ ନିଜର ପରିଚୟ ଦେବାଲାଗି ବିରାଟ ସେନାଙ୍କ ସହିତ ଯୁଦ୍ଧକୁ ଆସୁଛନ୍ତି ।

 

ପିତାମହ ଭୀଷ୍ମ କୌରବ ସେନାଙ୍କୁ ଚାରିଭାଗରେ ବିଭକ୍ତ କରି ଏକଭାଗ ଗୋରୁ ପଲଙ୍କୁ ଜଗି ରହିବା ପାଇଁ ରଖିଲେ, ଆଉ ତିନିଭାଗ ସୈନ୍ୟଙ୍କୁ ଅର୍ଜ୍ଜୁନଙ୍କ ସହିତ ଯୁଦ୍ଧ କରିବା ଲାଗି ପଠେଇଦେଲେ ।

 

ଯୁଦ୍ଧ ଆରମ୍ଭରେ ବୀର ଅର୍ଜ୍ଜୁନ ଦୁଇଟି ଶର ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ପାଦ ତଳକୁ ମାରିଲେ-। ଉକ୍ତ ଶର ଦୁଇଟି ଗୁରୁଙ୍କର ପାଦତଳକୁ ସ୍ପର୍ଶ କରି ଫେରି ଆସିବାରୁ ଦ୍ରୋଣାଚାର୍ଯ୍ୟ ଜାଣି ପାରିଲେ ଯେ ତାଙ୍କର ପ୍ରିୟ ଶିଷ୍ୟ ଅର୍ଜ୍ଜୁନ ଯୁଦ୍ଧ କରିବାକୁ ଆସିଛନ୍ତି । ଶର ଦୁଇଟି ଗୁରୁଙ୍କର ପାଦସ୍ପର୍ଶ କରିବା ଅର୍ଥ ଶିଷ୍ୟ ଗୁରୁଙ୍କୁ ପ୍ରଣାମ କଲେ ବୋଲି ସେ ଜାଣି ପାରିଲେ ।

 

ଯୁଦ୍ଧ ଆରମ୍ଭ ହେଲା । କର୍ଣ୍ଣ କୃପ ଆଦି ମହାମହା ରଥୀମାନେ ଅର୍ଜ୍ଜୁନଙ୍କ ଦ୍ୱାରା ପରାସ୍ତ ହେଲେ । ଶେଷକୁ ରହିଲେ ଗୁରୁ ଦ୍ରୋଣାଚାର୍ଯ୍ୟ ।

 

ଅର୍ଜ୍ଜୁନ ଦ୍ରୋଣାଚାର୍ଯ୍ୟଙ୍କ ଆଗରେ ରଥ ରଖି କହିଲେ–ମହାଭାଗ ! ଆପଣ ମୋର ଗୁରୁ-। ମୁଁ ଆପଣଙ୍କର ଶିଷ୍ୟ ଓ ସେବକ । ଆପଣ ଯେତେବେଳ ପର୍ଯ୍ୟନ୍ତ ମୋ ଉପରକୁ ବାଣ ନ ମାରିଚନ୍ତି, ସେତେବେଳ ପର୍ଯ୍ୟନ୍ତ ମୁଁ ଆପଣଙ୍କ ଉପରକୁ ଶର ମାରିବି ନାହଁ ।

 

ଅର୍ଜ୍ଜୁନଙ୍କ କଥା ରଖି ଗୁରୁ ଦ୍ରୋଣାଚାର୍ଯ୍ୟ ପ୍ରଥମେ ଅର୍ଜ୍ଜୁନଙ୍କ ଉପରକୁ ଶର ମାରିଲେ । ବୀର ଅର୍ଜ୍ଜୁନ ଶରମାନ ମାରି ଗୁରୁଙ୍କର ଶରଗୁଡ଼ିକୁ କାଟି ପକାଇଲେ । ପରେ ପରେ ଅର୍ଜ୍ଜୁନ ଦ୍ରୋଣଙ୍କ ରଥ ଉପରକୁ ଏତେ ଶର ମାରିଲେ ଯେ ଦ୍ରୋଣଙ୍କର ରଥ ଲୁଚିଗଲା ।

 

ଦ୍ରୋଣାଚାର୍ଯ୍ୟଙ୍କର ରଥର ସନ୍ଧାନ ନ ମିଳିବାରୁ କୌରବ ପକ୍ଷରେ ଭାଳେଣି ପଡ଼ିଗଲା-। ସେନା ଓ ସେନାପତିମାନେ ବିରାଟଙ୍କ ଗୋରୁଗୁଡ଼ିକୁ ଛାଡ଼ି ଦେଇ ହସ୍ତିନାକୁ ଲେଉଟି ଗଲେ । ଏହି ସମୟରେ ଅର୍ଜ୍ଜୁନଙ୍କର ଏକ ବାଣ ଯାଇ ଦୁର୍ଯ୍ୟୋଧନଙ୍କର ମୁକୁଟଟିକୁ ଦୁଇଖଣ୍ଡ କରି ତଳେ ପକାଇଦେଲା । କୌରବ ଶତଭାଇ ଲଜ୍ଜା ପାଇ ନିଜ ନବରକୁ ଫେରିଗଲେ ।

 

ପାଣ୍ଡବଙ୍କ ପରିଚୟ :

ବିରାଟ ନବରରୁ ଯୁଦ୍ଧର ଚହଳ ତୁଟିଯିବା ପରେ ରାଜା ବିରାଟ ଶାନ୍ତିରେ ନିଶ୍ୱାସ ମାଇଲେ । ମନକୁ ହାଲୁକା କରିବା ପାଇଁ ଯୁଧିଷ୍ଠିରଙ୍କୁ ପଶା ଖେଳିବାକୁ ଡାକିଲେ । ପଶାଖେଳ ଚାଲିଥାଏ ଓ ରାଜା ଯୁଦ୍ଧଭୂମିରେ ନିଜ ପୁଅ ଉତ୍ତରର ଦକ୍ଷତା ବିଷୟ ଆଲୋଚନା କରୁଥାନ୍ତି ।

ଯୁଧିଷ୍ଠିର ସବୁ ଶୁଣି ଶୁଣି ଶେଷକୁ କହିଲେ, ମହାରାଜ ! ଏଥିରେ ଉତ୍ତରଙ୍କର କିଛି ବାହାଦୁରୀ ନାହଁ କି ପ୍ରଶଂସିତ ହେବାର ପାତ୍ର ନୁହନ୍ତି । କାରଣ ଯୁଦ୍ଧକ୍ଷେତ୍ରରେ ପ୍ରକୃତ ବାହାଦୁରୀ ଦେଖେଇଛି ଆପଣଙ୍କ କନ୍ୟାର ସଂଗୀତ ଶିକ୍ଷକ ବୃହନ୍ନଳା । ବୃହନ୍ନଳା ନ ଥିଲେ ଉତ୍ତର ଏତେ ବଡ଼ କୌରବ ବାହିନୀକୁ ପରାସ୍ତ କରିପାରିନଥାନ୍ତେ କି କର୍ଣ୍ଣ, ଦ୍ରୋଣ ଓ କୃପ ଆଦି ଯୋଦ୍ଧାମାନଙ୍କ ନିକଟରୁ ରକ୍ଷା ପାଇ ନ ଥାନ୍ତେ ।

ରାଜା ବିରାଟ ପୁଅର ନିନ୍ଦା ସହି ପାରିଲେ ନାହିଁ । ସଙ୍ଗେ ସଙ୍ଗେ ରାଗିଯାଇ ଯୁଧିଷ୍ଠିରଙ୍କ ଉପରକୁ ପଶାକାଠିଟାଏ ଫିଙ୍ଗି ଦେଲେ । କାଠିଟି ଯୁଧିଷ୍ଠିରଙ୍କ ନାକରେ ବାଜିଲା । ନାକ ଫାଟି ଧାରଧାର ରକ୍ତ ବୋହିଗଲା ।

ଏତିକିବେଳେ ପ୍ରହରୀ ଖବର ଦେଲା ଯେ ରାଜକୁମାର ଦେଖା କରିବାକୁ ଆସୁଛନ୍ତି । ପ୍ରହରୀ ମୁଖରୁ ଉତ୍ତର ଆସୁଥିବା କଥା ଶୁଣି ଯୁଧିଷ୍ଠିର ଭାବିଲେ ଯେ ଉତ୍ତର ସଙ୍ଗରେ ଅର୍ଜ୍ଜୁନ ନିଶ୍ଚୟ ଆସୁଥିବେ ଏବଂ ମୋର ଅବସ୍ଥା ଦେଖିଲେ ସେ ନିଶ୍ଚୟ ଦୁଃଖିତ ହେବେ । ବିରାଟଙ୍କୁ ଶାସ୍ତି ନ ଦେଇ ଛାଡ଼ିବେ ନାହିଁ ।

ସୁତରାଂ ଧର୍ମରାଜ ଯୁଧିଷ୍ଠିର ପ୍ରହରୀକୁ ଆଦେଶ ଦେଲେ, ପ୍ରହରୀ ! କେବଳ ଉତ୍ତରଙ୍କୁ ଆସିବାକୁ କୁହ । ଅନ୍ୟ କାହାରିକୁ ଆସିବାକୁ ଦିଅ ନାହିଁ ।

ଉତ୍ତର ରାଜାଙ୍କ ନିକଟକୁ ଆସି ଦେଖିଲେ ଯେ କଙ୍କଙ୍କ ନାକରୁ ରକ୍ତ ବାହାରୁଛି । ତାହାର କାରଣ ପଚାରିବାରୁ, ରାଜା କହିଲେ, ପୁଅ ! ଏ ତୁମର ନିନ୍ଦା କରୁଥିଲେ । ତେଣୁ ମୁଁ ତାଙ୍କୁ ପଶାକାଠି ପ୍ରହାର କଲି ।

ଉତ୍ତର କହିଲେ ପିତା ! ସେ ଆମ୍ଭର ଅତିଥି । ଅତିଥିଙ୍କୁ କଷ୍ଟ ଦେଇ ଆପଣ ବଡ଼ ଭୁଲ କରିଛନ୍ତି । ତାଙ୍କ ନିକଟରେ କ୍ଷମାଭିକ୍ଷା କରନ୍ତୁ । ପୁଅଙ୍କର କଥା ଅନୁସାରେ ରାଜା କଙ୍କଙ୍କ ନିକଟରେ କ୍ଷମା ମାଗିଲେ ।

 

ତା’ପରେ ବିରାଟ ଉତ୍ତରକୁ ପାଖରେ ବସେଇ ଆଦରରେ ପଚାରିଲେ, ପୁତ୍ର ! ତୁମେ କର୍ଣ୍ଣ, ଦ୍ରୋଣ ଓ କୃପ ପ୍ରଭୃତି ରଥୀମାନଙ୍କୁ କିପରି ହରେଇଲ ? ଉତ୍ତର ଜବାବ ଦେଲେ, ପିତା ! ମୋର କି ଶକ୍ତି ଥିଲା ଯେ ମୁଁ ସେମାନଙ୍କୁ ପରାସ୍ତ କରିଥାନ୍ତି । ଜଣେ ଦିବ୍ୟ ପୁରୁଷ ମୋତେ ସାହାଯ୍ୟ କରି ନ ଥିଲେ ମୁଁ ଆଜି ଜୀବନ ଧରି ଆପଣଙ୍କ ନିକଟକୁ ଫେରି ନ ଥାନ୍ତି ।

 

ରାଜା ପଚାରିଲେ–ସେ ଦିବ୍ୟପୁରୁଷ କିଏ ?

 

ଉତ୍ତର କହିଲେ–ଆଜି ନୁହେଁ, ଆଉ ତିନିଦିନ ପରେ ତାଙ୍କର ପରିଚୟ ପାଇବେ ।

 

ସେତେବେଳକୁ ପାଣ୍ଡବମାନଙ୍କର ଅଜ୍ଞାତବାସ ପୂର୍ଣ୍ଣ ହେବା ପାଇଁ ଆଉ ତିନିଦିନ ବାକିଥାଏ ।

 

ଆଳାପ, ଆଲୋଚନା ଶେଷ କରି ଯେ ଯାହାର ପୂରକୁ ଚାଲିଗଲେ । ଏହା ମଧ୍ୟରେ ତିନିଦିନ ଚାଲିଗଲା । ପାଣ୍ଡବମାନେ ନିଜର ପରିଚୟ ଦେବା ପାଇଁ ପ୍ରସ୍ତୁତ ହେଲେ ।

 

ଯେଉଁଦିନ ପାଣ୍ଡବମାନଙ୍କର ଅଜ୍ଞାତବାସ ଶେଷ ହୋଇଗଲା, ସେହିଦିନ ବୀର ଅର୍ଜ୍ଜୁନ ଯୁଥିଷ୍ଠିରଙ୍କୁ ରାଜପୋଷାକ ପିନ୍ଧେଇ ବିରାଟଙ୍କ ରାଜ ସିଂହାସନରେ ବସେଇ ଦେଲେ ।

 

ଅର୍ଜ୍ଜୁନଙ୍କର ଏପରି ସାହସ ଦେଖି ରାଜା ବିରାଟ, ରାଗିଯିବାରୁ ଅର୍ଜ୍ଜୁନ କହିଲେ, ମହାରାଜ ! ଆପଣଙ୍କ ସିଂହାସନ ତ ଅତି ଛୋଟ । ଏ ଲୋକ ଇନ୍ଦ୍ରଙ୍କ ସିଂହାସନରେ ବସିବା ପାଇଁ ଯୋଗ୍ୟ । ଏହାଙ୍କୁ ଆପଣ ଏ ପର୍ଯ୍ୟନ୍ତ ଚିହ୍ନି ପାରି ନାହାନ୍ତି । ଏ ହେଉଛନ୍ତି, ଧର୍ମରାଜ ଯୁଧିଷ୍ଠିର, ପାଣ୍ଡବଶ୍ରେଷ୍ଠ । ଆମ୍ଭେମାନେ ହେଉଛୁଁ ତାଙ୍କର ଚାରିଭାଇ ଭୀମ, ଅର୍ଜ୍ଜୁନ, ନକୁଳ ଓ ସହଦେବ । ଆଉ ସୈରିନ୍ଧ୍ରୀ ହେଉଛନ୍ତି ଆମ୍ଭମାନଙ୍କର ପତ୍ନୀ ସତୀ ଦ୍ରୌପଦୀ । ଆମ୍ଭେମାନେ ଅଜ୍ଞାତବାସ କଟେଇବା ପାଇଁ ଆପଣଙ୍କ ପାଖରେ କପଟବେଶ ଧରି ରହିଥିଲୁ ।

 

ରାଜା ବିରାଟ ପାଣ୍ଡବମାନଙ୍କର ପରିଚୟ ପାଇ ବଡ଼ ଆନନ୍ଦ ହେଲେ । ନିଜର ସବୁ ଦୋଷ କ୍ଷମା କରିବା ପାଇଁ ପ୍ରାର୍ଥନା କଲେ ।

 

ଉତ୍ତରାଙ୍କ ପରିଣୟ :

 

ପାଣ୍ଡବମାନେ ବିରାଟ ରାଜ୍ୟ ଛାଡ଼ି ନିଜ ନବରକୁ ଫେରିବା ପାଇଁ ପ୍ରସ୍ତୁତ ହେଲେ ।

 

ରାଜା ବିରାଟ ଯୁଧିଷ୍ଠିରଙ୍କୁ ଅନୁରୋଧ କରି କହିଲେ, ମହାରାଜ ! ମୋର ଗୋଟିଏ ଛୋଟ କଥା ଆପଣଙ୍କୁ ରଖିବାକୁ ପଡ଼ିବ । ଯୁଧିଷ୍ଠିର କହିଲେ, ଆପଣଙ୍କର ଇଚ୍ଛା କ’ଣ କୁହନ୍ତୁ । ମୁଁ ତାହା ନିଶ୍ଚୟ ପାଳନ କରିବି ।

 

ବିରାଟରାଜା କହିଲେ, ମୁଁ ଇଚ୍ଛା କରୁଛି, ଆପଣଙ୍କ ଭାଇ ଅର୍ଜ୍ଜୁନଙ୍କ ସହିତ ମୋର କନ୍ୟା ଉତ୍ତରାର ବିବାହ ଦେବି । ଏଥିପାଇଁ ଆପଣଙ୍କର ଅନୁମତି ଚାହୁଁଛି ।

 

ବିରାଟରାଜାଙ୍କ ପ୍ରସ୍ତାବ ଶୁଣି ଅର୍ଜ୍ଜୁନ କହିଲେ, ମହାଭାଗ ! ଉତ୍ତରା ମୋର ଶିଷ୍ୟା । ତେଣୁ ଧର୍ମରେ ମୁଁ ତାଙ୍କର ବାପ ସମାନ, ମୁଁ ତାଙ୍କୁ ବିବାହ କରିପାରିବି ନାହିଁ ।

 

ଆପଣ ଯଦି ପାଣ୍ଡବ ପରିବାର ସହିତ ବନ୍ଧୁତା ରଖିବା ପାଇଁ ଇଚ୍ଛା କରନ୍ତି, ତେବେ ମୁଁ ମୋର ପୁତ୍ର ଅଭିମନ୍ୟୁ ସହିତ ଉତ୍ତରାଙ୍କର ବିବାହ କରାଇ ଦେବି । ଆପଣଙ୍କର ମତାମତ କ’ଣ କୁହନ୍ତୁ ।

 

ଅର୍ଜ୍ଜୁନଙ୍କ କଥାରେ ରାଜା ବିରାଟ ବଡ଼ ଆନନ୍ଦିତ ହେଲେ । ବିବାହର ଆୟୋଜନ ହେଲା । ବିରାଟରାଜ ଉପଲବ୍ୟ ନାମକ ଏକ ନବର ପାଣ୍ଡବମାନଙ୍କୁ ଦେଲେ । ପାଣ୍ଡବମାନେ ସେଠାରେ ରହି ଚାରି ଦିଗକୁ ଦୂତ ପଠାଇଲେ ।

 

ସୁଭଦ୍ରା, ଅଭିମନ୍ୟୁ, ଶ୍ରୀକୃଷ୍ଣ, ବଳରାମ ଓ ସାତ୍ୟକୀ ପ୍ରଭୃତି ଉପଲବ୍ୟ ନବରରେ ଆସି ପହଞ୍ଚିଲେ । ପାଣ୍ଡବମାନଙ୍କର ଅନ୍ୟାନ୍ୟ ମିତ୍ରମାନେ ବିଭିନ୍ନ ଦେଶରୁ ନିମନ୍ତ୍ରିତ ହୋଇ ସେଠାକୁ ଆସିଲେ । ଖୁବ୍‍ ଜାକ୍‍ଜମକରେ ଅଭିମନ୍ୟୁ ଓ ଉତ୍ତରାଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହେଲା ।

 

ରାଜା ବିରାଟ ବହୁତ ଧନସମ୍ପତ୍ତି ସହ କନ୍ୟା ଉତ୍ତରାଙ୍କୁ ଅଭିମନ୍ୟୁଙ୍କ ହାତରେ ସମର୍ପଣ କଲେ ।

Image

 

ଉଦ୍ୟୋଗପର୍ବ

 

ବିଚାର ସଭା :

 

ଅଭିମନ୍ୟୁଙ୍କ ବିବାହ ପରେ ପରେ ପାଣ୍ଡବମାନଙ୍କୁ ବିରାଟ ରାଜ୍ୟ ଛାଡ଼ିବାକୁ ପଡ଼ିଲା । ସେମାନେ ଆଗରୁ ପଶାଖେଳରେ ନିଜର ନବର ଓ ଧନସମ୍ପଦ ସବୁ ହରେଇ ବସିଥିଲେ । ସେମାନେ କିପରି ନିଜ ରାଜ୍ୟ ଫେରିପାଇ ପୁଣି ସିଂହାସନରେ ବସିପାରିବେ, ସେହି କଥା ବିଚାର କରିବା ପାଇଁ ଭଗବାନ ଶ୍ରୀକୃଷ୍ଣ ଏକ ସଭା ଡକେଇଲେ । ଉକ୍ତ ସଭାରେ ବଳରାମ, ଦ୍ରୁପଦ ଓ ସାତ୍ୟକୀ ପ୍ରଭୃତି ଉପସ୍ଥିତ ଥିଲେ ।

 

କଥା ଛଳରେ ଭଗବାନ ଶ୍ରୀକୃଷ୍ଣ କହିଲେ, ପାଣ୍ଡବମାନେ ରାଜ୍ୟସମ୍ପଦ ହରେଇ ବନବାସ ଓ ଅଜ୍ଞାତବାସ କରି ଯେତେପ୍ରକାର ଦୁଃଖକଷ୍ଟ ଭୋଗକଲେ, ଧର୍ମପ୍ରାଣ ଯୁଧିଷ୍ଠିରଙ୍କ ଯୋଗୁଁ ତାହା କମିଗଲା ।

 

ବଳରାମ ଶ୍ରୀକୃଷ୍ଣଙ୍କ କଥାରେ ପ୍ରତିବାଦ କରି କହିଲେ, ପାଣ୍ଡବମାନଙ୍କୁ ନିଜର ବୋକାମୀ ଯୋଗୁଁ ଏତେ କଷ୍ଟ ସହିବାକୁ ପଡ଼ିଲା । ଏଥିରେ ଦୁର୍ଯ୍ୟୋଧନଙ୍କର କିଛି ଦୋଷ ନାହିଁ । ଯଦି ଯୁଧିଷ୍ଠିରଙ୍କୁ ପଶାଖେଳ ଆସୁନଥିଲା, ତେବେ ସେ ଖେଳିବସିଲେ କାହିଁକି ?

 

ବଳରାମଙ୍କ କଥା ଶୁଣି ସାତ୍ୟକୀ କହିଲେ, ଆପଣ ସବୁବେଳେ କୌରବ ପକ୍ଷର ପ୍ରଶଂସା ଗାଉଛନ୍ତି । ପାଣ୍ଡବମାନଙ୍କର ସୁଖ ଦେଖିପାରୁନାହାନ୍ତି ।

 

ମହାରାଜା ଯୁଧିଷ୍ଠିର ନିଜ ଘରକୁ ପଶା ଖେଳିବା ପାଇଁ ଦୁର୍ଯ୍ୟୋଧନଙ୍କୁ ଡାକି ନ ଥିଲେ-। ବରଂ ଦୁର୍ଯ୍ୟୋଧନ ପାଣ୍ଡବମାନଙ୍କର ବିଭବ ଦେଖି ସହି ନ ପାରି ପଶାଖେଳିବାକୁ ଡାକିଲେ । ପଶାଖେଳରେ ଚକ୍ରାନ୍ତ କରି ସେମାନଙ୍କର ସମ୍ପଦ ନେଇଗଲେ । ଧର୍ମପ୍ରାଣ ଯୁଧିଷ୍ଠିର ଅଧର୍ମକୁ ଡରି ବନବାସ କରିବାକୁ ବାଧ୍ୟ ହେଲେ ।

 

ବର୍ତ୍ତମାନ ଦୁର୍ଯ୍ୟୋଧନଙ୍କର ଉଚିତ ହୋଉଛି–ପାଣ୍ଡବମାନଙ୍କୁ ଅଧେ ରାଜ୍ୟ ଫେରେଇ ଦେବା । ସେ ଯଦି ଏହା ନ କରନ୍ତି, ତେବେ ଆମେ ସମସ୍ତେ ମିଶି ବଳଖର୍ଚ୍ଚ କରି ତାଙ୍କ ନିକଟରୁ ପାଣ୍ଡବମାନଙ୍କର ଯାହା ପାଇବାର କଥା, ଅସୁଲ କରିବା ଦରକାର ।

 

ରାଜା ଦ୍ରୁପଦ ସାତ୍ୟକୀଙ୍କ କଥାକୁ ସମର୍ଥନ କରି କହିଲେ–ସାତ୍ୟକୀ ଯାହା କହୁଛନ୍ତି, ତାହା ଠିକ୍ । ପାଣ୍ଡବମାନେ ଅଧେ ରାଜ୍ୟ ପାଇବା ପାଇଁ ହକ୍‍ଦାର । ମୁଁ ଭାବୁଛି, ଦୁର୍ଯ୍ୟୋଧନ କେବେ ହେଁ ସହଜରେ ରାଜ୍ୟ ଦେବେ ନି । କାରଣ ସେ ନ୍ୟାୟ ଓ ଧର୍ମ କି ଜିନିଷ, ଜାଣନ୍ତି ନାହିଁ । ତା’ପରେ କର୍ଣ୍ଣ, ଦ୍ରୋଣ, ଭୀଷ୍ମ ପ୍ରଭୃତି ରଥୀମାନେ ତାଙ୍କ ଅନ୍ନରେ ପ୍ରତିପାଳିତ ହେଉଥିବାରୁ ତାଙ୍କର ଇଚ୍ଛାବିରୁଦ୍ଧରେ ପାଟି ଫିଟେଇ ପାରିବେ ନି । ତେଣୁ ଆମର ପ୍ରଥମ କର୍ତ୍ତବ୍ୟ ହେଉଛି ଯେ ଆମ୍ଭର ମିତ୍ରମାନଙ୍କୁ ଆଗେ ଜଣେଇଦେବାକୁ ପଡ଼ିବ । ସେମାନେ ଯେପରି ଆମ୍ଭଙ୍କୁ ଠିକ୍‍ ସମୟରେ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ହୋଇଥିବେ ।

 

ରଣ ନିମନ୍ତ୍ରଣ :

 

ଭଗବାନ ଶ୍ରୀକୃଷ୍ଣଙ୍କ ଆଦେଶ ଅନୁସାରେ ରାଜା ଦ୍ରୁପଦ ନିଜର ପୁରୋହିତଙ୍କୁ ଦୂତ ରୂପେ ଦୁର୍ଯ୍ୟୋଧନଙ୍କ ନିକଟକୁ ପଠାଇଲେ । ବିଭିନ୍ନ ମିତ୍ରରାଜ୍ୟକୁ ମଧ୍ୟ ଦୂତ ପଠାଗଲା । ଦୁର୍ଯ୍ୟୋଧନ ଦୂତଠାରୁ ଖବର ପାଇ ଯୁଦ୍ଧ ଆୟୋଜନରେ ଲାଗିପଡ଼ିଲେ । ନିଜର ମିତ୍ର ରାଜ୍ୟମାନଙ୍କୁ ବାରତା ପଠେଇ ସାରି ଶେଷରେ ଶ୍ରୀକୃଷ୍ଣଙ୍କ ନିକଟକୁ ନିଜେ ଗଲେ । ସେତେବେଳକୁ ଭଗବାନ ଶ୍ରୀକୃଷ୍ଣ ଶୋଇଥିଲେ । ବହୁ ଆଗରୁ ଅର୍ଜ୍ଜୁନ ଯାଇ ଶ୍ରୀକୃଷ୍ଣଙ୍କ ପାଦତଳେ ବସିଥିଲେ । ନିଜର ସମ୍ମାନ ତଳେ ପଡ଼ିଯିବ ଭାବି ଭଗବାନଙ୍କ ମୁଣ୍ଡ ପାଖରେ ଥିବା ଏକ ଚଉକୀରେ ଦୁର୍ଯ୍ୟୋଧନ ଯାଇ ବସିପଡ଼ିଲେ ।

 

ସେହି ନିଦ୍ରା ଅବସ୍ଥାରେ ହିଁ ଅନ୍ତର୍ଯ୍ୟାମୀ ଶ୍ରୀକୃଷ୍ଣ ଦୁର୍ଯ୍ୟୋଧନଙ୍କ ଅନ୍ତର କଥା ଜାଣିପାରିଲେ । ଚାଲାକି କରି ନିଜର ପାଦତଳକୁ ଲକ୍ଷ୍ୟରଖି ସେ ଶଯ୍ୟାରୁ ଉଠିଲେ ।

 

ଉଠିବାବେଳକୁ ପ୍ରଥମେ ଅର୍ଜ୍ଜୁନ ହିଁ ତାଙ୍କ ଆଖି ଆଗରେ ପଡ଼ିଲେ ।

 

କିଛି ନ ଜାଣିଲା ପରି ଛଳନା କରି ଅର୍ଜ୍ଜୁନଙ୍କୁ ଆସିବାର କାରଣ ପଚାରିବାରୁ ଅର୍ଜ୍ଜୁନ କହିଲେ–ପ୍ରଭୋ ! ଆପଣ ମୋର ରଥରେ ସାରଥି ହେବେ । ଏହି ସାହାଯ୍ୟ–ଭିକ୍ଷା କରିବାକୁ ମୁଁ ଆସିଛି ।

 

ଏତିକିବେଳେ ଦୁର୍ଯ୍ୟୋଧନ କହିଲେ–ମହାଭାଗ ! ମୁଁ ମଧ୍ୟ ଆପଣଙ୍କର ସାହାଯ୍ୟ–ଭିକ୍ଷା କରିବାକୁ ଆସିଅଛି । ଆପଣଙ୍କୁ ମୋ’ ରଥରେ ସାରଥି ହେବାକୁ ପଡ଼ିବ ।

 

ଦୁର୍ଯ୍ୟୋଧନଙ୍କ କଥା ଶୁଣି ଭଗବାନ ଆଶ୍ଚର୍ଯ୍ୟ ହୋଇ ପଛକୁ ଚାହିଁଲେ । ଦୁର୍ଯ୍ୟୋଧନଙ୍କୁ ଚୌକୀରେ ବସିଥିବାର ଦେଖି ଅଳ୍ପ ହସି କହିଲେ–ମାନଗୋବିନ୍ଦ ! ତୁମର କେଉଁ କଥାର ଅଭାବ ଅଛି ଯେ, ତୁମେ ପୁଣି ମୋ ନିକଟକୁ ଭିକ୍ଷା ମାଗିବାକୁ ଆସିଅଛ ? ଭୀଷ୍ମ, ଦ୍ରୋଣ, କର୍ଣ୍ଣ ଆଦି ମହାରଥୀମାନେ ତୁମକୁ ସାହାଯ୍ୟ କରିବା ପାଇଁ ଥାଉଁ ଥାଉଁ ମୁଁ ଯାଇ ଅଧିକା କିଛି କରିପାରିବି ବୋଲି ମନକୁ ଆସୁନାହିଁ । ତେବେ ଯେତେବେଳେ ମାନଗୋବିନ୍ଦ ନିଜେ ମୋ ଦ୍ୱାରକୁ ଆସି ଭିକ୍ଷା ମାଗୁଛନ୍ତି, ଏପରି ସ୍ଥଳେ କିଛି ନ ଦେଇ ଫେରେଇଦେଲେ ମୋର ଅଧର୍ମ ହେବ । ପୁଣି ଅର୍ଜ୍ଜୁନଙ୍କ ସହିତ ପ୍ରଥମେ ସାକ୍ଷାତ ହୋଇଥିବାରୁ ତାଙ୍କର ଅନୁରୋଧ ରକ୍ଷାକରିବା ମୋର ପ୍ରଥମ କର୍ତ୍ତବ୍ୟ । ତେଣୁ ମୁଁ ଗୋଟିଏ ପ୍ରସ୍ତାବ ଦେଉଛି; ଆପଣମାନେ ତାହା ସାଦରେ ଗ୍ରହଣ କରିବେ ବୋଲି ଆଶାକରେ ।

 

ଦୁର୍ଯ୍ୟୋଧନ କହିଲେ, ପ୍ରକାଶ କରନ୍ତୁ ।

 

ଶ୍ରୀକୃଷ୍ଣ କହିଲେ, ଅର୍ଜ୍ଜୁନଙ୍କ ସହିତ ମୋର ପ୍ରଥମ ସାକ୍ଷାତ ହୋଇଥିବାରୁ ତାଙ୍କ ଅନୁରୋଧ ରକ୍ଷାକରି ମୁଁ ଅର୍ଜ୍ଜୁନଙ୍କ ରଥରେ ସାରଥି ହେବି । ଆଉ ମୋର ଏକ ଅର୍ବୁଦ ନାରାୟଣୀ ସେନାଙ୍କୁ ମାନଗୋବିନ୍ଦଙ୍କ ହସ୍ତରେ ଅର୍ପଣ କରିବି ବୋଲି ଭାବି ସ୍ଥିର କରିଛି । କ’ଣ ଏଥିରେ ଉଭୟେ ସମ୍ମତ ତ ?

 

ଦୁର୍ମତୀ ଦୁର୍ଯ୍ୟୋଧନ ଭାବିଲେ ଯେ ଏକ ଅର୍ବୁଦ ନାରାୟଣୀ ସେନାଙ୍କ ଆଗରେ ଶ୍ରୀକୃଷ୍ଣଙ୍କ ପରାକ୍ରମ କିଛି ନୁହେଁ । ତେଣୁ ସେ ଶ୍ରୀକୃଷ୍ଣଙ୍କ କଥାରେ ସମ୍ମତ ହୋଇ ଫେରିଗଲେ ।

 

ମଦ୍ରଦେଶର ରାଜା ଶଲ୍ୟ ହେଉଛନ୍ତି ପାଣ୍ଡବମାନଙ୍କର ମାମୁଁ । ଦୂତମୁଖରୁ ଭଣଜାମାନଙ୍କର ଯୁଦ୍ଧ ଯୋଗାଡ଼ କଥା ଶୁଣି ଶଲ୍ୟ ଏକ ବିରାଟ ସୈନ୍ୟବାହିନୀ ସଙ୍ଗରେ ଧରି ସେମାନଙ୍କୁ ସାହାଯ୍ୟ କରିବା ପାଇଁ ବାହାରି ପଡ଼ିଲେ ।

 

ଶଲ୍ୟ ଯୁଦ୍ଧକୁ ଆସୁଥିବାର ଖବର ପାଇ ଦୁର୍ଯ୍ୟୋଧନଙ୍କ ମନରେ ଭୟ ଜାତ ହେଲା ।

 

କାରଣ ଶଲ୍ୟ ଜଣେ ବଡ଼ ଯୋଦ୍ଧା ଥିଲେ ।

 

ଶଲ୍ୟଙ୍କୁ ହାତ କରିବା ପାଇଁ ଦୁର୍ଯ୍ୟୋଧନ ତାଙ୍କୁ ଅଧବାଟରୁ ପାଛୋଟି ଆଣିଲେ ।

 

ଦୁର୍ଯ୍ୟୋଧନଙ୍କର ଆଦର–ଅଭ୍ୟର୍ଥନାରେ ସନ୍ତୁଷ୍ଟ ହୋଇ ଶଲ୍ୟ ପଚାରିଲେ–‘‘ବତ୍ସ ! ତୁମର କ’ଣ ଦରକାର, କୁହ ?’’

 

ଦୁର୍ଯ୍ୟୋଧନ କହିଲେ, ‘‘ଯୁଦ୍ଧରେ ଆପଣଙ୍କୁ ସେନାପତିତ୍ୱ କରିବା ପାଇଁ ମୁଁ ଅନୁରୋଧ କରୁଛି ।’’

 

ଶଲ୍ୟ ଭାବି ନ ଥିଲେ ଯେ ଦୁର୍ଯ୍ୟୋଧନ ହଠାତ୍ ଏପରି ଏକ ଅନୁରୋଧ କରି ବସିବେ-। ସତ୍ୟ କରିଥିବାରୁ ସତ୍ୟଭଙ୍ଗ ହେବା ଭୟରେ ଅନିଛା ସତ୍ତ୍ୱେ ସେ ସମ୍ମତ ହେଲେ ।

 

ଦୁର୍ଯ୍ୟୋଧନଙ୍କ ନିକଟରୁ ବିଦାୟ ନେଇ ମହାରାଜା ଶଲ୍ୟ ଯୁଧିଷ୍ଠିରଙ୍କ ସହିତ ଦେଖାକରିବାକୁ ଗଲେ ।

 

ଧର୍ମରାଜ ଯୁଧିଷ୍ଠିର ଶଲ୍ୟଙ୍କ ମୁହଁରୁ ସବୁକଥା ଶୁଣି କହିଲେ, ‘‘ଆପଣ ଯେତେବେଳେ ସତ୍ୟ କରି ସାରିଲେଣି, ମୁଁ ଆଉ ସତ୍ୟଭଙ୍ଗ କରିବା ପାଇଁ ଅନୁରୋଧ କରିବି ନାହିଁ । ତେବେ ମୋର ଗୋଟିଏ କଥା ଆପଣ ରଖିବେ । ଯେତେବେଳେ କର୍ଣ୍ଣ ସେନାପତିତ୍ୱ କରିବେ, ସେତେବେଳେ ଆପଣ ସାରଥି ହୋଇ ତାଙ୍କର ଉତ୍ସାହ ଭଙ୍ଗ କରିବେ ।

 

କର୍ଣ୍ଣ ଉତ୍ସାହିତ ନ ହେଲେ ଅର୍ଜ୍ଜୁନ ସହଜରେ ତାଙ୍କୁ ଜୟ କରିପାରିବେ । ତା’ ନୋହିଲେ କର୍ଣ୍ଣଙ୍କୁ ଜୟ କରିବା ଅର୍ଜ୍ଜୁନ ପକ୍ଷରେ କଷ୍ଟକର ହେବ ।’’

 

ଶଲ୍ୟ ଯୁଧିଷ୍ଠିରଙ୍କ କଥାରେ ସମ୍ମତ ହୋଇ ନିଜ ସୈନ୍ୟଙ୍କ ସହିତ ଦୁର୍ଯ୍ୟୋଧନଙ୍କ ନବରକୁ ବାହୁଡ଼ିଗଲେ ।

 

ପାଣ୍ଡବମାନଙ୍କ ପକ୍ଷରେ ସାତ୍ୟକୀ, ଚେଦିରାଜ, ଶିଶୁପାଳଙ୍କ ପୁଅ ଧୃଷ୍ଟକେତୁ, ଜରାସନ୍ଧର ପୁଅ ସହଦେବ, ରାଜା ଦ୍ରୁପଦ, ରାଜା ବିରାଟ ପ୍ରଭୃତି ବିଭିନ୍ନ ଦେଶର ରାଜାମାନେ ନିଜ ନିଜର ସେନାମାନଙ୍କ ସହିତ ଆସି ଯୋଗଦେଲେ ।

 

ପାଣ୍ଡବ ପକ୍ଷର ସମସ୍ତ ସେନା ମିଶି ସାତ ଅକ୍ଷୌହିଣୀ ।

 

ସେହିପରି କୌରବମାନଙ୍କ ପକ୍ଷରେ ଭଗଦନ୍ତ, ଭୂରିଶ୍ରବା, ଭୋଜରାଜ, ଶଲ୍ୟ, କୃତବର୍ମା, ଜୟଦ୍ରଥ ପ୍ରଭୃତି ରାଜାମାନେ ନିଜ ନିଜର ସେନା ଓ ସେନାପତିମାନଙ୍କ ସହିତ ଆସି ଯୋଗ ଦେଲେ ।

 

କୌରବ ପକ୍ଷର ସେନାସଂଖ୍ୟା ଏଗାର ଅକ୍ଷୌହିଣୀ ହେଲା ।

 

ସନ୍ଧି ପ୍ରସ୍ତାବ :

 

ଦ୍ରୁପଦ ରାଜାଙ୍କ ପୁରୋହିତ ଦୂତ ଯାଇ ଧୃତରାଷ୍ଟ୍ରଙ୍କ ନିକଟରେ ସାକ୍ଷାତ କଲେ । ଯୁଦ୍ଧ ନ କରି ସନ୍ଧି କରିବା ପାଇଁ ମହାରାଜ ଧୃତରାଷ୍ଟ୍ରଙ୍କୁ ଅନୁରେଧ କଲେ ।

 

ପିତାମହ ଭୀଷ୍ମ ଦୂତଙ୍କ ପ୍ରସ୍ତାବକୁ ସମର୍ଥନ କରିବାରୁ ଅନ୍ଧରାଜ ଧୃତରାଷ୍ଟ୍ର ଆନନ୍ଦ ମନରେ ସନ୍ଧି କରିବା ପାଇଁ ରାଜି ହେଲେ ।

 

ମହାରାଜା ଧୃତରାଷ୍ଟ୍ରଙ୍କ ତରଫରୁ ସଞ୍ଜୟ ସନ୍ଧି ପ୍ରସ୍ତାବ ନେଇ ପାଣ୍ଡବମାନଙ୍କ ନିକଟକୁ ଗଲେ । ସଞ୍ଜୟଙ୍କ ମୁହଁରୁ ସନ୍ଧିପ୍ରସ୍ତାବ ଶୁଣି ଧର୍ମରାଜ ଯୁଧିଷ୍ଠିର ବିନା ବାଧାରେ ପ୍ରସ୍ତାବକୁ ସ୍ୱୀକାର କଲେ । କାରଣ, ଯୁଦ୍ଧ କରି ଅଯଥା ଗୁଡ଼ାଏ ଧନଜୀବନ ନଷ୍ଟ କରିବାକୁ ସେ ଚାହୁଁ ନ ଥିଲେ ।

 

ଧର୍ମରାଜ ଯୁଧିଷ୍ଠିର ଥିଲେ ନ୍ୟାୟ, ଧର୍ମ ଓ ଶାନ୍ତିର ପୂଜାରୀ ।

 

ଶ୍ରୀକୃଷ୍ଣଙ୍କ ଦୂତଗିରି :

 

ଭଗବାନ ଶ୍ରୀକୃଷ୍ଣ ଚାହୁଁଥିଲେ ଯେ କିପରି ଯୁଦ୍ଧ ନ ହେଉ । ତେଣୁ ସନ୍ଧିପ୍ରସ୍ତାବକୁ ପକ୍କା କରିବା ପାଇଁ ସେ ନିଜେ ଦୂତ ଭାବରେ ହସ୍ତିନାକୁ ଗଲେ ।

 

ହସ୍ତିନାରେ ବିଦୂରଙ୍କ ଆତିଥ୍ୟ ଗ୍ରହଣ କରି ଧୃତରାଷ୍ଟ୍ର, କୁନ୍ତୀ, ଭୀଷ୍ମ ଓ ଦୁର୍ଯ୍ୟୋଧନଙ୍କ ସହିତ ସାକ୍ଷାତ କଲେ । ସମସ୍ତଙ୍କୁ ସନ୍ଧି କରିବା ପାଇଁ ଅନୁରୋଧ କଲେ ।

 

ଶ୍ରୀକୃଷ୍ଣଙ୍କ କଥାରେ ସମସ୍ତେ ରାଜି ହେଲେ, କିନ୍ତୁ ଦୁର୍ଯ୍ୟୋଧନ କାହାରି କଥା ଶୁଣିଲେ ନାହିଁ । ସେ ରୋକଠୋକ୍‍ ଜବାବ ଦେଲେ, ‘‘ ଆପଣ ମୋତେ ସନ୍ଧିକରିବା ପାଇଁ ବଳାନ୍ତୁ ନାହିଁ । ମୁଁ କହି ରଖୁଛି–ବିନା ଯୁଦ୍ଧରେ ପାଣ୍ଡବମାନେ ମୋ ଠାରୁ ସୂଚ୍ୟଗ୍ର ଭୂମି ପାଇପାରିବେ ନାହିଁ ।’’

 

ଭୀଷ୍ମ ଓ କର୍ଣ୍ଣ ପ୍ରଭୃତି ଗୁରୁଜନମାନେ ଦୁର୍ଯ୍ୟୋଧନଙ୍କ ପ୍ରତିଜ୍ଞା ଶୁଣି ମନେ ମନେ ଦୁଃଖିତ ହେଉଥିଲେ ମଧ୍ୟ ପ୍ରତିବାଦ କରିବାର କ୍ଷମତା ସେମାନଙ୍କର ନଥିଲା, କାରଣ ସେମାନେ ଦୁର୍ଯ୍ୟୋଧନଙ୍କ ଅନ୍ନରେ ପ୍ରତିପାଳିତ ଥିଲେ ।

 

ସନ୍ଧି ହେଲା ନାହିଁ । ଉଭୟ ପକ୍ଷ ଯୁଦ୍ଧ କରିବା ପାଇଁ ସଜବାଜ ହେଲେ ।

 

ଏତିକିବେଳେ ମାତା କୁନ୍ତୀ କର୍ଣ୍ଣଙ୍କ ସହିତ ସାକ୍ଷାତ କଲେ । ପାଣ୍ଡବମାନଙ୍କୁ ଯୁଦ୍ଧରେ ସାହାଯ୍ୟ କରିବା ପାଇଁ କର୍ଣ୍ଣଙ୍କୁ ଅନୁରୋଧ କରିବାରୁ, କର୍ଣ୍ଣ କହିଲେ–‘ମା ! ମୁଁ କୌରବଙ୍କ ଅନ୍ନରେ ପ୍ରତିପାଳିତ । ତେଣୁ ନିମକ୍‍ହାରାମ ହୋଇପାରିବି ନାହିଁ । ତେବେ ମୁଁ ଆପଣଙ୍କୁ କଥା ଦେଉଛି ଯେ ଯୁଦ୍ଧରେ କେବଳ ଅର୍ଜ୍ଜୁନଙ୍କ ଛଡ଼ା ଅନ୍ୟ ଚାରି ଭାଇଙ୍କୁ ହତ୍ୟା କରିବା ପାଇଁ ଚେଷ୍ଟା କରିବି ନାହିଁ । ପାଣ୍ଡବମାନଙ୍କ ମଧ୍ୟରେ କେବଳ ଅର୍ଜ୍ଜୁନ ହେଉଛନ୍ତି ମୋର ସମକକ୍ଷ ଯୋଦ୍ଧା । ସମକକ୍ଷ ଯୋଦ୍ଧା ସଙ୍ଗରେ ଯୁଦ୍ଧକରିବା ହେଉଛି କ୍ଷତ୍ରିୟର ଧର୍ମ । ତେଣୁ ଅର୍ଜ୍ଜୁନଙ୍କ ବ୍ୟତୀତ ମୁଁ ଅନ୍ୟ କାହାରି ସହିତ ଯୁଦ୍ଧ କରିବି ନାହିଁ ।’’

 

ଭଗବାନ ଶ୍ରୀକୃଷ୍ଣଙ୍କ ଆଜ୍ଞାନୁସାରେ ପାଣ୍ଡବମାନେ ଦ୍ରୁପଦଙ୍କ ପୁଅ ଧୃଷ୍ଟଦ୍ୟୁମ୍ନଙ୍କ ଉପରେ ସେନାପତିତ୍ୱର ଦାୟିତ୍ୱ ପକାଇଲେ ।

 

ସେନାପତି ଧୃଷ୍ଟଦ୍ୟୁମ୍ନ ପାଣ୍ଡବମାନଙ୍କର ସାତ ଅକ୍ଷୌହିଣୀ ସୈନ୍ୟଙ୍କୁ ନେଇ କୁରୁକ୍ଷେତ୍ର ନିକଟରେ ଥିବା ହିରଣ୍ୟବତୀ ନଦୀର ଉତ୍ତରପଟେ ଡେରା ପକେଇଲେ ।

 

କୌରବ ପକ୍ଷର ସେନାପତି ହେଲେ ପିତାମହ ଭୀଷ୍ମ । ମହାବୀର ଭୀଷ୍ମ ପ୍ରଥମେ ସେନପତୀତ୍ୱର ଦାୟିତ୍ୱ ଗ୍ରହଣ କରିବା ପାଇଁ ମନା କରୁଥିଲେ; କିନ୍ତୁ ପରେ ଦୁର୍ଯ୍ୟୋଧନଙ୍କର ଅନୁରୋଧରେ ସେନାପତି ହେବାର ଭାର ଗ୍ରହଣ କଲେ ।

Image

 

ଭୀଷ୍ମପର୍ବ

 

ଅର୍ଜ୍ଜୁନଙ୍କ ମୋହ :

 

ଯୁଦ୍ଧସ୍ଥଳୀ କୁରୁକ୍ଷେତ୍ରରେ ପହଞ୍ଚି ମହାବୀର ଅର୍ଜ୍ଜୁନ ଶ୍ରୀକୃଷ୍ଣଙ୍କୁ କହିଲେ, ‘‘ଦେବ ! ମୋର ରଥକୁ ଏପରି ଏକ ଜାଗାକୁ ନେଇ ଯାଆନ୍ତୁ, ଯେଉଁଠାରେ ମୁଁ ଦୁଇ ପକ୍ଷର ସେନା ଓ ସେନାପତିମାନଙ୍କୁ ସ୍ପଷ୍ଟରୂପେ ଦେଖିପାରିବି ।’’

 

ସଖା ଅର୍ଜ୍ଜୁନଙ୍କ ଅନୁରୋଧରେ ଭଗବାନ ଶ୍ରୀକୃଷ୍ଣ ରଥଟିକୁ ଯୁଦ୍ଧକ୍ଷେତ୍ରର ମଝିଜାଗାକୁ ବାହିନେଲେ ।

 

ମହାବୀର ଅର୍ଜ୍ଜୁନ ଥରେ ଭଲ ଭାବରେ ସବୁ ରଥୀମାନଙ୍କୁ ଚାହିଁଲେ । ଦେଖିବା ମାତ୍ରେ ତାଙ୍କ ମନରେ ହଠାତ୍ ଏକ ପରିବର୍ତ୍ତନ ଘଟିଲା । ସେ ରଥ ଉପରେ ନିଜର ଧନୁ ଓ ଅସ୍ତ୍ରଶସ୍ତ୍ର ରଖିଦେଇ ତଳକୁ ଓହ୍ଲେଇ ଆସିଲେ ।

 

ଭଗବାନ ଶ୍ରୀକୃଷ୍ଣଙ୍କୁ କହିଲେ, ‘‘ଦେବ ! ଆପଣ ରଥ ଫେରେଇ ନିଅନ୍ତୁ । ମୁଁ ଯୁଦ୍ଧ କରିପାରିବି ନାହିଁ । ଯେଉଁ ଭାଇ, ବନ୍ଧୁ, କୁଟୁମ୍ବ ଓ ଆତ୍ମୀୟ–ସ୍ୱଜନଙ୍କ ପ୍ରତି ଦୟାଶୀଳ ହେବା ମନୁଷ୍ୟର କର୍ତ୍ତବ୍ୟ, ସେହିମାନଙ୍କୁ ନିର୍ବ୍ଦୟ ଭାବରେ ହତ୍ୟା କରିବା ପାଇଁ ମୁଁ ଅସମର୍ଥ । ଭାଇ, ବନ୍ଧୁ, କୁଟୁମ୍ବମାନଙ୍କୁ ବିନାଶ କରି ସୁଖଭୋଗ କରିବା ଅପେକ୍ଷା ଭିକ୍ଷା କରି ଜୀବନ କାଟିବା ଶତଗୁଣ ଭଲ । ମୋତେ କ୍ଷମାକରନ୍ତୁ । ମୁଁ ଯୁଦ୍ଧକରି ପାରିବି ନି ।’’

 

ଠିକ୍‍ ଯୁଦ୍ଧର ଆରମ୍ଭରେ ଅର୍ଜ୍ଜୁନଙ୍କର ଏପରି ଉଦାସଭାବ ଦେଖି ଭଗବାନ ଶ୍ରୀକୃଷ୍ଣ ଆଶ୍ଚର୍ଯ୍ୟ ହୋଇଗଲେ । ଅର୍ଜ୍ଜୁନଙ୍କୁ ବିଭିନ୍ନ ପ୍ରକାର କର୍ତ୍ତବ୍ୟ ଉପଦେଶ ସବୁ ଶୁଣାଇଲେ ।

 

ଉଦେଶଗୁଡ଼ିକ ଶୁଣି ଅର୍ଜ୍ଜୁନଙ୍କର ମୋହ ତୁଟିଗଲା । ମନରେ ଶତସିଂହର ବଳ ଆସିଗଲା । ସେ ସଙ୍ଗେ ସଙ୍ଗେ ରଥ ଉପରେ ଉଠି ଯୁଦ୍ଧ କରିବାକୁ ଚେଷ୍ଟା କଲେ ।

 

ଭଗବାନଙ୍କର ସେହି ସୁଦୁପଦେଶଗୁଡ଼ିକ ‘ଗୀତା’ ନାମକ ଏକ ଗ୍ରନ୍ଥରେ ଲେଖାଅଛି ।

 

ଏହି ଗ୍ରନ୍ଥଟି ଅଜ୍ଞାନୀଙ୍କୁ ଜ୍ଞାନ, ସାଧୁସନ୍ଥମାନଙ୍କୁ ଯୋଗ ଓ କର୍ମଶୀଳ ମନୁଷ୍ୟମାନଙ୍କୁ କର୍ମଯୋଗର ପଥ ଦେଖାଇ ପାରୁଛି ।

 

ଯୁଦ୍ଧ ଆରମ୍ଭ :

 

ଯୁଦ୍ଧବାଜା ବାଜିବା ପରେ ଧର୍ମରାଜ ଯୁଧିଷ୍ଠିର କୌରବ ଦଳଙ୍କ ଆଡ଼କୁ ଆଗେଇଲେ ।

 

ପ୍ରଥମେ ସେ ପିତାମହ ଭୀଷ୍ମଙ୍କର ପାଦପୂଜା କଲେ । ତା’ପରେ ଗୁରୁ ଦ୍ରୋଣାଚାର୍ଯ୍ୟ ଓ ପରେ ପରେ ଆଚାର୍ଯ୍ୟ କୃପ ମାମୁଁ ଶଲ୍ୟଙ୍କର ପାଦପୂଜା କଲେ । ସମସ୍ତ ଗୁରୁଜନ ‘‘ତୁମର ଜୟ ହେଉ’’–ଏହି ଆଶୀର୍ବାଦ କଲେ ।

 

ଦୁର୍ଯ୍ୟୋଧନଙ୍କର ଯୁଯୁତ୍ସୁ ନାମରେ ଜଣେ ଭାଇ ଥିଲେ । ସେ ଧର୍ମରାଜ ଯୁଧିଷ୍ଠିରଙ୍କର ବ୍ୟବହାରରେ ସନ୍ତୁଷ୍ଟ ହୋଇ କୌରବମାନଙ୍କ ଦଳ ଛାଡ଼ି ପାଣ୍ଡବମାନଙ୍କ ଦଳରେ ଯୋଗଦେଲେ ।

 

ଦୁଇ ପକ୍ଷର ଘୋର ଯୁଦ୍ଧ ଚାଲିଲା । ପ୍ରଥମ ଦିନ ଯୁଦ୍ଧରେ ପିତାମହ ଭୀଷ୍ମ କୌରବମାନଙ୍କର ଏବଂ ମହାବଳୀ ଭୀମ ପାଣ୍ଡବମାନଙ୍କର ସେନାପତି ହେଲେ ।

 

ବୀରବାଳକ ଅଭିମନ୍ୟୁ ବାରମ୍ବାର ବାଣ ମାରିବା ଫଳରେ ପିତାମହ ଭୀଷ୍ମ ବଡ଼ ବିବ୍ରତ ହୋଇପଡ଼ିଲେ । ସମସ୍ତ ମାୟାମମତା ଛାଡ଼ି ଭୀଷ୍ମ ଏପରି ଭାବରେ ଯୁଦ୍ଧକଲେ ଯେ, ପାଣ୍ଡବ ପକ୍ଷରେ ଭାଳେଣି ପଡ଼ିଗଲା । ପ୍ରଥମ ଦିନ ଯୁଦ୍ଧରେ ପାଣ୍ଡବମାନେ ହାରିଯିବେ, ଏହି ଭୟ ସମସ୍ତଙ୍କ ମନରେ ଜାତ ହେଲା । ଏହି ସମୟରେ ସନ୍ଧ୍ୟା ହେବାରୁ ଯୁଦ୍ଧଭୂମି ଛାଡ଼ିବା ପାଇଁ ଶଙ୍ଖ ବାଜିଉଠିଲା । ଉଭୟ ପକ୍ଷ ଯୁଦ୍ଧକ୍ଷେତ୍ରରୁ ଚାଲିଗଲେ । ଯେ ଯାହାର ସୈନ୍ୟଛାଉଣୀକୁ ଯାଇ ବିଶ୍ରାମ ନେଲେ ।

 

ଦ୍ୱିତୀୟ ଦିନ ଯୁଦ୍ଧରେ ପାଣ୍ଡବମାନଙ୍କର ସେନାପତି ହେଲେ ଧୃଷ୍ଟଦ୍ୟୁମ୍ନ । ସେ ନିଜର ସୈନ୍ୟମାନଙ୍କୁ ବ୍ୟୂହ ଆକାରରେ ସଜେଇ ରଖିଲେ । ପିତାମହ ଭୀଷ୍ମ ମଧ୍ୟ ନିଜର ସୈନ୍ୟମାନଙ୍କୁ ବ୍ୟୂହ ରଚନା କରିବା ପାଇଁ ନିର୍ଦ୍ଦେଶ ଦେଲେ ।

 

ବୀରବାଜା ବାଜିବାରୁ ଯୁଦ୍ଧ ଆରମ୍ଭ ହେଲା ।

 

ଧୃଷ୍ଟଦ୍ୟୁମ୍ନ ମତ୍ତହସ୍ତୀ ପରି ଗୁରୁ ଦ୍ରୋଣାଚାର୍ଯ୍ୟଙ୍କୁ ଆକ୍ରମଣ କଲେ । ଗୁରୁ ଦ୍ରୋଣାଚାର୍ଯ୍ୟ ନିଜର ସବୁ ଶକ୍ତି ଖଟେଇ ଧୃଷ୍ଟଦ୍ୟୁମ୍ନଙ୍କ ଆକ୍ରମଣର ପ୍ରତିରୋଧ କରିବାକୁ ଲାଗିଲେ ।

 

ଏକାକୀ ମହାବଳୀ ଭୀମ କଳିଙ୍ଗର ରାଜା ଶତ୍ରଦେବ, ଭାନୁକାମ, ଶତାୟୁ, ସବ୍ୟ, ସତ୍ୟଦେବ ଓ କେତୁଭାନୁ ପ୍ରଭୃତି ବୀରମାନଙ୍କୁ ଆଖି ପିଛୁଳାକେ ମାରି ଶୁଆଇଦେଲେ ।

 

ଅର୍ଜ୍ଜୁନଙ୍କ ପୁଅ ବୀର ଅଭିମନ୍ୟୁ ଓ ଦୁର୍ଯ୍ୟୋଧନଙ୍କ ପୁଅ ଲକ୍ଷ୍ମଣଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ହେଲା । ଅଭିମନ୍ୟୁଙ୍କ ବାଣରେ ଲକ୍ଷ୍ମଣ ମରିଗଲେ ।

 

ଲକ୍ଷ୍ମଣଙ୍କ ମୃତ୍ୟୁଖବର ପାଇ କୌରବ ପକ୍ଷରେ ଚହଳ ପଡ଼ିଗଲା । ଦୁର୍ଯ୍ୟୋଧନ ପୁତ୍ରଶୋକରେ ବ୍ୟଥିତ ହୋଇ ପଡ଼ିଲେ ।

 

ମହାବୀର ଅର୍ଜ୍ଜୁନ ସାକ୍ଷାତ୍‍ ରୁଦ୍ରରୂପ ଧାରଣ କରି ଯୁଦ୍ଧ କରୁଥିଲେ । ତାଙ୍କର ବାଣ ପ୍ରହାରରେ ବ୍ୟତିବ୍ୟସ୍ତ ହୋଇ କୌରବବାହିନୀ ସେନାପତିଙ୍କ ଆଦେଶ ନ ମାନି ଯୁଦ୍ଧଭୂମି ଛାଡ଼ି ପଳାଇଯିବାକୁ ଲାଗିଲେ ।

 

ସୈନ୍ୟବାହିନୀ ପଳାଇଯିବାର ଦେଖି ସେନାପତି ଭୀଷ୍ମଙ୍କ ମନରେ ହାରିଯିବା ଭୟ ଜାତ ହେଲା ।

 

ପିତାମହ ଭୀଷ୍ମ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କୁ ଡାକି କହିଲେ, ‘‘ଆଚାର୍ଯ୍ୟ ! ଆଜି ଅର୍ଜ୍ଜୁନ ଯେପରି ଯୁଦ୍ଧ କରୁଛି, ଆମର ଜୟଲାଭ କରିବା ଆଶା ଖୁବ୍‍ କମ୍ । ତେଣୁ ହାରିଯିବା ପୂର୍ବରୁ ଯୁଦ୍ଧ ବନ୍ଦ କରାଯିବା ଉଚିତ ହେବ ବୋଲି ମୁଁ ମନେକରୁଛି । ଆପଣ ବିଳମ୍ବ ନ କରି ସନ୍ଧ୍ୟାପୂର୍ବରୁ ଯୁଦ୍ଧ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ ।’’

 

ଭୀଷ୍ମଙ୍କ କଥାନୁସାରେ ଦ୍ରୋଣାଚାର୍ଯ୍ୟ ବନ୍ଦ ହେବାର ବାଜା ବଜାଇବା ପାଇଁ ବାଜାବଜାଳୀଙ୍କୁ ନିର୍ଦ୍ଦେଶ ଦେଲେ । ସେ ଦିନର ଯୁଦ୍ଧ ସେତିକିରେ ବନ୍ଦ ହେଲା । ବିଶ୍ରାମ ନେବା ପାଇଁ ଯେ ଯାହାର ଛାଉଣୀକୁ ଫେରିଗଲେ ।

 

ଶ୍ରୀକୃଷ୍ଣଙ୍କ କ୍ରୋଧ :

 

ତୃତୀୟ ଦିନର ଯୁଦ୍ଧ ଖୁବ୍‍ ଜୋରସୋରରେ ଆରମ୍ଭ ହେଲା । ସେଦିନ ଭୀଷ୍ମ ଗରୁଡ଼ ବ୍ୟୂହ ରଚନା କଲେ । ମହାବୀର ଅର୍ଜ୍ଜୁନ ଅର୍ଦ୍ଧଚନ୍ଦ୍ର ବ୍ୟୂହ ରଚନା କଲେ ।

 

ପିତାମହ ଭୀଷ୍ମଙ୍କର ଆକ୍ରମଣ ବେଳକୁ ବେଳ ବଢ଼ିଲା । ଭୀଷ୍ମଙ୍କ ବାଣ ପ୍ରୟୋଗରେ ଅର୍ଜ୍ଜୁନ ହତୋତ୍ସାହ ହୋଇ ପଡ଼ିଲେ । ଭଗବାନ ଶ୍ରୀକୃଷ୍ଣ ଅର୍ଜ୍ଜୁନଙ୍କର ଉଦାସୀନତା ଲକ୍ଷ୍ୟ କରି ରଥରୁ ଓହ୍ଲେଇ ପଡ଼ିଲେ ଓ ରଥର ଗୋଟିଏ ଚକକୁ ଧରି ଚକ୍ର ଭଳି ବୁଲେଇବାକୁ ଲାଗିଲେ ।

 

ଏହା ଦେଖି ଭୀଷ୍ମ ନିଜ ରଥରୁ ଓହ୍ଲେଇ ପଡ଼ିଲେ । ନିଜର ସବୁ ଅସ୍ତ୍ରଶସ୍ତ୍ର ଆଣି ଶ୍ରୀକୃଷ୍ଣଙ୍କ ପାଦତଳେ ରଖି କହିଲେ,‘‘ମୁଁ ଏଗୁଡ଼ିକ ଆପଣଙ୍କୁ ଦେଉଛି । ଆପଣ ନିଜ ହସ୍ତରେ ସମସ୍ତଙ୍କୁ ମାରନ୍ତୁ । ଆପଣ ଆଜି ନିଜର ସତ୍ୟ ଭାଙ୍ଗିଛନ୍ତି ।’’

 

ଶ୍ରୀକୃଷ୍ଣ ପଚାରିଲେ, କିପରି ?

 

ଭୀଷ୍ମ କହିଲେ, ଆପଣ ଦିନେ ମୋ ଆଗରେ ଶପଥ କରିଥିଲେ ଯେ ଏହି ଯୁଦ୍ଧରେ ଅସ୍ତ୍ର ଧରିବେ ନାହିଁ । କେବଳ ଅର୍ଜ୍ଜୁନଙ୍କର ସାରଥି ହୋଇ ରଥ ଚଳେଇବେ । କିନ୍ତୁ ଆଜି ତା’ର ଓଲଟା ହୋଇଛି । ଆପଣ ଇଛା କଲେ ଆଖି ପିଛୁଳାକେ ଏ ସମସ୍ତଙ୍କୁ ମାରିଦେବାକୁ ସମର୍ଥ । ଯୁଦ୍ଧକରିବା ଦରକାର ପଡ଼ିବ ନି ।

ଭୀଷ୍ମଙ୍କ କଥା ଶୁଣି ଭଗବାନ ଶ୍ରୀକୃଷ୍ଣ ରଥ ଉପରକୁ ଉଠିଲେ । ଚଞ୍ଚଳତାର ସହିତ ଯୁଦ୍ଧକରିବା ପାଇଁ ସଖା ଅର୍ଜ୍ଜୁନଙ୍କୁ ଆଦେଶ ଦେଲେ ।

ଅଳ୍ପ ସମୟ ପରେ ସନ୍ଧ୍ୟା ହେଲା । ଦୁଇ ପକ୍ଷ ଯୁଦ୍ଧ ବନ୍ଦ କଲେ ।

ଚତୁର୍ଥ ଦିନ ସକାଳୁ ଯୁଦ୍ଧ ଆରମ୍ଭ ହେଲା । ସେଦିନ ଅର୍ଜ୍ଜୁନ ଓ ଭୀଷ୍ମଙ୍କ ମଧ୍ୟରେ ଘୋର ଯୁଦ୍ଧ ହେଲା । ବୀର ଅଭିମନ୍ୟୁ ଶଲ୍ୟଙ୍କୁ ପ୍ରବଳ ଆକ୍ରମଣ କଲେ । ଧୃଷ୍ଟଦ୍ୟୁମ୍ନଙ୍କ ବାଣରେ ହଜାର ହଜାର କୌରବ–ସେନା ମରିଗଲେ ।

ଯୁଦ୍ଧକ୍ଷେତ୍ରରେ ରକ୍ତର ନଦୀ ବହିଲା । କୌରବବାହିନୀ ମଧ୍ୟରେ ହାହାକାର ପଡ଼ିଗଲା-

ସେଦିନ ଯୁଦ୍ଧରେ ଦୁର୍ଯ୍ୟୋଧନଙ୍କର ଭାଇ ଦମନକ ଓ ପୁଅ ସଂଯମନୀ ମରିଗଲେ ।

ଭୀମ ଓ ଦୁର୍ଯ୍ୟୋଧନଙ୍କ ମଧ୍ୟରେ ପ୍ରବଳ ଯୁଦ୍ଧ ହେଲା । ଦୁର୍ଯ୍ୟୋଧନ ଏକ ତୀକ୍ଷ୍‍ଣ ଶର ମାରି ପ୍ରଥମେ ଭୀମଙ୍କୁ ଅଚେତ କରି ପକାଇଲେ । ତା’ପରେ ଭୀମ ଚେତା ପାଇ ଏପରି ଆକ୍ରମଣ କଲେ ଯେ, ଦୁର୍ଯ୍ୟୋଧନ ତ୍ରାହି ତ୍ରାହି ଡାକ ଛାଡ଼ିଲେ ।

ଶଲ୍ୟ ଯୁଦ୍ଧକ୍ଷେତ୍ର ଛାଡ଼ି ପଳାଇଗଲେ ।

ବେଳକୁ ବେଳ ଅବସ୍ଥା ସାଙ୍ଘାତିକ ହେବାର ଦେଖି ଭଗଦନ୍ତ ଭୀମଙ୍କୁ ପ୍ରବଳ ଆକ୍ରମଣ କଲେ ।

ମହାବଳୀ ଭୀମ ଏକାକୀ ଏତେ ଯୋଦ୍ଧାଙ୍କ ସହିତ ଲଢ଼ି ଶକ୍ତିହୀନ ହୋଇ ପଡ଼ିଥିବାର ଦେଖି ତାଙ୍କର ପୁଅ ଘଟୋତ୍କଚ କୌରବ ସେନାବାହିନୀ ମଧ୍ୟରେ ପଶି ହାତୀ କଦଳୀବଣ ଦଳିଲା ପରି କୌରବସେନାଙ୍କୁ ଦଳିବାକୁ ଲାଗିଲେ । ଘଟୋତ୍କଚଙ୍କର ଗଦାପ୍ରହାରରେ ବହୁତ ବଡ଼ ବଡ଼ ଯୋଦ୍ଧା ମରି ଶୋଇଲେ ।

ସନ୍ଧ୍ୟା ହେବାର ଦେଖି ଯୁଦ୍ଧ ବନ୍ଦ ବାଜା ବାଜିଉଠିଲା । ସେଦିନର ଯୁଦ୍ଧ ବନ୍ଦକରି ଯେ ଯାହାର ଶିବିରକୁ ଫେରିଗଲେ ।

ଦୁର୍ଯ୍ୟୋଧନଙ୍କ ଚିନ୍ତା :

ଗତ ଚାରିଦିନର ଯୁଦ୍ଧରେ କୌରବପକ୍ଷର ବିଶେଷ ଭାବରେ କ୍ଷତି ଘଟିଲା । ଅସଂଖ୍ୟ ସୈନ୍ୟ ଓ ବିଶିଷ୍ଟ ଯୋଦ୍ଧାମାନେ ମରିଗଲେ ।

ବିଶେଷ କରି ସ୍ନେହର ପୁଅ ଲକ୍ଷ୍ମଣର ମରଣରେ ଦୁର୍ଯ୍ୟୋଧନ ବଡ଼ ଦୁଃଖିତ ହୋଇ ପଡ଼ିଲେ । ଦୁର୍ଯ୍ୟୋଧନ ମୁହଁ ଶୁଖେଇ ପିତାମହ ଭୀଷ୍ମଙ୍କୁ ସେକ୍ଷାତ କରି କହିଲେ,‘‘ପିତାମହ ! ଗତ ଚାରିଦିନ ଯୁଦ୍ଧରେ ମୁଁ ସବୁବେଳେ ଲକ୍ଷ୍ୟ କରୁଛି ଯେ ଆମ ପକ୍ଷର ହିଁ ବହୁତ କ୍ଷତି ଘଟୁଛି । ପାଣ୍ଡବମାନେ ସବୁକ୍ଷେତ୍ରରେ ଜୟଲାଭ କରୁଛନ୍ତି । ଏଥିରୁ ଜଣାପଡ଼ୁଛି, ଆପଣମାନେ ପାଣ୍ଡବମାନଙ୍କ ପ୍ରତି ମମତା ରଖି ଯୁଦ୍ଧ କରୁଛନ୍ତି ।’’

ଦୁର୍ଯ୍ୟୋଧନଙ୍କ ଏହି ଆକ୍ଷେପରେ ଭୀଷ୍ମ କହିଲେ, ବତ୍ସ ! ତୁମେ ଯାହା ଭାବୁଛ, ତାହା ନୁହେଁ । ଆମ୍ଭେମାନେ ଆପ୍ରାଣ ଚେଷ୍ଟା କରି ଯୁଦ୍ଧ କରୁଛୁଁ; କିନ୍ତୁ ଭଗବାନ ଶ୍ରୀକୃଷ୍ଣ ପାଣ୍ଡବକାନଙ୍କର ସହାୟକ ହୋଇଥିବାରୁ ସେମାନଙ୍କୁ ପରାସ୍ତ କରିବା କଷ୍ଟସାଧ୍ୟ । ତୁମେ ତ ଜାଣ, ଶ୍ରୀକୃଷ୍ଣ କେଡ଼େ ଚତୁର ଓ ନୀତିବାଦୀ । ସେ ପାଣ୍ଡବମାନଙ୍କ ପକ୍ଷରେ ଥିବା ପର୍ଯ୍ୟନ୍ତ ପାଣ୍ଡବମାନଙ୍କୁ ପରାସ୍ତ କରିବା ସହଜ ନୁହେଁ । ମୁଁ ଭାବୁଛି, ପାଣ୍ଡବମାନେ ବରାବର ନ୍ୟାୟ ଓ ସତ୍ୟପଥରେ ଥିବାରୁ ବିଧାତା ସେମାନଙ୍କୁ ରକ୍ଷାକବଚ ପିନ୍ଧାଇଛନ୍ତି ।

 

ପିତାମହଙ୍କ କଥା ଶୁଣି ଦୁର୍ଯ୍ୟୋଧନ ମନଦୁଃଖରେ ଫେରିଗଲେ ।

 

ତା’ପରେ ପଞ୍ଚମ ଦିନର ଯୁଦ୍ଧ ଆରମ୍ଭ ହେଲା । ସେଦିନ ପାଣ୍ଡବମାନେ ଶ୍ୟେନବ୍ୟୂହ ଓ କୌରବମାନେ ମକରବ୍ୟୂହ ରଚନା କଲେ । ଉଭୟପକ୍ଷ ଭୀଷଣ ଯୁଦ୍ଧ କଲେ । କୁରୁକ୍ଷେତ୍ର ଉପରେ ରକ୍ତର ସୁଅ ବୋହିଗଲା । ଅସଂଖ୍ୟ ସେନାଙ୍କର ମୃତ୍ୟୁ ଘଟିଲା । କ୍ରମେ ସନ୍ଧ୍ୟା ହେବାରୁ ଦୁଇ ପକ୍ଷ ଯୁଦ୍ଧ ବନ୍ଦ କରିବାକୁ ବାଧ୍ୟ ହେଲେ ।

 

ଷଷ୍ଠଦିନର ଯୁଦ୍ଧ ସବୁଦିନ ଅପେକ୍ଷା ଭୟଙ୍କର ହେଲା ।

 

ଏକ ଦିଗରେ ପିତାମହ ଭୀଷ୍ମଙ୍କ ସହିତ ମହାବଳୀ ଭୀମଙ୍କର ଯୁଦ୍ଧ ବେଳକୁ ବେଳ ଭୟଙ୍କର ହେଉଥିବାବେଳେ ଅନ୍ୟ ଦିଗରେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ସହିତ ସାତ୍ୟକୀଙ୍କର ଯୁଦ୍ଧ ଅତିଶୟ ଗୁରୁତର ହୋଇ ଉଠୁଥିଲା ।

 

ଗୁରୁ ଦ୍ରୋଣାଚାର୍ଯ୍ୟଙ୍କର ରଣକୌଶଳ ଓ ଶରସନ୍ଧାନ ଏତେ ତୀବ୍ରତର ଥିଲା ଯେ ସାତ୍ୟକୀ ପ୍ରତିଶର କରିବା ପାଇଁ ଅକ୍ଷମ ହୋଇ ପଡ଼ିଲେ । ଶେଷରେ ଦ୍ରୋଣାଚାର୍ଯ୍ୟଙ୍କ ଦ୍ୱାରା ସେ ବନ୍ଦୀ ହେଲେ ।

 

ସାତ୍ୟକୀଙ୍କୁ ବନ୍ଧନମୁକ୍ତ କରିବା ପାଇଁ ଭୀମ ଗୁରୁ ଦ୍ରୋଣଙ୍କୁ ପ୍ରବଳ ଆକ୍ରମଣ କଲେ । ଭୀମଙ୍କର ଆକ୍ରମଣରେ ଗୁରୁ ଦ୍ରୋଣ ବ୍ୟତିବ୍ୟସ୍ତ ହୋଇ ପଡ଼ିଲେ । ନିଜର ରଣକୌଶଳ ବଳରେ ମହାବଳୀ ଭୀମ ସାତ୍ୟକୀଙ୍କୁ ବନ୍ଧନମୁକ୍ତ କଲେ ।

 

ଭୀମ ସାତ୍ୟକୀଙ୍କୁ ବନ୍ଧନମୁକ୍ତ କରିଦେବାରୁ ଭୀଷ୍ମ, ଦ୍ରୋଣ, ଶଲ୍ୟ ଆଦି ରଥୀମାନଙ୍କର ରାଗ ବଢ଼ିଗଲା । ସମସ୍ତେ ଏକ ସଙ୍ଗରେ ଭୀମଙ୍କୁ ଆକ୍ରମଣ କଲେ । ମହାବଳୀ ଭୀମ ଭୟ ନ କରି ଏକାକୀ ତିନି ଜଣଙ୍କୁ ପ୍ରତିଆକ୍ରମଣ କଲେ । କିଛି ସମୟ ଭୀଷଣ ଯୁଦ୍ଧଚାଲିବା ପରେ ସନ୍ଧ୍ୟା ହେବାରୁ ଯୁଦ୍ଧ ବନ୍ଦ କରଗଲା ।

 

ସପ୍ତମ ଦିନର ଯୁଦ୍ଧରେ ପାଣ୍ଡବମାନେ ବଜ୍ରବ୍ୟୂହ ରଚନା କଲେ ।

 

ପିତାମହ ଭୀଷ୍ମ କୌରବସୈନ୍ୟଙ୍କୁ ମଣ୍ଡଳବ୍ୟୂହରେ ସଜେଇ ରଖିଲେ ।

 

ସେଦିନ ଯୁଦ୍ଧରେ ଦ୍ରୋଣାଚାର୍ଯ୍ୟ ଦ୍ରୁପଦଙ୍କ ପୁଅଙ୍କୁ ହତ୍ୟାକଲେ ଓ ଦ୍ରୁପଦଙ୍କୁ ଯୁଦ୍ଧକ୍ଷେତ୍ରରୁ ହଟେଇ ଦେଲେ ।

 

ଧୃଷ୍ଟଦ୍ୟୁମ୍ନଙ୍କ ଦ୍ୱାରା ଦୁର୍ଯ୍ୟୋଧନ ପରାସ୍ତ ହେଲେ ।

 

ଅଷ୍ଟମଦିନ ଯୁଦ୍ଧରେ ଭୀମ ରୁଦ୍ରରୂପ ଧାରଣ କରି ସୁନାମ, ପାଣ୍ଡୟ, ଆଦିତ୍ୟକେତୁ, ମହୋଦର, ବହଶୀ, ବିଶାଳାକ୍ଷ ଆଦି ଦୁର୍ଯ୍ୟୋଧନଙ୍କର ଆଠଗୋଟି ଭାଇଙ୍କୁ ମାରି ଶୁଆଇଦେଲେ-। ଦୁର୍ଯ୍ୟୋଧନ ଏହା ଦେଖି ରାଗରେ ଜଳି ଉଠିଲେ । ସେଦିନ ଯୁଦ୍ଧ ବହୁତ ଡେରିରେ ବନ୍ଦ କରାଗଲା ।

 

ଭୀଷ୍ମଙ୍କ ଭୀଷଣତା :

 

କୌରବସେନାଙ୍କର ପ୍ରତିଦିନ ପରାଜୟ ଲକ୍ଷ୍ୟ କରି ଦୁର୍ଯ୍ୟୋଧନ ବଡ଼ ଚିନ୍ତିତ ହୋଇ ପଡ଼ିଲେ । କର୍ଣ୍ଣଙ୍କୁ ସେନାପତି ହେବାର ଭାର ଗ୍ରହଣ କରିବା ପାଇଁ ସେ ଅନୁରୋଧ କଲେ

 

କର୍ଣ୍ଣ କହିଲେ, ଆଗେ ପିତାମହଙ୍କୁ ପଚାରନ୍ତୁ । ତାଙ୍କର ଇଚ୍ଛା କ’ଣ ? ପିତାମହ ସେନାପତି ଦାୟିତ୍ୱ ସ୍ୱଇଚ୍ଛାରେ ମୋତେ ନ ଦେଲେ ମୁଁ ତାହା ବହନ କରିବି କିପରି ?

 

କର୍ଣ୍ଣଙ୍କ କଥା ଶୁଣି ଦୁର୍ଯ୍ୟୋଧନ ଭୀଷ୍ମଙ୍କ ସହିତ ସାକ୍ଷାତ କରି କହିଲେ, ପିତାମହ ! ମୁଁ ବରାବର ଲକ୍ଷ୍ୟ କରୁଛି ଯେ ଆମ ପକ୍ଷର ସୈନ୍ୟମାନେ ଠିକ୍‍ ଭାବରେ ଯୁଦ୍ଧ କରୁନାହାନ୍ତି କି ସେମାନଙ୍କୁ ଉଚିତ ନିର୍ଦ୍ଦେଶ ଦିଆଯାଉ ନାହିଁ । ଏଥିପାଇଁ ମୁଁ ବଡ଼ ଚିନ୍ତିତ ।

 

ପାଣ୍ଡବମାନଙ୍କ ପ୍ରତି ଯଦି ଆପଣଙ୍କର ମୋ ଅପେକ୍ଷା ଅଧିକ ସ୍ନେହ ଅଛି, ତେବେ ସ୍ପଷ୍ଟ କହିଦିଅନ୍ତୁ । ମୁଁ କର୍ଣ୍ଣକୁ ଏଣିକି ସେନାପତିତ୍ୱ କରିବା ପାଇଁ ଅନୁରୋଧ କରିବି ।

 

ଦୁର୍ଯ୍ୟୋଧନଙ୍କର କଟୁଭାଷା ପିତାମହଙ୍କ ମନରେ ଭୀଷଣ ଦୁଃଖ ଜାତ କଲା । ସେ କହିଲେ, ଦୁର୍ଯ୍ୟୋଧନ ! ତୁମ୍ଭେ ମୋତେ ସନ୍ଦେହ କରୁଛ, ଏ କଥା ମୁଁ ଆଗରୁ ଜାଣିପାରିଛି । କାଲି ଯୁଦ୍ଧରେ ତୁମ୍ଭ ମନରୁ ସବୁ ସନ୍ଦେହ ମୁଁ ଘୁଞ୍ଚେଇ ଦେଇ ପାରିବି । ଆସନ୍ତାକାଲି ତୁମ୍ଭେ ଦେଖିପାରିବ, ପାଣ୍ଡବମାନେ ଧ୍ୱଂସ ହେବେ, ନଚେତ୍‍ ମୁଁ ମରିଯିବି ।

 

ପିତାମହଙ୍କ କଥାରେ ଦୁର୍ଯ୍ୟୋଧନଙ୍କର ବିଶ୍ୱାସ ହେଲା । ଭୀଷ୍ମଙ୍କର ନବମ ଦିନ ଯୁଦ୍ଧ ଦେଖିବା ପାଇଁ ଅପେକ୍ଷା କରି ରହିଲେ ।

 

ପରଦିନ ସକାଳୁ ନବମ ଦିନର ଯୁଦ୍ଧ ଆରମ୍ଭ ହେଲା । ଯୁଦ୍ଧ ଆରମ୍ଭ ହେବା ସଙ୍ଗେ ସଙ୍ଗେ ଭୀଷ୍ମ ବିକଟାଳ ମୂର୍ତ୍ତି ଧାରଣ କରି ପାଣ୍ଡବ ସେନାମାନଙ୍କୁ ଧ୍ୱଂସ କରିବାରେ ଲାଗିଲେ । ହଜାର ହଜାର ସୈନ୍ୟଙ୍କର ରକ୍ତରେ ଯୁଦ୍ଧଭୂମି ରକ୍ତାକ୍ତ ହୋଇଗଲା । ଭୀଷ୍ମଙ୍କର ବାଣ ବୃଷ୍ଟିରେ ମହାବୀର ଅର୍ଜ୍ଜୁନଙ୍କର ବୁଦ୍ଧି ହଜିଗଲା । ପ୍ରତିରୋଧ କରିବାକୁ ତାଙ୍କ ମନରେ ଆଉ ବଳ ରହିଲା ନି-

 

ପାଣ୍ଡବମାନେ ଲକ୍ଷ୍ୟକଲେ ଯେ ଆଜିର ଯୁଦ୍ଧରେ ପରାଜୟ ସୁନିଶ୍ଚିତ । ଯୁଧିଷ୍ଠିର କ’ଣ କରିବେ, କିଛି ଠିକ୍‍ କରି ପାରିଲେ ନାହିଁ । ଦୈବଯୋଗକୁ ସନ୍ଧ୍ୟା ଉପସ୍ଥିତ ହେଲା । ଦୁଇପକ୍ଷ ଯୁଦ୍ଧ ବନ୍ଦ କରି ଯେ ଯାହାର ଶିବିରକୁ ଫେରିଗଲେ ।

 

କ୍ରମେ ସନ୍ଧ୍ୟା ଯାଇ ରାତି ହେଲା । ସୈନ୍ୟସାମନ୍ତମାନେ ଯେ ଯାହାର ଛାଉଣୀରେ ଶୋଇପଡ଼ିଲେ । ଚାରିଆଡ଼ ନିର୍ଜ୍ଜନ ହୋଇଯିବାରୁ ମହାବୀର ଅର୍ଜ୍ଜୁନ ଦୁଃଖର ସହିତ ଭୀଷ୍ମଙ୍କ ଶିବିର ଆଡ଼କୁ ଗଲେ । ପିତାମହ ଭୀଷ୍ମ ଅର୍ଜ୍ଜୁନଙ୍କୁ ଦେଖି ଅତି ଆଦର ସହକାରେ ବସିବାକୁ ଆସନ ଦେଲେ ।

 

ଅର୍ଜ୍ଜୁନ ବିନୟର ସହିତ ପଚାରିଲେ, ‘‘ପିତାମହ ! ଆଉ କେତେଦିନ ଏପରି ଯୁଦ୍ଧ ଚାଲିବ ? ଆମ୍ଭେମାନେ କ’ଣ ଜୟ କରିବୁ ନି ?’’

 

ଭୀଷ୍ମ କହିଲେ, ‘‘ବତ୍ସ ! ଏହା ଠିକ୍‍ ଯେ, ମୋ ହାତରେ ଅସ୍ତ୍ର ଥିବା ପର୍ଯ୍ୟନ୍ତ ତୁମ୍ଭେ ଜୟଲାଭ କରିପାରିବ ନାହିଁ । ତେଣୁ ତୁମ୍ଭେ ଏକ କାର୍ଯ୍ୟ କର । ମୋର ସମକକ୍ଷ ଯୋଦ୍ଧା ନ ପାଇଲେ ମୁଁ ଯୁଦ୍ଧ କରେ ନାହିଁ ।’’

 

ତା’ପରେ ନପୁଂସକମାନଙ୍କୁ ମୁଁ ଭାରି ଘୃଣା କରେ । ତୁମ୍ଭ ସୈନ୍ୟବାହିନୀ ମଧ୍ୟରେ ଶ୍ରୀଖଣ୍ଡି ନାମରେ ଜଣେ ନପୁଂସକ ଅଛି । ସେ ଯଦି ମୋ ସହିତ ଯୁଦ୍ଧ କରିବାକୁ ଆସିବ, ତେବେ ମୁଁ ଛାଡ଼ିଦେବି । ତୁମ୍ଭେ ସହଜରେ ମୋତେ ଜୟ କରିପାରିବ ।’’

 

ମହାବୀର ଅର୍ଜ୍ଜୁନ ପ୍ରଥମେ ଏ ପ୍ରସ୍ତାବରେ ରାଜି ହେଉ ନ ଥିଲେ । ପରେ ଶ୍ରୀକୃଷ୍ଣଙ୍କ ଆଦେଶରେ ଶ୍ରୀଖଣ୍ଡିକୁ ଭୀଷ୍ମଙ୍କ ସହିତ ଯୁଦ୍ଧ କରିବା ପାଇଁ ସ୍ଥିର କଲେ ।

 

ଭୀଷ୍ମଙ୍କ ଶରଶଯ୍ୟା :

 

ପାରଦିନ ସକାଳୁ ଦଶମ ଦିନରେ ଯୁଦ୍ଧ ଆରମ୍ଭ ହେଲା । ସେଦିନ ଭୀଷ୍ମ ଭୟଙ୍କର ମୂର୍ତ୍ତି ଧାରଣ କରି ପାଣ୍ଡବ ଧ୍ୱଂସ କରିବାରେ ଲାଗିଲେ । ଚାହୁଁ ଚାହୁଁ ପାଣ୍ଡବମାନଙ୍କର ଦଶହଜାର ଗଜାରୋହୀ, ଦଶହଜାର ଅଶ୍ୱାରୋହୀ ଓ ଏକଲକ୍ଷ ପଦାତିକ ସୈନ୍ୟ ମରିଗଲେ । ପାଣ୍ଡବ ସୈନ୍ୟବାହିନୀ ମଧ୍ୟରେ ହାହାକାର ପଡ଼ିଗଲା ।

 

ଏତିକିବେଳେ ଭଗବାନ ଶ୍ରୀକୃଷ୍ଣ ଗତ ରାତିର କଥା ଅର୍ଜ୍ଜୁନଙ୍କୁ ମନେ ପକାଇଲେ । ଅର୍ଜ୍ଜୁନ ସଙ୍ଗେ ସଙ୍ଗେ ଶ୍ରୀଖଣ୍ଡିକୁ ଡାକିଆଣି ଭୀଷ୍ମଙ୍କ ସହିତ ଯୁଦ୍ଧ କରିବାକୁ ଆଦେଶ ଦେଲେ ।

 

ଶ୍ରୀଖଣ୍ଡିଙ୍କୁ ଆଖି ଆଗରେ ଦେଖି ଭୀଷ୍ମଙ୍କର ଆଗ୍ରହ କମିଗଲା । ଶ୍ରୀଖଣ୍ଡି ଉପରେ ଅସ୍ତ୍ର ପ୍ରହାର କରିବାକୁ ତାଙ୍କର ଇଚ୍ଛା ହେଲାନାହିଁ । ସେ ସଙ୍ଗେ ସଙ୍ଗେ ଅସ୍ତ୍ର ଛାଡ଼ିଦେଲେ । ଏହି ସୁଯୋଗ ପାଇ ମହାବୀର ଅର୍ଜ୍ଜୁନ ଓ ପାଣ୍ଡବ ପକ୍ଷର ଅନ୍ୟାନ୍ୟ ରଥୀମାନେ ଏକାଠି ମିଶି ପିତାମହ ଭୀଷ୍ମଙ୍କ ଉପରେ ବାଣ ବୃଷ୍ଟି କଲେ । ବୃଦ୍ଧ ଭୀଷ୍ମ ଅର୍ଜ୍ଜୁନଙ୍କର ଅମୋଘ ଅସ୍ତ୍ରର ଆଘାତ ପାଇ ରଥରୁ ଟଳିପଡ଼ିଲେ ।

 

ଭୀଷ୍ମ ମୂର୍ଚ୍ଛିତ ହେବାର ଦେଖି ଦୁର୍ଯ୍ୟୋଧନ କେତେକ ଅନୁଚରଙ୍କ ସହିତ ତାଙ୍କର ସେବା କରିବା ପାଇଁ ଧାଇଁ ଆସିଲେ ।

 

ସେ ଦିନର ଯୁଦ୍ଧରେ ଭୀଷ୍ମଙ୍କର ଶରୀରରେ ଏତେ ଶର ମରାଯାଇଥିଲା ଯେ ସେ ରଥରୁ ଟଳି ପଡ଼ିଲାବେଳେ ମାଟିରେ ନ ପଡ଼ି ସେହି ଶରଗୁଡ଼ିକ ଉପରେ ହିଁ ରହିଗଲେ । ଏହା ହିଁ ହେଲା ତାଙ୍କର ଶଯ୍ୟା । ମସ୍ତକ ବ୍ୟତୀତ ତାଙ୍କର ସବୁ ସ୍ଥାନରେ ଶର ମରାଯାଇଥିଲା । କ୍ରମେ ସନ୍ଧ୍ୟା ହେବାରୁ ଯୁଦ୍ଧ ବନ୍ଦ କରାଗଲା । ଜଣ ଜଣ ହୋଇ ଉଭୟ ପକ୍ଷର ରଥୀମାନେ ପିତାମହଙ୍କୁ ଦେଖିବା ପାଇଁ ତାଙ୍କ ଶିବିରରେ ପହଞ୍ଚିଲେ ।

 

ଅର୍ଜ୍ଜୁନଙ୍କୁ ଆଗରେ ଦେଖି ଭୀଷ୍ମ କହିଲେ, ବତ୍ସ ! ମୋ ପାଇଁ ଏକ ତକିଆର ବ୍ୟବସ୍ଥା କରିଦିଅ । ଅର୍ଜ୍ଜୁନ ପିତାମହଙ୍କ ମନର ଭାବ ବୁଝିପାରି ସଙ୍ଗେ ସଙ୍ଗେ ଶରଦ୍ୱାରା ଏକ ତକିଆ ତିଆରି କରିଦେଲେ ଓ ତାଙ୍କ ପାଦତଳେ ବସିରହି ପାଦସେବା କରିବାରେ ଲାଗିଲେ ।

 

ଦୁର୍ଯ୍ୟୋଧନ ଅର୍ଜ୍ଜୁନଙ୍କ କାର୍ଯ୍ୟ ଦେଖି ସହିପାରିଲେ ନାହିଁ । ଜଣେ ବିଖ୍ୟାତ ରାଜବୈଦ୍ୟଙ୍କୁ ଡାକିଆଣି ପିତାମହଙ୍କ ସେବାରେ ଖଟେଇଲେ; କିନ୍ତୁ ଭୀଷ୍ମ ରାଜବୈଦ୍ୟଙ୍କର ସେବାକୁ ପସନ୍ଦ କଲେ ନାହିଁ । ରାଜବୈଦ୍ୟ ବାଧ୍ୟ ହୋଇ ଫେରିଗଲେ ।

 

କିଛି ସମୟ ପରେ ଭୀଷ୍ମଙ୍କୁ ଶୋଷ ହେଲା । ଦୁର୍ଯ୍ୟୋଧନ ସ୍ୱର୍ଣ୍ଣ ପାତ୍ରରେ ସୁଗନ୍ଧିତ ଜଳ ପିଇବାକୁ ଦେଲେ । ଭୀଷ୍ମ ତାହା ଗ୍ରହଣ କଲେ ନାହିଁ ।

 

ପିତାମହଙ୍କ ଇଙ୍ଗିତ ପାଇ ମହାବୀର ଅର୍ଜ୍ଜୁନ ପୃଥିବୀ ଗର୍ଭକୁ ଶର ମାରିଲେ । ପୃଥିବୀର ଅତଳ ଗର୍ଭରୁ ଏକ ସ୍ୱଚ୍ଛ ସୁନିର୍ମଳ ଜଳଧାରା ଉପରକୁ ଉଠିଲା । ଭୀଷ୍ମ ସେହି ଜଳ ପାନ କରି ସନ୍ତୋଷଲାଭ କଲେ ଓ ଅର୍ଜ୍ଜୁନଙ୍କୁ ଆଶୀର୍ବାଦ କଲେ ।

Image

 

ଦ୍ରୋଣପର୍ବ

 

ଦ୍ରୋଣଙ୍କ ସେନାପତିତ୍ୱ ଗ୍ରହଣ :

 

ଯେତେବେଳେ କର୍ଣ୍ଣ ଶୁଣିଲେ ଯେ ପିତାମହ ଭୀଷ୍ମ ଶକ୍ତିହୀନ ହୋଇ ସେନାପତି ଭାର ଛାଡ଼ି ଦେଇଛନ୍ତି ସେତେବେଳେ ସେ ଭାରି ଆନନ୍ଦିତ ହୋଇଗଲେ । କୌରବ ପକ୍ଷର ସେନାପତି ଦାୟିତ୍ୱ ବହନ କରି ନିଜର ସମ୍ମାନ ବଢ଼େଇବା ପାଇଁ ସେ ସବୁବେଳେ ଇଚ୍ଛା କରୁଥିଲେ ।

 

କର୍ଣ୍ଣଙ୍କ ଭଳି ଅଶ୍ୱତ୍‍ଥାମା ମଧ୍ୟ ଠିକ୍‍ ସେହି କଥା ଚାହୁଁଥିଲେ ।

 

ଉଭୟେ ଏକାବେଳକେ ଦୁର୍ଯ୍ୟୋଧନଙ୍କ ନିକଟରେ ଉପସ୍ଥିତ ହେଲେ ଏବଂ ନିଜ ନିଜର ଇଚ୍ଛା ପ୍ରକାଶ କଲେ ।

 

କର୍ଣ୍ଣ କହିଲେ, ମହାରାଜ ! ମୋତେ ସନାପତି ଭାର ଦିଅନ୍ତୁ ଏବଂ ଦେଖନ୍ତୁ, କାଲି ଯୁଦ୍ଧରେ ମୁଁ ପାଣ୍ଡବମାନଙ୍କର ଅବସ୍ଥା କ’ଣ କରୁଛି ।

 

କର୍ଣ୍ଣଙ୍କ କଥା ଶୁଣି ଅଶ୍ୱତ୍‍ଥାମା କହିଲେ–ମହାରାଜ ! ଯେଉଁ ଲୋକର କୁଳଗୋତ୍ରର ଠିକଣା ନାହିଁ, ସେ ଲୋକକୁ ସେନାପତି କରେଇଲେ ଆପଣଙ୍କୁ ସମସ୍ତେ ନିନ୍ଦା କରିବେ । ସାଧାରଣତଃ କୁଳୀନ ଓ ସଂଭ୍ରାନ୍ତ ବଂଶୀୟ ପୁତ୍ରମାନେ ସେନାପତି ହୋଇଥାନ୍ତି । ତା’ପରେ ଏତେବଡ଼ କୌରବ ସେନାବାହିନୀକୁ ଉତ୍ତମ ରୂପେ ଚଳେଇବା ସହଜ ନୁହେଁ । ତେଣୁ ମୁଁ ଅନୁରୋଧ କରୁଛି, ମୋ ଉପରେ ସେ ଭାର ଛାଡ଼ି ଦେଇ ଆପଣ ନିଶ୍ଚିନ୍ତ ହୁଅନ୍ତୁ । ମୁଁ ଆପଣଙ୍କୁ କଥା ଦେଉଛି, କାଲି ଯୁଦ୍ଧରେ ପାଣ୍ଡବବଂଶ ସମୂଳେ ବିନାଶ କରିବି

 

ଅଶ୍ୱତ୍‍ଥାମାଙ୍କର ବେଖାତିରି କଥା ଶୁଣି କର୍ଣ୍ଣ ରାଗରେ ଲାଲ ପଡ଼ିଗଲେ । ତାଙ୍କର ସାତପୁରୁଷର ଗଇ ଖୋଳିବାକୁ ଲାଗିଲେ । ଅଶ୍ୱତ୍‍ଥାମା ମଧ୍ୟ ଛାଡ଼ିଲେ ନାହିଁ । ଉଭୟଙ୍କର ଗଣ୍ଡଗୋଳ ଜୋରରେ ବଢ଼ିଗଲା ।

 

ଦୁର୍ଯ୍ୟୋଧନ ଦୁଇଜଣଙ୍କୁ ଶାନ୍ତ କରିବା ପାଇଁ ବହୁତ ଚେଷ୍ଟା କରି ବିଫଳ ହେଲେ । ବାଧ୍ୟ ହୋଇ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ନିକଟକୁ ଚାଲିଗଲେ ।

 

ଦୁର୍ଯ୍ୟୋଧନଙ୍କ ଅନୁରୋଧରେ ଦ୍ରୋଣାଚାର୍ଯ୍ୟ ସେନାପତି ଭାର ଗ୍ରହଣ କଲେ । ଯୁଧିଷ୍ଠିରଙ୍କୁ ବନ୍ଦୀ କରି ଦୁର୍ଯ୍ୟୋଧନଙ୍କ ହାତରେ ଦେବା ପାଇଁ ସେ ପ୍ରତିଜ୍ଞା କଲେ ।

 

ପରଦିନ ଯୁଦ୍ଧ ଆରମ୍ଭରୁ କିପରି ଯୁଧିଷ୍ଠିରଙ୍କୁ ବନ୍ଦୀ କରିବେ, ସେଥିପାଇଁ ଦ୍ରୋଣାଚାର୍ଯ୍ୟ ବଡ଼ ତତ୍ପର ଥାନ୍ତି ।

 

ରାଜା ସୁରସେନ ଯୁଧିଷ୍ଠିରଙ୍କ ପାଖେ ପାଖେ ରହି ସାହାଯ୍ୟ କରୁଥାନ୍ତି । ସୁରସେନଙ୍କୁ ହରେଇ ଯୁଧିଷ୍ଠିରଙ୍କୁ ବନ୍ଦୀ କରିବା ଦ୍ରୋଣାଚାର୍ଯ୍ୟଙ୍କ ପକ୍ଷରେ ସହଜ ହେଲା ନାହିଁ । ତେଣୁ ନାଗଫାସ ବନ୍ଧନରେ ଯୁଧିଷ୍ଠିରଙ୍କୁ ବାନ୍ଧି ଆଣିବା ପାଇଁ ଦ୍ରୋଣାଚାର୍ଯ୍ୟ ଭାବିଲେ ।

 

ଦ୍ରୋଣଙ୍କର ମନର କଥା ଭଗବାନ ଶ୍ରୀକୃଷ୍ଣ ଜାଣିପାରି ଅର୍ଜ୍ଜୁନଙ୍କୁ ଇଙ୍ଗିତ ଦେଲେ । ଠିକ୍‍ ଯେତେବେଳେ ଦ୍ରୋଣାଚାର୍ଯ୍ୟ ନାଗଫାସଟିକୁ ଯୁଧିଷ୍ଠିରଙ୍କ ଉପରକୁ ପକାଇବାକୁ ଧଇଲେ, ସେତିକିବେଳେ ଅର୍ଜ୍ଜୁନ ଅଚାନକ ଭାବରେ ଦ୍ରୋଣଙ୍କ ହାତ ଉପରକୁ ଏକ ବାଣ ମାରିଲେ । ଦ୍ରୋଣଙ୍କ ହାତରୁ ଫାସଟି ଖସିପଡ଼ିଲା । ସେଦିନ ଯୁଦ୍ଧରେ ଦ୍ରୋଣଙ୍କର ଆଶା ପୂର୍ଣ୍ଣ ହୋଇ ପାରିଲା ନାହିଁ । ସନ୍ଧ୍ୟା ହେବାରୁ ଯୁଦ୍ଧ ବନ୍ଦ କରାଗଲା ।

 

ଦ୍ୱାଦଶ ଦିନ ଯୁଦ୍ଧରେ ଗୁରୁ ଦ୍ରୋଣାଚାର୍ଯ୍ୟ ଚକ୍ରବ୍ୟୂହ ରଚନା କଲେ । ଏହି ବ୍ୟୂହ ଭେଦ କରିବା ପ୍ରଣାଳୀ କେବଳ ଅର୍ଜ୍ଜୁନଙ୍କ ଛଡ଼ା ଅନ୍ୟ କେହି ଜାଣି ନ ଥିଲେ ।

 

ଅର୍ଜ୍ଜୁନ ଯଦି ବ୍ୟୂହ ଭେଦ କରିବେ, ତେବେ ଯୁଧିଷ୍ଠିରଙ୍କୁ ଦ୍ରୋଣଙ୍କ କବଳରୁ ରକ୍ଷାକରିବ କିଏ ? ଏହି କଥା ସମସ୍ତେ ଚିନ୍ତା କରୁଥିବାବେଳେ ବୀର ବାଳକ ଅଭିମନ୍ୟୁ ଆସି ଯୁଧିଷ୍ଠିରଙ୍କୁ କହିଲେ, ମହାଶୟ ! ମୁଁ ଚକ୍ରବ୍ୟୂହ ଭେଦ କରିବା ପ୍ରଣାଳୀ ଜାଣିଛି । ଅକ୍ଳେଶରେ ବ୍ୟୂହ ଭେଦ କରିପାରିବି । କିନ୍ତୁ ବ୍ୟୂହ ମଧ୍ୟରୁ ବାହାରି ଆସିବା ପ୍ରଣାଳୀ ମୋତେ ଜଣା ନାହିଁ । ଆପଣ ମୋତେ ଆଜ୍ଞା ଦିଅନ୍ତୁ । ଆପଣଙ୍କର ଆଶୀର୍ବାଦ ଗ୍ରହଣ କରି ମୁଁ ଚକ୍ରବ୍ୟୂହ ଭେଦ କରିବି ।

 

ବାଳକ ଅଭିମନ୍ୟୁଙ୍କର ଅପୂର୍ବ ସାହସପଣିଆ ଲକ୍ଷ୍ୟ କରି ଯୁଧିଷ୍ଠିର ବଡ଼ ଆନନ୍ଦ ହେଲେ । ଅଭିମନ୍ୟୁଙ୍କୁ ଆଶୀର୍ବାଦ କରି କହିଲେ–ବାବା ! ତୁମ୍ଭେ ଆଜି ଆମ୍ଭସେନାଙ୍କର ସେନାପତି ହୁଅ । ଆଗେ ଆଗେ ତୁମ୍ଭେ ବ୍ୟୂହ ଭେଦ କରି ଯାଅ । ତୁମ୍ଭଙ୍କୁ ସାହାଯ୍ୟ କରିବା ପାଇଁ ଅନ୍ୟାନ୍ୟ ରଥୀମାନେ ତୁମ୍ଭ ପଛେ ପଛେ ଯିବେ । ଭୟ କରିବ ନାହିଁ । ମନେରଖ, ମନର ବଳ ହେଉଛି ବୀରର ସବୁଠାରୁ ବଡ଼ ବଳ ।

 

ସେନାପତି ଭାର ଗ୍ରହଣ କରି, ବୀର ଅଭିମନ୍ୟୁ ପ୍ରଥମେ ମାତାଙ୍କ ସହିତ ସାକ୍ଷାତ କଲେ । ମାତାଙ୍କୁ ସବୁକଥା କହିଲେ ।

 

ପୁତ୍ର ଅଭିମନ୍ୟୁ ଏତେ ବଡ଼ ପାଣ୍ଡବ ସେନାବାହିନୀର ସେନାପତି ରୂପେ ବଛାଯାଇଛି ଶୁଣି ମାତା ସୁଭଦ୍ରା ଆନନ୍ଦରେ ଅଧିର ହୋଇ ପଡ଼ିଲେ ।

 

ମାତାଙ୍କ ନିକଟରୁ ବିଦାୟ ନେଇ ଅଭିମନ୍ୟୁ ନିଜର ସ୍ତ୍ରୀ ଉତ୍ତରାଙ୍କ ନିକଟକୁ ଗଲେ ।

 

ଗତ ରାତିରେ କେତେକ ଅଶୁଭ ସ୍ୱପ୍ନ ଦେଖିଥିବାରୁ ଉତ୍ତରାଙ୍କ ମନରେ ଆନନ୍ଦ ନଥିଲା-। ସେନାପତି ଦାୟିତ୍ୱ ବହନ ନ କରିବା ପାଇଁ ଉତ୍ତରା ସ୍ୱାମୀଙ୍କୁ ବହୁତ ଅନୁରୋଧ କଲା । ବୀର ଅଭିମନ୍ୟୁ କେତେକ ଉପଦେଶାତ୍ମକ କାହାଣୀ ବର୍ଣ୍ଣନା କରି ଉତ୍ତରାଙ୍କ ମନ ପରିବର୍ତ୍ତନ କରେଇଦେଲେ ।

 

ଉତ୍ତରାଙ୍କ ନିକଟରୁ ବିଦାୟ ନେଇ ଅଭିମନ୍ୟୁ ଯୁଦ୍ଧକ୍ଷେତ୍ରକୁ ଗଲେ । ବ୍ୟୂହର ପ୍ରଥମ ଦ୍ୱାରରେ ଅସଂଖ୍ୟ ସେନାଙ୍କୁ ମାରି ବୀରଦର୍ପରେ ଅଭିମନ୍ୟୁ ଚକ୍ରବ୍ୟୂହ ଭେଦ କଲେ । ମହାବଳୀ ଭୀମ ପ୍ରଭୃତି ଅନ୍ୟାନ୍ୟ ରଥୀମାନେ ତାହାଙ୍କ ସହିତ ଯିବା ପାଇଁ ଚେଷ୍ଟା କରୁଥିବାବେଳେ ଜୟଦ୍ରଥ ଆସି ସଠାରେ ପହଞ୍ଚିଲେ । ଭୀମ ଓ ଜୟଦ୍ରଥଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ହେଲା । ଭୀମ ବ୍ୟୂହ ମଧ୍ୟରେ ପ୍ରବେଶ କରିପାରିଲେ ନାହିଁ । ଅଭିମନ୍ୟୁ ଏକାକୀ ବ୍ୟୂହର ଗୋଟିକ ପରେ ଗୋଟିଏ ଦ୍ୱାର ଭେଦ କରି ଆଗକୁ ଆଗକୁ ମାଡ଼ିଚାଲିଲେ ।

 

ବ୍ୟୂହର ଦ୍ୱିତୀୟ ଦ୍ୱାରରେ ଦ୍ରୋଣାଚାର୍ଯ୍ୟଙ୍କ ସହିତ ଅଭିମନ୍ୟୁର ଭେଟ ହେଲା । ଉଭୟଙ୍କ ମଧ୍ୟରେ ପ୍ରବଳ ଯୁଦ୍ଧ ହେଲା । ଶେଷରେ ଦ୍ରୋଣାଚାର୍ଯ୍ୟଙ୍କୁ ପରାସ୍ତ କରି ଅଭିମନ୍ୟୁ ତୃତୀୟ ଦ୍ୱାର ଆଡ଼କୁ ଚାଲିଲେ ।

 

ବ୍ୟୂହର ତୃତୀୟ ଦ୍ୱାରକୁ ଜଗି ରହିଥିଲେ ମହାରଥୀ କର୍ଣ୍ଣ । ଅଭିମନ୍ୟୁକୁ ଏକାକୀ ଆସୁଥିବାର ଦେଖି ତାଙ୍କର ସାହସ ବଢ଼ିଗଲା । ସେ ଅଭିମନ୍ୟୁଙ୍କ ଉପରକୁ ବର୍ଷାର ଧାରା ଭଳି ବାଣ ମାରିବାକୁ ଲାଗିଲେ ।

 

କର୍ଣ୍ଣଙ୍କ ବାଣବୃଷ୍ଟିରେ ଅଭିମନ୍ୟୁ ଯେତିକି ବ୍ୟତିବ୍ୟସ୍ତ ହେଲେ, ତାଙ୍କର ରାଗ ବି ସେତିକି ବଢ଼ିଲା । ସେ କର୍ଣ୍ଣଙ୍କ ଉପରକୁ ଅମୋଘ ଅସ୍ତ୍ରମାନ ମାରିଲେ । କର୍ଣ୍ଣ ଅଚେତା ହୋଇ ତଳେ ପଡ଼ିଗଲେ ।

 

ଅଭିମନ୍ୟୁଙ୍କର ଏପରି ବୀରତ୍ୱ ଦେଖି ଦୁର୍ଯ୍ୟୋଧନଙ୍କ ମନରେ ଭୟ ଜାତହେଲା । ଏକାଠି ହୋଇ ଅଭିମନ୍ୟୁକୁ ଆକ୍ରମଣ କରିବା ପାଇଁ ସବୁ ରଥୀମାନଙ୍କୁ ସେ ଆଦେଶ ଦେଲେ । କେହି ଘୋଡ଼ାକୁ ମାରି ଶୁଆଇଲେ ତ କେହି ରଥକୁ କାଟି ଖଣ୍ଡ ଖଣ୍ଡ କରି ପକାଇଲେ ।

 

ଦ୍ରୋଣ ଓ କର୍ଣ୍ଣ ଦୁଇଜଣ ମିଶି ଅଭିମନ୍ୟୁକୁ ଅସ୍ତ୍ରହୀନ କରି ପକାଇଲେ । ହାତରୁ ଧନୁ ଖସିପଡ଼ିବାରୁ ଅଭିମନ୍ୟୁ କୌଣସି ଉପାୟ ନ ଦେଖି ରଥର ଖଣ୍ଡେ ପାହିଆ ଧରି ଚକ୍ର ପରି ବୁଲାଇଲେ ।

 

ଏତିକିବେଳେ ଅଶ୍ୱତ୍‍ଥାମା ଆସି ପାହିଆଟିକୁ କାଟି ଖଣ୍ଡ ଖଣ୍ଡ କରିଦେଲେ । ନିର୍ଦ୍ଦୟ ଜୟଦ୍ରଥ ଅଭିମନ୍ୟୁ ମୁଣ୍ଡରେ ଗଦାପ୍ରହାର କଲେ । ଗଦାର ଆଘାତରେ ଛଟପଟ ହୋଇ ଅଭିମନ୍ୟୁ ତଳେ ପଡ଼ିଗଲେ ।

 

ଦୁର୍ମତୀ ଦୁଃଶାସନ ଦେଖିଲା ଯେ ଅଭିମନ୍ୟୁ ତଳେ ପଡ଼ି ଛଟପଟ ହେଉଛି, ଆଉ ଉଠିବାର କ୍ଷମତା ନାହିଁ । ସୁଯୋଗ ପାଇ ଦୁଃଶାସନ ଅଭିମନ୍ୟୁର ମୁଣ୍ଡରେ ଗଦାପ୍ରହାର କଲା । ଦୁଃଶାସନର ଗଦା ଆଘାତରେ ବୀର ବାଳକ ଅଭିମନ୍ୟୁ ପୃଥିବୀରେ ଅକ୍ଷୟ କୀର୍ତ୍ତି ରଖି ସ୍ୱର୍ଗ ଗମନ କଲେ ।

 

ଜୟଦ୍ରଥ ବଧ :

 

ଅଭିମନ୍ୟୁଙ୍କର ମରଣ ସମ୍ୱାଦ ପାଣ୍ଡବମାନଙ୍କ ମୁଣ୍ଡରେ ବଜ୍ର ପରି ଆଘାତ ଦେଲା । ଯୁଧିଷ୍ଠିର ଅଭିମନ୍ୟୁଙ୍କୁ ବ୍ୟୂହ ଭେଦ କରିବାକୁ ପ୍ରବର୍ତ୍ତାଇ ଥିବାରୁ ନିଜକୁ ଦୋଷୀ ମନେକଲେ । ସବୁବେଳେ ତାଙ୍କ ଆଖିରୁ ଲୁହ ଗଡ଼ିଲା ।

 

ସଂସପ୍ତ ଓ ତ୍ରିଗର୍ତ୍ତ ପ୍ରଭୃତି ଯୋଦ୍ଧାମାନଙ୍କୁ ପରାସ୍ତ କରି ଅର୍ଜ୍ଜୁନ ଶିବିରକୁ ଫେରିଲେ । ତାଙ୍କୁ ଦେଖି ଯୁଧିଷ୍ଠିର ଧୈର୍ଯ୍ୟଧରି ରହିପାରିଲେ ନାହିଁ । ହୃଦୟ ଫଟେଇ କାନ୍ଦିବାକୁ ଲାଗିଲେ ।

 

ବଡ଼ଭାଇଙ୍କର ଅବସ୍ଥା ଦେଖି ଅର୍ଜ୍ଜୁନ ଆଶ୍ଚର୍ଯ୍ୟ ହେଲେ । ପାଖରେ ଥିବା ଲୋକଙ୍କୁ କାରଣ ପଚାରିଲେ; କିନ୍ତୁ କାହାରି ମୁହଁରୁ କଥା ବାହାରିଲା ନାହିଁ ।

 

ଶେଷରେ ଯୁଧିଷ୍ଠିର କାନ୍ଦି କାନ୍ଦି କହିଲେ, ‘‘ଅର୍ଜ୍ଜୁନ ! ମୁଁ ଆଜି ଜାଣିଶୁଣି ଅଭିମନ୍ୟୁକୁ ମରଣ ମୁହଁକୁ ଠେଲିଦେଲି । ମୁଁ ମନା କରିଥିଲେ ହୁଏ ତ ସେ ଚକ୍ରବ୍ୟୂହ ଭେଦ କରିବାକୁ ଯାଇ ନ ଥାନ୍ତା ।’’

 

ଅଭିମନ୍ୟୁର ମୃତ୍ୟୁ ଖବର ଶୁଣି ଅର୍ଜ୍ଜୁନଙ୍କୁ ପାଦତଳୁ ପୃଥିବୀ ଖସିପଡ଼ିଲା ଭଳି ଲାଗିଲା-। ସେ ପିଲାଙ୍କ ପରି କଇଁ କଇଁ ହୋଇ ଛାତି ଫଟେଇ କାନ୍ଦିବାକୁ ଲାଗିଲେ ।

 

ଏତିକିବେଳେ ଭଗବାନ ଶ୍ରୀକୃଷ୍ଣ ସେଠାରେ ଆସି ପହଞ୍ଚିଲେ । ଅର୍ଜ୍ଜୁନଙ୍କୁ ଲକ୍ଷ୍ୟକରି କହିଲେ,‘‘କିଏ କାହାର ପୁତ୍ର, କିଏ କାହାର ପିତା ? ସବୁ ଖାଲି ମାୟା ଓ ମୋହରେ ଜଡ଼ିତ । ତୁମ୍ଭର ପୁଅ କ୍ଷତ୍ରିୟ । ଯୁଦ୍ଧରେ ମରିବା ଓ ମାରିବା କ୍ଷତ୍ରିୟର ଧର୍ମ । ଅଭିମନ୍ୟୁ କ୍ଷତ୍ରିୟୋଚିତ କାର୍ଯ୍ୟ କରି ସ୍ୱର୍ଗଲାଭ କରିଛି । ତୁମ୍ଭେ ବୃଥାରେ କାନ୍ଦି କିଛି ଲାଭ ନାହିଁ । ନିଜର କର୍ତ୍ତବ୍ୟ ପ୍ରତି ଦୃଷ୍ଟି ଦିଅ । ତୁମ୍ଭେ ନିଜେ ଧୈର୍ଯ୍ୟ ଧରି ଅନ୍ୟମାନଙ୍କୁ ଶାନ୍ତ କରାଅ । କାନ୍ଦିଲେ ଅଭିମନ୍ୟୁ ଆଉ ଫେରିଆସିବ ନାହିଁ, ଏହା ନିରାଟ ସତ କଥା ।’’

 

ଶ୍ରୀକୃଷ୍ଣଙ୍କ ଉପଦେଶବାଣୀ ଶୁଣି ଅର୍ଜ୍ଜୁନ ଶାନ୍ତ ହେଲେ ଏବଂ ସଙ୍ଗେ ସଙ୍ଗେ ପ୍ରତଜ୍ଞା କଲେ, ‘କାଲି ଯୁଦ୍ଧରେ ଯେବେ ଜୟଦ୍ରଥଙ୍କୁ ନ ମାରିବି, ତେବେ ଜଳନ୍ତା ନିଆଁରେ ପଶି ମରିବ ।’’

 

ଅର୍ଜ୍ଜୁନଙ୍କ ପ୍ରତିଜ୍ଞା ଶୁଣି କୌରବଶ୍ରେଷ୍ଠ ଦୁର୍ଯ୍ୟୋଧନ ପ୍ରମାଦ ଗଣିଲେ । ପରଦିନ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଜୟଦ୍ରଥଙ୍କୁ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ଦାୟିତ୍ୱରେ ଛଡ଼ାଗଲା ।

 

ସେଦିନ ଦ୍ରୋଣାଚାର୍ଯ୍ୟ ଶକଟବ୍ୟୂହ ରଚନା କଲେ । ଜୟଦ୍ରଥଙ୍କୁ ସେହି ବ୍ୟୂହର ମଝିରେ ରଖାଗଲା ।

 

ଯୁଦ୍ଧ ଆରମ୍ଭ ହେଲା । ଶକଟବ୍ୟୂହର ପ୍ରଥମ ଦ୍ୱାରରେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ସହିତ ମହାବୀର ଅର୍ଜ୍ଜୁନଙ୍କର ଭେଟ ହେଲା, କିନ୍ତୁ ଅର୍ଜ୍ଜୁନ ଦ୍ରୋଣାଚାର୍ଯ୍ୟଙ୍କ ସହିତ ଯୁଦ୍ଧ ନ କରି ଜୟଦ୍ରଥକୁ ଖୋଜିବାକୁ ଲାଗିଲେ । ଜୟଦ୍ରଥ ବ୍ୟୂହ ମଧ୍ୟରେ ଥିବାର ଖବର ପାଇ ଅର୍ଜ୍ଜୁନ ଶକଟବ୍ୟୂହ ଭେଦ କରିବାକୁ ଆଗେଇଲେ । ଦ୍ରୋଣାଚାର୍ଯ୍ୟ କିନ୍ତୁ ତାଙ୍କୁ ବ୍ୟୂହ ଭିତରକୁ ଛାଡ଼ିଦେଲେ ନାହିଁ । ପ୍ରବଳ ପ୍ରତିରୋଧ କଲେ ।

 

ଭଗବାନ ଶ୍ରୀକୃଷ୍ଣ ଅର୍ଜ୍ଜୁନଙ୍କର ରଥକୁ ଏପରି ଚଞ୍ଚଳ ଗତିରେ ଚଳେଇଲେ ଯେ ଦ୍ରୋଣାଚାର୍ଯ୍ୟଙ୍କର ସମସ୍ତ କୌଶଳ ବୃଥା ହୋଇଥିଲା ।

 

ରଥ ଆଗକୁ ଆଗକୁ ମାଡ଼ିଚାଲିଲା, ଦ୍ରୋଣ ପଛରେ ପଡ଼ିଗଲେ । ଅର୍ଜ୍ଜୁନଙ୍କୁ ସାହାଯ୍ୟ ଦେବା ପାଇଁ ଭୀମ ଓ ସାତ୍ୟକୀ ପଛରେ ଆସୁଥିଲେ ।

 

ବ୍ୟୂହର ପ୍ରଥମ ଦ୍ୱାରରେ ହିଁ ଦ୍ରୋଣଙ୍କ ସହିତ ସେମାନଙ୍କର ଭେଟ ହେଲା । ଦ୍ରୋଣ କହିଲେ–ଭୀମ ! ତୁମ୍ଭେ ଫେରିଯାଅ ନଚେତ୍‍ ପ୍ରାଣ ପାଇବ ନାହିଁ ।

 

ଦ୍ରୋଣଙ୍କ କଥା ଶୁଣି ଭୀମ ରାଗିଗଲେ । ସେ ଏତେ ଜୋରରେ ଗଦା ଚଳେଇଲେ ଯେ ଦ୍ରୋଣାଚାର୍ଯ୍ୟ ରଥରୁ ଓହ୍ଲାଇ ପଡ଼ିବାକୁ ବାଧ୍ୟ ହେଲେ । ତା’ପରେ ଭୀମ ଆଗକୁ ମାଡ଼ିଚାଲିଲେ ।

 

ମହାରଥୀ କର୍ଣ୍ଣ ସେଠାରେ ଉପସ୍ଥିତ ଥିଲେ ମଧ୍ୟ ମାତା କୁନ୍ତୀଙ୍କୁ କଥା ଦେଇଥିବାରୁ ତାଙ୍କୁ ଆକ୍ରମଣ କଲେ ନାହିଁ ।

 

ଦିନର ଶେଷଭାଗ ଆସି ଉପସ୍ଥିତ ହେଲା । ସେ ପର୍ଯ୍ୟନ୍ତ ଅର୍ଜ୍ଜୁନଙ୍କର ପ୍ରତିଜ୍ଞା ପୂରଣ ହୋଇପାରିଲା ନାହିଁ ।

 

ଏତିକିବେଳେ ହଠାତ୍ ଆକାଶରେ ମେଘ ଦେଖାଗଲା । ସୂର୍ଯ୍ୟଦେବ ଆଉ ଦେଖାଗଲେ ନାହିଁ । ଚାରିଆଡ଼ ଅନ୍ଧକାରମୟ ହୋଇଗଲା । କୌରବ ଶହେ ଭାଇ ଆନନ୍ଦରେ ନାଚିଉଠିଲେ ।

 

ଅର୍ଜ୍ଜୁନ ପ୍ରତିଜ୍ଞା ରକ୍ଷା କରି ନ ପାରିଥିବାରୁ ନିଜ ଇଚ୍ଛାରେ ଅନଳରେ ପଶିବେ । ଏହି ଜଳନ୍ତା ନିଆଁରେ ପ୍ରବେଶ ଉତ୍ସବ ଦେଖିବା ପାଇଁ ସମସ୍ତେ ଅସ୍ତ୍ରଶସ୍ତ୍ର ଫିଙ୍ଗିଦେଇ ଧାଇଁ ଆସିଲେ ।

 

ଦ୍ରୋଣ, ଜୟଦ୍ରଥ ପ୍ରଭୃତି ରଥୀମାନେ ଭାବିଲେ ଯେ ଅର୍ଜ୍ଜୁନ କଦାପି ପ୍ରତିଜ୍ଞାରେ ହାରିବେ ନାହିଁ । ଆଜି ନିଶ୍ଚୟ ନିଆଁରେ ପଡ଼ି ମରିବେ । ଏହା ଭାବି ସେମାନେ ଧନୁ ଛାଡ଼ି ଧାଇଁ ଆସିଲେ ।

 

ଯାହା କଥା ତା’ ମୁହଁରେ ରହିଲା ।

ହଠାତ୍‍ କ’ଣ ହେଲା କେଜାଣି–ଆକାଶରୁ ମେଘ ଘୁଞ୍ଚିଗଲା । ସୂର୍ଯ୍ୟକିରଣ ପୃଥିବୀ ଉପରେ ବିଞ୍ଚି ହୋଇ ପଡ଼ିଲା । ଚାରିଆଡ଼ ଆଲୋକିତ ହୋଇଗଲା ।

ହଠାତ୍‍ ଭଗବାନ ଶ୍ରୀକୃଷ୍ଣ ଅର୍ଜ୍ଜୁନଙ୍କୁ ଲକ୍ଷ୍ୟକରି କହିଲେ–ସଖା ! ହେଇଟି ଦେଖ, ସନ୍ଧ୍ୟା ହେବାକୁ ଆହୁରି କେତେ ସମୟ ବାକି ଅଛି । ସୂର୍ଯ୍ୟଦେବ ଏ ପର୍ଯ୍ୟନ୍ତ ଅସ୍ତ ହୋଇନାହାନ୍ତି ।

ଶ୍ରୀକୃଷ୍ଣଙ୍କ କଥାରେ ବିଶ୍ୱାସ ନ କରି ଜୟଦ୍ରଥ ଆକାଶକୁ ମୁଣ୍ଡଟେକି ଚାହିଁଲେ । ଏତିକିବେଳେ ମହାବୀର ଅର୍ଜ୍ଜୁନ ଏକ ଅମୋଘ ଅସ୍ତ୍ର ମାରି ଜୟଦ୍ରଥଙ୍କର ମୁଣ୍ଡ କାଟିଦେଲେ ।

ଭଗବାନ ଶ୍ରୀକୃଷ୍ଣ କପଟ କରି ଏପରି କଲେ ବୋଲି ସମସ୍ତେ କୁହାକୁହି ହଲେ ।

ଘଟୋତ୍କଚ ବଧ :

ଜୟଦ୍ରଥଙ୍କ ମୃତ୍ୟୁରେ କୌରବ ପକ୍ଷର ବହୁତ କ୍ଷତି ହେଲା । ଦୁର୍ଯ୍ୟୋଧନ ଦୁଃଖରେ ଭାଙ୍ଗି ପଡ଼ିଲେ ।

ଚତୁର୍ଦ୍ଦଶ ଦିନ ଯୁଦ୍ଧରେ ମହାରଥୀ କର୍ଣ୍ଣ ପାଣ୍ଡବପକ୍ଷ ସେନାଙ୍କୁ ପୋକ ମାଛି ପରି ମାରିବାରେ ଲାଗିଲେ । କୁରୁକ୍ଷେତ୍ର ଉପରେ ରକ୍ତର ନଦୀ ବୋହିଲା । ଯୁଦ୍ଧଭୂମି ଶବରେ ପୂର୍ଣ୍ଣ ହୋଇଗଲା ।

କର୍ଣ୍ଣଙ୍କର ପ୍ରତିରୋଧ କରିବା ପାଇଁ ଯୁଧିଷ୍ଠିର ଅର୍ଜ୍ଜୁନଙ୍କୁ ପଠେଇଲେ; କିନ୍ତୁ ଭଗବାନ ଶ୍ରୀକୃଷ୍ଣ ଯିବା ପାଇଁ ମନା କଲେ ।

ଭୀମଙ୍କ ପୁଅ ଘଟୋତ୍କଚଙ୍କୁ କର୍ଣ୍ଣଙ୍କ ସହିତ ଯୁଦ୍ଧ କରିବା ପାଇଁ ପଠାଗଲା । ଘଟୋତ୍କଚ ଓ କର୍ଣ୍ଣଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ହେଲା । ଯେତେ ଚେଷ୍ଟା କଲେ ମଧ୍ୟ ମହାରଥୀ କର୍ଣ୍ଣ ବୀର ଘଟୋତ୍କଚଙ୍କୁ ହରେଇ ପାରିଲେ ନାହିଁ । ଅର୍ଜ୍ଜୁନଙ୍କୁ ମାରିବା ପାଇଁ ଯେଉଁ ଅମୋଘ ଅସ୍ତ୍ରଟି ଗୋପନରେ ରଖିଥିଲେ, ତାହା ଘଟୋତ୍କଚଙ୍କ ଉପରକୁ ମାରିଲେ । ବୀର ଘଟୋତ୍କଚ ସଙ୍ଗେ ସଙ୍ଗେ ମରିଗଲେ ।

ଘଟୋତ୍କଚଙ୍କର ମୃତ୍ୟୁସମ୍ୱାଦ ପାଇ ପାଣ୍ଡବମାନେ ବିଶେଷ ଦୁଃଖିତ ହୋଇ ପଡ଼ିଲେ; କିନ୍ତୁ ଭଗବାନ ଶ୍ରୀକୃଷ୍ଣଙ୍କ ମନରେ ଆଦୌ ଦୁଃଖ ଜାତହେଲା ନାହିଁ ।

ଅର୍ଜ୍ଜୁନ ସଖା ଶ୍ରୀକୃଷ୍ଣଙ୍କୁ ଏହାର କାରଣ ପଚାରିବାରୁ ସେ କହିଲେ, ଯେଉଁ ଅସ୍ତ୍ର ତୁମ୍ଭ ଉପରେ ପ୍ରହାର କରିବା ପାଇଁ କର୍ଣ୍ଣ ସାଇତି ରଖିଥିଲେ, ତାହା ଘଟୋତ୍କଚଙ୍କ ଉପରେ ପ୍ରହାର କରିଛନ୍ତି । ମୁଁ ଜାଣି ଶୁଣି ତୁମ୍ଭଙ୍କୁ ମନାକଲି ଏବଂ ଘଟୋତ୍କଚଙ୍କୁ ପଠାଇଲି ।

ବର୍ତ୍ତମାନ କର୍ଣ୍ଣ ଜିତିଛନ୍ତି ସତ, କିନ୍ତୁ ମଲାପରି । ତାହାଙ୍କ ହସ୍ତରେ ଅମୋଘ ଶକ୍ତି ନାହିଁ । ତୁମ୍ଭେ ଯେତେବେଳେ ଇଚ୍ଛା କରିବ, ସେତେବେଳେ କର୍ଣ୍ଣଙ୍କୁ ସହଜରେ ଜୟ କରିପାରିବ ।

ଦ୍ରୁପଦ ଓ ବିରାଟ ବଧ :

ପଞ୍ଚଦଶ ଦିନ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଦ୍ରୋଣ ଦୁର୍ଯ୍ୟୋଧନଙ୍କୁ ବୋଧ ଦେଇ କହିଲେ, ‘‘ଆଜି ମୁଁ ନିଶ୍ଚୟ ଜଣେ ବିଶିଷ୍ଟ ଯୋଦ୍ଧାଙ୍କୁ ମାରିବି ।’’

ଆଚାର୍ଯ୍ୟଙ୍କର ପ୍ରତିଜ୍ଞା ଶୁଣି ଦୁର୍ଯ୍ୟୋଧନ ସନ୍ତୋଷ ହେଲେ ।

ଯୁଦ୍ଧ ଆରମ୍ଭ ହେବା ସଙ୍ଗେ ସଙ୍ଗେ ଆଚାର୍ଯ୍ୟ ଦ୍ରୋଣ ଧର୍ମରାଜ ଯୁଧିଷ୍ଠିରଙ୍କୁ ଖୁବ୍‍ ଜୋରରେ ଆକ୍ରମଣ କଲେ । ଯୁଧିଷ୍ଠିରଙ୍କୁ ଦ୍ରୋଣଙ୍କ କବଳରୁ ରକ୍ଷାକରିବା ପାଇଁ ଅର୍ଜ୍ଜୁନ ତାଙ୍କ ପାଖେ ପାଖେ ରହିଲେ ।

ରାଜା ବିରାଟ ଓ ଦ୍ରୁପଦ ଉଭୟେ ଦ୍ରୋଣଙ୍କର ଆକ୍ରମଣକୁ ପ୍ରତିରୋଧ କଲେ । ଘମାଘୋଟ ଯୁଦ୍ଧ ହେଲା । ଅଳ୍ପ ସମୟ ମଧ୍ୟରେ ରାଜା ବିରାଟ ଓ ଦ୍ରୁପଦ ଉଭୟେ ଦ୍ରୋଣଙ୍କ ବାଣରେ ମରିଗଲେ ।

ପିତାଙ୍କର ମୃତ୍ୟୁରେ ଧୃଷ୍ଟଦ୍ୟୁମ୍ନ ଦୁଃଖପ୍ରକାଶ କରିବା ସଙ୍ଗେ ସଙ୍ଗେ ପିତୃହନ୍ତାର ପ୍ରତିଶୋଧ ନେବା ପାଇଁ ଶପଥ କଲେ ।

ଦ୍ରୋଣାଚାର୍ଯ୍ୟ ବଧ :

 

ସେଦିନ ଯୁଦ୍ଧରେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କର ସଂହାର ମୂର୍ତ୍ତି ଦେଖି ମହାବୀର ଅର୍ଜ୍ଜୁନଙ୍କ ମନରେ ଭୟ ଜାତ ହେଲା ।

 

ଅର୍ଜ୍ଜୁନଙ୍କୁ ଚିନ୍ତିତ ହେବାର ଦେଖି ଶ୍ରୀକୃଷ୍ଣ ଏକ ଉପାୟ ବତେଇଲେ ଏବଂ ସେହି ପ୍ରକାରେ କାର୍ଯ୍ୟ କରିବା ପାଇଁ ଅର୍ଜ୍ଜୁନଙ୍କୁ ପ୍ରବର୍ତ୍ତାଇଲେ ।

 

ଅବନ୍ତୀର ରାଜା ଇନ୍ଦ୍ରବର୍ମାଙ୍କର ଅଶ୍ୱତ୍‍ଥାମା ନାମରେ ଗୋଟିଏ ହାତୀ ଥିଲା । ସେହି ହାତୀଟିକୁ ମାରିଦେବା ପାଇଁ ଭୀମଙ୍କୁ କୁହାଗଲା । ମହାବଳୀ ଭୀମ ସଙ୍ଗେ ସଙ୍ଗେ ଶ୍ରୀକୃଷ୍ଣଙ୍କର ଆଦେଶ ପାଳନ କରି ହାତୀଟିକୁ ମାରିଦେଲେ ।

 

ତା’ପରେ ଶ୍ରୀକୃଷ୍ଣ ଓ ଅନ୍ୟାନ୍ୟ ରଥୀମାନେ ‘‘ଅଶ୍ୱତ୍‍ଥାମା ହତ’’ ବୋଲି ଖୁବ୍‍ ଜୋରରେ ପାଟି କଲେ । ଧର୍ମରାଜ ଯୁଧିଷ୍ଠିରଙ୍କ ମୁଖରୁ ବି ଶୁଣାଗଲା, ‘‘ନରେ ବା ଗୁଞ୍ଜରେ ଅଶ୍ୱତ୍‍ଥାମା ହତ ।’’

ଶ୍ରୀକୃଷ୍ଣଙ୍କ କପଟତା ଯୋଗୁଁ ‘‘ଅଶ୍ୱତ୍‍ଥାମା ହତ’’ ଛଡ଼ା ଦ୍ରୋଣାଚାର୍ଯ୍ୟଙ୍କୁ ଆଉ କିଛି ଶୁଣାଗଲା ନାହିଁ ।

ପ୍ରଥମେ ପ୍ରଥମେ ଦ୍ରୋଣ ବିଶ୍ୱାସ କରୁ ନ ଥିଲେ । ପରେ ଯୁଧିଷ୍ଠିରଙ୍କ ମୁଖରୁ ‘‘ଅଶ୍ୱତ୍‍ଥାମା ହତ’’ ଶୁଣି ପାରି ତାଙ୍କର ଧୈର୍ଯ୍ୟ ରହିଲା ନାହିଁ । ଅସ୍ତ୍ରଧରିବା ପାଇଁ ତାଙ୍କ ହାତରେ ବଳ ରହିଲା ନାହିଁ । ସେ ମନେ ମନେ ଚିନ୍ତା କଲେ ଯେ ଯେଉଁ ପୁଅର ସ୍ନେହକୁ ଛାଡ଼ି ନ ପାରି ବ୍ରାହ୍ମଣ ହୋଇ କ୍ଷତ୍ରିୟ ଧର୍ମ ଗ୍ରହଣ କଲି–ତପସ୍ୱୀ ହେବା ଆଶାକୁ ତ୍ୟାଗ କରି ଧନୁର୍ଦ୍ଧାରୀ ହେଲି–କ୍ଷମା ଓ ଶାନ୍ତିର ବଦଳରେ ପ୍ରତିହିଂସା ଓ ପ୍ରବଞ୍ଚନାକୁ ଗଳାରେ ମାଳା କରି ପିନ୍ଧିଲି–ସେହି ପୁଅ ଯଦି ମୋତେ ଛାଡ଼ି ଚାଲିଗଲା, ତେବେ ମୁଁ ଆଉ କାହିଁକି ବଞ୍ଚିରହିବି ? ଏହାଭାବି ଦ୍ରୋଣ ଅସ୍ତ୍ର ଛାଡ଼ିଦେଲେ ।

ପିତୃହନ୍ତାର ପ୍ରତିଶୋଧ ନେବା ପାଇଁ ଧୃଷ୍ଟଦ୍ୟୁମ୍ନ ଆଗରୁ ସୁଯୋଗ ଖୋଜୁଥିଲେ । ଦ୍ରୋଣଙ୍କ ହାତରେ ଅସ୍ତ୍ର ନ ଥିବାର ଦେଖି ତାଙ୍କ ଉପରକୁ ଏକ ଅମୋଘ ଅସ୍ତ୍ର ମାରିଲେ । ଦ୍ରୋଣଙ୍କର ମୁଣ୍ଡ ଛିଣ୍ଡି ଭୂମିରେ ପଡ଼ିଗଲା ।

ପିତାଙ୍କର ମରଣ ସମ୍ୱାଦ ପାଇ ପୁତ୍ର ଅଶ୍ୱତ୍‍ଥାମା ରାଗରେ ଜଳିଉଠିଲେ । ପାଣ୍ଡବମାନଙ୍କୁ ସମୂଳେ ବିନାଶ କରିବା ପାଇଁ ଶପଥ କରି ଧାଇଁ ଆସିଲେ ।

ଅଶ୍ୱତ୍‍ଥାମା ପ୍ରଥମେ ପାଣ୍ଡବମାନଙ୍କ ଉପରକୁ ନାରାୟଣ–ଅସ୍ତ୍ର ମାରିଲେ । ନାରାୟଣ–ଅସ୍ତ୍ରର ପ୍ରତିକାର ଭଗବାନ ଶ୍ରୀକୃଷ୍ଣଙ୍କୁ ଜଣାଥିଲା । ସେ ସମସ୍ତଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରିବା ପାଇଁ ନିର୍ଦ୍ଦେଶ ଦେଲେ । ନାରାୟଣଅସ୍ତ୍ର ବିଫଳ ହେଲା ।

ଏତେ ବଡ଼ ଅମୋଘ ଅସ୍ତ୍ର ବିଫଳ ହେବାରୁ ଅଶ୍ୱତ୍‍ଥାମାଙ୍କର ରାଗ ଆହୁରି ବଢ଼ିଗଲା । ସେ ଭୟଙ୍କର ରୂପ ଧାରଣ କରି ପାଣ୍ଡବସେନାଙ୍କୁ ପୋକମାଛି ପରି ଦଳିବାକୁ ଲାଗିଲେ ।

ମହାବୀର ଅର୍ଜ୍ଜୁନ ଅଶ୍ୱତ୍‍ଥାମାଙ୍କର ପ୍ରବଳ ପ୍ରତିରୋଧ କରିବାରୁ ଅଶ୍ୱତ୍‍ଥାମା ଆଗ୍ନେୟଅସ୍ତ୍ର ମାରିଲେ । ଆଗ୍ନେୟଅସ୍ତ୍ରର ଶବ୍ଦରେ ସାରା ପୃଥିବୀ କମ୍ପିଲା । ପାଣ୍ଡବସେନା ତ୍ରହି ତ୍ରାହି ଡାକ ଛାଡ଼ିଲେ । ବୀର ଶ୍ରେଷ୍ଠ ଅର୍ଜ୍ଜୁନ ବରୁଣାସ୍ତ୍ର ମାରି ଉକ୍ତ ଆଗ୍ନେୟାସ୍ତ୍ରର ପ୍ରତିରୋଧ କଲେ । ସନ୍ଧ୍ୟା ହୋଇଯିବାରୁ ଯୁଦ୍ଧ ବନ୍ଦ ହେଲା ।

Image

 

Unknown

କର୍ଣ୍ଣପର୍ବ

 

କର୍ଣ୍ଣଙ୍କ ସେନାପତିତ୍ୱ :

 

ଷୋଡ଼ଶ ଦିନ ଯୁଦ୍ଧରେ କର୍ଣ୍ଣ ସେନାପତି ହେଲେ । ଦୁର୍ଯ୍ୟୋଧନଙ୍କର କର୍ଣ୍ଣଙ୍କ ଉପରେ ପୂରା ଭରସା ଥିଲା ଯେ କର୍ଣ୍ଣ ପାଣ୍ଡବମାନଙ୍କୁ ମାରିଦେବେ ।

 

ଯୁଦ୍ଧ ଆରମ୍ଭରେ କର୍ଣ୍ଣ ମକରବ୍ୟୂହ ରଚନା କଲେ ।

 

ପ୍ରଥମେ ନକୁଳ ଓ କର୍ଣ୍ଣଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ହେଲା । କର୍ଣ୍ଣଙ୍କ ପରି ଅଦ୍ୱିତୀୟ ଯୋଦ୍ଧାଙ୍କ ସଂଗରେ ନକୁଳ ବେଶି ସମୟ ଯୁଦ୍ଧ କରିପାରିଲେ ନାହିଁ । ଶେଷରେ ପରାସ୍ତ ହେଲେ । ମାତା କୁନ୍ତୀଙ୍କୁ କଥା ଦେଇଥିବାରୁ କର୍ଣ୍ଣ ନକୁଳଙ୍କୁ ନ ମାରି ଛାଡ଼ିଦେଲେ ।

 

ଅନ୍ୟ ଦିଗରେ ଦୁର୍ଯ୍ୟୋଧନଙ୍କ ସହିତ ଯୁଧିଷ୍ଠିର ଲଢ଼ୁଥିଲେ । ଯୁଧିଷ୍ଠିରଙ୍କ ବାଣରେ ଦୁର୍ଯ୍ୟୋଧନ ଅଚେତ ହୋଇପଡ଼ିଲେ ।

 

ଭୀମ କହିଲେ–ଭାଇ ! ତୁମେ ଏ ପାପୀକୁ ମାର ନାହିଁ । ମୁଁ ତାକୁ ମାରିବାକୁ ପ୍ରତିଜ୍ଞା କରିଛି । ତୁମେ ଏହାକୁ ମାରିଲେ ମୁଁ ପ୍ରତିଜ୍ଞା ଭ୍ରଷ୍ଟ ହେବି ।

 

ଭୀମଙ୍କ ଅନୁରୋଧରେ ଯୁଧିଷ୍ଠିର ଦୁର୍ଯ୍ୟୋଧନଙ୍କୁ ନ ମାରି ଛାଡ଼ିଦେଲେ । ଷୋଡ଼ଶ ଦିନର ଯୁଦ୍ଧ ଏତିକିରେ ବନ୍ଦ ହେଲା ।

 

ସପ୍ତଦଶ ଦିନ ଅର୍ଜ୍ଜୁନଙ୍କୁ ମାରିବା ପାଇଁ ପ୍ରତିଜ୍ଞା କରି କର୍ଣ୍ଣ ପର୍ଶୁରାମଠାରୁ ପାଇଥିବା ଅସ୍ତ୍ରଶସ୍ତ୍ର ସବୁ ଧରି ଯୁଦ୍ଧଭୂମିକୁ ଆସିଲେ ।

 

ପ୍ରଥମେ ଅର୍ଜ୍ଜୁନଙ୍କ ସହିତ ତ୍ରିଗର୍ତ୍ତ ଦେଶର ରାଜା ସୁଶର୍ମାଙ୍କର ଭେଟ ହେଲା । ସୁଶର୍ମା ଅର୍ଜ୍ଜୁନଙ୍କ ବାଣରେ ମରିଗଲେ ।

 

ମହାବଳୀ ଭୀମ ମଧ୍ୟ ଦୁର୍ଯ୍ୟୋଧନଙ୍କର ଛଅ ଗୋଟି ଭାଇଙ୍କୁ ମାରିଦେଲେ ।

 

ମହାରଥୀ କର୍ଣ୍ଣ ଅର୍ଜ୍ଜୁନଙ୍କୁ ଖୋଜି ଖୋଜି ଆସି ଯୁଧିଷ୍ଠିରଙ୍କୁ ଭେଟିଲେ । ଯୁଧିଷ୍ଠିର କର୍ଣ୍ଣଙ୍କର ପ୍ରବଳ ଆକ୍ରମଣର ପ୍ରତିରୋଧ କରି ନ ପାରି ଶିବିରକୁ ଫେରିଗଲେ ।

 

ଦୁଃଶାସନ ବଧ :

 

ଭୀମଙ୍କ ଆଖି ଆଗରେ କର୍ଣ୍ଣ ଶିଖଣ୍ଡୀକୁ ହତ୍ୟା କରିବାରୁ ଭୀମଙ୍କର ରାଗ ଶହେ ଗୁଣ ବଢ଼ିଗଲା । ସେ ରାଗରେ ଜଳିଯାଇ କର୍ଣ୍ଣଙ୍କ ଆଡ଼କୁ ଧାଇଁଗଲେ ।

 

ଏତିକିବେଳେ ଦୁଃଶାସନ ହଠାତ୍ ଆସି ପହଞ୍ଚିଗଲେ । ସେ ଭୀମଙ୍କୁ ଲକ୍ଷ୍ୟ କରି କହିଲେ–କିରେ ଭୀମ ! କୁଆଡ଼େ ଯାଉଛୁ ? ଏ ଆଡ଼ୁକୁ ଆ, ତୋ ବୀରପଣିଆ ମୁଁ ଆଜି ପରୀକ୍ଷା କରିବି ।

 

ଦୁଃଶାସନର ତାଚ୍ଛଲ୍ୟ ଭାଷା ଶୁଣି ମହାବଳୀ ଭୀମ କର୍ଣ୍ଣଙ୍କ ଆଡ଼କୁ ନ ଯାଇ ଦୁଃଶାସନକୁ ମାଡ଼ିବସିଲେ । ବହୁ ସମୟ ଧରି ଦୁଇଜଣଙ୍କ ମଧ୍ୟରେ ଖୁବ୍‍ ଜୋରରେ ଯୁଦ୍ଧ ଲାଗିଲା-। କେତେବେଳେ ଦୁଃଶାସନ ଭୀମଙ୍କୁ ମାଡ଼ି ବସୁଥାନ୍ତି ତ କେତେବେଳେ ଭୀମ ଦୁଃଶାସନଙ୍କୁ ମାଡ଼ି ବସୁଥାନ୍ତି । ପୁଣି ଦୁହେଁ କେତେବେଳେ ଉଠି ଗଦାରେ ପିଟାପିଟି ହୁଅନ୍ତି ।

 

ଏହିପରି ବହୁ ସମୟ ଯୁଦ୍ଧ ହେବା ପରେ ଭୀମଙ୍କର ଗଦାପ୍ରହାରରେ ଦୁଃଶାସନ ମଲା ପରି ପଡ଼ିରହିଲେ । ଏହି ସମୟରେ ଭୀମଙ୍କର ପ୍ରତିଜ୍ଞା ମନେ ପଡ଼ିଗଲା । ସେ ସଙ୍ଗେ ସଙ୍ଗେ ଏକ ତରବାରି ଉଠାଇ ଦୁଃଶାସନର ଛାତିରେ ଭୁଷିଦେଲେ । ଦୁଃଶାସନର ଛାତି ଫୁଟି ପିଚ୍‍ ପିଚ୍‍ ହୋଇ ରକ୍ତ ବହିଲା । ରକ୍ତପିଆ ବାଘ ଭଳି ଭୀମ ଦୁଃଶାସନର ରକ୍ତ ପିଇବାକୁ ଲାଗିଲେ ।

 

ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥାନ୍ତି । କାହାରି ପାଟିରୁ କଥା ବାହାରୁ ନ ଥାଏ । ଭୀମଙ୍କର ଦେହ ଦୁଃଶାସନର ରକ୍ତରେ ବୁଡ଼ିଗଲା । ସେ ଏକ ପାଗଳ ହାତୀ ଭଳି ଯୁଦ୍ଧଭୂମିରେ ଏଣେ ତେଣେ ଧାଇଁବାକୁ ଲାଗିଲେ । ବଡ଼ ବଡ଼ ଯୋଦ୍ଧାମାନେ ଭୀମଙ୍କର ଏଭଳି ଭୟଙ୍କର ରୂପ ଦେଖି ମୃତ୍ୟୁର ଭୟରେ ଥରିବାକୁ ଲାଗିଲେ ।

 

କର୍ଣ୍ଣ ବଧ :

 

କର୍ଣ୍ଣଙ୍କ ଆକ୍ରମଣରେ ବ୍ୟତିବ୍ୟସ୍ତ ହୋଇ ଯୁଧିଷ୍ଠିର ଶିବିରକୁ ଫେରିଯିବା ପରେ ଅର୍ଜ୍ଜୁନଙ୍କର ରାଗ ଦୁଇ ଗୁଣ ବଢ଼ିଗଲା । ସେ ବଛା ବଛା ଅସ୍ତ୍ର ପ୍ରହାର କରି କୌରବମାନଙ୍କୁ ନିର୍ଦ୍ଦୟ ଭାବରେ ମାରି ପକାଇଲେ । କୌରବବାହିନୀ ମଧ୍ୟରେ ହାହାକାର ପଡ଼ିଗଲା ।

 

ଅଶ୍ୱତ୍‍ଥାମା ସୈନ୍ୟମାନଙ୍କର ବିକଳ ସହିପାରିଲେ ନାହିଁ । ଯୁଦ୍ଧ ବନ୍ଦ କରିବା ପାଇଁ ଦୁର୍ଯ୍ୟୋଧନଙ୍କୁ ଅନୁରୋଧ କଲେ ।

 

ଦୁର୍ଯ୍ୟୋଧନ ଅଶ୍ୱତ୍‍ଥାମାଙ୍କର କଥା ଶୁଣିଲେ ନାହିଁ । ଆଖି ଆଗରେ ପ୍ରିୟ ଭାଇ ଦୁଃଶାସନର ମରଣ ଦେଖି ସେ ହିତାହିତ ଜ୍ଞାନ ଭୁଲି ଯାଇଥିଲେ । ତାଙ୍କ ହୃଦୟରେ ପ୍ରତିଶୋଧର ନିଆଁ କୁହୁଳୁଥିଲା । ଭୀମ ଯେଉଁଭଳି ଦୁଃଶାସନଙ୍କୁ ହତ୍ୟା କଲେ, ଠିକ୍‍ ସେହିପରି ପାଣ୍ଡବ ପାଞ୍ଚଭାଇଙ୍କର ଛାତିକୁ ଚିରି ରକ୍ତ ପିଇବା ପାଇଁ ତାଙ୍କର ଇଚ୍ଛା ହେଉଥିଲା । କିନ୍ତୁ ତାଙ୍କର ଦୁର୍ଭାଗ୍ୟ କିଛି କରେଇ ଦେଉ ନଥିଲା ।

 

ଯୁଦ୍ଧ ବନ୍ଦ ହେଲା ନାହିଁ । ଅଶ୍ୱତ୍‍ଥାମା ନିରାଶ ହୋଇ ଫେରିଗଲେ ।

 

କର୍ଣ୍ଣ ଓ ଅର୍ଜ୍ଜୁନଙ୍କ ମଧ୍ୟରେ ପ୍ରବଳ ଯୁଦ୍ଧ ଚାଲିଥିବାବେଳେ ଅର୍ଜ୍ଜୁନଙ୍କ ଧନୁର ଗୁଣ ଛିଣ୍ଡିଗଲା । ଏତିକିବେଳେ କର୍ଣ୍ଣ ଶହ ଶହ ଶର ମାରି ରଥକୁ ଅଚଳ କରି ପକାଇଲେ । ସଙ୍ଗେ ସଙ୍ଗେ ଅର୍ଜ୍ଜୁନ ଧନୁରେ ଗୁଣ ଦେଇ କର୍ଣ୍ଣଙ୍କର ସମସ୍ତ ଅସ୍ତ୍ରକୁ ପ୍ରତିଅସ୍ତ୍ର ମାରି ବିଫଳ କରି ପକାଇଲେ ।

 

ସବୁ ଅସ୍ତ୍ରଗୁଡ଼ିକ ବିଫଳ ହୋଇଯିବାରୁ କର୍ଣ୍ଣ ନାଗାସ୍ତ୍ର ପ୍ରୟୋଗ କଲେ । ଉକ୍ତ ନାଗାସ୍ତ୍ର ଭୟଙ୍କର ଗର୍ଜ୍ଜନ କରି ଆସୁଥିବାର ଦେଖି ଶ୍ରୀକୃଷ୍ଣ ରଥଟିକୁ ନୁଆଁଇ ଦେଲେ । ନାଗାସ୍ତ୍ର ଉପରେ ଉପରେ ଚାଲିଗଲା । ଅର୍ଜ୍ଜୁନଙ୍କର କିଛି କ୍ଷତି କରିପାରିଲା ନାହିଁ ।

 

ନାଗାସ୍ତ୍ର ବିଫଳ ହେବାର ଦେଖି କର୍ଣ୍ଣ ଆହୁରି ରାଗିଗଲେ । ସେ ସଙ୍ଗେ ସଙ୍ଗେ ବାରୁଣାସ୍ତ୍ର ପ୍ରୟୋଗ କଲେ । ମହାବୀର ଅର୍ଜ୍ଜୁନ ବାୟବାସ୍ତ୍ର ମାରି ବାରୁଣାସ୍ତ୍ରର ପ୍ରତିରୋଧ କଲେ । ବାୟବାସ୍ତ୍ରର ପ୍ରକୋପରେ କର୍ଣ୍ଣ ଅଚେତ ହୋଇପଡ଼ିଲେ । ସେ ଅଚେତ ହୋଇ ପଡ଼ିବାରୁ ଶଲ୍ୟ ତାଙ୍କ ରଥକୁ ଫେରେଇ ନେଇ ଯାଉଥିଲେ ।

 

ଏହି ସମୟରେ ବୀର ଅର୍ଜ୍ଜୁନ ଏପରି ଏକ ବାଣ ରଥ ଉପରକୁ ମାରିଲେ ଯେ ରଥଟି ମାଟି ଭିତରକୁ ପଶିଗଲା ।

 

କିଛି ସମୟ ପରେ କର୍ଣ୍ଣ ଚେତା ପାଇ ଅର୍ଜ୍ଜୁନଙ୍କ ଉପରକୁ ଏକ ଅମୋଘ ଅସ୍ତ୍ର ମାରି ତାଙ୍କୁ ଅଚେତ କରାଇଦେଲେ ।

 

ଅର୍ଜ୍ଜୁନ ଅଚେତ ଥିବାବେଳେ କର୍ଣ୍ଣ ରଥଚକକୁ ଉଠାଇବା ପାଇଁ ରଥରୁ ତଳକୁ ଯାଇଥିଲେ । ଅର୍ଜ୍ଜୁନ ଦେଖନ୍ତି ତ କର୍ଣ୍ଣ ରଥ ଉପରେ ନାହାନ୍ତି । ତେଣୁ ସେ ମଧ୍ୟ ଅସ୍ତ୍ର ଛାଡ଼ି ଚୁପ୍‍ ହୋଇ ବସି ରହିଲେ ।

 

ଭଗବାନ ଶ୍ରୀକୃଷ୍ଣ କହିଲେ, ସଖା ! ଚୁପ୍‍ ହୋଇ ବସିରହିଲ କ’ଣ, ଆଉ କ’ଣ ଯୁଦ୍ଧ କରିବ ନାହିଁ ?

 

ଅର୍ଜ୍ଜୁନ କହିଲେ, ଦେବ ! କାହା ସଙ୍ଗେ ଯୁଦ୍ଧ କରିବି ? କର୍ଣ୍ଣ ଯେ ରଥରେ ନାହାନ୍ତି ।

 

ଶ୍ରୀକୃଷ୍ଣ କହିଲେ–ରଥରେ ନାହାନ୍ତି, ଯୁଦ୍ଧଭୂମିରେ ଅଛନ୍ତି ତ ? କର୍ଣ୍ଣ ତୁମ୍ଭର ଶତ୍ରୁ । ଶତ୍ରୁକୁ ମାରିବାକୁ ହେଲେ ସ୍ଥାନ କାଳ ପାତ୍ରର ବିଚାର କରାଯାଏ ନାହିଁ ।

 

ଏ ହେଉଛି ସେହି କର୍ଣ୍ଣ ଯେ ଦିନେ ସ୍ଥାନ–କାଳ–ପାତ୍ରର ବିଚାର ନ କରି କୁରୁସଭା ତଳେ ଦ୍ରୌପଦୀର ବସ୍ତ୍ରହରଣ ଦେଖି ତାଳି ମାରିଥିଲା–ଏ ସେହି ଅଧର୍ମୀ, ଯେ ବାର ବର୍ଷର ବାଳକ ଅଭିମନ୍ୟୁ ଉପରେ ଅସ୍ତ୍ର ଆଘାତ କରିଥିଲା । ତାକୁ ଆଉ ବଞ୍ଚିବାକୁ ଦିଅ ନାହିଁ । ବର୍ତ୍ତମାନ ବେଳ ଆସିଛି । କର୍ଣ୍ଣ ରଥକୁ ଉଠି ଅସ୍ତ୍ରଧରିବା ପୂର୍ବରୁ କାମ ଶେଷ କରି ଦିଅ ।

 

ଶ୍ରୀକୃଷ୍ଣଙ୍କ ଆଜ୍ଞା ପାଇ ଅର୍ଜ୍ଜୁନ ଅଞ୍ଜଳି ନାମକ ଏକ ମାରଣାସ୍ତ୍ର କର୍ଣ୍ଣଙ୍କ ଉପରକୁ ମାରିଲେ । ଚାହୁଁ ଚାହୁଁ କର୍ଣ୍ଣଙ୍କର ମୁଣ୍ଡ ଛିଡ଼ି ଭୁମିରେ ପଡ଼ିଗଲା । ପାଣ୍ଡବସେନା ଆନନ୍ଦରେ ନାଚିଉଠିଲେ ।

 

ଦୁର୍ଯ୍ୟୋଧନଙ୍କୁ ଆକାଶ ଛିଡ଼ି ପଡ଼ିଲା ପରି ଲାଗିଲା । ତାଙ୍କୁ ଦଶ ଦିଗ ଶୂନ୍ୟ ଦେଖାଗଲା । ନିଜର ଦୁର୍ଭାଗ୍ୟକୁ ଦୋଷ ଦେଇ ଅତି ଦୁଃଖରେ ସେ ବସି ରହିଲେ ।

Image

 

ଶଲ୍ୟପର୍ବ

 

ଶଲ୍ୟଙ୍କ ସେନାପତିତ୍ୱ

 

ଦେଖୁ ଦେଖୁ ଗୋଟିଏ ଗୋଟିଏ ହୋଇ ଭୀଷ୍ମ, ଦ୍ରୋଣ, କର୍ଣ୍ଣ ଓ ଦୁଃଶାସନ ପ୍ରଭୃତି ଯୋଦ୍ଧାମାନେ ଢଳି ପଡ଼ିଲେ । କୌରବବାହିନୀର ସେନାପତିତ୍ୱ କରିବା ପାଇଁ କେହି ଉପଯୁକ୍ତ ରହିଲେ ନାହିଁ ।

 

ଆସନ୍ତା କାଲି ଯୁଦ୍ଧରେ କିଏ ସେନାପତି ଦାୟିତ୍ୱ ବହନ କରିବ, ତାହା ଦୁର୍ଯ୍ୟୋଧନ ବସି ଚିନ୍ତା କରୁଥିଲେ ।

 

ଏତିକିବେଳେ କୃପାଚାର୍ଯ୍ୟ ଆସି କହିଲେ, ମହାରାଜ ! ଏଥର ଯୁଦ୍ଧ ବନ୍ଦ କରନ୍ତୁ । ପାଣ୍ଡବମାନଙ୍କ ନିକଟରେ ସନ୍ଧିଭିକ୍ଷା କରନ୍ତୁ । ଦେଶ ଓ ଦଶର ମଙ୍ଗଳ ନିମନ୍ତେ ମୁଁ ଏ କଥା କହୁଛି-

 

ଦୁର୍ଯ୍ୟୋଧନ ଉତ୍ତର ଦେଲେ–‘‘ମହାରାଜ ! ଆପଣ କ’ଣ କହୁଛନ୍ତି ? ଯେଉଁ ଯୁଦ୍ଧରେ ଭାଇ, ବନ୍ଧୁ ଓ କୁଟୁମ୍ୱମାନଙ୍କୁ ମରାଇଲି, ନିଜେ ବଞ୍ଚିରହିବା ଆଶାରେ ସେ ଯୁଦ୍ଧ ମୁଁ ବନ୍ଦ କରିବି ? ନିଜେ ବଞ୍ଚିରହିଲେ କ’ଣ ଅଧିକ ଗୁଡ଼ାଏ ଯଶ ମୋର ବଢ଼ିଯିବ ? ଲୋକଙ୍କ ମୁହଁରୁ ନିନ୍ଦା ଶୁଣିବା ଛଡ଼ା ପ୍ରଶଂସା କେବେ ପାଇବି ନାହିଁ । କ୍ଷତ୍ରିୟ ମୁଁ । ଯୁଦ୍ଧରେ ମରି ସ୍ୱର୍ଗଲାଭ କରିବାକୁ ମୁଁ ଅଧିକ ପସନ୍ଦ କରେ । ଯେଉଁ ପାଣ୍ଡବମାନଙ୍କୁ ଚାକର କରି ରଖିଥିଲି, ସେହି ପାଣ୍ଡବମାନଙ୍କ ଆଗରେ ଅଣ୍ଟିପତେଇ ସନ୍ଧିଭିକ୍ଷା କରିବି ? ଏହା ଅସମ୍ଭବ ।

 

ସିଂହ କେବେ ଶୃଗାଳ ହୋଇପାରେ ନା । ଆପଣ ଆଉ ମୋତେ ବଳାନ୍ତୁ ନାହିଁ ।

 

କୃପାଚାର୍ଯ୍ୟଙ୍କ ପ୍ରସ୍ତାବ ପସ୍ତାବରେ ହିଁ ରହିଗଲା; କାର୍ଯ୍ୟରେ ପରିଣତ ହୋଇପାରିଲା ନାହିଁ ।

 

ତା’ପରେ ପ୍ରଶ୍ନ ଉଠିଲା, କାହାକୁ ସେନାପତି କରାଯିବ ।

 

ଦୁର୍ଯ୍ୟୋଧନ ସମସ୍ତଙ୍କ ଉପରେ ଆଖି ପକେଇଲେ, କିନ୍ତୁ କୌଣସି କେହି ଯୋଗ୍ୟ ଲୋକ ତାଙ୍କ ଆଖିରେ ପଡ଼ିଲେ ନାହିଁ ।

 

ଅଶ୍ୱତ୍‍ଥାମା କହିଲେ–ମହାରାଜ ! ଶଲ୍ୟଙ୍କୁ ସେନାପତି ଦାୟିତ୍ୱ ଦିଅନ୍ତୁ । ସେ ଉତ୍ତମ ରୂପେ ସୈନ୍ୟପରିଚାଳନା କରିବା ଜାଣନ୍ତି ।

 

ଅଶ୍ୱତ୍‍ଥାମାଙ୍କ କଥା ରକ୍ଷା କରି ଶଲ୍ୟଙ୍କୁ ସେନାପତି କରାଗଲା । ଅଷ୍ଟାଦଶ ଦିନର ଯୁଦ୍ଧ ପାଇଁ ଶଲ୍ୟ ସେନାପତି ବଛାଗଲେ ।

 

ଶଲ୍ୟ ବଧ :

 

ସେନାପତି ଶଲ୍ୟ କୌରବସେନାଙ୍କୁ ‘‘ସର୍ବତୋଭଦ୍ର’’ ବ୍ୟୂହ ରଚନା କରିବା ପାଇଁ ନିର୍ଦ୍ଦେଶ ଦେଲେ । ସେଦିନର ଯୁଦ୍ଧ ଭୀଷଣ ରୂପ ଧାରଣ କଲା ।

 

ନକୁଳଙ୍କ ବାଣରେ କର୍ଣ୍ଣଙ୍କ ପୁଅ ଚିତ୍ରସେନ, ସତ୍ୟସେନ ଓ ସୁଖେନ ମରିଗଲେ ।

 

ଶଲ୍ୟଙ୍କର ପ୍ରବଳ ଆକ୍ରମଣରେ ପାଣ୍ଡବସେନା ନାକେଦମ୍‍ ହୋଇଗଲେ ।

 

ମହାବଳୀ ଭୀମ ଏହା ଦେଖି ସମ୍ଭାଳି ପାରିଲେ ନାହିଁ । ପାଗଳ ହାତୀ ଭଳି ସେ ଶଲ୍ୟକୁ ଆକ୍ରମଣ କଲେ । ଭୀମ ଓ ଶଲ୍ୟଙ୍କ ମଧ୍ୟରେ ଭୀଷଣ ଗଦାଯୁଦ୍ଧ ହେଲା ।

 

ଶଲ୍ୟଙ୍କ ଗଦା ମାଡ଼ରେ ଭୀମ ଅଚେତ ହୋଇ ପଡ଼ିଲେ ।

 

ଶଲ୍ୟ ଭୀମଙ୍କୁ ଅଚେତ କରି ପକାଇବାରୁ ଯୁଧିଷ୍ଠିର ପ୍ରତିଜ୍ଞା କଲେ, ‘‘ଆଜି ନିଶ୍ଚୟ ଶଲ୍ୟଙ୍କୁ ମାରିବି । ଶଲ୍ୟଙ୍କୁ ନ ମାରି ଶିବିରକୁ ଫେରିବି ନାହିଁ ।’’

 

ଯୁଧିଷ୍ଠିରଙ୍କ ପ୍ରତିଜ୍ଞା ଅନ୍ୟ ଚାରି ଭାଇଙ୍କ ମନରେ ଭୟ ସୃଷ୍ଟି କଲା । କାରଣ ଶଲ୍ୟ ଅଦ୍ୱିତୀୟ ଯୋଦ୍ଧା ଥିଲେ । ତାଙ୍କୁ ମାରିବା ଯୁଧିଷ୍ଠିରଙ୍କ ପକ୍ଷରେ ସହଜ ନୁହେଁ । ପୁଣି ପ୍ରତିଜ୍ଞା କରି କାର୍ଯ୍ୟ ହାସଲ କରି ନ ପାରିଲେ ଧର୍ମପୁତ୍ରଙ୍କର ଧର୍ମ ନଷ୍ଟ ହେବ । ଲୋକେ ତାଙ୍କୁ ନିନ୍ଦା କରିବେ ।

 

ଏହି ଆଶଙ୍କାରେ ଚାରି ଭାଇଯାକ ବଡ଼ଭାଇଙ୍କୁ ସାହାଯ୍ୟ କରିବା ପାଇଁ ବିଚାର କଲେ ।

 

ଆଗରେ ରହିଲେ ମହାବଳୀ ଭୀମ । ପଛରେ ଅର୍ଜ୍ଜୁନ । ଦୁଇ କରରେ ରହିଲେ ସାତ୍ୟକୀ ଓ ଧୃଷ୍ଟଦ୍ୟୁମ୍ନ ।

 

ଯୁଧିଷ୍ଠିର ରଥରେ ବସି କୌରବସେନାଙ୍କ ଆଡ଼କୁ ମାଡ଼ି ଚାଲିଲେ ।

 

ରଥର ରକ୍ଷାଦାୟିତ୍ୱ ନକୁଳ ଓ ସହଦେବଙ୍କ ଉପରେ ଛଡ଼ାଗଲା ।

 

ଯୁଧିଷ୍ଠିର ଓ ଶଲ୍ୟଙ୍କ ମଧ୍ୟରେ ଘୋର ଯୁଦ୍ଧ ହେଲା । ଶଲ୍ୟଙ୍କ ରଥ ଭାଙ୍ଗି ଚୁନା ହୋଇଗଲା । ଘୋଡ଼ାମାନେ ମରି ଶୋଇଲେ । ସାରଥୀ ମରିଗଲେ । ତଥାପି ଶଲ୍ୟ ଚିନ୍ତା ନ କରି ପ୍ରତିଆକ୍ରମଣ କଲେ ।

 

କୃପାଚାର୍ଯ୍ୟ ଯୁଧିଷ୍ଠିରଙ୍କ ସାରଥୀକୁ ହତ୍ୟା କଲେ ।

 

ମହାବଳୀ ଭୀମ ଶଲ୍ୟଙ୍କର ଧନୁଟିକୁ ଦୁଇଖଣ୍ଡ କରି ପକାଇ ଦେଲେ ।

 

ଶଲ୍ୟ ଅସ୍ତ୍ରହୀନ ହୋଇ ପଳାଇ ଯାଉଥିଲେ । ଏହି ସମୟରେ ଯୁଧିଷ୍ଠିରଙ୍କର ଏକ ଅମୋଘଅସ୍ତ୍ର ଶଲ୍ୟଙ୍କୁ ଅଚେତ କରି ପକାଇଦେଲା । ଅଳ୍ପ ସମୟ ପରେ ଶଲ୍ୟ ଚେତା ପାଇ ଭୀମଙ୍କୁ ଆକ୍ରମଣ କଲେ ।

 

ଭୀମ ଏକ ଶର ମାରି ଶଲ୍ୟଙ୍କ ହାତରୁ ତରବାରି ଛଡ଼ାଇ ନେଲେ ।

 

ବାରମ୍ୱାର ନିରସ୍ତ୍ର ହୋଇ ଶଲ୍ୟଙ୍କ ମନରେ ଭୟ ଜାତ ହେଲା । କିପରି ପାଣ୍ଡବମାନଙ୍କ କବଳରୁ ପ୍ରାଣରକ୍ଷା କରି ଫେରିଯିବେ, ସେହି ବାଟ ଖୋଜିବାକୁ ଲାଗିଲେ ।

 

ହଠାତ୍ ଯୁଧିଷ୍ଠିରଙ୍କର ଏକ ବାଣ ତାଙ୍କର ଛାତିରେ ଭୁଷି ହୋଇଗଲା । ମଦ୍ରରାଜ ଶଲ୍ୟ ଚିରଦିନ ପାଇଁ ପୃଥିବୀରୁ ବିଦାୟ ନେଲେ ।

 

ସର୍ବସଂହାର :

 

ଶଲ୍ୟଙ୍କ ପରେ ନିଜେ ଦୁର୍ଯ୍ୟୋଧନ କୌରବବାହିନୀର ସେନାପତି ହେଲେ । ସେତେବେଳକୁ କୌରବଦଳରେ ବହୁତ ସୈନ୍ୟ ନ ଥିଲେ । ପ୍ରାୟ ସମସ୍ତେ ମରିଯାଇଥିଲେ କହିଲେ ଚଳେ ।

 

ଯେଉଁ କେତେଜଣ ମୁମୂର୍ଷୁ ଅବସ୍ଥାରେ ଥିଲେ, ସେହି କେତେ ଜଣଙ୍କୁ ସଙ୍ଗରେ ନେଇ ଦୁର୍ଯ୍ୟୋଧନ ଯୁଦ୍ଧ କଲେ । ତାଙ୍କୁ ସାହାଯ୍ୟ କରିବାକୁ ଶାଲ୍ୱ, ଶକୁନି ଓ ଅଶ୍ୱତ୍‍ଥାମା–ଏହି ତିନି ଜଣ କେବଳ ଥିଲେ ।

 

ଶାଲ୍ୱଙ୍କର ଆକ୍ରମଣରେ ଧୃଷ୍ଟଦ୍ୟୁମ୍ନ ବିବ୍ରତ ହୋଇ ପଡ଼ିଲେ । ଦୁହେଁ ହାତୀ ଉପରେ ଚଢ଼ି ଲଢେଇ କରୁଥିଲେ ।

 

ଧୃଷ୍ଟଦ୍ୟୁମ୍ନ କୌଶଳ କରି ଶାଲ୍ୱଙ୍କ ହାତୀର ମୁଣ୍ଡରେ ପ୍ରବଳ ଗଦାପ୍ରହାର କରିବାରୁ ହାତୀ ଗର୍ଜ୍ଜନ କରି ଧାଇଁଲା ।

 

ଶାଲ୍ୱ ହାତୀ ଉପରୁ ଖସିପଡ଼ିଲେ । ସେ ଏପରି ଜୋରରେ ପଡ଼ିଲେ ଯେ ତାଙ୍କ ଦେହର କେତେକ ଅଂଶ ଛିଣ୍ଡାଛିଣ୍ଡି ହୋଇଗଲା । ଦରମରା ଅବସ୍ଥାରେ ପଡ଼ିଥିବାବେଳେ ଧୃଷ୍ଟଦ୍ୟୁମ୍ନ ପୁଣି ଯାଇ ଗଦାରେ ଏକ ପ୍ରହାର କଲେ । ଶାଲ୍ୱ ସେହି ଗଦାମାଡ଼ରେ ମରିଗଲେ ।

 

ବାକୀ ରହିଲେ ଶକୁନି ଓ ଅଶ୍ୱତ୍‍ଥାମା ।

 

ଶକୁନିଙ୍କୁ ଆଗରେ ଦେଖି ନକୁଳ କହିଲେ, ‘‘ରେ ଦୁଷ୍ଟ ! ଦିନେ ତୁ ଯୁଧିଷ୍ଠିରଙ୍କୁ ପଶାଖେଳିବାକୁ ଡାକିଥିଲୁ । ଆଜି ମୁଁ ତୋ ସଙ୍ଗରେ ଗଦାଖେଳ ଖେଳିବି । ଦେଖା, ତୋ ବିଦ୍ୟାର ଶକ୍ତି ।’’ ଏହା କହି ନକୁଳ ଗଦା ଧରି ଶକୁନିକୁ ଗୋଡ଼େଇଲେ ।

 

ନକୁଳ ଓ ଶକୁନିଙ୍କର ଲଢ଼େଇ ଚାଲିଥିବାବେଳେ ଭୀମ ପଛପଟୁ ଆସି ଶକୁନିଙ୍କ ମୁଣ୍ଡରେ ଗଦାପ୍ରହାର କଲେ ।

ଶକୁନି ଛଟପଟ ହୋଇ ମରିଗଲେ ।

 

ତା’ପରେ ଦୁର୍ଯ୍ୟୋଧନଙ୍କର ଆଉ ବାଇଶି ଗୋଟି ଭାଇଙ୍କୁ ଭୀମ ଓ ଅର୍ଜ୍ଜୁନ ଦୁହେଁ ମାରିଦେଲେ ।

 

କୌରବଦଳର ଏଗାର ଅକ୍ଷୌହିଣୀ ସେନାଙ୍କ ମଧ୍ୟରୁ ଜଣେ ହେଲେ କେହି ବଞ୍ଚିରହିଲେ ନାହିଁ ।

 

ଦୁର୍ଯ୍ୟୋଧନଙ୍କ ପଳାୟନ :

 

ଦୁର୍ଯ୍ୟୋଧନ ଦେଖିଲେ ଯେ ପାଣ୍ଡବମାନଙ୍କ କବଳରୁ ଆଉ ରକ୍ଷା ନାହିଁ । ଗୋଟି ଗୋଟି ହୋଇ ସମସ୍ତ ଯୋଦ୍ଧା ଯେପରି ମରିଗଲେ, କେତେବେଳେ ଯେ ନିଜର ଅବସ୍ଥା ଠିକ୍‍ ସେହିପରି ହେବ, ତା’ର ଠିକଣା ନାହିଁ । ନିଜ ଆଖିରେ ନିଜର ପରାଜୟ ଦେଖିବା ଆଗରୁ ପଳାଇଯିବା ଶହେ ଗୁଣରେ ଭଲ ।

 

ଏହା ଭାବି ଦୁର୍ଯ୍ୟୋଧନ କୁରୁକ୍ଷେତ୍ରର ଅଳ୍ପ ଦୂରରେ ଥିବା ଏକ ପୋଖରୀକୂଳକୁ ଗଲେ-। ଉକ୍ତ ପୋଖରୀ ମଧ୍ୟରେ ଦୁର୍ଯ୍ୟୋଧନଙ୍କର ଏକ ଜଳବିହାର ଘର ଥିଲା ।

 

ଦୁର୍ଯ୍ୟୋଧନ ତାରି ଭିତରେ ଲୁଚି ରହିଲେ ।

 

ପୋଖରୀକୂଳକୁ ଯାଉଥିବାବେଳେ ବାଟରେ ସଞ୍ଜୟଙ୍କ ସହିତ ତାଙ୍କର ଭେଟ ହେଲା । ଦୁର୍ଯ୍ୟୋଧନ ସଞ୍ଜୟଙ୍କୁ କହିଲେ–‘‘ସଞ୍ଜୟ ! ପିତାଙ୍କୁ କହିବ, ମୁଁ ଆଉ ବଞ୍ଚିରହିବାକୁ ଇଚ୍ଛା କରେ ନାହିଁ । ମୁଁ ମୋର କରିଥିବା କାମର ଫଳ ଭୋଗ କରିବାକୁ ଯାଉଛି । ଯେପରି ପିତାମାତା ମୋ ପାଇଁ ନ କାନ୍ଦନ୍ତି ।’’

 

ଅଶ୍ୱତ୍‍ଥାମା ପ୍ରଭୃତି ଦୁର୍ଯ୍ୟୋଧନଙ୍କୁ ଯୁଦ୍ଧଭୂମିରେ ନ ଦେଖି ଖୋଜି ଖୋଜି ପୋଖରୀକୂଳରେ ତାଙ୍କୁ ଭେଟିଲେ । ଅଶ୍ୱତ୍‍ଥାମା କହିଲେ, ମହାରାଜ ! ଏପରି ଭାବରେ ନିରାଶ ହୋଇ ପଳାଇ ଆସିଲେ କାହିଁକି ? ଆମ୍ଭେମାନେ ସବୁବେଳେ ଆପଣଙ୍କୁ ରକ୍ଷାକରିବା ପାଇଁ ପ୍ରସ୍ତୁତ ଅଛୁଁ ।

 

ଦୁର୍ଯ୍ୟୋଧନ କହିଲେ, ଆଜି ମୋତେ ଏହି ପୋଖରୀ ମଧ୍ୟରେ ନିଶ୍ଚିନ୍ତରେ ବିଶ୍ରାମ କରିବାକୁ ଦିଅ । ସୁସ୍ଥ ହେଲେ ଆସନ୍ତାକାଲି ମୁଁ ପୁଣି ଯୁଦ୍ଧ କରିବାକୁ ଯିବି ।

 

ଦୁର୍ଯ୍ୟୋଧନ ଓ ଅଶ୍ୱତ୍‍ଥାମାଙ୍କର କଥାବାର୍ତ୍ତା ଗୋଟିଏ ଶବର ଦୂରରେ ରହି ଶୁଣୁଥିଲା । ସେହି ଶବର ଡେରି ନ କରି ଭୀମଙ୍କୁ ଦୁର୍ଯ୍ୟୋଧନ ପୋଖରୀ ଭିତରେ ଲୁଚି ରହିଥିବା କଥା କହିଦେଲା ।

 

ଭୀମ–ଦୁର୍ଯ୍ୟୋଧନ ଯୁଦ୍ଧ :

 

ପାଣ୍ଡବମାନେ ଯୁଦ୍ଧକ୍ଷେତ୍ରରେ ଦୁର୍ଯ୍ୟୋଧନଙ୍କୁ ନ ଦେଖି ବଡ଼ ଚିନ୍ତିତ ଥିଲେ । ଶବର ମୁହଁରୁ ସବୁକଥା ଶୁଣି ସେହି ପୋଖରୀକୂଳକୁ ଧାଇଁଲେ ।

 

ଦୁର୍ଯ୍ୟୋଧନଙ୍କୁ ପୁଣି କିପରି ଯୁଦ୍ଧକ୍ଷେତ୍ରକୁ ଫେରେଇ ନେବାକୁ ହେବ, ସେହି କଥା ସମସ୍ତେ ଚିନ୍ତା କଲେ ।

 

ଭଗବାନ ଶୀକୃଷ୍ଣ କହିଲେ, ଦୁର୍ଯ୍ୟୋଧନ ବଡ଼ ଆତ୍ମାଭିମାନୀ । ସେ ନିଜର ନିନ୍ଦା ସହିପାରନ୍ତି ନାହିଁ ।

 

ସୁତରାଂ କାଟିଲା ଭଳି କଥା କହି ଯୁଦ୍ଧ ଡାକରା ଦେଲେ, ସେ ନିଶ୍ଚୟ ପାଣି ଭିତରୁ ବାହାରି ଯୁଦ୍ଧ କରିବାକୁ ଦୌଡ଼ି ଆସିବ ।

 

ଶ୍ରୀକୃଷ୍ଣଙ୍କ କଥା ନ ସରୁଣୁ ଭୀମ ଖୁବ୍‍ ଜୋରରେ ରଡ଼ି ଛାଡ଼ିଲେ, ‘‘ରେ ରେ କୌରବକୁଳାଙ୍ଗାର ଦୁର୍ଯ୍ୟୋଧନ ! ସ୍ୱବଂଶ ନାଶ କରି ପ୍ରାଣଭୟରେ ପୋଖରୀ ଭିତରେ ଲୁଚି ରହିଛୁ ? ଧିକ୍‍ ତୋର ବୀରତ୍ୱକୁ ! ଶତଧିକ୍‍ ତୋର ମାନଗୋବିନ୍ଦ ନାମକୁ । କାହିଁ ଗଲା ତୋର ‘‘ସୂଚ୍ୟଗ୍ର ମେଦିନୀ’’ ନ ଦେବା ପଣ ? କାହିଁ ଗଲା ତୋର ‘‘ମାନଗୋବିନ୍ଦ’’ ବୋଲାଇବାର ଅଭିମାନ ? ତୁ ହସ୍ତିନାର ମୁକୁଟଧାରୀ ମହାରାଜ । ମୁଁ ଆଜି ତୋତେ ଭିକ୍ଷା ମାଗିବାକୁ ଆସିଛି, ଯୁଦ୍ଧ ଭିକ୍ଷା । ଦେହରେ ରକ୍ତ ଥିଲେ ଚାଲିଆ ସ୍ଥଳ ଉପରକୁ । ଭିକାରୀକୁ ଭିକ୍ଷା ଦେଇ ସନ୍ତୁଷ୍ଟ କର । ନଚେତ୍‍ ବୁଡ଼ି ମର ସେହି ପୋଖରୀ ମଧ୍ୟରେ ।’’

 

ଭୀମଙ୍କର କଟୁବାକ୍ୟଗୁଡ଼ିକ ଦୁର୍ଯ୍ୟୋଧନଙ୍କ କାନରେ ଶରଭେଦ କଲା ଭଳି ଭେଦକଲା-। ସେ ଜଳ ମଧ୍ୟରୁ ଜବାବ ଦେଲେ, ମୁଁ ଯୁଦ୍ଧକୁ ଡରି ଆସି ନି । ବିଶେଷ ଥକି ଯାଇଥିବାରୁ ବିଶ୍ରାମ ନେବାକୁ ଆସିଛି ।

 

ଯୁଧିଷ୍ଠିର କହିଲେ–ଦୁର୍ଯ୍ୟୋଧନ ! ତୁମ୍ଭେ ଯଦି ଥକି ଯାଇଛ, ତେବେ ସ୍ଥଳ ଉପରେ ବିଶ୍ରାମ ନ ନେଇ ଜଳରେ ପଶିଛ କାହିଁକି ? ଆସ, ଉପରକୁ ଉଠିଆସ ।

 

ଯୁଧିଷ୍ଠିରଙ୍କ କଥା ଶୁଣି ଦୁର୍ଯ୍ୟୋଧନ ପାଣି ମଧ୍ୟରୁ ଉପରକୁ ଉଠିଆସିଲେ । ଭୀମ ପଚାରିଲେ–‘‘ଯୁଦ୍ଧ ପାଇଁ ଅସ୍ତ୍ର ଚାହିଁ ? –ନିଅ ।’’ ଏହା କହି ସବୁ ଅସ୍ତ୍ରଶସ୍ତ୍ର ତାଙ୍କ ଆଗକୁ ପିଙ୍ଗିଦେଲେ ।

 

ଯୁଧିଷ୍ଠିର କହିଲେ, ଦୁର୍ଯ୍ୟୋଧନ ! ସବୁ ଅସ୍ତ୍ର ମଧ୍ୟରୁ ଯେଉଁଟି ତୁମ୍ଭର ଇଚ୍ଛା, ବାଛିନିଅ ଏବଂ ଆମ୍ଭମାନଙ୍କ ମଧ୍ୟରୁ ତୁମ୍ଭର ସମକକ୍ଷ ଯୋଦ୍ଧା ବାଛି ତା’ ସହିତ ଯୁଦ୍ଧ କର । କାପୁରୁଷ ଭଳି ଯୁଦ୍ଧକ୍ଷେତ୍ରରୁ ପଳାଇ ଆସି ଜଳ ମଧ୍ୟରେ ଆତ୍ମଗୋପନ କରି କ୍ଷତ୍ରିୟକୁଳରେ କାଳି ବୋଳ ନାହିଁ ।

 

ଦୁର୍ଯ୍ୟୋଧନ ଏହିପରି କଟୁବାକ୍ୟ ଶୁଣିବାକୁ ଆଉ ଅପେକ୍ଷା କରିପାରିଲେ ନାହିଁ । ସଙ୍ଗେ ସଙ୍ଗେ ଏକ ବିରାଟ ଗଦା ତଳୁ ଉଠେଇ ଭୀମଙ୍କ ଉପରେ ପ୍ରହାର କଲେ ।

 

ଭୀମ ମଧ୍ୟ ନିଜ ଗଦା ସାହାଯ୍ୟରେ ତା’ର ଜବାବ ଦେଲେ ।

 

ଏହି ସମୟରେ ଶ୍ରୀକୃଷ୍ଣଙ୍କ ବଡ଼ଭାଇ ବଳରାମ ସେଠାରେ ପହଞ୍ଚିଲେ ।

 

ସେ ଭୀମ ଓ ଦୁର୍ଯ୍ୟୋଧନଙ୍କର ଗଦାଗୁରୁ । ସେଠାରେ ଗଦାଯୁଦ୍ଧ ପାଇଁ ପ୍ରଶସ୍ତ ସ୍ଥାନ ନ ଥିବାରୁ ବଳରାମ ଦୁହିଁଙ୍କୁ କରୁକ୍ଷେତ୍ରକୁ ପଠାଇଦେଲେ ।

 

ଦୁର୍ଯ୍ୟୋଧନ ବଧ :

 

ଦୁର୍ଯ୍ୟୋଧନ ଓ ଭୀମଙ୍କର ଗଦାଯୁଦ୍ଧ ଦେଖିବା ପାଇଁ ବହୁ ଲୋକ ଆସି କୁରୁକ୍ଷେତ୍ରରେ ରୁଣ୍ଡହେଲେ । ଦୁଇ ବୀର ନିଜ ନିଜ ଗଦା ଧରି ଯୁଦ୍ଧକ୍ଷେତ୍ରକୁ ଆସିଲେ ।

 

ଭୀମ କହିଲେ, ‘‘ରେ ନୀଚ, ପାଷଣ୍ଡ, ତୋର ଶେଷ ସମୟ ଆସି ପହଞ୍ଚିଗଲା । ଏଥର ଇଷ୍ଟଦେବ ସ୍ମରଣ କର ।’’

 

ଦୁର୍ଯ୍ୟୋଧନ କହିଲେ, ‘‘ରେ ବୀରପୁଙ୍ଗବ, ଆଉ ପ୍ରଳାପ କର ନାହଁ । ବର୍ତ୍ତମାନ ଜଣାପଡ଼ିବ ତୋର ବୀରତ୍ୱ କେତେ ? ଦୁର୍ଯ୍ୟୋଧନକୁ ତୁ ଚିହ୍ନି ନାହୁଁ । ଆଜି ଭଲ ରୂପେ ଚିହ୍ନିବୁ ।’’

 

ଦୁର୍ଯ୍ୟୋଧନଙ୍କର ତାଚ୍ଛଲ୍ୟ ଭାଷା ଶୁଣି ଭୀମଙ୍କର ରାଗ ବହୁତ ବଢ଼ିଗଲା । ଉଭୟଙ୍କ ମଧ୍ୟରେ ଘୋର ଯୁଦ୍ଧ ହେଲା ।

 

କୌରବଶ୍ରେଷ୍ଠ ଦୁର୍ଯ୍ୟୋଧନ ଗଦାଚାଳନାରେ ବଡ଼ ଧୁରନ୍ଧର ଥିଲେ । ଭୀମସେନ ବହୁତ ଚେଷ୍ଟା କରି ମଧ୍ୟ ଦୁର୍ଯ୍ୟୋଧନଙ୍କୁ ପରାସ୍ତ କରିପାରିଲେ ନାହିଁ ।

 

ଥରେ ସୁଯୋଗ ପାଇ ଦୁର୍ଯ୍ୟୋଧନ ଭୀମଙ୍କୁ ଏପରି ପ୍ରହାର କଲେ ଯେ ଅନ୍ୟ କେହି ହୋଇଥିଲେ ନିଶ୍ଚୟ ମରି ଶୋଇଥାନ୍ତା । ମାଡ଼ ଖାଇ ଭୀମଙ୍କର ରାଗ ଆହୁରି ବଢ଼ିଗଲା ।

 

ସେ ହଠାତ୍‍ ଦୁର୍ଯ୍ୟୋଧନଙ୍କ ଉପରେ ଖୁବ୍‍ ଜୋରରେ ପ୍ରହାର କଲେ । ପ୍ରତିରୋଧ କରି ନ ପାରି ଦୁର୍ଯ୍ୟୋଧନ ଅଚେତ୍‍ ହୋଇ ପଡ଼ିଲେ ।

 

କିଛି ସମୟ ପରେ ଚେତା ପାଇ ଭୀମଙ୍କୁ ପୁଣି ଆକ୍ରମଣ କଲେ ।

 

ଭଗବାନ ଶ୍ରୀକୃଷ୍ଣ ଦେଖିଲେ, ଦୁଷ୍ଟ ଦୁର୍ଯ୍ୟୋଧନକୁ ଧର୍ମ ଯୁଦ୍ଧରେ ପରାସ୍ତ କରିହେବ ନାହିଁ । ତେଣୁ ଶ୍ରୀକୃଷ୍ଣ ଅର୍ଜ୍ଜୁନଙ୍କୁ ଠାରି ଦେଲେ ଯେ ଭୀମଙ୍କୁ କୁହ, ଦୁର୍ଯ୍ୟୋଧନର ଜଙ୍ଘକୁ ପ୍ରହାର କରନ୍ତୁ ।

 

ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶ ଅନୁସାରେ ଅର୍ଜ୍ଜୁନ ନିଜର ଜଙ୍ଘକୁ ଥାପୁଡ଼େଇଲେ ।

 

ଭୀମଙ୍କର ପ୍ରତିଜ୍ଞା କଥା ମନେ ପଡ଼ିଗଲା । ସେ ସଙ୍ଗେ ସଙ୍ଗେ ଦୁର୍ଯ୍ୟୋଧନଙ୍କର ଜଙ୍ଘ ଉପରେ ଭୀଷଣ ଭାବେ ଗଦାପ୍ରହାର କଲେ ।

 

ଦୁର୍ଯ୍ୟୋଧନଙ୍କର ଗୋଡ଼ ଭାଙ୍ଗିଗଲା । ସେ ଗଛ କାଟିଲା ପରି ଭୂମିରେ ପଡ଼ିଲେ ।

 

ବଳରାମ ଯୁଦ୍ଧ ଦେଖୁଥିଲେ । ଭୀମ ଗଦାଯୁଦ୍ଧର ନିୟମ ଭଙ୍ଗ କରି ଦୁର୍ଯ୍ୟୋଧନଙ୍କୁ ପରାସ୍ତ କରିବାରୁ ସେ ସମ୍ଭାଳି ପାରିଲେ ନାହିଁ । ଅନ୍ୟାୟ ଅନ୍ୟାୟ ବୋଲି ପାଟି କରି ନିଜର ହଳ, ଲଙ୍ଗଳ ଧରି ଭୀମଙ୍କୁ ଆକ୍ରମଣ କରିବାକୁ ଧାଇଁ ଆସିଲେ ।

 

ଶ୍ରୀକୃଷ୍ଣ ଭାଇଙ୍କୁ ବହୁତ ବୁଝାଇ ଶୁଝାଇ ଶାନ୍ତ କଲେ ।

 

ଅନାଥ କୌରବ ରମଣୀ :

 

ଦୁର୍ଯ୍ୟୋଧନଙ୍କର ଦୁର୍ଦ୍ଦଶା ଦେଖି କୌରବ ପକ୍ଷର ଆବାଳବୃଦ୍ଧବନିତା ସମସ୍ତେ ହୃଦୟ ଫଟେଇ କାନ୍ଦିବାକୁ ଲାଗିଲେ । ଦୁର୍ଯ୍ୟୋଧନ ସେମାନଙ୍କୁ ଆଶ୍ୱାସନା ଦେଇ ଶାନ୍ତ ହେବାକୁ ଉପଦେଶ ଦେଲେ ।

 

ଯଯାତିଙ୍କ ସହିତ ସବୁ ରମଣୀଙ୍କୁ ହସ୍ତିନାପୁରୀ ପଠେଇ ଦେଲେ ।

 

ବିଦୁରଙ୍କ ମୁହଁରୁ ଦୁର୍ଯ୍ୟୋଧନଙ୍କର ଶୋଚନୀୟ ଅବସ୍ଥା କଥା ଶୁଣି ପିତା ଧୃତରାଷ୍ଟ୍ର ଓ ମାତା ଗାନ୍ଧାରୀ ମୁଣ୍ଡ ବାଡ଼େଇ କାନ୍ଦିବାକୁ ଲାଗିଲେ ।

 

ଅଶ୍ୱତ୍‍ଥାମାଙ୍କ ସେନାପତିତ୍ୱ :

 

ଦୁର୍ଯ୍ୟୋଧନଙ୍କ ସହିତ ସାକ୍ଷାତ କରିବା ପାଇଁ ଅଶ୍ୱତ୍‍ଥାମା ତାଙ୍କ ନିକଟକୁ ଗଲେ । ସେ ଦେଖିଲେ ଯେ ମହାରାଜ ଦୁର୍ଯ୍ୟୋଧନ ଅସହାୟ ଅବସ୍ଥାରେ ପଡ଼ି ରହିଛନ୍ତି । ତାଙ୍କର ସେବା ଶୁଶ୍ରୂଷା କରିବା ପାଇଁ କେହି ନାହାନ୍ତି ।

 

ଦିନେ ଯେଉଁ ଦୁର୍ଯ୍ୟୋଧନ ଦୁଗ୍ଧଫେନନିଭ ଶଯ୍ୟାରେ ଶୟନ କରୁଥିଲେ, ସେ ଆଜି ଭୂମି ଉପରେ ପଡ଼ି ରହିଛନ୍ତି ।

 

ଅଶ୍ୱତ୍‍ଥାମା କହିଲେ, ‘‘ମହାରାଜ ! ପାଣ୍ଡବମାନଙ୍କର ଅନୀତି ବର୍ଣ୍ଣନା କରିବାକୁ ମୁଁ ଭାଷା ପାଉ ନାହିଁ । ସେମାନେ ଯେ ଏତେ ଅନ୍ୟାୟ କରିପାରନ୍ତି, ସେ କଥା ମୁଁ ଆଦୌ ଭାବି ନ ଥିଲି । ସେମାନେ ଛଳଯୁଦ୍ଧରେ କର୍ଣ୍ଣ, ଦ୍ରୋଣ, ଦୁଃଶାସନ ପ୍ରଭୃତି ଯୋଦ୍ଧାମାନଙ୍କୁ ହତ୍ୟାକରି ଶେଷରେ ଅନ୍ୟାୟ ଯୁଦ୍ଧରେ ଆପଣଙ୍କ ଜଙ୍ଘ ଭାଙ୍ଗି ଦେଲେ । ତା’ ନୋହିଥିଲେ ନ୍ୟାୟଯୁଦ୍ଧରେ ଏକ ଭୀମ ତ ଦୂରର କଥା, ଶହେ ଭୀମ ଏକାଠି ହୋଇଥିଲେ ମଧ୍ୟ ଆପଣଙ୍କୁ ହରେଇ ପାରି ନ ଥାନ୍ତେ-। ମୁଁ ଏହି ଅନ୍ୟାୟର ପ୍ରତିଶୋଧ ନେବି । ଆପଣ ମୋତେ ଆଜ୍ଞା ଦିଅନ୍ତୁ ।’’

 

ଅଶ୍ୱତ୍‍ଥାମାଙ୍କର କଥା ଶୁଣି ଦୁର୍ଯ୍ୟୋଧନଙ୍କ ମନରେ ଆଶା ଜାତ ହେଲା । ଅଶ୍ୱତ୍‍ଥାମାଙ୍କୁ ସେନାପତି କରିବା ପାଇଁ ସେ କୃପାଚାର୍ଯ୍ୟଙ୍କୁ ଆଦେଶ ଦେଲେ ।

Image

 

ସୌପ୍ତିକପର୍ବ

 

ଶତ୍ରୁନାଶର ଷଡ଼ଯନ୍ତ୍ର :

 

ଅଶ୍ୱତ୍‍ଥାମା ଓ କୃପାଚାର୍ଯ୍ୟ ଉଭୟେ ଦୁର୍ଯ୍ୟୋଧନଙ୍କ ନିକଟରୁ ବିଦାୟ ନେଇ ଏକ ନିର୍ଜ୍ଜନ ଜାଗାକୁ ଗଲେ । ଜଙ୍ଗଲ ମଧ୍ୟରେ ଏକାଠି ବସି, କିପରି ପାଣ୍ଡବମାନଙ୍କୁ ସବଂଶେ ମରାଯିବ, ତାହା ହିଁ ଚିନ୍ତା କଲେ ।

 

ଦୁହେଁ ବହୁତ ରାତି ପର୍ଯ୍ୟନ୍ତ ସେଠାରେ ବସିରହିଲେ, କିନ୍ତୁ କୌଣସି ବାଟ ପାଇଲେ ନାହିଁ ।

 

ସେମାନେ ଯେଉଁ ଗଛମୂଳରେ ବସିଥିଲେ, ସେହି ଗଛରେ କେତେ କୁଆ ବସା କରିଥିଲେ । ରାତି ବେଶି ହୋଇଯିବାରୁ କୁଆମାନେ କୋଳାହଳ ବନ୍ଦ କରି ନିଘୋଡ଼ ନିଦରେ ଶୋଇଗଲେ । ଏତିକିବେଳେ ଏକ ଉଲ୍ଲୁକ ଆସି ସେମାନଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଦେଲା । କାହାର ତଣ୍ଟି ଚିପି ଦେଲା ତ, କାହାର ଡେଣା ଭାଙ୍ଗିଦେଲା । କାହାକୁ ମାରି ମାଂସ ଖାଇଲା । କୁଆମାନେ ନିରାଶ୍ରୟ ହୋଇ ବୋବେଇଲେ ।

 

ଉଲ୍ଲୁକର କାର୍ଯ୍ୟ ଦେଖି ଅଶ୍ୱତ୍‍ଥାମାଙ୍କ ମନରେ ଏକ ନୂଆ ପ୍ରେରଣା ଜାତ ହେଲା । ତାଙ୍କ ହୃଦୟରୁ ପ୍ରତିହିଂସାର ନିଆଁ ଜଳି ଉଠିଲା । ସେ ମନେ ମନେ ଠିକ୍‍ କଲେ ଯେ ପାଣ୍ଡବମାନଙ୍କୁ ଏହିପରି ଶୋଇଥିବା ଅବସ୍ଥାରେ ହଠାତ୍ ଆକ୍ରମଣ କଲେ ମରାଯାଇ ପାରିବ ।

 

ପାଣ୍ଡବ ପାଞ୍ଚ ଜଣ ଏକକୁ ଆରେକ ବଳି ଯୋଦ୍ଧା । ସେମାନଙ୍କୁ ଏକାକୀ ଯୁଦ୍ଧରେ ଜୟ କରିବା ମୋ ପକ୍ଷରେ କଷ୍ଟକର ହେବ । ତେଣୁ ଉଲ୍ଲୁକ ଭଳି ହଠାତ୍ ଆକ୍ରମଣ କରି ମୁଁ ସହଜରେ ପିତୃହନ୍ତାର ପ୍ରତିଶୋଧ ନେଇ ପାରିବି ।

 

ଅଶ୍ୱତ୍‍ଥାମା କୃପାଚାର୍ଯ୍ୟଙ୍କ ଆଗରେ ନିଜର ମନର କଥା ପ୍ରକାଶ କଲେ । କୃପାଚାର୍ଯ୍ୟ ସବୁ ଶୁଣିସାରି ଅଶ୍ୱତ୍‍ଥାମାଙ୍କୁ ବହୁତ ଧିକ୍କାର କଲେ । ଶେଷରେ କହିଲେ–‘‘ଦେଖ ଅଶ୍ୱତ୍‍ଥାମା ! ତୁମ୍ଭେ ଯେଉଁ ଯେଉଁ ପ୍ରକାରେ ପାଣ୍ଡବମାନଙ୍କୁ ମାରିବ ବୋଲି ଧାଇଁଛ, ତାହା ଠିକ୍‍ ନୁହେଁ । ଶୋଇଥିବା ବେଳେ ଶତ୍ରୁକୁ ହତ୍ୟା କରିବା ବୀରତ୍ୱର ଲକ୍ଷଣ ନୁହେଁ । ଅତୀତରେ ଦୁର୍ଯ୍ୟୋଧନ ଅନ୍ୟାୟ କରିଥିବାରୁ ତାଙ୍କର ଅବସ୍ଥା ଯାହା ହେଲା, ତାହା ତୁମ୍ଭେ ଦେଖିପାରୁଛ । ଆମ୍ଭେ ଧର୍ମଛଡ଼ା ହେଲେ ଆମ୍ଭର ଅବସ୍ଥା ଠିକ୍‍ ସେହିପରି ହେବ । ସୁତରାଂ ମୁଁ ତୁମ୍ଭ ସହିତ ଏକମତ ନୁହେଁ । ତୁମ୍ଭେ ଯଦି ତୁମ୍ଭର ଇଚ୍ଛା ପୂରଣ କରିବାକୁ ଚାହଁ, ତେବେ ସ୍ୱତନ୍ତ୍ର ଭାବରେ କରିପାର । ମୋ ନିକଟରୁ କୌଣସି ପ୍ରକାର ସାହାଯ୍ୟ ଆଶା ଆଦୌ ରଖ ନାହିଁ ।’’

 

କୃପାଚାର୍ଯ୍ୟଙ୍କ କଥାରେ ବାଧା ଦେଇ ଅଶ୍ୱତ୍‍ଥାମା କହିଲେ–‘ଆପଣ ମୋତେ ସାହାଯ୍ୟ କରନ୍ତୁ ବା ନ କରନ୍ତୁ, ମୁଁ ପିତୃହନ୍ତାମାନଙ୍କର ପ୍ରତିଶୋଧ ଅବଶ୍ୟ ନେବି ।’’

 

ଅଶ୍ୱତ୍‍ଥାମାଙ୍କର ଅଟଳ ପ୍ରତିଜ୍ଞା ଶୁଣି କୃପାଚାର୍ଯ୍ୟ ପୁଣି ଥରେ ତାଙ୍କୁ ବୁଝେଇ କହିଲେ–‘‘ଅଶ୍ୱତ୍‍ଥାମା, ତୁମ୍ଭେ ବ୍ରାହ୍ମଣର ପୁତ୍ର । ନିଜ କୁଳ ଓ ଗୋତ୍ରରେ କଳଙ୍କ ଲଗାଅ ନାହିଁ । ଶତ୍ରୁ ହେଉ ବା ମିତ୍ର ହେଉ, ଶୋଇଥିବା ଲୋକକୁ ହତ୍ୟା କରିବା ମହାପାପ । ତୁମ୍ଭେ ଖ୍ୟାତନାମା ଦ୍ରୋଣାଚାର୍ଯ୍ୟଙ୍କ ପୁତ୍ର । ପିତାଙ୍କର ମର୍ଯ୍ୟାଦାକୁ ରକ୍ଷାକର । ତାଙ୍କ ନାମରେ କଳଙ୍କ ଲଗାଅ ନାହିଁ । ବଂଶମର୍ଯ୍ୟାଦାକୁ ତଳେ ପକାଅ ନାହିଁ । ଇତିହାସର ପୃଷ୍ଠାରେ ନିନ୍ଦାର ପାତ୍ର ହୁଅ ନାହିଁ ।’’

 

ଅଶ୍ୱତ୍‍ଥାମା କହିଲେ, ‘‘ଆପଣଙ୍କ କଥା ଶୁଣି ମୋତେ ଆଶ୍ଚର୍ଯ୍ୟ ଲାଗୁଛି । ଯେଉଁମାନେ ଅନ୍ୟାୟୀ, ସେମାନଙ୍କ ସହିତ ଅନ୍ୟାୟ ଆଚରଣ କଲେ ଅଧର୍ମ ହେବ କାହଁକି ? ଆପଣ କହିପାରିବେ, ପାଣ୍ଡବମାନେ ଅନ୍ୟାୟ କରିନାହାନ୍ତି ବୋଲି ? ଦ୍ରୋଣ, କର୍ଣ୍ଣ, ଦୁଃଶାସନ ପ୍ରଭୃତି ଯୋଦ୍ଧାମାନଙ୍କୁ ଯେପରି ଭାବରେ ମରାଗଲା, ତାହା କ’ଣ ଅନ୍ୟାୟ ନୁହେଁ ? ଆପଣ ଯାହା କିଛି କୁହନ୍ତୁ, ମୁଁ ନିଶ୍ଚୟ ପ୍ରତିଶୋଧ ନେବି । ପିତୃହନ୍ତାଙ୍କର ପ୍ରତିଶୋଧ ନେବା ମୋର କର୍ତ୍ତବ୍ୟ ।’’

 

ଏହା କହି ଅଶ୍ୱତ୍‍ଥାମା ପାଣ୍ଡବ ଶିବିର ଆଡ଼କୁ ସେହି ଅଧରାତିରେ ଧାଇଁଲେ ।

 

କୃପାଚାର୍ଯ୍ୟ ମଧ୍ୟ ତାଙ୍କ ପଛେ ପଛେ ଗଲେ ।

 

ଅଶ୍ୱତ୍‍ଥାମାଙ୍କ ନୀଚତା :

 

ପାଣ୍ଡବ ଶିବିରରେ ପହଞ୍ଚି ଅଶ୍ୱତ୍‍ଥାମା ଦେଖିଲେ ଯେ ଚାରିଆଡ଼ ଶୂନ୍‍ଶାନ୍‍ ହୋଇଛି । ଜଗୁଆଳମାନେ କେତେବେଳୁ ଶୋଇ ପଡ଼ିଲେଣି ।

 

ଶିବିରର ଦ୍ୱାରଦେଶରେ ଜଗି ରହିବାକୁ କୃପାଚାର୍ଯ୍ୟଙ୍କୁ କହି ଅଶ୍ୱତ୍‍ଥାମା ଶିବିର ଭିତରେ ପ୍ରବେଶ କଲେ ।

 

ଶିବିରର ପ୍ରଥମ ବଖରାରେ ଅଶ୍ୱତ୍‍ଥାମା ଧୃଷ୍ଟଦ୍ୟୁମ୍ନଙ୍କୁ ଶୋଇଥିବାର ଦେଖିଲେ । ଠିକ୍‍ ସୁଯୋଗ ପାଇ ଧୃଷ୍ଟଦ୍ୟୁମ୍ନଙ୍କ ଚୁଟିକୁ ଧରି ତଳେ କଚାଡ଼ିଦେଲେ ।

 

ଧୃଷ୍ଟଦ୍ୟୁମ୍ନ ଦରମରା ଅବସ୍ଥାରେ ପଡ଼ିରହିଲେ ।

 

ଅନ୍ୟ ଏକ ବଖରାରେ ଦୌପଦୀଙ୍କର ପାଞ୍ଚପୁଅ ଶୋଇଥିଲେ ।

 

ଅଶ୍ୱତ୍‍ଥାମା ସେମାନଙ୍କୁ ପାଞ୍ଚପାଣ୍ଡବ ମନେ କରି ନିର୍ଦ୍ଦୟ ଭାବରେ ମାରିଦେଲେ ।

 

ପଞ୍ଚପାଣ୍ଡବଙ୍କୁ ମାରି ଦେଇଛନ୍ତି ବୋଲି ଭାବି ସେ ଆଉ ଆଗକୁ ନ ଯାଇ ଫେରିଆସିଲେ ।

 

ଆସିଲାବେଳେ ଶିବରରେ ନିଆଁ ଲଗାଇଦେଲେ । ଶିବରଟି ହୁ ହୁ ହୋଇ ଜଳିଉଠିଲା । ବହୁତ ସୈନ୍ୟ ପୋଡ଼ି ମରିଗଲେ । ବହୁତ ଧନସମ୍ପତ୍ତି ପୋଡ଼ି ନଷ୍ଟ ହୋଇଗଲା ।

 

ପାଣ୍ଡବ ପାଞ୍ଚଭାଇ ଅଳ୍ପକେ ରକ୍ଷା ପାଇଗଲେ ।

 

ଦୁର୍ଯ୍ୟୋଧନଙ୍କ ମୃତ୍ୟୁ :

 

ଗତ ରାତିର ବୀରପଣିଆ ବର୍ଣ୍ଣନା କରିବା ପାଇଁ ଅଶ୍ୱତ୍‍ଥାମା ଦୁର୍ଯ୍ୟୋଧନଙ୍କ ନିକଟକୁ ଗଲେ । ସେତେବେଳକୁ ଦୁର୍ଯ୍ୟୋଧନଙ୍କର ଚେତନାଶକ୍ତି କମି କମି ଆସୁଥିଲା ।

 

ଅଶ୍ୱତ୍‍ଥାମା ଦୁର୍ଯ୍ୟୋଧନଙ୍କର କାନ ପାଖରେ ଯାଇ କହିଲେ–‘‘ମହାରାଜ ! ଏକ ଶୁଭ ସମ୍ୱାଦ ଶୁଣନ୍ତୁ । ମୁଁ ବର୍ତ୍ତମାନ ଅସଂଖ୍ୟ ସୈନ୍ୟସାମନ୍ତଙ୍କ ସହ ପାଣ୍ଡବ ପାଞ୍ଚ ଭାଇଙ୍କୁ ହତ୍ୟା କରି ଫେରିଲି ।’’

 

ଅଶ୍ୱତ୍‍ଥାମାଙ୍କର କଥା ଶୁଣି ଦୁର୍ଯ୍ୟୋଧନ ନୂଆ ଜୀବନ ପାଇଲା ଭଳି ଅନୁଭବ କଲେ । ତାଙ୍କ ମୁହଁରେ ହସ ଫୁଟିଉଠିଲା । ସେ ଅଶ୍ୱତ୍‍ଥାମାଙ୍କର ବହୁତ ପ୍ରଶଂସା କରି ତାଙ୍କୁ କୁଣ୍ଢାଇ ପକାଇଲେ ଏବଂ କହିଲେ–ଅଶ୍ୱତ୍‍ଥାମା ! ଯେଉଁ କାମକୁ ଭୀଷ୍ମ, ଦ୍ରୋଣ, କର୍ଣ୍ଣ ଓ ଶଲ୍ୟ ଆଦି ବଡ଼ ବଡ଼ ରଥୀମାନେ କରିପାରି ନ ଥିଲେ ।’ ତାହା ତୁମ୍ଭେ କରିପାରିଥିବାରୁ ମୁଁ ସନ୍ତୁଷ୍ଟ ହୋଇଛି । ବର୍ତ୍ତମାନ ଉପହାର ଦେବାକୁ ମୋ ପାଖରେ କିଛି ନାହିଁ । ଏତିକି କହି ସେ ମରିଗଲେ ।

 

ପାଣ୍ଡବମାନଙ୍କର ମୃତ୍ୟୁଖବର ଶୁଣିବା ପାଇଁ ସେ ଯେପରି ବଞ୍ଚି ରହିଥିଲେ ।

 

ଦ୍ରୌପଦୀଙ୍କ ପ୍ରତିଜ୍ଞା :

 

ସକାଳ ହେଲା । ଧୃଷ୍ଟଦ୍ୟୁମ୍ନଙ୍କ ସାରଥିଙ୍କ ନିକଟରୁ ଯୁଧିଷ୍ଠିର ଗତ ରାତିର ସମସ୍ତ ଘଟଣା ଣୁଣିପାରିଲେ । ପ୍ରଥମେ ପ୍ରଥମେ ଯୁଧିଷ୍ଠିର ବିଶ୍ୱାସ କରୁ ନ ଥିଲେ । ଯେତେବେଳେ ଘଟଣାସ୍ଥଳକୁ ଆସି ସବୁ ବିଷୟ ଦେଖିଲେ, ସେତେବେଳେ ସେ ଦୁଃଖରେ ଭାଙ୍ଗିପଡ଼ିଲେ ।

 

ଦ୍ରୌପଦୀଙ୍କୁ ଡାକି ଆଣିବା ପାଇଁ ନକୁଳ ଓ ସହଦେବଙ୍କୁ ପଠେଇଲେ ।

 

ଭାଇ ଓ ପାଞ୍ଚ ପୁଅଙ୍କର ହଠାତ୍‍ ମରଣ ଖବର ପାଇ ସତୀ ଦ୍ରୌପଦୀ ମୁଣ୍ଡପିଟି କାନ୍ଦିବାକୁ ଲାଗିଲେ । ରାଗରେ ଜଳି ଉଠି ପ୍ରତିଜ୍ଞା କଲେ ଯେ ଯେତେବେଳ ପର୍ଯ୍ୟନ୍ତ ଅଶ୍ୱତ୍‍ଥାମାର ମଲାଦେହ ନ ଦେଖିବି, ସେତେବେଳ ପର୍ଯ୍ୟନ୍ତ ଜଳଗ୍ରହଣ କରିବି ନାହିଁ ।

 

ଯୁଧିଷ୍ଠିର କହିଲେ–ଦ୍ରୌପଦୀ ! ତୁମ୍ଭେ ପାଗଳୀ ହେଲ ନାଁ କ’ଣ ? ଅଶ୍ୱତ୍‍ଥାମା କେଉଁଠି ଯାଇ ଲୁଚିଛି । ଆମ୍ଭେ ଏବେ ତାକୁ କେଉଁଠୁ ଖୋଜି ବାହାର କରିବୁ ?

 

ଦ୍ରୌପଦୀ କହିଲେ–ମହାରାଜ ! ମୁଁ ଯେତେବେଳେ ଯେଉଁ କଥା କହିଛି, ଆପଣ ସେ ସବୁ ରକ୍ଷା କରିଛନ୍ତି । ଆଜି ମୋର ଏହି ଗୋଟିଏ ଅଳି ରକ୍ଷା କରିପାରିବେନି ? ଯଦି ନ ରଖିବେ, ତେବେ ମୁଁ ଭୋକ ଉପାସରେ ଶୁଖି ଶୁଖି ମରିବି ।

 

ମଣିହରଣ :

 

ସତୀ ଦ୍ରୌପଦୀଙ୍କର ଅନୁରୋଧ ଭାଙ୍ଗି ନ ପାରି ଭୀମ ଅଶ୍ୱତ୍‍ଥାମାଙ୍କୁ ଖୋଜିବାକୁ ଗଲେ ।

 

ଭଗବାନ ଶ୍ରୀକୃଷ୍ଣଙ୍କ ମନରେ ଭୟ ଜାତ ହେଲା । କାରଣ ଅଶ୍ୱତ୍‍ଥାମାଙ୍କ ପାଖରେ ଏପରି ଅସ୍ତ୍ରଶସ୍ତ୍ରମାନ ଥିଲା ଯେ, ଯାହାର ପ୍ରତିରୋଧ କରିବା ପାଇଁ ଭୀମଙ୍କର ଶକ୍ତି ନଥିଲା ।

 

ଭୀମଙ୍କୁ ସାହାଯ୍ୟ କରିବା ପାଇଁ ଶ୍ରୀକୃଷ୍ଣ, ଯୁଧିଷ୍ଠିର ଓ ଅର୍ଜ୍ଜୁନଙ୍କୁ ପଠେଇଲେ । ରାସ୍ତାରେ ଭୀମଙ୍କ ସହିତ ସେମାନଙ୍କର ଭେଟ ହେଲା ।

 

ତିନି ଭାଇ ମିଶି ଅଶ୍ୱତ୍‍ଥାମାକୁ ଖୋଜିବାକୁ ଗଲେ ।

 

ଏକ ନିର୍ଜ୍ଜନ ସ୍ଥାନରେ ଅଶ୍ୱତ୍‍ଥାମା ବସି ବ୍ୟାସଦେବଙ୍କ ସହିତ କଥାବାର୍ତ୍ତା କରୁଥିଲେ । ଭୀମ ତାଙ୍କୁ ଦେଖିପାରି ବହୁତ ନିନ୍ଦା କଲେ ।

 

ଅଶ୍ୱତ୍‍ଥାମା ପଛକୁ ମୁହଁ ବୁଲେଇ ଦେଖିଲେ ଯେ ଆଗରେ ଯୁଧିଷ୍ଠିର, ଭୀମ ଓ ଅର୍ଜ୍ଜୁନ ଠିଆ ହୋଇଛନ୍ତି । ସେ ନିଜର ଆଖିକୁ ବିଶ୍ୱାସ କରିପାରିଲେ ନାହିଁ । କାରଣ ସେ ଗତ ରାତିରେ ପାଣ୍ଡବମାନଙ୍କୁ ହତ୍ୟା କରିଛନ୍ତି ବୋଲି ଭାବିଥିଲେ; କିନ୍ତୁ ଆଖି ଆଗରେ ପାଣ୍ଡବମାନଙ୍କୁ ଦେଖି ମରିଯିବା ଭୟରେ ପ୍ରମାଦ ଗଣିଲେ ।

 

ଭୀମଙ୍କର କଟୁବାକ୍ୟ ସହି ନ ପାରି ଅଶ୍ୱତ୍‍ଥାମା ଗର୍ଜିଉଠିଲେ । ସଙ୍ଗେ ସଙ୍ଗେ ବ୍ରହ୍ମଶିରା ନାମକ ଏକ ଅମୋଘଅସ୍ତ୍ର ପ୍ରୟୋଗ କଲେ । ବ୍ରହ୍ମଶିରା ଅସ୍ତ୍ରର ପ୍ରତିରୋଧ କରିବା ପାଇଁ ଅର୍ଜ୍ଜୁନ ଭୟଙ୍କର ପାଶୁପତ ଅସ୍ତ୍ରର ଆଶ୍ରୟ ନେଲେ ।

 

ଦୁଇ ଅସ୍ତ୍ରର ଶବ୍ଦରେ ପୃଥିବୀ କମ୍ପିଉଠିଲା । ଦୁଇ ଅସ୍ତ୍ରର ପ୍ରତାପରେ ସୃଷ୍ଟି ଧ୍ୱଂସ ହୋଇଯିବ। ଆଶାଙ୍କା କରି ବ୍ୟାସଦେବ ‘ବନ୍ଦକର’ ‘ବନ୍ଦକର’ ବୋଲି ପାଟି କଲେ ।

 

ଏହି ସମୟରେ ମହର୍ଷି ନାରଦ ସ୍ୱର୍ଗରୁ ଆସି କହିଲେ, ‘‘ଅର୍ଜ୍ଜୁନ ! ତୁମ୍ଭେ ଏପରି ଅମୋଘଅସ୍ତ୍ରକୁ ଜଣେ ସାମାନ୍ୟ ମନୁଷ୍ୟ ଉପରେ ପ୍ରୟୋଗ କରିବା ଠିକ୍‍ ହୋଇ ନି ।’’

 

ଅର୍ଜ୍ଜୁନ କହିଲେ, ‘‘ମହାଭାଗ ! ମୁଁ ପାଶୁପତ ଅସ୍ତ୍ରକୁ କାହାରି ଉପରେ ପ୍ରୟୋଗ କରି ନାହିଁ । ବ୍ରହ୍ମଶିରା ଅସ୍ତ୍ର କବଳରୁ ରକ୍ଷାକରିବା ପାଇଁ କେବଳ ପ୍ରୟୋଗ କରିଛି । ଏଥିରେ ମୋର କିଛି ଦୋଷ ନାହିଁ ।’’

 

ନାରଦ ମୁନି ଠିକ୍‍ କଲେ ଯେ ଦୁଇ ବୀର ନିଜ ନିଜର ଅସ୍ତ୍ର ଫେରେଇ ନିଅନ୍ତୁ ।

 

ମୁନିଙ୍କ କଥା ମାନି ଅର୍ଜ୍ଜୁନ ପାଶୁପତ ଅସ୍ତ୍ର ଫେରେଇ ନେବାକୁ ରାଜି ହେଲେ ।

 

କିନ୍ତୁ ଅଶ୍ୱତ୍‍ଥାମା ନିଜର ଅସ୍ତ୍ରଟିକୁ ଫେରେଇ ନେବାର ଉପାୟ ଜାଣି ନ ଥିଲେ ।

 

ବ୍ରହ୍ମଶିରା ଅସ୍ତ୍ର ବିଫଳ ହେବାର ନୁହେଁ ।

 

ଶେଷକୁ ଠିକ୍‍ ହେଲା ଯେ ଉତ୍ତରାଙ୍କ ଗର୍ଭରେ ଥିବା ଶିଶୁକୁ ବ୍ରହ୍ମଶିରା ଅସ୍ତ୍ର ମାରିବ । ଅର୍ଜ୍ଜୁନଙ୍କର ପାଶୁପତ ଅସ୍ତ୍ର ବିଫଳ ଯିବା ବଦଳରେ ଅଶ୍ୱତ୍‍ଥାମା ତାଙ୍କ ମୁଣ୍ଡର ମଣି ଅର୍ଜ୍ଜୁନଙ୍କୁ ଦାନ କରିବେ ।

 

ବହୁ କଷ୍ଟରେ ଅଶ୍ୱତ୍‍ଥାମା ମଣିଟିଙ୍କୁ ଯୁଧିଷ୍ଠିରଙ୍କୁ ଦେଲେ ।

 

ମୁଣ୍ଡର ମଣିଟି ଦେବା ପରେ ପରେ ତାଙ୍କ ଶରୀରରୁ ସମସ୍ତ ଶୌର୍ଯ୍ୟ ଓ ବୀର୍ଯ୍ୟ ଲୋପ ପାଇଲା । ଜୀବନର ଶେଷ ପର୍ଯ୍ୟନ୍ତ ସେ ମଲା ଭଳି ବ୍ୟାସଦେବଙ୍କ ଆଶ୍ରମରେ ରହିଲେ ।

 

ଦ୍ରୌପଦୀ ପତିମାନଙ୍କର ଆସିବା ବାଟକୁ ଚାହିଁ ବସିଥିଲେ ।

 

ଭୀମ ଦ୍ରୌପଦୀଙ୍କ ହାତରେ ମଣିଟି ଦେଇ କହିଲେ, ପାଞ୍ଚାଳୀ ! ଏ ମଣିଟି ହେଉଛି ଅଶ୍ୱତ୍‍ଥାମାଙ୍କ ମୁଣ୍ଡର ମଣି । ଅଶ୍ୱତ୍‍ଥାମାଙ୍କୁ ପରାସ୍ତ କରି ବ୍ରାହ୍ମଣ ଓ ଗରୁପୁତ୍ର ମନେକରି ହତ୍ୟା ନ କରି ଛାଡ଼ିଦେଲି ଏବଂ ତାହାଙ୍କ ମୁଣ୍ଡରୁ ଏହି ମଣିଟି ଛଡ଼େଇ ଆଣିଲି । ବର୍ତ୍ତମାନ ସେ ବଞ୍ଚିଥିଲେ ବି ମଲା ପରି । ମଣି ହରାଇବା ପରେ ତାଙ୍କର ସମସ୍ତ ଶକ୍ତି ଲୋପ ପାଇଛି । ସନ୍ନ୍ୟାସଧର୍ମ ଅବଲମ୍ୱନ କରି ସେ ବର୍ତ୍ତମାନ ବ୍ୟାସଦେବଙ୍କ ଆଶ୍ରମରେ ରହୁଛନ୍ତି । ଏଥର ତୁମ୍ଭେ ସନ୍ତୁଷ୍ଟ ହୋଇ ପ୍ରତିଜ୍ଞା ଭଙ୍ଗ କର । ଭୀମଙ୍କ କଥାରେ ଦ୍ରୌପଦୀ ରାଜି ହୋଇ ପ୍ରତିଜ୍ଞା ଭଙ୍ଗ କଲେ ।

Image

 

ସ୍ତ୍ରୀପର୍ବ

 

ଧୃତରାଷ୍ଟ୍ରଙ୍କ ବିଳାପ :

 

ଦୁର୍ଯ୍ୟୋଧନ ମଲା ପରେ ମହାଭାରତ–ଯୁଦ୍ଧ ଶେଷ ହେଲା । ଭାରତର ବିଭିନ୍ନ ଅଞ୍ଚଳରୁ ବହୁ ରାଜା ଓ ମହାରାଜାମାନେ ନିଜର ସେନା ଓ ସେନାପତିଙ୍କ ସହିତ ଆସି ଏ ଯୁଦ୍ଧରେ ଯୋଗ ଦେଇଥିଲେ ।

 

ଉଭୟ ପକ୍ଷରେ ସେନାଙ୍କ ସଂଖ୍ୟା ଥିଲା ଅଠର ଅକ୍ଷୌହିଣୀ । ଯୁଦ୍ଧରେ ବହୁତ ଲୋକ ମଲେ । ପ୍ରତ୍ୟେକ ପରିବାରରେ ମା ପୁଅକୁ ଓ ସ୍ତ୍ରୀ ସ୍ୱାମୀଙ୍କୁ ହରେଇ କାନ୍ଦିବାକୁ ଲାଗିଲେ ।

 

ସ୍ତ୍ରୀମାନଙ୍କର କାନ୍ଦରେ ଆକାଶ ଫାଟି ପଡ଼ିଲା ।

 

ସଞ୍ଜୟଙ୍କ ମୁହଁରୁ ଦୁର୍ଯ୍ୟୋଧନଙ୍କର ମୃତ୍ୟୁସମ୍ୱାଦ ପାଇ ଅନ୍ଧରାଜ ଧୃତରାଷ୍ଟ୍ର ଅଚେତ ହୋଇଗଲେ । ଆଗରୁ ଅନେଶତ ପୁଅଙ୍କର ମରଣ ତାଙ୍କ ମନରେ ଯେତିକି କଷ୍ଟ ଦେଇଥିଲା, ଏକା ଦୁର୍ଯ୍ୟୋଧନଙ୍କର ମରଣ ତା’ଠାରୁ ଶହେ ଗୁଣ ଦୁଃଖ ଦେଲା ।

 

ଶୁଣିବା ସଙ୍ଗେ ସଙ୍ଗେ ସେ ଅଚେତ ହୋଇ ତଳେ ପଡ଼ିଗଲେ ।

 

ସଞ୍ଜୟ ବହୁ ଯତ୍ନ କରି ତାଙ୍କୁ ସଚେତ କରେଇଲେ ।

 

ଚେତା ପାଇ ଅନ୍ଧରାଜ ପାଣ୍ଡବମାନଙ୍କୁ ବହୁ ତିରସ୍କାର କଲେ ।

 

ବିଦୁର ଓ ବ୍ୟାସଦେବ ଆଦି ମହାରାଜାଙ୍କୁ ଶାନ୍ତ କରି କହିଲେ, ‘‘ଦୁର୍ଯ୍ୟୋଧନ ଯୁଦ୍ଧରେ ବୀରତ୍ୱର ସହିତ ଯୁଦ୍ଧ କରି ପ୍ରାଣ ହରେଇଛନ୍ତି । ଏହା ବଡ଼ ସୌଭାଗ୍ୟର କଥା । ଆପଣ ତାଙ୍କ ପାଇଁ ଏତେ ବ୍ୟସ୍ତ ହୁଅନ୍ତୁ ନାହିଁ ।

 

ସ୍ତ୍ରୀମାନଙ୍କ ବିଳାପ :

 

ମରିଯାଇଥିବା ପୁଅମାନଙ୍କର ଶୁଦ୍ଧକ୍ରିୟା ବିଧିବଦ୍ଧ ଭାବରେ କରିବାକୁ ଅନ୍ଧରାଜ ବିଦୁରଙ୍କୁ ଆଦେଶ ଦେଲେ ।

 

ବିଦୁର ସବୁ ବିଧବା ବୋହୂ ଓ ମାଆ ଗାନ୍ଧାରୀଙ୍କୁ ଧରି କୁରୁକ୍ଷେତ୍ରକୁ ଗଲେ ।

 

ଯେଉଁ କୌରବ ରମଣୀମାନଙ୍କ ଦେହରେ ସୁର୍ଯ୍ୟକିରଣ ପଡ଼ୁ ନଥିଲା, ଯାହାଙ୍କର ସେବାରେ ଶହ ଶହ ଦାସୀ ସବୁବେଳେ ଖଟୁଥିଲେ, ଚାଲିଗଲେ ଯାହାଙ୍କର ପାଦତଳେ ସୌଭାଗ୍ୟସମ୍ପଦ ବିଛେଇ ହୋଇ ପଡ଼ୁଥିଲା, ସେହିମାନଙ୍କର ବିଧବା ରୂପ ଦେଖି ଦେଖଣାହାରୀମାନେ ଆହା, ଆହା କରିବାକୁ ଲାଗିଲେ ।

 

ଯୁଧିଷ୍ଠିର ଶୁଣିପାରିଲେ ଯେ ମହାରାଜ ଧୃତରାଷ୍ଟ୍ର ପରିବାର ସହ କୁରୁକ୍ଷେତ୍ରକୁ ଆସୁଛନ୍ତି-। ମହାରାଜାଙ୍କ ସହିତ ସାକ୍ଷାତ କରିବା ପାଇଁ ଯୁଧିଷ୍ଠିର ନିଜର ଚାରିଭାଇ, ଶ୍ରୀକୃଷ୍ଣ, ସାତ୍ୟକୀ ଓ ଦ୍ରୌପଦୀଙ୍କୁ ସଙ୍ଗରେ ଧରି କୁରୁକ୍ଷେତ୍ରକୁ ଆସିଲେ ।

 

କୌରବ ରମଣୀମାନଙ୍କର ବିଧବା ରୂପ ଦେଖି ଓ ବିଳାପ ଶୁଣି ଦ୍ରୌପଦୀ ସ୍ଥିର ହୋଇ ରହିପାରିଲେ ନାହିଁ । ଶ୍ରାବଣର ଧାରା ଭଳି ତାଙ୍କ ଆଖିରୁ ମଧ୍ୟ ଲୁହ ଗଡ଼ିଲା ।

 

ଶ୍ରୀକୃଷ୍ଣଙ୍କ କୌଶଳ :

 

ପାଣ୍ଡବ ପାଞ୍ଚଭାଇ ଜଣ ଜଣ ହୋଇ ଧୃତରାଷ୍ଟ୍ରଙ୍କୁ ପ୍ରଣାମ କରିବାକୁ ଗଲେ । ଧୃତରାଷ୍ଟ୍ର ପ୍ରଥମେ ପାଣ୍ଡବମାନଙ୍କୁ ପୁତ୍ରହନ୍ତା ମନେକରି ଆଶୀର୍ବାଦ କରୁ ନ ଥିଲେ । ପରେ ଶ୍ରୀକୃଷ୍ଣଙ୍କ କଥାମାନି ଆଶୀର୍ବାଦ କଲେ ।

 

ଧୃତରାଷ୍ଟ୍ର ଆଗରୁ ଶୁଣିଥିଲେ ଯେ ଭୀମ ଦୁର୍ଯ୍ୟୋଧନଙ୍କୁ ହତ୍ୟା କରିଛନ୍ତି । ବର୍ତ୍ତମାନ ଭୀମଙ୍କୁ ପାଖରେ ପାଇ ତାଙ୍କ ହୃଦୟରେ ପ୍ରତିହିଂସାର ନିଆଁ ଜଳିଉଠିଲା । ପ୍ରତିଶୋଧ ନେବା ପାଇଁ ମନରେ କପଟ ରଖି କହିଲେ, ଭୀମ କାହିଁ ? ମୁଁ ତା’ର ବୀରତ୍ୱରେ ବଡ଼ ଖୁସି ହୋଇଛି । କୁରୁକ୍ଷେତ୍ର ଯୁଦ୍ଧରେ ସେ ଯେପରି ନିଜ ଶକ୍ତିର ପରିଚୟ ଦେଇଛି, ଅନ୍ୟ କେହି କେଉଁଠି ସେପରି ପରିଚୟ ଦେଇଛି ବୋଲି ମୋର ମନେହୁଏ ନାହିଁ । ମୋ ପାଖକୁ ତାକୁ ଟିକିଏ ପଠେଇ ଦିଅ । ମୁଁ ତାକୁ ଛାତିରେ ଲଗେଇ ପୁତ୍ରଶୋକ ଭୁଲିଯିବାକୁ ଚାହୁଁଛି ।

 

ଭଗବାନ ଶ୍ରୀକୃଷ୍ଣ ଅନ୍ଧରାଜାଙ୍କର ମନର କଥା ଜାଣିପାରି ଭୀମଙ୍କର ଏକ ଲୁହା ପ୍ରତିମୂର୍ତ୍ତି ନେଇ ତାଙ୍କ ଆଗରେ ଠିଆକରାଇ ଦେଲେ ।

 

ଅନ୍ଧରାଜା ଅଣ୍ଡାଳି ଅଣ୍ଡାଳି ମୂର୍ତ୍ତିଟିକୁ ଭୀମ ମନେ କରି ଏତେ ଜୋରରେ ମାଡ଼ିବସିଲେ ଯେ ମୂର୍ତ୍ତିଟି ମାଟି ଭିତରକୁ ପଶିଗଲା ।

 

ପୁତ୍ରହନ୍ତାକୁ ମାଟି ଭିତରେ ଚାପି ଦେଇଛନ୍ତି ଭାବି ଧୃତରାଷ୍ଟ୍ର ମନେ ମନେ ଖୁସିହେବାକୁ ଲାଗିଲେ । ତାଙ୍କ ମୁହଁ ହସ ହସ ହୋଇଗଲା ।

 

ଅନ୍ତର୍ଯ୍ୟାମୀ ଶ୍ରୀକୃଷ୍ଣ ସବୁକଥା ଜାଣିପାରି ଅନ୍ଧରାଜାଙ୍କୁ ଲକ୍ଷ୍ୟକରି କହିଲେ, ମହାରାଜ ! ଆପଣ ଯେଉଁଥିପାଇଁ ଏତେ ଖୁସି ହେଉଛନ୍ତି, ତାହା କରି ନାହାନ୍ତି । ଆପଣ ପ୍ରକୃତ ଭୀମଙ୍କୁ ଶାସ୍ତି ଦେଇପାରି ନାହାନ୍ତି । ଭୀମଙ୍କର ପ୍ରତିମୂର୍ତ୍ତିକୁ ମାଟି ଭିତରେ ଚାପି ଦେଇଛନ୍ତି । ମୁଁ ଆଗରୁ ଆପଣଙ୍କର ମନର କଥା ଜାଣିପାରି ଭୀମଙ୍କର ଏକ ଲୁହାମୂର୍ତ୍ତି ଆଣି ଆପଣଙ୍କ ଆଗରେ ଠିଆ କରାଇଲି । ଆପଣ ଭାବୁଛନ୍ତି–ଭୀମ ଆପଣଙ୍କ ପୁତ୍ରମାନଙ୍କର ହତ୍ୟାକରୀ । କିନ୍ତୁ ବିଚାରି ଦେଖନ୍ତୁ, ପ୍ରକୃତ ହତ୍ୟାକାରୀ କିଏ ? ଭୀମ ନା ଦୁର୍ଯ୍ୟୋଧନ ? ପ୍ରଥମେ ଯୁଦ୍ଧ ପାଇଁ ଡାକରା ଦେଲା କିଏ ? କୋଟି କୋଟି ନିରୀହ ସୈନ୍ୟଙ୍କୁ ହତ୍ୟା କରେଇ କୋଟି କୋଟି ଯୁବତୀଙ୍କୁ ବିଧବା କରେଇଲା କିଏ-? ପାଣ୍ଡବମାନେ କ’ଣ ଏହା ଚାହୁଁଥିଲେ ? କେବଳ ଦୁର୍ଯ୍ୟୋଧନଙ୍କ ଯୋଗୁ ହିଁ ଏତେ କାଣ୍ଡ ଘଟିଗଲା । ଆପଣ ମଧ୍ୟ ତାଙ୍କୁ ମନାକଲେ ନାହିଁ । ଯୁଦ୍ଧରେ ଧର୍ମର ଜୟ ହୋଇଛି, ଅଧର୍ମର କ୍ଷୟ ଘଟିଛି । ଏଥିରେ ଆପଣଙ୍କର ଦୁଃଖ କରିବା ଉଚିତ ହେଉ ନି । ପାଣ୍ଡବମାନେ ବି ଆପଣଙ୍କର ପୁଅ-। ସେମାନଙ୍କୁ ଆପଣାର କରନ୍ତୁ । ସେମାନେ ଆପଣଙ୍କୁ ପିତାର ଆସନରେ ବସାଇ ପୂଜା କରିବାକୁ ରାଜି ଅଛନ୍ତି । ଶ୍ରୀକୃଷ୍ଣଙ୍କ କଥାରେ ଅନ୍ଧରାଜ ଧୃତରାଷ୍ଟ୍ର ଲଜ୍ଜିତ ହୋଇ ତଳକୁ ମୁଣ୍ଡ ପୋତିଦେଲେ ।

 

ଗାନ୍ଧାରୀଙ୍କ ଅଭିଶାପ :

 

ଧୃତରାଷ୍ଟ୍ରଙ୍କ ନିକଟରୁ ବିଦାୟ ନେଇ ପାଣ୍ଡବମାନେ ମାଆ ଗାନ୍ଧାରୀଙ୍କ ନିକଟକୁ ଗଲେ-। ଜଣ ଜଣ ହୋଇ ପାଞ୍ଚ ଭାଇ ଯାକ ଗାନ୍ଧାରୀଙ୍କ ପାଦତଳେ ପ୍ରଣାମ କଲେ ।

 

ଗାନ୍ଧାରୀ ପ୍ରତ୍ୟେକଙ୍କୁ ଆଶୀର୍ବାଦ କଲେ । ଶେଷରେ ଭଗବାନ ଶ୍ରୀକୃଷ୍ଣଙ୍କର ପ୍ରଣାମ ଗ୍ରହଣ କରି ଗାନ୍ଧାରୀ କହିଲେ–ତୁମ୍ଭେ କପଟତା କରି ମୋର ଶହେ ପୁଅଙ୍କୁ ମରେଇଛ । ମୋର କୁଳ ଧ୍ୱଂସ କରିଦେଇଛ । ଏ ବୃଦ୍ଧା ବୟସରେ ଦେଖାଶୁଣା କରିବାକୁ ମୋର ହୋଇ ଜଣେ କେହି ନାହିଁ । ତେଣୁ ମୁଁ ତୁମ୍ଭଙ୍କୁ ଅଭିଶାପ ଦେଉଛି, ଦିନେ ତୁମ୍ଭର ଯାଦବବଂଶ କୌରବବଂଶ ଭଳି ଧ୍ୱଂସ ହେବ । ତୁମ୍ଭର ଅବସ୍ଥା ଠିକ୍‍ ମୋରି ପରି ହେବ ।

 

ଭଗବାନ ଶ୍ରୀକୃଷ୍ଣ ହସି ହସି ଗାନ୍ଧାରୀଙ୍କ ଅଭିଶାପ ଗ୍ରହଣ କଲେ ।

 

ତା’ପରେ ସସସ୍ତେ ମିଶି ଯୁଦ୍ଧକ୍ଷେତ୍ରକୁ ଗଲେ । ଯେ ଯାହାର ନିଜର ଲୋକମାନଙ୍କର ଶବ ଚିହ୍ନି ବାହାର କଲେ ।

 

କ୍ରନ୍ଦନ ଶବ୍ଦରେ ଗଗନ ପବନ ମୁଖରିତ ହୋଇ ଉଠିଲା ।

 

ଧର୍ମରାଜ ଯୁଧିଷ୍ଠିର ସମସ୍ତଙ୍କୁ ଶାନ୍ତ କରି ଶବଗୁଡ଼ିକ ପୋଡ଼ି ଦେବାର ବନ୍ଦୋବସ୍ତ କଲେ-

 

ମୃତଶବ ଦାହ :

 

ଯୁଧିଷ୍ଠିରଙ୍କ ଆଦେଶ ମାତ୍ରେ ଭୃତ୍ୟମାନେ ଚନ୍ଦନକାଠ ଓ ବିବିଧ ସୁଗନ୍ଧ ପଦାର୍ଥମାନ ସଂଗ୍ରହ କରି ଆଣିଲେ ।

 

ଚାହୁଁ ଚାହୁଁ ପର୍ବତ ମମାନରେ ଗଦା ହୋଇଥିବା ମୃତଦେହ ଆଖି ପିଛୁଳାକେ ପୋଡ଼ି ପାଉଁଶ ହୋଇଗଲା ।

 

କର୍ଣ୍ଣଙ୍କ ପରିଚୟ :

 

ଧର୍ମରାଜ ଯୁଧିଷ୍ଠିର ଆତ୍ମୀୟସ୍ୱଜନମାନଙ୍କୁ ପୋଡ଼ିସାରି ତର୍ପଣ କରିବା ପାଇଁ ନଦୀକୂଳକୁ ଗଲେ ।

 

ସେତିକିବେଳେ ମାତା କୁନ୍ତୀ ଯୁଧିଷ୍ଠିରଙ୍କୁ କହିଲେ, ‘‘ପୁତ୍ର ! ତୁମ୍ଭେ କର୍ଣ୍ଣଙ୍କୁ ଜଳୋଦକ ଦିଅ । ସେ ତୁମ୍ଭର ବଡ଼ଭାଇ ।’’

 

ଏତିକି କହି ମାତା କୁନ୍ତୀ କାନ୍ଦିପକାଇଲେ । ସେ କାନ୍ଦି କାନ୍ଦି କହିଲେ, ‘‘ଯେଉଁ ବୀରଶ୍ରେଷ୍ଠ କର୍ଣ୍ଣ ଏକାକୀ ସାହାଯ୍ୟ ନ ନେଇ ତୁମ୍ଭମାନଙ୍କ ସଙ୍ଗେ ଲଢ଼ୁଥିଲେ, ଯାହାଙ୍କର ପରାକ୍ରମ ଶହ ଶହ ଯୋଦ୍ଧାଙ୍କ ମନରେ ଭୟ ଜାତ କରୁଥିଲା, ଯେ ଯୁଦ୍ଧଭୂମିରେ ସୁର୍ଯ୍ୟକିରଣଠାରୁ ଆହୁରି ଅଧିକ ତେଜିୟାନ ରୂପ ଧାରଣ କରି ସମର ଚାଳନା କରୁଥିଲେ, ସେହି ସମରକୁଶଳୀ, ବୀରଶ୍ରେଷ୍ଠ କର୍ଣ୍ଣ ମୋରି ଗର୍ଭରୁ ଜନ୍ମ ହୋଇଥିଲେ । ସେତେବେଳେ ମୁଁ ବିବାହ କରି ନ ଥିଲି । ସୂର୍ଯ୍ୟଦେବଙ୍କ ଅନୁଗ୍ରହରୁ କର୍ଣ୍ଣଙ୍କୁ ଗର୍ଭରେ ଧରିଥିଲି । ପ୍ରସବ ପରେ ଲୋକନିନ୍ଦାରୁ ରକ୍ଷାପାଇବା ପାଇଁ ତାଙ୍କୁ ନଦୀସ୍ରୋତରେ ଭସେଇ ଦେଇଥିଲି । କର୍ଣ୍ଣ ମୋର ପୁଅ ବୋଲି ଜାଣିଥିଲେ ମଧ୍ୟ ମୁଁ ତାହା ତୁମ୍ଭମାନଙ୍କ ଆଗରେ ପ୍ରକାଶ କରି ନ ଥିଲି । ବର୍ତ୍ତମାନ ତୁମ୍ଭେ କର୍ଣ୍ଣଙ୍କୁ ଜଳୋଦକ ଦିଅ । ତୁମ୍ଭଠାରୁ ଜଳୋଦକ ପାଇଲେ ତା’ ଆତ୍ମାର ସଦ୍‍ଗତି ହେବ ।’’

 

ମାଆଙ୍କ କଥା ଶୁଣି ଧର୍ମରାଜ ଯୁଧିଷ୍ଠିର ମନେ ମନେ ଭାରି ଦୁଃଖିତ ହେଲେ । ସ୍ତ୍ରୀ ଜାତି ଉପରେ ତାଙ୍କର ଘୃଣା ଜାତହେଲା । ସଙ୍ଗେ ସଙ୍ଗେ ସେ ସ୍ତ୍ରୀଜାତିକୁ ଅଭିଶାପ ଦେଲେ ଯେ, ‘‘ତୁମ୍ଭମାନଙ୍କ ଅନ୍ତରରେ କୌଣସି କଥା ଛପି ନ ରହୁ ।’’

 

ସେହିଦିନଠାରୁ ଏକ ଲୋକାପବାଦ ଅଛି ଯେ ସ୍ତ୍ରୀମାନଙ୍କ ଆଗରେ କୌଣସି ଗୁପ୍ତ କଥା କହିବ ନାହିଁ । କହିଲେ, ସେମାନେ ନିଶ୍ଚୟ ତାହା ଅନ୍ୟ ଆଗରେ କହିଦେବେ ।

 

ମାଆଙ୍କ କଥା ରଖି ଯୁଧିଷ୍ଠିର ବଡ଼ଭାଇ କର୍ଣ୍ଣଙ୍କୁ ଜଳୋଦକ ଦେଲେ । ନିଜର ଆତ୍ମୀୟସ୍ୱଜନ, ବନ୍ଧୁବାନ୍ଧବ ଓ ମୃତ ସୈନ୍ୟମାନଙ୍କୁ ଜଳୋଦକ ଦେଇ ଭାଇମାନଙ୍କ ସହିତ ନବରକୁ ଫେରିଗଲେ ।

Image

 

ଶାନ୍ତିପର୍ବ

 

ଯୁଧିଷ୍ଠିରଙ୍କ ବୈରାଗ୍ୟ :

 

ମହାଭାରତ ଯୁଦ୍ଧ ଶେଷ ହେଲା । ଯୁଧିଷ୍ଠିର ନିଜର ରାଜ୍ୟ ଫେରିପାଇଲେ । ମୁଣ୍ଡରେ ମୁକୁଟ ପିନ୍ଧି ରାଜସିଂହାସନରେ ବସିଲେ । କିନ୍ତୁ ଦିନକୁ ଦିନ ତାଙ୍କ ମନରୁ ରାଜ୍ୟଭୋଗ କରିବାର ସ୍ପୃହା କମିଯିବାକୁ ଲାଗିଲା । ଯୁଦ୍ଧଭୂମିର ଭୟଙ୍କର ଦୃଶ୍ୟ ତାଙ୍କ ମନରୁ ଗଲା ନାହିଁ । କୋଟି କୋଟି ସୈନ୍ୟଙ୍କ ବିକଳ ଡାକ ଓ କୋଟି କୋଟି ଜନନୀ ଓ ସ୍ତ୍ରୀଙ୍କର ଆକୁଳ କ୍ରନ୍ଦନ, ରକ୍ତର ନଦୀ, ଶବସମୂହର ପର୍ବତ–ଏହି ସବୁର କର୍ତ୍ତା ସେ ନିଜେ ବୋଲି ମନେକଲେ ।

 

ସଂସାର ପ୍ରତି ତାଙ୍କର ତୀବ୍ର ଘୃଣା ଜାତ ହେଲା ।

 

ଦିନେ ଯୁଧିଷ୍ଠିର ଭାଇମାନଙ୍କୁ ଡାକି କହିଲେ, ଆମ୍ଭେମାନେ ରାଜ୍ୟ ପାଇବା ପାଇଁ ନିଜର ଭାଇ, ବନ୍ଧୁ, ଆତ୍ମୀୟସ୍ୱଜନ ସମସ୍ତଙ୍କୁ ମାରିଲେ । କୋଟି କୋଟି ଯୁବତୀଙ୍କର ମୁଣ୍ଡରୁ ସିନ୍ଦୂରଟୋପା ଲିଭେଇଲେ । କେତେ ସ୍ନେହମୟୀ ମାତାଙ୍କର ଯେ କୋଳ ଶୂନ୍ୟ କଲେ, ତା’ର କଳନା ନାହିଁ । ଏହି ସବୁ ପାପର ଭାଗୀ ହୋଇ କଦାପି ଆମ୍ଭେମାନେ ଶାନ୍ତିରେ ରାଜ୍ୟଭୋଗ କରିପାରିବା ନାହିଁ । ତେଣୁ ମୁଁ ଠିକ୍‍ କରିଛି ଯେ ବନକୁ ଯାଇ ପାପର ପ୍ରାୟଶ୍ଚିତ୍ତ ପାଇଁ ତପସ୍ୟା କରିବି ।

 

ବିନା ତପସ୍ୟାରେ ଏ ପାପ ଦୂର ହେବ ନାହିଁ ।

 

ବଡ଼ଭାଇଙ୍କ କଥା ଶୁଣି ଅନ୍ୟ ଭାଇମାନେ କହିଲେ, ‘‘ମହାରାଜ ! ଯେଉଁ ରାଜା ନ୍ୟାୟ ଓ ଧର୍ମକୁ ଜଗି ପ୍ରଜାପାଳନ କରେ, ସେ ସବୁ ଯଜ୍ଞ ଓ ତପର ଫଳ ପାଇଥାଏ । ଆପଣ ଆମ୍ଭ କଥା ମାନି ନ୍ୟାୟ ଓ ଧର୍ମପଥରେ ରାଜ୍ୟ ଶାସନ କରନ୍ତୁ । ସେଥିରେ ଆପଣଙ୍କୁ ଯଥେଷ୍ଟ ଶାନ୍ତି ମିଳିବ ।’’

 

ବ୍ୟାସଦେଙ୍କ ପ୍ରବୋଧବଚନ :

 

ଯୁଧିଷ୍ଠିର କାହାରି କଥା ଶୁଣିଲେ ନାହିଁ । ସେ ବନକୁ ଯିବାକୁ ସ୍ଥିର କଲେ । ବ୍ୟାସଦେବ ଯୁଧିଷ୍ଠିରଙ୍କୁ ବୋଧ ଦେଇ କହିଲେ, ‘‘ବତ୍ସ ! ତୁମ୍ଭେ ପାଞ୍ଚଭାଇ କେତେ ଦୁଃଖକଷ୍ଟ ସହି ରାଜ୍ୟ ପାଇଅଛ । ମନୁଷ୍ୟର ଜୀବନ କ୍ଷଣଭଙ୍ଗୁର । କେତେବେଳେ ପ୍ରାଣପକ୍ଷୀ ପିଞ୍ଜରାରୁ ଉଡ଼ିଯିବ, ତା’ର ଠିକଣା ନାହିଁ । ସୁତରାଂ ମୋ କଥା ମାନି କିଛିଦିନ ଭାଇମାଙ୍କ ସହିତ ରାଜ୍ୟଭୋଗ କର । ତା’ପରେ ଯାହା କିଛି କରିବ । ଯୁଦ୍ଧଦ୍ୱାରା ରାଜ୍ୟର ବହୁତ କ୍ଷତି ଘଟିଛି । ତୁମ୍ଭେ ଚାଲିଗଲେ ସେ ସବୁ ସଜାଡ଼ିବ କିଏ ?’’

 

ଯୁଧିଷ୍ଠିର କହିଲେ, ‘‘ମହାଶୟ ! ମୁଁ ଆପଣଙ୍କ ଉପଦେଶ ପାଳନ କରିବି; କିନ୍ତୁ ରାଜ୍ୟଶାସନ ଓ ଧର୍ମକାର୍ଯ୍ୟ ଯେପରି ଏକ ସଙ୍ଗେ ମୁଁ କରିପାରିବି, ତା’ର ବାଟ ମୋତେ ବତେଇ ଦେବେ ।’’

 

ଧର୍ମରାଜ୍ୟ ପ୍ରତିଷ୍ଠା :

 

ଶେଷରେ ବ୍ୟାସଦେବଙ୍କ କଥା ରଖି ଯୁଧିଷ୍ଠିର ରାଜ୍ୟଶାସନ କଲେ । ଦୁଃଖୀ–ଦରିଦ୍ରମାନଙ୍କୁ ଯଥେଷ୍ଟ ଧନରତ୍ନ ଦାନ କଲେ ।

 

ମହାବଳୀ ଭୀମ ଯୁବରାଜ ରୂପେ ଅଧିଷ୍ଠିତ ହେଲେ । ରାଜ୍ୟରେ ଏକ ସୁଦୃଢ଼ ମନ୍ତ୍ରିମଣ୍ଡଳ ଗଢ଼ାଗଲା ।

 

ସୁଜ୍ଞାନୀ ବିଦୁର ହେଲେ ପ୍ରଧାନମନ୍ତ୍ରୀ ।

 

ମହାବୀର ଅର୍ଜ୍ଜୁନଙ୍କ ଉପରେ ସନ୍ଧି, ବିଗ୍ରହର ଭାରି ଦିଆଗଲା ।

 

ସଞ୍ଜୀବ ରାଜସ୍ୱ ଦାୟିତ୍ୱ ବହନ କଲେ ।

 

ନକୁଳ ହେଲେ ସେନାନାୟକ ।

 

ସହଦେବ ରାଜ୍ୟରକ୍ଷାର ଭାର ନେଲେ ।

 

ଦେବତା ଓ ଅତିଥି ସେବା ଦାୟିତ୍ୱରେ ରହିଲେ ମହାରାଜା ଧୌମ୍ୟ ।

 

ଭୀଷ୍ମଙ୍କ ଉପଦେଶ :

 

କିଛିଦିନ ରାଜ୍ୟଶାସନ କରିବା ପରେ ପିତାମହ ଭୀଷ୍ମଙ୍କ ସହିତ ସାକ୍ଷାତ କରିବା ପାଇଁ ଧର୍ମରାଜ ଯୁଧିଷ୍ଠିରଙ୍କର ଇଚ୍ଛା ହେଲା ।

 

ପିତାମହ ଭୀଷ୍ମ ସେତେବେଳକୁ ଶରଶଯ୍ୟାଶାୟୀ ହୋଇ ପଡ଼ି ରହିଥାନ୍ତି ।

 

ଯୁଧିଷ୍ଠିର ପିତାମହଙ୍କ ପଦବନ୍ଦନା କରି କହିଲେ, ‘‘ପିତାମହ ! କୁରୁକ୍ଷେତ୍ର ଯୁଦ୍ଧରେ ମଣିଷ ହତ୍ୟା କରି କରି ମୋ ମନରେ ଏକପ୍ରକାର ମନ୍ଦ ପ୍ରଭାବ ପଡ଼ିଯାଇଛି । ଧର୍ମଭାବ ମୋ ହୃଦୟରୁ ପୂରାପୂରି ଲୋପ ପାଇ ଯାଇଥିବା ଭଳି ମତେ ଲାଗୁଛି । ଏକ ସଙ୍ଗେ ରାଜକାର୍ଯ୍ୟ ଓ ଧର୍ମକାର୍ଯ୍ୟ କିପରି ପାଳନ କରିପାରିବି, ସେହି ଉପାୟ ଦୟାକରି ମୋତେ ବତେଇ ଦିଅନ୍ତୁ ।’’

 

ଭୀଷ୍ମ କହିଲେ ‘‘ବତ୍ସ ! କ୍ଷତ୍ରୀୟ ମାନଙ୍କ ପାଇଁ ରାଜଧର୍ମ ହେଉଛି ଶ୍ରେଷ୍ଠଧର୍ମ । ଅଙ୍କୁଶ ଯେପରି ହାତୀକୁ ଠିକ୍‍ ବାଟରେ ଚଲାଏ, ସେହିପରି ରାଜା ପ୍ରଜାମାନଙ୍କୁ ନ୍ୟାୟପଥରେ ଚାଲିବା ପାଇଁ ଉପଦେଶ ଦିଏ । ସୁତରାଂ ତୁମ୍ଭେ ରାଜଧର୍ମ ପାଳନ କର । ଏହାଦ୍ୱରା ତୁମ୍ଭେ ଯଶବାନ ହେବା ସଙ୍ଗେ ପରଲୋକରେ ମଧ୍ୟ ସଦ୍‍ଗତି ଲାଭ କରି ପାରିବ ।

 

ଯୁଧିଷ୍ଠିର ବର୍ଣ୍ଣାଶ୍ରମଧର୍ମ ସମ୍ୱନ୍ଧରେ କେତେକ ପ୍ରଶ୍ନ ପଚାରିବାରୁ ଭୀଷ୍ମ କହିଲେ, ‘‘କାହାରି ଉପରେ ଅଯଥା କ୍ରୋଧ କରିବ ନାହିଁ ।

 

‘‘ଶତ୍ରୁକୁ କ୍ଷମା ଦେବ ।

 

‘‘କାହାରି ସହିତ ଅଯଥା କଳି କରିବ ନାହିଁ ।

 

‘‘ବ୍ରାହ୍ମଣର ଧର୍ମ ବେଦ ପଢ଼ିବା ଓ ପଢ଼େଇବା, ଯଜ୍ଞ କରିବା ଓ କରେଇବା ।

 

‘‘କ୍ଷତ୍ରିୟର ଧର୍ମ ଦାନ ଦେବା, ଯଜ୍ଞ କରିବା, ପ୍ରଜାମାନଙ୍କୁ ସୁଖଶାନ୍ତିରେ ପାଳନ କରିବା ଓ ରାଜ୍ୟରକ୍ଷା ପାଇଁ ଯୁଦ୍ଧ କରିବା ।

 

ଶୂଦ୍ରମାନଙ୍କର ସେବା କରିବା ହିଁ ପ୍ରଧାନ ଧର୍ମ ।’’

 

ପିତାମହଙ୍କଠାରୁ ଏହି ସବୁ ଉପଦେଶ ଶୁଣି ଯୁଧିଷ୍ଠିର ବଡ଼ ଆନନ୍ଦିତ ହେଲେ ।

Image

 

ଅନୁଶାସନପର୍ବ

 

ଅନ୍ୟ ଉପଦେଶ :

ପିତାମହଙ୍କୁ ଯୁଧିଷ୍ଠିର ପୁଣି ଗୋଟିଏ ପ୍ରଶ୍ନ କଲେ–ଭାଗ୍ୟ ଓ ପୁରୁଷାର୍ଥ ବିଷୟରେ ।

ଭୀଷ୍ମ କହିଲେ, ‘‘ପୁରୁଷାର୍ଥ ଓ ଭାଗ୍ୟ ଦୁଇଟି ସ୍ୱତନ୍ତ୍ର ଜିନିଷ ନୁହେଁ । ମନୁଷ୍ୟକୁ ପୁରୁଷାର୍ଥ ପାଇଁ ଯତ୍ନ କରିବା ଦରକାର ।’’

ରାଜଧର୍ମ ଉପରେ ଆଲୋଚନା କରି ଭୀଷ୍ମ କହିଲ,‘‘ରାଜାର ପ୍ରଧାନ ଧର୍ମ ହେଉଛି ନ୍ୟାୟପଥରେ ପ୍ରଜା ପାଳନ କରିବା । ପ୍ରଜାଙ୍କର ସୁଖରେ ରାଜାର ସମ୍ପଦ, ମାନ, ମର୍ଯ୍ୟାଦା ସବୁ ବଢ଼ିଥାଏ ।’’

ଭୀଷ୍ମଙ୍କ ସ୍ୱର୍ଗବାସ :

କିଛିଦିନ ପରେ ମାଘ ମାସର ଶୁକ୍ଳପକ୍ଷ ଉପସ୍ଥିତ ହେଲା ।

ସୂର୍ଯ୍ୟ ଉତ୍ତରାୟଣ ହେଲେ ।

ପିତାମହ ଭୀଷ୍ମ ନିଜ ଶରୀରରୁ ବାଣଗୁଡ଼ିକ ଧୀରେ ଧୀରେ ବାହାର କଲେ । ମୃତ୍ୟୁକୁ ଆହ୍ୱାନ କଲେ । ତା’ପରେ ସେ ଇହଧାମ ତ୍ୟାଗକରି ଚାଲିଗଲେ ।

ଧର୍ମରାଜ ଯୁଧିଷ୍ଠିର ବିଧିବଦ୍ଧ ଭାବରେ ପିତାମହଙ୍କର ଶବଦାହ କଲେ ।

Image

 

ଅଶ୍ୱମେଧପର୍ବ

 

ଅଶ୍ୱମେଧ ଯଜ୍ଞ :

 

କିଛି ଦିନ ସୁଖରେ ରାଜ୍ୟଶାସନ କରିବାପରେ ଯୁଧିଷ୍ଠିର ଅଶ୍ୱମେଧ ଯଜ୍ଞ କରିବା ପାଇଁ ମନ କଲେ ।

 

ଏହି ସମୟରେ ଅଭିମନ୍ୟୁଙ୍କ ସ୍ତ୍ରୀ ଉତ୍ତରା ଏକ ମଲାପୁଅ ଜନ୍ମ କଲେ । ଭଗବାନ ଶ୍ରୀକୃଷ୍ଣ ସେହି ମଲାପୁଅକୁ ଜୀବଦାନ ଦେଲେ ।

 

ତାଙ୍କର ନାମ ରଖାଗଲା ପରୀକ୍ଷିତ ।

 

ଯଜ୍ଞକାର୍ଯ୍ୟ ପାଇଁ ସବୁପ୍ରକାର ଯୋଗାଡ଼ କରାଗଲା । ମହାବୀର ଅର୍ଜ୍ଜୁନ ଯଜ୍ଞଅଶ୍ୱ ନେଇ ଦିଗ୍‍ବିଜୟ କରିବା ପାଇଁ ବାହାରି ପଡ଼ିଲେ । ଏକ ବର୍ଷ ପରେ ଚାରି ଦିଗ ବୁଲି ସବୁ ଦେଶ ଜୟ କରି ସେ ଫେରିଆସିଲେ ।

 

ବ୍ୟାସଦେବ ନିଜର ଶିଷ୍ୟମାନଙ୍କ ସାହାଯ୍ୟରେ ଯଜ୍ଞକାର୍ଯ୍ୟ ସୁଚାରୁ ରୂପେ ଶେଷ କଲେ-। ଯଜ୍ଞ ଶେଷ ହେବାପରେ ଦୁଃଖୀ–ରଙ୍କିମାନଙ୍କୁ ବହୁ ଧନରତ୍ନ ଦାନ କରାଗଲା ।

Image

 

ଆଶ୍ରମବାସିକପର୍ବ

 

ଧୃତରାଷ୍ଟ୍ରଙ୍କ ବନଗମନ :

 

କାର୍ତ୍ତିକମାସ ପୂର୍ଣ୍ଣମୀ ଦିନ ଅନ୍ଧରାଜ ଧୃତରାଷ୍ଟ୍ର ସ୍ତ୍ରୀ ଗାନ୍ଧାରୀଙ୍କୁ ସଙ୍ଗରେ ଧରି ବନବାସ କରିବାକୁ ବାହାରିଲେ । ବନରେ ତାଙ୍କର ଦେଖାଶୁଣା କରିବା ପାଇଁ ସଞ୍ଜୟ ମଧ୍ୟ ତାଙ୍କ ସହିତ ବନକୁ ଗଲେ ।

 

ଧୃତରାଷ୍ଟ୍ର ବଣକୁ ଯିବାରୁ ଯୁଧିଷ୍ଠିର ବଡ଼ ଦୁଃଖିତ ହେଲେ । କିଛିଦିନ ପରେ ଯୁଧିଷ୍ଠିର ଅନ୍ଧରାଜାଙ୍କ ସହିତ ସାକ୍ଷାତ କରିବା ପାଇଁ ବିଦୁରଙ୍କୁ ସଙ୍ଗରେ ଧରି ବନକୁ ଗଲେ ।

 

ଗାନ୍ଧାରୀ ଓ ଧୃତରାଷ୍ଟ୍ରଙ୍କୁ ପ୍ରଣାମ କରି ରାଜ୍ୟକୁ ଫେରି ଯିବାପାଇଁ ବହୁତ ଅନୁରୋଧ କଲେ । ଧୃତରାଷ୍ଟ୍ର, ଯୁଧିଷ୍ଠିର ଓ ବିଦୁରଙ୍କୁ ଆଶୀର୍ବାଦ କରି ରାଜ୍ୟକୁ ଫେରିଯିବା ପାଇଁ କହିଲେ ।

 

ତା’ପରେ ସ୍ୱାମୀ–ସ୍ତ୍ରୀ ଦୁହେଁ ଯୋଗବଳରେ ନିଜେ ନିଜର ଦେହତ୍ୟାଗ କଲେ ।

Image

 

ମୌଷଳପର୍ବ

 

ଦୁକୁଳ ନାଶ :

 

ହସ୍ତିନାପୁରୀ ସୁଖଶାନ୍ତିରେ ପୂରି ରହିଥିବା ବେଳେ ଦ୍ୱାରକାପୁରୀରେ ଏକ ଅଶାନ୍ତିକର ଘଟଣା ଘଟିଲା ।

 

ଦିନେ ଶ୍ରୀକୃଷ୍ଣଙ୍କର ପୁଅମାନେ ଶାମ୍ବଙ୍କୁ ଏକ ସ୍ତ୍ରୀ ବେଶରେ ସଜେଇ ଖେଳୁଥିଲେ । ଏତିକିବେଳେ ସେହି ବାଟଦେଇ ଜଣେ ଋଷି ଯାଉଥିଲେ । ପିଲାମାନେ ଋଷିଙ୍କୁ ପଚାରିଲେ, ‘‘ମହାଶୟ ! ଏ ସ୍ତ୍ରୀ ଲୋକଟିର ଗର୍ଭରେ କ’ଣ ଅଛି କୁହନ୍ତୁ ।’’ ପିଲାଙ୍କର ଏଭଳି ଥଟ୍ଟାତାମସା ଋଷିଙ୍କୁ ଭଲ ଲାଗିଲା ନାହିଁ ।

 

ସେ ସଙ୍ଗେ ସଙ୍ଗେ ଜବାବ ଦେଲେ, ‘‘ଏହାର ଗର୍ଭରେ ଯାହା ଅଛି ସେ ତୁମ୍ଭର ବଂଶକୁ ଧ୍ୱଂସ କରିବ ।’’

 

ଋଷି ମୁନିମାନଙ୍କର କଥା ଅନ୍ୟଥା ହେବାର ନୁହେଁ ।

 

କିଛିଦିନ ପରେ ଶାମ୍ବଙ୍କ ଗର୍ଭରୁ ଏକ ଲୁହାମୂଷଳ ଜାତ ହେଲା । ଭଗବାନ ଶ୍ରୀକୃଷ୍ଣ ଉକ୍ତ ମୂଷଳଟିକୁ ପଥରରେ ଘୋରି ଘୋରି ସମୁଦ୍ର ଜଳରେ ପକାଇ ଦେବା ପାଇଁ ଅନୁଚରମାନଙ୍କୁ ଆଦେଶ ଦେଲେ ।

 

ଶ୍ରୀକୃଷ୍ଣଙ୍କ ଆଦେଶ ଅନୁସାରେ ମୂଷଳଟିକୁ ଘୋରି ଘୋରି ଛିଣ୍ଡେଇ ଦିଆଗଲା । ଉକ୍ତ ମୂଷଳର ଏକ କ୍ଷୁଦ୍ର ଅଂଶ ଯାହାକି ଘୋରି ହେବା ଅବସ୍ଥାରେ ନଥିଲା, ତାକୁ ସମୁଦ୍ରରେ ଅନୁଚରମାନେ ଫିଙ୍ଗିଦେଲେ ।

 

ଉକ୍ତ ଲୁହାଖଣ୍ଡକୁ ଗୋଟିଏ ମାଛ ଗିଳି ଦେଲା । କିଛିଦିନ ପରେ ସେହି ମାଛଟିକୁ କେଉଟ ଧରିଆଣି ବଜାରରେ ଜଣେ ଶବରକୁ ବିକିଲା । ଶବର ମାଛର ପେଟରୁ ଲୁହାଖଣ୍ଡଟି ପାଇ ସେଥିରେ ଏକ ମୁନିଆଁ ଶର ତିଆରି କଲା ।

 

ଭଗବାନ ଶ୍ରୀକୃଷ୍ଣ ହଠାତ୍‍ ଦିନେ ଶୁଣି ପାରିଲେ ଯେ ବଡ଼ଭାଇ ବଳରାମ ଯୋଗ ନିଦ୍ରାରେ ଶୋଇଛନ୍ତି । ଶ୍ରୀକୃଷ୍ଣଙ୍କ ମନରେ ଭୟ ଜାତ ହେଲା ।

 

ସେ ଯୋଗବଳରେ ଜାଣି ପାରିଲେ ଯେ ଋଷିଙ୍କର ଅଭିଶାପ ଫଳବତୀ ହେବାକୁ ଯାଉଛି । ଯାଦବକୁଳ ନାଶର ସମୟ ଆସି ପହଞ୍ଚିଗଲାଣି ।

 

ଦୁଃଖିତ ମନରେ ଶ୍ରୀକୃଷ୍ଣ ବଡ଼ଭାଇଙ୍କୁ ଦେଖିବା ପାଇଁ ଗଲେ । ଭାଇଙ୍କୁ ଦେଖିସାରି ବସୁଦେବଙ୍କ ସହିତ ସାକ୍ଷାତ କରିବାକୁ ଗଲେ । ସେଠାରୁ ଫେରି ଆସି ଦେଖନ୍ତି ତ ବଡ଼ଭାଇ ମରି ଯାଇଛନ୍ତି ।

 

ବଡ଼ଭାଇଙ୍କ ବିୟୋଗରେ ଶ୍ରୀକୃଷ୍ଣ ବିଶେଷ ଦୁଃଖିତ ହୋଇ ବନକୁ ଗଲେ । ଯିବା ପୂର୍ବରୁ ଅର୍ଜ୍ଜୁନଙ୍କ ଉପରେ ଯାଦବକୁଳ ସ୍ତ୍ରୀମାନଙ୍କର ରକ୍ଷଣାବେକ୍ଷଣ ଭାର ଦେଇ ଗଲେ ।

 

ଭଗବାନ ଶ୍ରୀକୃଷ୍ଣ ଚିନ୍ତିତ ମନରେ ଜଙ୍ଗଲରେ ବୁଲି ବୁଲି ଏକ ଶିଆଳୀ ଲଟାର ଛାଇରେ ବିଶ୍ରାମ କରୁଥିବାବେଳେ ଉକ୍ତ ଶବରର ସେହି ଶରଟି ଲକ୍ଷଭ୍ରଷ୍ଟ ହୋଇ ତାଙ୍କର ପାଦରେ ଗଳିଗଲା ।

 

ଘୋର ଜଙ୍ଗଲ ମଧ୍ୟରେ ଉକ୍ତ ଶବର ଏକ ମୃଗ ଉପରକୁ ଶରଟି ମାରିଥିଲା ।

 

କିନ୍ତୁ ବିଧିର ବିଧାନ ଅନୁସାରେ ତାହା ଆସି ଶ୍ରୀକୃଷ୍ଣଙ୍କୁ ଆଘାତ କଲା ।

 

ଭଗବାନ ଶ୍ରୀକୃଷ୍ଣ ସେହି ଶିଆଳୀ ଲଟାର ଛାଇରେ ଦେହ ତ୍ୟାଗ କଲେ ।

 

ଯାଦବକୁଳ କାମନୀଗଣଙ୍କ ଦୁର୍ଦ୍ଦଶା :

 

ବ୍ୟାଧ ମୁହଁରୁ ଶ୍ରୀକୃଷ୍ଣଙ୍କ ମୃତ୍ୟୁ ଖବର ପାଇ ମହାବୀର ଅର୍ଜ୍ଜୁନ ଯାଦବକୁଳ ସ୍ତ୍ରୀମାନଙ୍କୁ ସଙ୍ଗରେ ଧରି ହସ୍ତିନାପୁରୀକୁ ଫେରି ଯାଉଥିଲେ ।

 

ଏତିକିବେଳେ ଦଳେ ଡକାୟତ ଅର୍ଜ୍ଜୁନଙ୍କୁ ଆକ୍ରମଣ କରି ସମସ୍ତ ଧନ ସମ୍ପତ୍ତି ସହ ଯାଦବ ସ୍ତ୍ରୀମାନଙ୍କୁ ଚୋରେଇ ନେଇଗଲେ ।

 

ଅର୍ଜ୍ଜୁନ ବହୁ ଚେଷ୍ଟା କରି ମଧ୍ୟ ସେମାନଙ୍କୁ ଡକାୟତମାନଙ୍କ କବଳରୁ ରକ୍ଷା କରି ପାରିଲେ ନାହିଁ ।

 

ଶ୍ରୀକୃଷ୍ଣଙ୍କ ମୃତ୍ୟୁ ପରେ ପରେ ଅର୍ଜ୍ଜୁନଙ୍କ ଦେହରୁ ସମସ୍ତ ଶକ୍ତି ଲୋପ ପାଇ ଯାଇଥିଲା-

 

ଏପରିକି ଧନୁଟିକୁ ତଳୁ ଉଠାଇବା ପାଇଁ ତାଙ୍କର ବଳ ନଥିଲା । ସେ କର୍ତ୍ତବ୍ୟ ପାଳନ କରି ନ ଥିବାରୁ ମନେ ମନେ ଲଜ୍ଜିତ ହୋଇ ବ୍ୟାସଦେବଙ୍କୁ ସବୁକଥା ପଚାରିଲେ ।

 

ବ୍ୟାସଦେବ କହିଲେ–ବତ୍ସ ! ଶ୍ରୀକୃଷ୍ଣଙ୍କ ପରେ ପରେ ତୁମ୍ଭର ମଧ୍ୟ ସ୍ୱର୍ଗବାସ କରିବା ପାଇଁ ସମୟ ଆସିଗଲା । ଅଳ୍ପଦିନ ମଧ୍ୟରେ ତୁମ୍ଭେ ମଧ୍ୟ ସ୍ୱର୍ଗଲାଭ କରିବ ।

Image

 

ମହାପ୍ରସ୍ଥାନିକପର୍ବ

 

ମହାପ୍ରସ୍ଥାନ :

 

ବ୍ୟାସଦେବଙ୍କ କଥା ଅନୁସାରେ ପାଣ୍ଡବମାନେ ସ୍ୱର୍ଗକୁ ଯିବାପାଇଁ ହିମାଳୟକୁ ଗଲେ । ହିମାଳୟର ବରଫପୂର୍ଣ୍ଣ ରାସ୍ତାରେ ସେମାନେ ଯାଉଥାନ୍ତି । ହଠାତ୍ ଏକ ଗଡ଼ାଣିଆ ସ୍ଥାନରେ ଦ୍ରୌପଦୀଙ୍କର ଗୋଡ଼ ଖସିଗଲା ।

 

ତଳେ ଏକ ବିରାଟ ଗର୍ତ୍ତ । ଦ୍ରୌପଦୀ ତା’ଭିତରେ ପଡ଼ିଯାଇ ଦେହତ୍ୟାଗ କଲେ ।

 

ତାଙ୍କ ପରେ ପରେ ଭୀମ, ଅର୍ଜ୍ଜୁନ, ନକୁଳ ଓ ସହଦେବ ପ୍ରଭୃତି ଚାରିଭାଇ ଜଣ ଜଣ ହୋଇ ଗଡ଼ି ପଡ଼ିଲେ ।

 

ରହିଗଲେ କେବଳ ଧର୍ମରାଜ ଯୁଧିଷ୍ଠିର ।

 

ଯୁଧିଷ୍ଠିରଙ୍କୁ ସ୍ୱଦେହରେ ସ୍ୱର୍ଗକୁ ନେବାପାଇଁ ଦେବରାଜ ଇନ୍ଦ୍ର ନିଜର ବିମାନଟି ପଠେଇ ଦେଲେ । ରଥବାହକ ବିମାନରେ ବସିବାପାଇଁ ତାଙ୍କୁ ଅନୁରୋଧ କରିବାରୁ ସେ କହିଲେ, ‘‘ମହାଶୟ ! ଦେଖୁଛନ୍ତି, ଏ ଯେଉଁ ଶ୍ୱାନଟି ମୋ’ ସଙ୍ଗରେ ଅଛି, ମୁଁ ତାକୁ ସ୍ୱର୍ଗକୁ ନେବାକୁ ଇଚ୍ଛା କରିଅଛି । ଶ୍ୱାନଟି ବହୁ କଷ୍ଟ ସହି ମୋ’ ସହିତ ଏତେଦୂର ଆସିଛି, ଏ ଦୁର୍ଗମ ପର୍ବତ ଉପରେ ମୁଁ ତାକୁ ଛାଡ଼ିଯିବି କିପରି ?’’

 

ରଥବାହକ କହିଲେ, ‘‘ମହାଶୟ ! ଶ୍ୱାନଟାଏ ସ୍ୱଦେହରେ ସ୍ୱର୍ଗକୁ ଯିବ କିପରି ? ଆପଣଙ୍କ ବ୍ୟତୀତ ଅନ୍ୟ କାହାରିକୁ ନେବାକୁ ଦେବରାଜଙ୍କ ହୁକୁମ ନାହିଁ ।’’

 

ଯୁଧିଷ୍ଠିର କହିଲେ, ‘‘ତାହାହେଲେ ଆପଣ ଫେରି ଯାନ୍ତୁ । ମୁଁ ବିମାନରେ ଯିବି ନାହିଁ ।’’

 

ଯୁଧିଷ୍ଠିରଙ୍କ ଏ କଥା ଶୁଣି ଧର୍ମଦେବତା ଶ୍ୱାନ ରୂପ ପରିତ୍ୟାଗ କରି ନିଜରୂପ ଧାରଣ କଲେ । ଯୁଧିଷ୍ଠିରଙ୍କୁ ଲକ୍ଷ୍ୟ କରି କହିଲେ, ‘‘ବତ୍ସ, ମୁଁ ଶ୍ୱାନ ରୂପ ଧାରଣ କରି ତୁମ୍ଭ ପାଖେ ପାଖେ ରହି ତୁମ୍ଭଙ୍କୁ ପରୀକ୍ଷା କରୁଥିଲି । ବର୍ତ୍ତମାନ ତୁମ୍ଭେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛ । ତେଣୁ ତୁମେ ସ୍ୱଦେହରେ ସ୍ୱର୍ଗକୁ ଯାଅ । ତୁମ୍ଭର ଭାଇ, ବନ୍ଧୁ, ଆତ୍ମୀୟସ୍ୱଜନମାନେ ତୁମ୍ଭଙ୍କୁ ଦେଖିବାପାଇଁ ସ୍ୱର୍ଗରେ ଅପେକ୍ଷା କରି ରହିଛନ୍ତି ।’’

Image

 

ସ୍ୱର୍ଗାରୋହଣପର୍ବ

 

ନରକ ଦର୍ଶନ :

 

ଧର୍ମରାଜ ଯୁଧିଷ୍ଠିର ସ୍ୱର୍ଗରେ ପହଞ୍ଚି ଦେଖିଲେ ଯେ ଦୁର୍ଯ୍ୟୋଧନ ଓ ତାଙ୍କର ଭ୍ରାତାଗଣ ଏକ ସ୍ଥାନରେ ବସି ଦେବତାମାନଙ୍କ ସହିତ ମଉଜ ମଜଲିସରେ ମାତି ରହିଛନ୍ତି । ପାଣ୍ଡବମାନେ ସେଠାରେ ନାହାନ୍ତି ।

 

ଏହା ଦେଖି ତାଙ୍କ ମନରେ କ୍ରୋଧ ଜାତ ହେଲା ।

 

ଦେବର୍ଷି ନାରଦ କହିଲେ, ‘‘ଦୁର୍ଯ୍ୟୋଧନ ଓ ତାଙ୍କର ଶହେ ଭାଇ ଯୁଦ୍ଧରେ ବୀରତ୍ୱ ସହକାରେ ପ୍ରାଣ ଦେଇଥିବାରୁ ସ୍ୱର୍ଗସମ୍ପଦ ଲାଭ କରିବାକୁ ସକ୍ଷମ ହୋଇ ପାରିଛନ୍ତି ।

 

ତୁମ୍ଭେ ଯାଅ, ‘‘ତୁମ୍ଭର ଆତ୍ମୀୟ–ସ୍ୱଜନଙ୍କ ସହିତ ଦେଖା କରିବ ।’’ ଏହା କହି ନାରଦ ଜଣେ ଦେବଦୂତଙ୍କ ସହ ଯୁଧିଷ୍ଠିରଙ୍କୁ ଏକ ସ୍ଥାନକୁ ପଠେଇ ଦେଲେ ।

 

ସେହି ସ୍ଥାନରେ ପହଞ୍ଚି ଧର୍ମରାଜ ଯୁଧିଷ୍ଠିର ଦେଖିଲେ ଯେ ସେଠାରେ ଗଦା ଗଦା ଖାଲି ପଚାମାଂସ ପଡ଼ିରହିଛି । ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଛି । ରକ୍ତର ନଦୀ ବହି ଯାଉଛି । ପୋକ ମାଛି ଭର୍ତ୍ତି ହୋଇଛନ୍ତି । ମଣିଷ ଶରୀରର ହାଡ଼ ଓ ଖପୁରୀ ଏଣେତେଣେ ଗଡ଼ୁଛି..

 

ଏପରି କୁତ୍ସିତ କଦର୍ଯ୍ୟ ସ୍ଥାନ ଦର୍ଶନ କରି ଯୁଧିଷ୍ଠିରଙ୍କର ଘୃଣା ଜାତ ହେଲା । ନିଜର ଆତ୍ମୀୟମାନଙ୍କୁ ସେଠାରେ ସେ ଦେଖିବାମାତ୍ରେ ତାଙ୍କର ଘୃଣାଭାବ ଦୂର ହୋଇଗଲା ।

 

ଯୁଧିଷ୍ଠିରଙ୍କର ଫେରିବାରେ ବିଳମ୍ବ ହେବା ଦେଖି ଦେବରାଜ ଇନ୍ଦ୍ର ଅନ୍ୟ ଦେବତାମାନଙ୍କ ସହ ସେଠାକୁ ଆସିଲେ । ଇନ୍ଦ୍ର ପହଞ୍ଚିବା କ୍ଷଣି କାଳ୍ପନିକ ନରକ କୁଆଡ଼େ ଉଭେଇ ଗଲା । ଚତୁର୍ଦ୍ଦିଗ ସୌନ୍ଦର୍ଯ୍ୟ ଓ ସୌରଭରେ ପୂରି ଉଠିଲା ।

 

ଯୁଧିଷ୍ଠିର ଆଶ୍ଚର୍ଯ୍ୟ ହୋଇ ଏ ସବୁର କାରଣ ଦେବରାଜଙ୍କୁ ପଚାରିବାରୁ ସେ କହିଲେ, ‘‘ଧର୍ମରାଜ ! ଆପଣ ମର୍ତ୍ତ୍ୟରେ ଥିବାବେଳେ ସାମାନ୍ୟ ପାପ କରିଥିବାରୁ ଆପଣଙ୍କୁ ନରକଦର୍ଶନ କରିବାକୁ ପଡ଼ିଲା; କିନ୍ତୁ ଦୁର୍ଯ୍ୟୋଧନ ଓ ତାଙ୍କର ଅନ୍ୟଭାଇମାନେ ବହୁ ଅନ୍ୟାୟ ମଧ୍ୟରେ ସାମାନ୍ୟ ଧର୍ମକାର୍ଯ୍ୟ କରିଥିବାରୁ ଅଳ୍ପ ସମୟ ପାଇଁ ସ୍ୱର୍ଗ ସୁଖ ଲାଭ କଲେ । ଏଥର ଆପଣ ନିଶ୍ଚିନ୍ତରେ ଆତ୍ମୀୟସ୍ୱଜନଙ୍କ ସହିତ ଚିରକାଳ ପାଇଁ ସ୍ୱର୍ଗସୁଖ ଲାଭ କରିପାରିବେ ।’’

 

ଦେବରାଜ ଇନ୍ଦ୍ରଙ୍କ ନିର୍ଦ୍ଦେଶରେ ଧର୍ମରାଜ ଯୁଧିଷ୍ଠିର ମନ୍ଦାକିନୀରେ ସ୍ନାନ କରି ମାନବ ଦେହ ତ୍ୟାଗ କଲେ । ସ୍ୱର୍ଗୀୟ ଦେହ ଧାରଣ କରି ନିଜର ଆତ୍ମୀୟସ୍ୱଜନଙ୍କ ସହିତ ମହାସୁଖରେ ସ୍ୱର୍ଗରେ ବାସ କଲେ ।

Image